ଏହି ଅଧ୍ୟାୟରେ ଅର୍ଜୁନ ଯେଉଁ ପରିସ୍ଥିତି ମଧ୍ୟରେ ଅଛନ୍ତି, ତା’ ସହିତ ଉପଯୋଜନ କରିବାରେ ନିଜର ଚରମ ଅକ୍ଷମତା ବିଷୟ ପୁନରାବୃତ୍ତି କରିଛନ୍ତି ଏବଂ ଆସନ୍ନ ଯୁଦ୍ଧରେ ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତା’ପରେ ସେ ଶ୍ରୀକୃଷ୍ଣଙ୍କୁ ତାଙ୍କର ଆଧ୍ୟାତ୍ମିକ ଗୁରୁ ହେବାକୁ ଅନୁରୋଧ କରିଛନ୍ତି ଏବଂ ସେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି, ସେଥିରେ ତାଙ୍କର ଉଚିତ କର୍ତ୍ତବ୍ୟ ପ୍ରତି ମାର୍ଗ ଦର୍ଶନ କରିବାକୁ ବିନତି କରିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଆତ୍ମାର ଅମରତ୍ୱ, ଯାହା ଶରୀର ନଷ୍ଟ ହେବା ସହିତ ନଷ୍ଟ ହୁଏ ନାହିଁ, ବିଷୟରେ ବର୍ଣ୍ଣନା କରି ଅର୍ଜୁନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମକୁ ଯିବା ସମୟରେ, ଏହା କେବଳ ଶରୀର ପରିବର୍ତ୍ତନ କରିଥାଏ, ଠିକ୍ ଯେମିତି ଜଣେ ବ୍ୟକ୍ତି ପୁରୁଣା ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ତା’ପରେ ଶ୍ରୀକୃଷ୍ଣ ସାଂସାରିକ କର୍ତ୍ତବ୍ୟ ବିଷୟରେ ଅର୍ଜୁନଙ୍କର ମାର୍ଗ ଦର୍ଶନ କରୁଛନ୍ତି । ସେ ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ତ୍ତବ୍ୟ ହେଉଛି ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା । ସେ କହୁଛନ୍ତି ଯେ ସାମାଜିକ କର୍ତ୍ତବ୍ୟ ପାଳନ ଏକ ଧାର୍ମିକ କାର୍ଯ୍ୟ ଅଟେ, ଯାହା ତାଙ୍କ ପାଇଁ ସ୍ୱର୍ଗ ଲୋକର ଦ୍ୱାର ଉନ୍ମୁକ୍ତ କରିବ; ଅଥଚ କର୍ତ୍ତବ୍ୟର ଉପେକ୍ଷା ତାଙ୍କୁ କେବଳ ଅପମାନ ଓ ଅପଯଶ ହିଁ ପ୍ରଦାନ କରିବ ।
ପାର୍ଥିବ ସ୍ତରରେ ଅର୍ଜୁନଙ୍କୁ କର୍ମ ପ୍ରତି ଉନ୍ମୁଖ କରି, ଶ୍ରୀକୃଷ୍ଣ କର୍ମ ବିଜ୍ଞାନର ରହସ୍ୟ ମଧ୍ୟରେ ପ୍ରବେଶ କରୁଛନ୍ତି । ସେ ଅର୍ଜୁନଙ୍କୁ କର୍ମଫଳ ପ୍ରତି ଆସକ୍ତି ନ ରଖି କର୍ମ କରିବାକୁ କହୁଛନ୍ତି । ଫଳ ଆଶା ନ ରଖି କର୍ମ କରିବାର ବିଜ୍ଞାନକୁ ସେ ବୁଦ୍ଧିଯୋଗ ଭାବରେ ବର୍ଣ୍ଣନା କରିଛନ୍ତି । ମନର କର୍ମଫଳ ପ୍ରତି ଲାଳସାକୁ ପ୍ରତିରୋଧ କରିବା ପାଇଁ ବୁଦ୍ଧିର ଉପଯୋଗ କରାଯିବା ଆବଶ୍ୟକ । ଏପରି ଚେତନାରେ କର୍ମ କରିବା ଦ୍ୱାରା, ବନ୍ଧନକାରକ କର୍ମ ବନ୍ଧନମୁକ୍ତ କର୍ମରେ ରୂପାନ୍ତରିତ ହେବ ଏବଂ ଅର୍ଜୁନ ଦୁଃଖାତୀତ ସ୍ଥିତିକୁ ପ୍ରାପ୍ତ କରିବେ ।
