ଚତୁର୍ଥ ଅଧ୍ୟାୟରେ ଶ୍ରୀକୃଷ୍ଣ ପ୍ରଦାନ କରୁଥିବା ଜ୍ଞାନର ମୌଳିକ ଉତ୍ପତ୍ତି ବିଷୟରେ ଆଲୋକପାତ କରି ସେହି ଜ୍ଞାନରେ ଅର୍ଜୁନଙ୍କର ଆସ୍ଥାକୁ ଦୃଢ଼ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି କିପରି ସେ ଏହି ଚିରନ୍ତନ ଜ୍ଞାନକୁ ପ୍ରାରମ୍ଭରେ ସୂର୍ଯ୍ୟ ଦେବଙ୍କୁ ଶିକ୍ଷା ଦେଇଥିଲେ ଏବଂ ଏହା ଏକ ଧାରାବାହିକ ପ୍ରଥା ଭାବରେ କ୍ରମଶଃ ଧର୍ମପରାୟଣ ରାଜାମାନଙ୍କୁ ହସ୍ତାନ୍ତରିତ ହୋଇଥିଲା । ସେ ବର୍ତ୍ତମାନ ଯୋଗର ଏହି ସର୍ବୋଚ୍ଚ ବିଜ୍ଞାନ ଅର୍ଜୁନଙ୍କୁ ଦେଉଛନ୍ତି, ଯିଏ କି ତାଙ୍କର ପ୍ରିୟ ସଖା ଏବଂ ଭକ୍ତ ଅଟନ୍ତି । ଅର୍ଜୁନ ପଚାରୁଛନ୍ତି, ଶ୍ରୀକୃଷ୍ଣ ତ ବତ୍ତର୍ମାନ ଅଛନ୍ତି, ତେଣୁ ସେ କିପରି ବହୁ ଯୁଗ ପୂର୍ବେ ସୂର୍ଯ୍ୟ ଦେବତାଙ୍କୁ ଏହି ଜ୍ଞାନ ଦେଇପାରିଲେ? ତାର ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଅବତାରର ରହସ୍ୟ ଉନ୍ମୋଚନ କରୁଛନ୍ତି । ସେ ସୂଚନା ଦେଉଛନ୍ତି ଯେ, ଯଦିଓ ସେ ଅଜନ୍ମା ଓ ଚିରନ୍ତନ ଅଟନ୍ତି, ତଥାପି ସେ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା, ଧର୍ମରକ୍ଷା ପାଇଁ ପୃଥିବୀରେ ଆବିର୍ଭାବ ହୁଅନ୍ତି । ତାଙ୍କର ଜନ୍ମ ଓ କର୍ମ ଉଭୟ ଦିବ୍ୟ, ଯାହା କଦାପି ସାଂସାରିକ ଅଶୁଦ୍ଧତାରେ ମଳୀନ ହୁଏ ନାହିଁ । ଯେଉଁ ବ୍ୟକ୍ତି ଏହି ଗୁପ୍ତ ରହସ୍ୟକୁ ଜାଣିନିଅନ୍ତି, ସେ ଦୃଢ଼ ବିଶ୍ୱାସର ସହିତ ଭକ୍ତିରେ ନିମଗ୍ନ ରହନ୍ତି ଏବଂ ଭଗବାନଙ୍କୁ ପ୍ରାପ୍ତ କରି ପୁନର୍ବାର ଏହି ପୃଥିବୀରେ ଜନ୍ମଗ୍ରହଣ କରନ୍ତି ନାହିଁ ।
ପୁନଶ୍ଚ, ଏହି ଅଧ୍ୟାୟରେ କର୍ମର ସ୍ୱଭାବ ଉପରେ ଆଲୋଚନା କରାଯାଇଅଛି ଏବଂ କର୍ମର ତିନୋଟି ସ୍ୱରୂପ-କର୍ମ, ଅକର୍ମ ଓ ବିକର୍ମ ଉପରେ ଆଲୋକପାତ କରାଯାଇଛି । କିପରି କର୍ମଯୋଗୀ ମାନେ କର୍ମରେ ଅତ୍ୟନ୍ତ ବ୍ୟସ୍ତ ରହି ଅକର୍ମରେ ସ୍ଥିତ ରହନ୍ତି ଏବଂ କର୍ମ ବନ୍ଧନରେ ଜଡ଼ିତ ହୁଅନ୍ତି ନାହିଁ, ତାହାର ବର୍ଣ୍ଣନା କରାଯାଇଛି । ଏହି ଜ୍ଞାନକୁ ପାଥେୟ କରି, ପୁରାତନ ମୁନି-ଋଷିମାନେ ସଫଳତା ଓ ବିଫଳତା, ସୁଖ ଓ ଦୁଃଖରେ ପ୍ରଭାବିତ ନ ହୋଇ, କର୍ମକୁ କେବଳ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ଅର୍ପଣ କରି ନିଜର କାର୍ଯ୍ୟ ସମ୍ପାଦନ କରନ୍ତି । ଯଜ୍ଞ ଅନେକ ପ୍ରକାରର ଅଟେ, ସେଥି ମଧ୍ୟରୁ କେତେକ ଏଠାରେ ଉଲ୍ଲେଖ କରାଯାଇଛି । ଯେତେବେଳେ ଯଜ୍ଞ ଉପଯୁକ୍ତ ଭାବରେ ସମର୍ପଣ କରାଯାଏ, ତାହାର ଅବଶିଷ୍ଟାଂଶ ଅମୃତରେ ପରିଣତ ହୁଏ । ଏହି ଅମୃତ ଗ୍ରହଣ କରି କର୍ତ୍ତାଙ୍କର ଅଶୁଦ୍ଧତା ଧୋଇ ହୋଇଯାଏ । ଅତଏବ, ଯଜ୍ଞ ସବୁବେଳେ ଉପଯୁକ୍ତ ମନୋଭାବ ସହିତ ଜ୍ଞାନଯୁକ୍ତ ହୋଇ ସମ୍ପନ୍ନ କରାଯିବା ଉଚିତ । ଜ୍ଞାନ ରୂପୀ ନୌକା ସାହାଯ୍ୟରେ ଅତ୍ୟନ୍ତ ପାପାତ୍ମା ମଧ୍ୟ ସାଂସାରିକ ଦୁଃଖର ସାଗରକୁ ପାର କରିପାରିବ । ଏହି ଜ୍ଞାନ ଜଣେ ବାସ୍ତବିକ ଆଧ୍ୟାତ୍ମିକ ଗୁରୁ, ଯିଏ ଭଗବତ୍ ପ୍ରାପ୍ତି କରିଥିବେ, ତାଙ୍କଠାରୁ ଗ୍ରହଣ କରିବା ଉଚିତ । ଅର୍ଜୁନଙ୍କର ଗୁରୁଭାବରେ ଶ୍ରୀକୃଷ୍ଣ ତାଙ୍କୁ ଆଦେଶ ଦେଉଛନ୍ତି ଯେ ଜ୍ଞାନରୂପକ ତରବାରୀ ଧାରଣ କରି, ତାଙ୍କ ମନରେ ଉତ୍ପନ୍ନ ହେଉଥିବା ସମସ୍ତ ସନ୍ଦେହକୁ ଛେଦନ କରନ୍ତୁ ଏବଂ ନିଜର କର୍ତ୍ତବ୍ୟ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତୁ ।
Bhagavad Gita 4.1 View commentary »
ଭଗବାନ ଶ୍ରୀକୃଷ୍ଣ କହିଲେ: ମୁଁ ଏହି ଶାଶ୍ୱତ ଯୋଗର ବିଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ପ୍ରଦାନ କଲି, ସେ ଏହା ମନୁଙ୍କୁ ହସ୍ତାନ୍ତରିତ କଲେ ଼ଏବଂ ତାପରେ ମନୁ ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଲେ ।
Bhagavad Gita 4.2 View commentary »
ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।
Bhagavad Gita 4.3 View commentary »
ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ ତୁମେ ଏହି ଅଲୌକିକ ଜ୍ଞାନକୁ ବୁଝିପାରିବ ।
Bhagavad Gita 4.4 View commentary »
ଅର୍ଜୁନ କହିଲେ; ଆପଣ ବିବସ୍ୱାନଙ୍କର ଜନ୍ମର ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ପ୍ରାରମ୍ଭରେ ଏହି ବିଦ୍ୟା ତାଙ୍କୁ କିପରି ପ୍ରଦାନ କରିଥିଲେ, ତାହା ମୁଁ ବୁଝିପାରୁନାହିଁ ।
Bhagavad Gita 4.5 View commentary »
ଶ୍ରୀ ଭଗବାନ କହିଲେ, ହେ ପରନ୍ତପ ଅର୍ଜୁନ! ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛେ । ତୁମେ ସେସବୁ ଭୁଲିଯାଇଛ, କିନ୍ତୁ ମୋର ସବୁ ମନେଅଛି ।
Bhagavad Gita 4.6 View commentary »
ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣ ସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ ହୋଇଥାଏ ।
Bhagavad Gita 4.7 View commentary »
