ଇନ୍ଦ୍ରିୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ।
ତୟୋର୍ନ ବଶମାଗଚ୍ଛେତ୍ତୌ ହ୍ୟସ୍ୟ ପରିପନ୍ଥିନୌ ।। ୩୪ ।।
ଇନ୍ଦ୍ରିୟସ୍ୟ - ଇନ୍ଦ୍ରିୟମାନଙ୍କର; ଇନ୍ଦ୍ରିୟସ୍ୟ ଅର୍ଥେ - ଇନ୍ଦ୍ରିୟଭୋଗ୍ୟ ବିଷୟରେ; ରାଗ - ଆସକ୍ତି; ଦ୍ୱେଷୌ - ଅନାସକ୍ତି ଭାବରେ; ବ୍ୟବସ୍ଥିତୌ - ନିୟନ୍ତ୍ରିତ; ତୟୋଃ - ସେ ଦୁୁହିଁଙ୍କର; ନ - ନୁହେଁ; ବଶମ୍ - ନିୟନ୍ତ୍ରଣ; ଆଗଚ୍ଛେତ୍ - ଆସିବା ଉଚିତ; ତୌ - ସେ ଦୁହେଁ; ହି - ନିଶ୍ଟିତ ଭାବେ; ଅସ୍ୟ- ଏହାର; ପରିପନ୍ଥିନୌ - ଶତ୍ରୁ ।
Translation
BG 3.34: ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ ସେଗୁଡିକ ପଥ ଭ୍ରଷ୍ଟକାରୀ ଓ ଶତ୍ରୁ ଅଟନ୍ତି ।
Commentary
ପୂର୍ବରୁ ଯଦିଓ ଶ୍ରୀକୃଷ୍ଣ ଗୁରୁତ୍ୱାରୋପଣ କରିଥିଲେ ଯେ ମନ ଏବଂ ଇନ୍ଦ୍ରିୟ ସେମାନଙ୍କର ସ୍ୱଭାବ ଅନୁସାରେ ପରିଚାଳିତ ହୁଅନ୍ତି, ତଥାପି ବର୍ତ୍ତମାନ ସେ ସେମାନଙ୍କୁ ନିୟନ୍ତ୍ରଣ କରିବା ବିଷୟରେ କହୁଛନ୍ତି । ଯେ ପର୍ଯ୍ୟନ୍ତ ଆମର ଭୌତିକ ଶରୀର ରହିଛି, ତାହାର ଭରଣ ପୋଷଣ ପାଇଁ ଆମକୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କର ଉପଯୋଗ କରିବାକୁ ପଡିବ । ସେଥିପାଇଁ ଯେଉଁ ବସ୍ତୁର ଆବଶ୍ୟକତା ରହିଛି, ତାହାକୁ ବ୍ୟବହାର ନ କରିବା ପାଇଁ ଶ୍ରୀକୃଷ୍ଣ ଆମକୁ କହୁନାହାନ୍ତି, ବରଂ ସେହି ବସ୍ତୁଗୁଡିକ ପ୍ରତି ରାଗ-ଦ୍ୱେଷ ରହିତ ହେବାର ଅଭ୍ୟାସ କରିବା ପାଇଁ କହୁଛନ୍ତି । ପ୍ରତ୍ୟେକ ଜୀବ ଉପରେ ତା’ର ସଂସ୍କାରର ନିବିଡ ପ୍ରଭାବ ନିଶ୍ଚିତ ଭାବରେ ରହିଛି, କିନ୍ତୁ ଆମେ ଯଦି ଭଗବତ୍ ଗୀତାରେ ନିର୍ଦ୍ଦେଶିତ ଉପାୟର ଅଭ୍ୟାସ କରିବା, ତେବେ ପରିସ୍ଥିତିକୁ ସଜାଡିବାରେ ଆମେ ନିଶ୍ଚିତ ଭାବରେ ସଫଳ ହେବା ।
ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟଭୋଗ୍ୟ ବସ୍ତୁମାନଙ୍କ ପ୍ରତି ଆକୃଷ୍ଟ ହୋଇଥାଆନ୍ତି ଏବଂ ସେମାନଙ୍କର ପାରସ୍ପରିକ କ୍ରିୟାରୁ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି ହୋଇଥାଏ । ଉଦାହରଣ ସ୍ୱରୂପ, ସୁସ୍ୱାଦୁ ଖାଦ୍ୟର ସଂସ୍ପର୍ଶରେ ଆସି ସ୍ୱାଦଗ୍ରନ୍ଥି ସୁଖ ଅନୁଭବ କରିଥାଏ ଏବଂ ତିକ୍ତ ଖାଦ୍ୟ ସଂସ୍ପର୍ଶରେ ଆସି ଦୁଃଖ ଅନୁଭବ କରିଥାଏ । ବିଷୟକୁ ସୁଖ ବା ଦୁଃଖ ସହିତ ସମ୍ବନ୍ଧିତ କରି ମନ ତାହାର ବାରମ୍ବାର ଅନୁଧ୍ୟାନ କରିଥାଏ । ବିଷୟରେ ସୁଖର ଚିନ୍ତନ ତାହା ପ୍ରତି ଆସକ୍ତି ବୃଦ୍ଧି କରାଇ ଥାଏ ଏବଂ ଦୁଃଖର ଚିନ୍ତନ ଦ୍ୱେଷ ଜାତ କରାଇଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ରାଗ ଅଥବା ଦ୍ୱେଷରେ ଅଭିଭୂତ ନ ହେବାକୁ କହୁଛନ୍ତି । ସଂସାରିକ କର୍ତ୍ତବ୍ୟ ନିର୍ବାହ କରିବାକୁ ଯାଇ ଆମେ ଉଭୟ ସୁଖଦ ବା ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥାଉ । ମନ ଯେପରି ସୁଖଦ ସ୍ଥିତି ପ୍ରତି ଲାଳାୟୀତ ରହି ଦୁଃଖଦ ସ୍ଥିତିଠାରୁ ଦୂରେଇ ଯିବାକୁ ଇଚ୍ଛା ନ କରିବ, ସେହି ଦିଗରେ ଆମ୍ଭେମାନେ ଯତ୍ନବାନ୍ ହେବା ଆବଶ୍ୟକ । ମନ ଓ ଇନ୍ଦ୍ରିୟର ପସନ୍ଦ-ନାପସନ୍ଦର ଦାସତ୍ୱ ବର୍ଜନ କରି ଆମେ ନିଜର ନିମ୍ନ ସ୍ୱଭାବରୁ ମୁକ୍ତ ହୋଇଯାଉ । ତାପରେ ଯେତେବେଳେ ଆମେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ସୁଖ ଓ ଦୁଃଖ ପ୍ରତି ଉଦାସୀନ ହୋଇଯିବା, ସେତେବେଳେ ବାସ୍ତବରେ ଆମେ ନିଜର ଉଚ୍ଚତର ସ୍ୱଭାବ ଅନୁଯାୟୀ ଆଚରଣ କରିବାକୁ ସ୍ୱତନ୍ତ୍ର ହୋଇଯିବା ।