ଅର୍ଜୁନ ଦିବ୍ୟ ଚେତନାରେ ସ୍ଥିତ ବ୍ୟକ୍ତିମାନଙ୍କର ସ୍ୱଭାବ ସମ୍ପର୍କରେ ପଚାରୁଛନ୍ତି । ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି, କିପରି ଭାବରେ ଅନୁଭବାତୀତ ସ୍ତରରେ ସ୍ଥିତ ବ୍ୟକ୍ତି ଆସକ୍ତି, ଭୟ ଏବଂ କ୍ରୋଧରୁ ମୁକ୍ତ ହୋଇ ସମସ୍ତ ପରିସ୍ଥିତିରେ ସମଭାବପନ୍ନ ଓ ଅବିଚଳିତ ରହିଥାଆନ୍ତି । ସେମାନଙ୍କର ଇନ୍ଦ୍ରିୟମାନେ ସଂଯତ ଏବଂ ମନ ସର୍ବଦା ଈଶ୍ୱରଙ୍କ ଠାରେ ନିମଗ୍ନ ରହିଥାଏ । ତାପରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି କାମ, କ୍ରୋଧ, ଲୋଭ ଆଦି ମାନସିକ ସନ୍ତାପ କିପରି ଭାବରେ ପର୍ଯ୍ୟାୟ କ୍ରମେ ଉତ୍ପନ୍ନ ହୋଇଥାଆନ୍ତି ଏବଂ ସେମାନଙ୍କର ମୂଳୋତ୍ପାଟନ କିପରି କରାଯାଇ ପାରିବ ।
Bhagavad Gita 2.1 View commentary »
ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ ।
Bhagavad Gita 2.2 View commentary »
ଭଗବାନ କହିଲେ, ପ୍ରିୟ ଅର୍ଜୁନ! ଏହି ବିପଦପୂର୍ଣ୍ଣ ସମୟରେ ଏପରି ଦ୍ୱନ୍ଦ୍ୱ ତୁମଠାରେ ଉତ୍ପନ୍ନ ହେଲା କିପରି? ଏହା ଏକ ଯଶସ୍ୱୀ ପୁରୁଷକୁ ଶୋଭା ଦିଏନାହିଁ । ଏହା ଉଚ୍ଚଲୋକକୁ ନ ନେଇ ଅପଯଶ ପ୍ରଦାନ କରିଥାଏ ।
Bhagavad Gita 2.3 View commentary »
ହେ ପାର୍ଥ! ଏପରି କାପୁରୁଷତା ତୁମ ପକ୍ଷରେ ଶୋଭନୀୟ ନୁହେଁ । ହେ ଶତ୍ରୁଦମନକାରୀ! ହୃଦୟର ଏହି ସଂକୀର୍ଣ୍ଣ ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ ।
Bhagavad Gita 2.4 View commentary »
ଅର୍ଜୁନ କହିଲେ, ହେ ମଧୁସୂଦନ, ହେ ଶତ୍ରୁ ବିନାଶକାରୀ! ଭୀଷ୍ମ ଏବଂ ଦ୍ରୋଣ ଯେଉଁମାନେ କି ମୋର ନମସ୍ୟ ଅଟନ୍ତି, ଯୁଦ୍ଧରେ ମୁଁ ସେମାନଙ୍କ ପ୍ରତି ତୀର ନିକ୍ଷେପ କିପରି କରିବି?