ହେ ଅର୍ଜୁନ! ଯେତେବେଳେ ବି ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ସଂସାରରେ ଅବତରିତ ହୁଏ ।
Bhagavad Gita 4.8 View commentary »
ସନ୍ଥମାନଙ୍କର ରକ୍ଷା କରିବା ପାଇଁ, ଦୁଷ୍ଟମାନଙ୍କର ବିନାଶ କରିବା ପାଇଁ ଏବଂ ଧର୍ମର ମାର୍ଗର ପୁନଃ ପ୍ରତିଷ୍ଠା ପାଇଁ, ମୁଁ ଯୁଗେ ଯୁଗେ ଧରାପୃଷ୍ଠରେ ଅବତରିତ ହୋଇଥାଏ ।
Bhagavad Gita 4.9 View commentary »
ଯେଉଁମାନେ ମୋର ଜନ୍ମ ଓ କର୍ମର ଦିବ୍ୟତାକୁ ବୁଝିପାରନ୍ତି, ହେ ଅର୍ଜୁନ! ସେମାନେ ଶରୀର ତ୍ୟାଗ ପରେ, ପୁନର୍ବାର ଜନ୍ମ ଗ୍ରହଣ ନକରି, ମୋର ଦିବ୍ୟଧାମକୁ ଆସିଥାନ୍ତି ।
Bhagavad Gita 4.10 View commentary »
ଅତୀତରେ ଅନେକ ବ୍ୟକ୍ତି ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ହୋଇ ପୂର୍ଣ୍ଣତଃ ମୋ ପ୍ରତି ସମର୍ପିତ ହୋଇଛନ୍ତି ଏବଂ ଶରଣାଗତି ଦ୍ୱାରା ମୋର ଦିବ୍ୟ ଜ୍ଞାନ ପ୍ରାପ୍ତ କରି ଶୁଦ୍ଧ ହୋଇଛନ୍ତି ଏବଂ ସେମାନେ ମୋର ଦିବ୍ୟ ପ୍ରେମ ଲାଭ କରିଛନ୍ତି ।
Bhagavad Gita 4.11 View commentary »
ମନୁଷ୍ୟମାନେ ଯେପରି ଭାବରେ ମୋର ଶରଣାଗତ ହୁଅନ୍ତି, ମୁଁ ସେମାନଙ୍କୁ ସେହି ଅନୁସାରେ ତାର ପ୍ରତିଦାନ ଦେଇଥାଏ । ହେ ପାର୍ଥ! ଜ୍ଞାତରେ ହେଉ କି ଅଜ୍ଞାତ ସାରରେ ହେଉ ସମସ୍ତେ ମୋର ମାର୍ଗ ଅନୁସରଣ କରନ୍ତି ।
Bhagavad Gita 4.12 View commentary »
ଏହି ପୃଥିବୀରେ ଯେଉଁମାନେ ସାଂସାରିକ କାର୍ଯ୍ୟରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି, କାରଣ ତଦ୍ୱାରା ସାଂସାରିକ ଫଳ ଅତି ଶୀଘ୍ର ପ୍ରାପ୍ତ ହୋଇଥାଏ ।
Bhagavad Gita 4.13 View commentary »
ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ମୁଁ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଥିଲି । ଯଦିଓ ମୁଁ ଏହି ଶ୍ରେଣୀ ବିଭାଗର ସ୍ରଷ୍ଟା ଅଟେ, ମୋତେ ଅକର୍ତ୍ତା ତଥା ଚିରନ୍ତନ ବିବେଚନା କର ।
Bhagavad Gita 4.14 View commentary »
କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ । ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।
Bhagavad Gita 4.15 View commentary »
ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ ।
Bhagavad Gita 4.16 View commentary »
କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକ୍ୁ ଯାଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବ ।
Bhagavad Gita 4.17 View commentary »
ତୁମେ ଏହି ତିନୋଟିର ସ୍ୱରୂପ ବୁଝିବା ନିତାନ୍ତ ଆବଶ୍ୟକ - କର୍ମ, ବିକର୍ମ ଓ ଅକର୍ମ । ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ।
Bhagavad Gita 4.18 View commentary »
ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି ।
Bhagavad Gita 4.19 View commentary »
ଯାହାର ପ୍ରତ୍ୟେକ କର୍ମ ଭୌତିକ କାମନା ରହିତ ହୋଇଥାଏ ଏବଂ ଯେଉଁମାନେ ତାଙ୍କର କର୍ମର ପ୍ରତିକ୍ରିୟାକୁ ଦିବ୍ୟ ଜ୍ଞାନ ରୂପକ ଅଗ୍ନିରେ ଦଗ୍ଧ କରି ଦେଇଥାନ୍ତି, ସେମାନଙ୍କୁ ବିଜ୍ଞ ମହାତ୍ମାମାନେ ଜ୍ଞାନୀ କହିଥାନ୍ତି ।
Bhagavad Gita 4.20 View commentary »
ଏହିପରି ବ୍ୟକ୍ତିମାନେ, ଫଳାସକ୍ତି ତ୍ୟାଗ କରିଥିବା ଯୋଗୁଁ, ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି । ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁ ନ ଥାନ୍ତି ।
Bhagavad Gita 4.21 View commentary »
ଆଶା ଓ ଅଧିକାରୀଭାବରୁ ମୁକ୍ତ ହୋଇ, ମନ ଓ ବୁଦ୍ଧିକୁ ପୂର୍ଣ୍ଣତଃ ବଶକରି, ଜଣେ ବ୍ୟକ୍ତି ଶରୀର ଦ୍ୱାରା କର୍ମ କରୁଥିଲେ ମଧ୍ୟ ପାପ ଯୁକ୍ତ ହୁଅନ୍ତି ନାହିଁ ।
Bhagavad Gita 4.22 View commentary »
ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ।
Bhagavad Gita 4.23 View commentary »
ସେମାନେ ଭୌତିକ ଆସକ୍ତି ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ଏବଂ ସେମାନଙ୍କର ଚେତନା ଦିବ୍ୟଜ୍ଞାନ ସ୍ତରରେ ସ୍ଥିତ ହୁଏ । ଯେହେତୁ ସେମାନେ ସମସ୍ତ କର୍ମ ଯଜ୍ଞ (ଭଗବାନଙ୍କ ଉଦ୍ଦେଶ୍ୟରେ) ରୂପରେ କରିଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି ।
Bhagavad Gita 4.24 View commentary »
ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ବ୍ରହ୍ମଚେତନାରେ ଲୀନ ରହନ୍ତି, ତାଙ୍କ ପାଇଁ ନୈବେଦ୍ୟ ବ୍ରହ୍ମ ଅଟନ୍ତି, ନୈବେଦ୍ୟ ଦିଆଯାଉଥିବା ଅଣକ ବ୍ରହ୍ମ ଅଟନ୍ତି, ଅର୍ପଣ କରୁଥିବା କ୍ରିୟା ବ୍ରହ୍ମ ଅଟନ୍ତି, ଯଜ୍ଞ ଅଗ୍ନି ମଧ୍ୟ ବ୍ରହ୍ମ ଅଟନ୍ତି । ଯେଉଁମାନେ ପ୍ରତ୍ୟେକ ବସ୍ତୁକୁ ବ୍ରହ୍ମରୂପରେ ଦେଖନ୍ତି, ସେମାନେ ସହଜରେ ତାଙ୍କୁ ପ୍ରାପ୍ତ କରିଥା’ନ୍ତି ।
