Bhagavad Gita: Chapter 12, Verse 3-4

ଯେ ତ୍ୱକ୍ଷରମନିର୍ଦେଶ୍ୟମବ୍ୟକ୍ତଂ ପର୍ଯ୍ୟୁପାସତେ ।
ସର୍ବତ୍ରଗମଚିନ୍ତ୍ୟଂନ୍‌ଚ କୂଟସ୍ଥମଚଳନ୍‌ଧ୍ରୁବମ୍ ।।୩।।
ସଂନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ବତ୍ର ସମବୁଦ୍ଧୟଃ ।
ତେ ପ୍ରାପ୍ନୁବନ୍ତି ମାମେବ ସର୍ବଭୂତହିତେ ରତାଃ ।।୪।।

ଯେ - ଯେଉଁମାନେ; ତୁ -କିନ୍ତୁ; ଅକ୍ଷରଂ -ଅବିନଶ୍ୱର; ଅନିର୍ଦେଶ୍ୟଂ - ଅନିର୍ବଚନୀୟ; ଅବ୍ୟକ୍ତଂ - ଅବ୍ୟକ୍ତ; ପର୍ଯ୍ୟୁପାସତେ - ପୂର୍ଣ୍ଣରୂପେ ଯୁକ୍ତହୋଇ ଉପାସନା କରନ୍ତି; ସର୍ବତ୍ରଗଂ - ସର୍ବବ୍ୟାପକ; ଅଚିନ୍ତ୍ୟନ୍ - ଅଚିନ୍ତ୍ୟ; ଚ- ଏବଂ; କୂଟସ୍ଥମ୍ -ଅପରିବର୍ତ୍ତନୀୟ; ଅଚଳନ୍ -ଅଚଳ; ଧ୍ରୁବମ୍ - ସ୍ଥିର; ସଂନିୟମ୍ୟ - ସଂଯତ କରି; ଇନ୍ଦ୍ରିୟ-ଗ୍ରାମଂ - ସମସ୍ତ ଇନ୍ଦ୍ରିୟକୁ, ସର୍ବତ୍ର -ସବୁଠାରେ; ସମବୁଦ୍ଧୟଃ - ସମବୁଦ୍ଧିସମ୍ପନ୍ନ; ତେ -ସେମାନେ; ପ୍ରାପ୍ନୁବନ୍ତି- ପ୍ରାପ୍ତ କରନ୍ତି; ମାଂ -ମୋତେ; ଏବ- ନିଶ୍ଚିତ-ଭାବେ; ସର୍ବଭୂତ-ହିତେ- ସମସ୍ତ ଜୀବଙ୍କର ମଙ୍ଗଳାକାଂକ୍ଷୀ; ରତାଃ -ନିଯୁକ୍ତ ।

Translation

BG 12.3-4: ଯେଉଁମାନେ ପରମ ସତ୍ୟର ନିରାକାର ସ୍ୱରୂପକୁ ଅବିନଶ୍ୱର, ଅନିର୍ବଚନୀୟ, ଅପ୍ରକାଶ୍ୟ, ସର୍ବବ୍ୟାପକ, ଅଚିନ୍ତ୍ୟ, ଅପରିବର୍ତ୍ତନଶୀଳ, ନିତ୍ୟ ଏବଂ ଅଚଳ ରୂପରେ, ମନ ଓ ବୁଦ୍ଧିକୁ ନିୟନ୍ତ୍ରିତ କରି, ସର୍ବତ୍ର ସମଭାବାପନ୍ନ ହୋଇ, ଉପାସନା କରନ୍ତି, ସେମାନେ ସମସ୍ତ ପ୍ରାଣୀଙ୍କର କଲ୍ୟାଣ ସାଧନ କରିବା ସହିତ ମୋତେ ପ୍ରାପ୍ତ କରନ୍ତି ।

