ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ମନୁଷ୍ୟର ଦୁଇ ପ୍ରକାର ସ୍ୱଭାବ ବିଷୟରେ ବର୍ଣ୍ଣନା କରିଛନ୍ତି - ସାଧୁ ସ୍ୱଭାବ ଏବଂ ଆସୁରିକ ସ୍ୱଭାବ । ଶାସ୍ତ୍ର ଉପଦେଶ ପାଳନ, ସତ୍ତ୍ୱ ଗୁଣର ବିକାଶ, ଆଧ୍ୟାତ୍ମିକ ସାଧନା ଏବଂ ଅନ୍ତଃକରଣ ଶୁଦ୍ଧି ଦ୍ୱାରା ସାଧୁ ସ୍ୱଭାବ ଉତ୍ପନ୍ନ ହୋଇଥାଏ । ଏହା ଦୈବୀ ସମ୍ପତ୍ତି ବା ଭଗବଦୀୟ ଗୁଣର ବିକାଶ କରେ ଏବଂ ପରିଣାମତଃ ଭଗବତ୍ ପ୍ରାପ୍ତି କରାଇ ଥାଏ । ଏହାର ବିପରୀତ ଆସୁରିକ ସ୍ୱଭାବ ଅଟେ । ଯାହା ରଜୋଗୁଣ ଓ ଅଜ୍ଞାନର ସଂସ୍ପର୍ଶରେ ଆସି ତଥା ଭୌତିକ ଦୃଷ୍ଟିକୋଣ ପୋଷଣ କରିବା ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ୱରେ ଅନୈତିକ ସ୍ୱଭାବ ବୃଦ୍ଧି କରାଏ ଏବଂ ସର୍ବଶେଷରେ ଆତ୍ମାକୁ ନର୍କଗାମୀ କରାଏ ।
ଅଧ୍ୟାୟଟି ଦ୍ୱୈବୀଗୁଣର ଅଧିକାରୀ ସାଧୁ ସ୍ୱଭାବର ବର୍ଣ୍ଣନା ସହ ଆରମ୍ଭ ହୋଇଛି । ତାପରେ ଆସୁରିକ ସ୍ୱଭାବର ବର୍ଣ୍ଣନା ହୋଇଛି, ଯାହାର ପରିତ୍ୟାଗ ନିଷ୍ଠାପୂର୍ବକ କରାଯିବା ଉଚିତ୍, କାରଣ ସେଗୁଡ଼ିକ ଜୀବକୁ ଅଜ୍ଞାନତା ଏବଂ ଜୀବନ ଓ ମୃତ୍ୟୁର ସଂସାରକୁ ଟାଣିନିଅନ୍ତି । ଅଧ୍ୟାୟର ପରିସମାପ୍ତି କରିବାକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ କ’ଣ କରାଯିବା ଉଚିତ ଏବଂ କ’ଣ କରାଯିବା ଉଚିତ ନୁହେଁ, ଏ ବିଷୟରେ ସମସ୍ତ ଶାସ୍ତ୍ର ଆମ ନିର୍ଣ୍ଣୟର ଅନ୍ତିମ ଅଧିକାରୀ ହେବା ଉଚିତ ଏବଂ ଆମେ ଶାସ୍ତ୍ରଗୁଡ଼ିକର ଉପଦେଶ ମାନି, ସେହି ଅନୁସାରେ ସଂସାରରେ କର୍ମ କରିବା ଉଚିତ୍ ।
Bhagavad Gita 16.1 – 16.3 View commentary »
ଶ୍ରୀ ଭଗବାନ କହିଲେ: ହେ ଭରତ ଶ୍ରେଷ୍ଠ! ଏହି ଗୁଡ଼ିକ ଦୈବୀଗୁଣର ଅଧିକାରୀ ବ୍ୟକ୍ତିଙ୍କର ସାଧୁ ସ୍ୱଭାବ ଅଟେ- ନିର୍ଭୀକତା, ମନର ପବିତ୍ରତା, ଆଧ୍ୟାତ୍ମିକ ଜ୍ଞାନରେ ସ୍ଥିରତା, ଦାନ, ଇନ୍ଦ୍ରିୟ ବଶୀକରଣ, ଯଜ୍ଞ ସମ୍ପାଦନ, ପବିତ୍ର ପୁସ୍ତକ ପଠନ, ସଂଯମ, ସ୍ପଷ୍ଟବାଦୀ, ଅହିଂସା, ସତ୍ୟବାଦୀ, କ୍ରୋଧରହିତ, ତ୍ୟାଗ, ଶାନ୍ତିପ୍ରିୟ, ପରଦୋଷ ଦର୍ଶନ ନ କରିବା, ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା, ଲୋଭହୀନ, ଭଦ୍ର, ଶାଳୀନ, ସ୍ଥିର ମତି, ସାହସୀ, କ୍ଷମାଶୀଳ, ସହନଶୀଳ, ପରିଷ୍କାର ପରିଚ୍ଛନ୍ନ, କାହା ପ୍ରତି ଶତ୍ରୁତା ଆଚରଣ ନ କରିବା ଏବଂ ଅହଂକାର ରହିତ ହେବା ।