Bhagavad Gita 2.5 View commentary »
ଏହି ମହାନ୍ ବୟୋବୃଦ୍ଧ, ଯେଉଁମାନେ ମୋର ଗୁରୁ ଅଟନ୍ତି, ସେମାନଙ୍କୁ ହତ୍ୟାକରି ଜୀବନ ଉପଭୋଗ କରିବା ଅପେକ୍ଷା ସଂସାରରେ ଭିକ୍ଷା ମାଗି ଜୀବନ ନିର୍ବାହ କରିବା ଶ୍ରେୟସ୍କର ଅଟେ । ସେମାନଙ୍କୁ ହତ୍ୟା କରି ଯେଉଁ ସମ୍ପଦ ଓ ସୁଖ ଆମେ ଉପଭୋଗ କରିବୁ, ତାହା ରକ୍ତ ରଞ୍ଜିତ ହୋଇଥିବ ।
Bhagavad Gita 2.6 View commentary »
ଆମ୍ଭେମାନେ ଏହା ମଧ୍ୟ ଜାଣିପାରୁନାହୁଁ ଯେ ଯୁଦ୍ଧର କେଉଁ ପରିଣତି ଆମ ପାଇଁ ଭଲ- ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବା ବା ସେମାନଙ୍କଠାରୁ ପରାସ୍ତ ହେବା । ସେମାନଙ୍କୁ ହତ୍ୟା କଲା ପରେ ମଧ୍ୟ ଆମେ ବଞ୍ôଚବାକୁ ଇଚ୍ଛା କରିବୁ ନାହିଁ । ତଥାପି ସେମାନେ ଧୃତରାଷ୍ଟ୍ରଙ୍କ ପକ୍ଷରେ ଅଛନ୍ତି ଏବଂ ଯୁଦ୍ଧ କ୍ଷେତ୍ରରେ ଆମମାନଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହୋଇଛନ୍ତି ।
Bhagavad Gita 2.7 View commentary »
ମୁଁ ମୋର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇପଡ଼ୁଛି ଏବଂ ଉଦ୍ବେଗ ଓ ଦୁର୍ବଳତାରେ ଗ୍ରସ୍ତ ହୋଇ ଯାଇଛି । ମୁଁ ଆପଣଙ୍କର ଶିଷ୍ୟ ଏବଂ ଆପଣଙ୍କର ଶରଣାଗତ ଅଟେ । ଦୟାକରି ମୋ ପାଇଁ ଯାହା ଉପଯୁକ୍ତ, ତା’ର ଦିଗ୍ଦର୍ଶନ କରନ୍ତୁ ।
Bhagavad Gita 2.8 View commentary »
ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଏହି ଶୋକକୁ ଦୂର କରିବାର କୌଣସି ଉପାୟ ମୁଁ ଖୋଜିପାଉ ନାହିଁ । ପୃଥିବୀର ଏକ ସମୃଦ୍ଧିଶାଳୀ ଓ ଶତ୍ରୁହୀନ ରାଜ୍ୟ ଜୟ କରି ଅଥବା ସ୍ୱର୍ଗର ଦେବତାମାନଙ୍କ ପରି ପୂର୍ଣ୍ଣ ଆଧିପତ୍ୟ ପ୍ରାପ୍ତ କରି ମଧ୍ୟ ମୁଁ ଏହି ଦୁଃଖକୁ ଦୂର କରିପାରିବି ନାହିଁ ।
Bhagavad Gita 2.9 View commentary »
ସଞ୍ଜୟ କହିଲେ : ଶତ୍ରୁଦମନକାରୀ ଏବଂ ନିଦ୍ରାଜୟୀ ଅର୍ଜୁନ, ହୃଷୀକେଶ ଶ୍ରୀକୃଷ୍ଣଙ୍କୁ କହିଲେ, “ହେ ଗୋବିନ୍ଦ! ମୁଁ ଯୁଦ୍ଧ କରିବି ନାହିଁ ଏବଂ ତା’ପରେ ସେ ନୀରବ ହୋଇଗଲେ ।”
Bhagavad Gita 2.10 View commentary »
ତତ୍ପଶ୍ଚାତ୍, ହେ ଧୃତରାଷ୍ଟ୍ର! ଦୁଇ ସୈନ୍ୟ ବାହିନୀଙ୍କ ମଧ୍ୟରେ ରହି, ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ସ୍ମିତହାସ୍ୟଯୁକ୍ତ ହୋଇ ଏହିପରି କହିଲେ ।
Bhagavad Gita 2.11 View commentary »