Commentary

ସାକାର ସ୍ୱରୂପର ଉପାସନାକୁ ସର୍ବୋତ୍କୃଷ୍ଟ କହିବା ପରେ, ଶ୍ରୀକୃଷ୍ଣ ସ୍ପଷ୍ଟ କରି ଦେଉଛନ୍ତି ଯେ, ନିରାକାର ରୂପର ଉପାସନାକୁ ସେ କଦାପି ପ୍ରତ୍ୟାଖାନ କରନ୍ତି ନାହିଁ । ଯେଉଁ ସାଧକମାନେ ସର୍ବବ୍ୟାପକ, ଅନିର୍ବଚନୀୟ, ଅବ୍ୟକ୍ତ, ଅଚିନ୍ତ୍ୟ, ଅଚଳ ଓ ନିତ୍ୟ ବ୍ରହ୍ମଙ୍କ ଉପାସନାରେ ନିଜକୁ ସମର୍ପିତ କରିଥାଆନ୍ତି, ସେମାନେ ମଧ୍ୟ ଭଗବତ୍ ପ୍ରାପ୍ତି କରନ୍ତି ।

ଅସଂଖ୍ୟ ପ୍ରକାରର ଜୀବ ଅଛନ୍ତି । ଯେଉଁ ପରଂବ୍ରହ୍ମ ଏହି ଅସଂଖ୍ୟ ପ୍ରକାର ଭେଦ ସୃଷ୍ଟି କରିଛନ୍ତି, ସେ ନିଜେ ମଧ୍ୟ ଅସଂଖ୍ୟ ସ୍ୱରୂପ ଧାରଣ କରନ୍ତି । ଆମ ସୀମିତ ବୁଦ୍ଧିରେ ଧାରଣ କରିବା ପାଇଁ ଆମେ ତାଙ୍କର ଅନନ୍ତ ସ୍ୱରୂପକୁ କେତୋଟି ଶ୍ରେଣୀରେ ବିଭକ୍ତ କରିଥାଏ । ସେହି ଅନୁସାରେ, ପୂର୍ବ ଶ୍ଳୋକର ଭାଷ୍ୟରେ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ବେଦ ବ୍ୟାସ ପରମେଶ୍ୱରଙ୍କର ବିଭିନ୍ନ ସ୍ୱରୂପକୁ ତିନି ପ୍ରକାରରେ ବିଭକ୍ତ କରିଛନ୍ତି: ବ୍ରହ୍ମ, ପରମାତ୍ମା ଏବଂ ଭଗବାନ । ଜଣେ ବ୍ୟକ୍ତି ଏହି ତିନୋଟି ସ୍ୱରୂପ ମଧ୍ୟରୁ କୌଣସି ଗୋଟିଏର ଉପାସନା କରିପାରନ୍ତି, କିନ୍ତୁ ସେ ଏପରି ଭାବିବା ଉଚିତ ନୁହେଁ ଯେ ଭଗବାନଙ୍କ ବିଷୟରେ ତାଙ୍କର ଧାରଣା ହିଁ ଠିକ୍ ଏବଂ ଅନ୍ୟମାନଙ୍କର ଧାରଣା ଭୁଲ ଅଟେ ।

ଶ୍ଲୋକ ୪/୧୧ରେ, ଶ୍ରୀକୃଷ୍ଣ କହିଛନ୍ତି: “ଯେଉଁ ବ୍ୟକ୍ତି ଯେଉଁ ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେହି ଭାବରେ ତା’ର ପ୍ରତିଦାନ ଦେଇଥାଏ । ହେ ପୃଥାପୁତ୍ର! ସମସ୍ତେ ସବୁ ଦୃଷ୍ଟିକୋଣରୁ ମୋର ମାର୍ଗ ଅନୁସରଣ କରିଥାନ୍ତି ।” ଏଠାରେ ଶ୍ରୀକୃଷ୍ଣ ସ୍ପଷ୍ଟ କରିଦେଉଛନ୍ତି ଯେ ନିରାକାର ବ୍ରହ୍ମଙ୍କର ଉପାସକ ମାନେ ମଧ୍ୟ ତାଙ୍କୁ ପ୍ରାପ୍ତ କରନ୍ତି । କିନ୍ତୁ ଯେହେତୁ, ସେମାନେ ପରମ ସତ୍ୟର ନିର୍ଗୁଣ ସ୍ୱରୂପର ଉପାସନା କରୁଥାଆନ୍ତି, ଭଗବାନ ସେମାନଙ୍କୁ ଅବ୍ୟକ୍ତ ସର୍ବବ୍ୟାପୀ ବ୍ରହ୍ମ ଭାବରେ ପ୍ରାପ୍ତ ହୋଇଥାଆନ୍ତି ।