Bhagavad Gita 16.4 View commentary »
ହେ ପାର୍ଥ! ଆସୁରିକ ପ୍ରବୃତ୍ତି ଯୁକ୍ତ ବ୍ୟକ୍ତିମାନଙ୍କର ସ୍ୱଭାବଗୁଡ଼ିକ ହେଉଛି, କପଟାଚାର, ଅହଂକାର, ଆତ୍ମ-ଗର୍ବ, କ୍ରୋଧ, ନିଷ୍ଠୁରତା ଏବଂ ଅଜ୍ଞାନତା ।
Bhagavad Gita 16.5 View commentary »
ଦିବ୍ୟଗୁଣ ମୁକ୍ତି ପ୍ରଦାନ କରୁଥିବାବେଳେ, ଆସୁରିକ ଗୁଣଗୁଡ଼ିକ ବନ୍ଧନର ଏକ କ୍ରମାଗତ ଭାଗ୍ୟର କାରଣ ହୋଇଥାନ୍ତି । ହେ ଅର୍ଜୁନ! ଦୁଃଖ କର ନାହିଁ, ତୁମେ ଧାର୍ମିକ ଗୁଣଯୁକ୍ତ ହୋଇ ଜନ୍ମ ଗ୍ରହଣ କରିଛ ।
Bhagavad Gita 16.6 View commentary »
ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି - ଯେଉଁମାନେ ଦିବ୍ୟ ଗୁଣସମ୍ପନ୍ନ ହୋଇଥାନ୍ତି ଏବଂ ଯେଉଁମାନେ ଆସୁରିକ ଗୁଣ ଧାରଣ କରିଥାନ୍ତି । ହେ ଅର୍ଜୁନ! ମୁଁ ଦିବ୍ୟଗୁଣ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ସାରିଛି । ବର୍ତ୍ତମାନ ମୋଠାରୁ ଆସୁରିକ ଗୁଣ ସମ୍ପର୍କରେ ଶୁଣ ।
Bhagavad Gita 16.7 View commentary »
କେଉଁ କର୍ମଟି ଉଚିତ ଏବଂ କେଉଁ କର୍ମ ଅନୁଚିତ, ତାହା ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ଠାରେ ଶୁଦ୍ଧତା, ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଆଦି ଗୁଣ ଦେଖାଯାଏ ନାହିଁ ।
Bhagavad Gita 16.8 View commentary »
ସେମାନେ କହନ୍ତି, “ସଂସାର ସତ୍ୟ ରହିତ ଅଟେ । ଏହାର ଆଧାର (ଧାର୍ମିକ) କିଛି ନାହିଁ ଏବଂ ଏହା ଈଶ୍ୱରହୀନ (ଯିଏ ସୃଷ୍ଟି କରନ୍ତି ଏବଂ ନିୟନ୍ତ୍ରଣ କରନ୍ତି) ଅଟେ । ଏହା ଦୁଇ ଲିଙ୍ଗର ସଂଯୋଗରେ ସୃଷ୍ଟି ହୋଇଛି ଏବଂ ଯୌନ ସନ୍ତୋଷ ଅତିରିକ୍ତ ଏହାର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।
Bhagavad Gita 16.9 View commentary »
ଏପରି ସିଦ୍ଧାନ୍ତକୁ ଦୃଢ଼ ଭାବରେ ଗ୍ରହଣ କରି ଏହି ବିପଥଗାମୀ ଜୀବ, ସେମାନଙ୍କର ସ୍ୱଳ୍ପ ବୁଦ୍ଧି ଏବଂ ନିଷ୍ଠୁର କର୍ମ ଦ୍ୱାରା, ସଂସାରର ବିଧ୍ୱଂସକରୀ ଶତ୍ରୁ ରୂପରେ ଦେଖାଦିଅନ୍ତି ।
Bhagavad Gita 16.10 View commentary »
ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ, ଅତୃପ୍ତ ଯୌନ-କାମନା, ପୂର୍ଣ୍ଣ କପଟତା, ଗର୍ବ ଏବଂ ଅହଂକାର ମନୋଭାବ ପୋଷଣ କରି, ତାଙ୍କର ଅସତ୍ୟ ମତବାଦକୁ ଦୃଢ଼ଭାବେ ଧରି ରଖିଥାନ୍ତି । ଏହିପରି ବିଭ୍ରାନ୍ତ ହୋଇ ସେମାନେ ଅସ୍ଥାୟୀ ପଦାର୍ଥ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ତ୍ରୁଟିଯୁକ୍ତ ସଂକଳ୍ପ ନେଇ କାର୍ଯ୍ୟ କରିଥାନ୍ତି ।
Bhagavad Gita 16.11 View commentary »
ସେମାନେ ଅନ୍ତହୀନ ଉତ୍କଣ୍ଠାରେ ଛନ୍ଦି ହୋଇଥାନ୍ତି, ଯାହା ମୃତ୍ୟୁରେ ହିଁ ସମାପ୍ତ ହୋଇଥାଏ । ତଥାପି ସେମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ରହିଥାନ୍ତି ଯେ କାମନା ପୂର୍ଣ୍ଣ କରିବା ଏବଂ ଧନ ସମ୍ପଦ ସଂଗ୍ରହ କରିବା ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଅଟେ ।
Bhagavad Gita 16.12 View commentary »
ଶତାଧିକ କାମନାର ଦାସ ହୋଇ, କାମ ଏବଂ କ୍ରୋଧ ଦ୍ୱାରା ପ୍ରେରିତ ହୋଇ, ସେମାନେ ଅସାଧୁ ଉପାୟରେ ସମ୍ପତ୍ତି ଏକତ୍ର କରିବାରେ ଚେଷ୍ଟାରତ ରହନ୍ତି, ଯାହା କେବଳ ତାଙ୍କର ଇନ୍ଦ୍ରିୟମାନଙ୍କର ସନ୍ତୋଷ ବିଧାନ ପାଇଁ ହୋଇଥାଏ ।
Bhagavad Gita 16.13 – 16.15 View commentary »
ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନେ ଚିନ୍ତା କରନ୍ତି, “ମୁଁ ଆଜି ଯଥେଷ୍ଟ ଧନ ଅର୍ଜନ କରିଛି ଏବଂ ମୁଁ ଏବେ ମୋର କାମନା ପୂର୍ଣ୍ଣ କରିବି । ଏହା ମୋର ଅଟେ ଏବଂ ଆସନ୍ତାକାଲି ମୋର ଆହୁରି ଅଧିକ ହେବ । ସେ ଶତ୍ରୁକୁ ମୁଁ ପରାହତ କରିଛି, ଅନ୍ୟମାନଙ୍କୁ ମଧ୍ୟ ମୁଁ ନିଃଶେଷ କରିଦେବି! ମୁଁ ସ୍ୱୟଂ ଭଗବାନଙ୍କ ସଦୃଶ ଅଟେ, ମୁଁ ଭୋକ୍ତା ଅଟେ, ମୁଁ ଶକ୍ତିଶାଳୀ ଏବଂ ମୁଁ ସୁଖୀ ଅଟେ । ମୁଁ ଧନବାନ ଏବଂ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ସମ୍ଭ୍ରାନ୍ତ ଅଟନ୍ତି । ମୋ ସହିତ କିଏ ସମାନ ହେବ? ମୁଁ ଯଜ୍ଞ କରିବି (ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ); ମୁଁ ଭିକ୍ଷା ଦେବି; ମୁଁ ଉପଭୋଗ କରିବି ।”- ଏତାଦୃଶ ଅଜ୍ଞାନଦ୍ୱାରା ସେମାନେ ଭ୍ରମିତ ହୋଇଥାନ୍ତି ।
Bhagavad Gita 16.16 View commentary »
ଏହିପରି କଳ୍ପନାଶୀଳତା ଦ୍ୱାରା ଆବିଷ୍ଟ ଏବଂ ଦିଗଭ୍ରଷ୍ଟ ହୋଇ, ମୋହ ଜାଲରେ ଛନ୍ଦି ହୋଇ ଏବଂ ଇନ୍ଦ୍ରିୟ ସୁଖ ସମ୍ଭୋଗରେ ନିଶାସକ୍ତ ହୋଇ, ସେମାନେ ଅନ୍ଧକାରତମ ନର୍କରେ ପତିତ ହୁଅନ୍ତି ।