Bhagavad Gita 4.25 View commentary »
କେତେକ ଯୋଗୀ ସ୍ୱର୍ଗର ଦେବତାମାନଙ୍କୁ ଭୌତିକ ଦ୍ରବ୍ୟମାନ ଅର୍ପଣ କରି ପୂଜା କରନ୍ତି । ଅନ୍ୟମାନେ ପରମ ସତ୍ୟର ଅଗ୍ନିରେ ସଂପୂର୍ଣ୍ଣ ରୂପେ ନିଜକୁ ଅର୍ପଣ କରି ଉପାସନା କରନ୍ତି ।
Bhagavad Gita 4.26 View commentary »
କେହି କେହି ଶ୍ରବଣ ତଥା ଅନ୍ୟ ଇନ୍ଦ୍ରିୟମାନଙ୍କୁ ସଂଯମ ରୂପୀ ଯଜ୍ଞାଗ୍ନିରେ ଆହୁତି ଦିଅନ୍ତି । ଅନ୍ୟମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବିଷୟ ସବୁକୁ ଇନ୍ଦ୍ରିୟର ଅଗ୍ନିରେ ଅର୍ପଣ କରନ୍ତି ।
Bhagavad Gita 4.27 View commentary »
କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।
Bhagavad Gita 4.28 View commentary »
କେହି କେହି ତାଙ୍କ ପାଖରେ ଥିବା ଧନରାଶିକୁ ଯଜ୍ଞ ରୂପରେ ପ୍ରଦାନ କରନ୍ତି, ଅନ୍ୟମାନେ ଯଜ୍ଞ ରୂପରେ କଠୋର ଆତ୍ମସଂଯମ ପାଳନ କରନ୍ତି । ଅନ୍ୟ କେହି କେହି ଅଷ୍ଟାଙ୍ଗ ଯୋଗକ୍ରିୟାର ସାଧନା କରିଥାନ୍ତି । ପୁଣି କେତେଜଣ କଠୋର ପ୍ରତିଜ୍ଞାବଦ୍ଧ ହୋଇ, ଶାସ୍ତ୍ର ଆଦି ପଠନ ଦ୍ୱାରା ଜ୍ଞାନ ଅର୍ଜନକୁ ଯଜ୍ଞ ରୂପେ କରିଥାନ୍ତି ।
Bhagavad Gita 4.29 – 4.30 View commentary »
ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।
Bhagavad Gita 4.31 View commentary »
ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟାଂଶକୁ ଅମୃତପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି । ହେ କୁରୁଶ୍ରେଷ୍ଠ! ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରନ୍ତି ନାହିଁ ।
Bhagavad Gita 4.32 View commentary »
ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି । ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହେଉଥିବା ବିଷୟରେ ଜାଣ; ଏହି ଜ୍ଞାନ ମାୟିକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ ।
Bhagavad Gita 4.33 View commentary »
ହେ ପରନ୍ତପ! ଜ୍ଞାନଯଜ୍ଞ, ଯନ୍ତ୍ରବତ୍ ଦ୍ରବ୍ୟଯଜ୍ଞଠାରୁ ଶ୍ରେଷ୍ଠ ଅଟେ । ହେ ପାର୍ଥ! ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ ।
Bhagavad Gita 4.34 View commentary »
ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟକୁ ଜାଣ । ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କର ସେବା କର । ଏହିପରି ଜଣେ ଶାସ୍ତ୍ରଜ୍ଞ ମହାପୁରୁଷ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ, କାରଣ ସେ ସତ୍ୟର ଦର୍ଶନ କରିଛନ୍ତି ।
Bhagavad Gita 4.35 View commentary »
ହେ ଅର୍ଜୁନ! ଏହି ପଥ ଅନୁସରଣ କରି ତଥା ଗୁରୁଙ୍କ ଦ୍ୱାରା ଜ୍ଞାନୋଦ୍ଦୀପ୍ତ ହୋଇ, ତୁମେ ଆଉ ଭ୍ରମିତ ହେବ ନାହିଁ । ସେହି ଜ୍ଞାନର ଆଲୋକରେ, ତୁମେ ସମସ୍ତ ପ୍ରାଣୀଙ୍କୁ ପରମାତ୍ମାଙ୍କର ଅଂଶ ଭାବରେ ଏବଂ ମୋ ମଧ୍ୟରେ ଦେଖିବ ।
Bhagavad Gita 4.36 View commentary »
ଯେଉଁମାନେ ପାପୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାପାତ୍ମା ରୂପେ ପରିଗଣିତ ହୁଅନ୍ତି, ସେମାନେ ମଧ୍ୟ ଦିବ୍ୟଜ୍ଞାନର ନୈକାରେ ଆରୋହଣ କରି ଭବସାଗର ପାର କରିବାକୁ ସକ୍ଷମ ହୋଇପାରିବେ ।
Bhagavad Gita 4.37 View commentary »
ହେ ଅର୍ଜୁନ! ଅଗ୍ନିଶିଖା ଯେପରି ଇନ୍ଧନକୁ ପାଉଁଶରେ ପରିଣତ କରିଦିଏ, ସେହିପରି ଜ୍ଞାନର ଅଗ୍ନି ସାଂସାରିକ କର୍ମର ଫଳକୁ ଜଳାଇ ଭସ୍ମ କରିଦିଏ ।
Bhagavad Gita 4.38 View commentary »
ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।
Bhagavad Gita 4.39 View commentary »
ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ ଜ୍ଞାନ ଦ୍ୱାରା, ସେମାନେ ଅଚିରେ ଚିରନ୍ତନ ଶାନ୍ତି ଲାଭ କରନ୍ତି ।
Bhagavad Gita 4.40 View commentary »
କିନ୍ତୁ ଯେଉଁ ବ୍ୟକ୍ତିର ବିଶ୍ୱାସ ବା ଜ୍ଞାନ ନାହିଁ ଏବଂ ସ୍ୱଭାବତଃ ଯେଉଁମାନେ ସନ୍ଦେହୀ ହୋଇଥାନ୍ତି, ତାଙ୍କର ଅଧୋଗତି ହୋଇଥାଏ । ଏପରି ଏକ ସଂଶୟଯୁକ୍ତ ଆତ୍ମା, ଇହଲୋକରେ ବା ପରଲୋକରେ ସୁଖ ପାଇ ନ ଥାଏ ।
Bhagavad Gita 4.41 View commentary »
ହେ ଅର୍ଜୁନ! ଯେଉଁମାନେ ଯୋଗର ଅଗ୍ନିରେ କର୍ମକୁ ତ୍ୟାଗ କରିଛନ୍ତି, ଯାହାର ଶଙ୍କା ଜ୍ଞାନ ଦ୍ୱାରା ଦୂରୀଭୂତ ହୋଇଛି ଏବଂ ଯେଉଁମାନେ ଆତ୍ମଜ୍ଞାନରେ ସ୍ଥିତ, କର୍ମ ସେମାନଙ୍କୁ ବନ୍ଧନରେ ପକାଏ ନାହିଁ ।
Bhagavad Gita 4.42 View commentary »
ତେଣୁ, ତୁମ ହୃଦୟରେ ଉପୁଜିଥିବା ଅବିଶ୍ୱାସକୁ ଜ୍ଞାନର ତରବାରୀରେ ଛିନ୍ନ କର । ହେ ଭାରତ ଶ୍ରେଷ୍ଠ! ନିଜକୁ କର୍ମ ଯୋଗରେ ସ୍ଥିତ କର । ଉଠ, ଠିଆ ହୁଅ ଏବଂ କର୍ମ କର ।