Bhagavad Gita 16.17 View commentary »
ଏହିପରି ଆତ୍ମାଭିମାନୀ ଏବଂ ଦାମ୍ଭିକ ବ୍ୟକ୍ତିମାନେ ଧନର ଗର୍ବରେ ଉଦ୍ଧତ ହୋଇ, ଶାସ୍ତ୍ର ବିଧି ଅନୁସରଣ ନ କରି, କେବଳ ନାମକୁ ମାତ୍ର ଆଡ଼ମ୍ବରପୂର୍ଣ୍ଣ ଯଜ୍ଞର ଅନୁଷ୍ଠାନ କରିଥାନ୍ତି ।
Bhagavad Gita 16.18 View commentary »
ଆତ୍ମ-ଗର୍ବ, ଦମ୍ଭ, ଅହଂକାର, କାମନା ଏବଂ କ୍ରୋଧ ଦ୍ୱାରା ଅନ୍ଧ ହୋଇ, ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ନିଜ ଶରୀରରେ ତଥା ଅନ୍ୟମାନଙ୍କ ଶରୀରରେ ମୋର ଉପସ୍ଥିତିକୁ ଅପମାନିତ କରିଥାନ୍ତି ।
Bhagavad Gita 16.19 – 16.20 View commentary »
ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ କରିଥାଏ । ଏହି ମୂଢ଼ ଜୀବଗଣ ବାରମ୍ବାର ଆସୁରିକ ଯୋନିରେ ଜନ୍ମ ଗ୍ରହଣ କରନ୍ତି । ହେ ଅର୍ଜୁନ! ମୋତେ ପ୍ରାପ୍ତ କରିବାରେ ବିଫଳ ହୋଇ, ଧୀରେ ଧୀରେ ସେମାନେ ନିକୃଷ୍ଟତମ ଯୋନିକୁ ପତିତ ହୁଅନ୍ତି ।
Bhagavad Gita 16.21 View commentary »
ଜୀବକୁ ଆତ୍ମ-ବିନାଶର ନର୍କକୁ ନେଇଯିବା ପାଇଁ ତିନୋଟି ଦ୍ୱାର ରହିଛି - କାମ, କ୍ରୋଧ ଏବଂ ଲୋଭ । ତେଣୁ ସମସ୍ତେ ସେହି ତିନୋଟିକୁ ତ୍ୟାଗ କରିବା ଉଚିତ ।
Bhagavad Gita 16.22 View commentary »
ଯେଉଁମାନେ ଅନ୍ଧକାରର ଏହି ତିନୋଟି ଦ୍ୱାରରୁ ମୁକ୍ତ ହୋଇଯାଆନ୍ତି, ସେମାନେ ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ କରନ୍ତି ଏବଂ ତଦ୍ୱାରା ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।
Bhagavad Gita 16.23 View commentary »
ଯେଉଁମାନେ କାମନାର ପ୍ରେରଣାରେ କର୍ମ କରନ୍ତି ତଥା ଶାସ୍ତ୍ରର ନିର୍ଦ୍ଦେଶକୁ ଅବଜ୍ଞା କରନ୍ତି, ଜୀବନରେ ସେମାନେ କୌଣସି ସିଦ୍ଧି, ସୁଖ କିମ୍ବା ନିଜର ଚରମ ଲକ୍ଷ୍ୟକୁ ପ୍ରାପ୍ତ କରି ପାରନ୍ତି ନାହିଁ ।
Bhagavad Gita 16.24 View commentary »
ଅତଏବ, କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ନିର୍ଣ୍ଣୟ କରିବା ପାଇଁ ଶାସ୍ତ୍ରମାନଙ୍କର ପ୍ରାଧିକରଣକୁ ସ୍ୱୀକାର କର । ଶାସ୍ତ୍ରର ନିୟମ ଏବଂ ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କର ।