ଭଗବାନ କହିଲେ, ଯଦିଓ ତୁମେ ବିଜ୍ଞତା ପୂର୍ଣ୍ଣ କଥା କହୁଛ, ତଥାପି ତୁମେ ସେମାନଙ୍କ ପ୍ରତି ଶୋକ ପ୍ରକାଶ କରୁଛ ଯେଉଁମାନେ ଶୋକର ଯୋଗ୍ୟ ନୁହନ୍ତି । ବିଜ୍ଞ ବ୍ୟକ୍ତିମାନେ ଜୀବିତ ବା ମୃତ କାହା ପ୍ରତି ବି ଶୋକ କରନ୍ତି ନାହିଁ ।
Bhagavad Gita 2.12 View commentary »
ଏମିତି କୌଣସି ସମୟ ନ ଥିଲା ଯେତେବେଳେ ମୁଁ ନ ଥିଲି, ତୁମେ ନ ଥିଲ, ବା ଏହି ରାଜାମାନେ ନ ଥିଲେ; ଭବିଷ୍ୟତରେ ମଧ୍ୟ ଏପରି ସମୟ କେବେ ବି ଆସିବ ନାହିଁ ଯେତେବେଳେ ଆମେ କେହି ନ ଥିବା ।
Bhagavad Gita 2.13 View commentary »
ଯେପରି ଜୀବାତ୍ମା ଏହି ଶରୀରରେ ଶୈଶବ, ଯୌବନ ଓ ବୃଦ୍ଧାବସ୍ଥା ଦେଇ ଗତି କରେ, ସେହିପରି ମୃତ୍ୟୁ ପରେ ଜୀବାତ୍ମା ଅନ୍ୟ ଏକ ଶରୀରକୁ ଚାଲିଯାଇଥାଏ । ବିଜ୍ଞ ବ୍ୟକ୍ତିମାନେ ଏଥିରେ ମୁହ୍ୟମାନ ହୁଅନ୍ତି ନାହିଁ ।
Bhagavad Gita 2.14 View commentary »
ହେ କୁନ୍ତିପୁତ୍ର! ଇନ୍ଦ୍ରିୟମାନେ ଇନ୍ଦ୍ରିୟବିଷୟ ସଂସ୍ପର୍ଶରେ ଆସି ସାମୟିକ ଭାବରେ ସୁଖ ଓ ଦୁଃଖର ଅନୁଭୂତି ସୃଷ୍ଟି କରିଥାଆନ୍ତି । ଏହିସବୁ ଅନୁଭୂତି ଅସ୍ଥାୟୀ ଅଟେ ଏବଂ ତାହା ଶୀତ ଓ ଗ୍ରୀଷ୍ମ ଋତୁ ପରି ଆସିଥାଏ ଓ ଯାଇଥାଏ । ହେ ଭରତ ବଂଶଜ! ସେଥିରେ ବିଚଳିତ ନ ହୋଇ ସେମାନଙ୍କୁ ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ୍ ।
Bhagavad Gita 2.15 View commentary »
ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ଯେଉଁ ବ୍ୟକ୍ତି ସୁଖ ଓ ଦୁଃଖ ଦ୍ୱାରା ପ୍ରଭାବିତ ହୁଏ ନାହିଁ ଏବଂ ଉଭୟ ସ୍ଥିତିରେ ଅବିଚଳିତ ରହେ, ସେ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ ।
Bhagavad Gita 2.16 View commentary »
ଅସତ୍ର ସ୍ଥାୟୀତ୍ୱ ନାହିଁ ଏବଂ ସତ୍ର ଅନ୍ତ ନାହିଁ । ଉଭୟର ସ୍ୱରୂପ ଅଧ୍ୟୟନ କରି ତତ୍ତ୍ୱଦର୍ଶୀମାନେ ଏହା ନିର୍ଣ୍ଣୟ କରିଥାଆନ୍ତି ।
Bhagavad Gita 2.17 View commentary »
ଏକଥା ଜାଣ ଯେ ଯାହା ସମଗ୍ର ଶରୀରରେ ବ୍ୟାପ୍ତ ଅଟେ, ତାହା ଅବିନାଶୀ ଅଟେ । ସେହି ଅକ୍ଷୟ ଆତ୍ମାକୁ କେହି ନଷ୍ଟ କରିପାରିବେ ନାହିଁ ।
Bhagavad Gita 2.18 View commentary »
କେବଳ ଭୌତିକ ଶରୀର ବିନାଶଶୀଳ ଅଟେ; ଏହା ମଧ୍ୟରେ ସ୍ଥିତ ଆତ୍ମା ଅବିନାଶୀ, ଅମାପ ଏବଂ ସନାତନ ଅଟେ । ତେଣୁ ହେ ଭରତ ବଂଶଜ ଯୁଦ୍ଧକର ।
Bhagavad Gita 2.19 View commentary »
ଯେଉଁ ବ୍ୟକ୍ତି ଏପରି ଭାବନ୍ତି ଯେ ଆତ୍ମା କାହାର ହତ୍ୟା କରିପାରେ ଏବଂ ଯିଏ ଏପରି ଭାବନ୍ତି ଆତ୍ମାକୁ ହତ୍ୟା କରାଯାଇ ପାରେ, ଉଭୟ ବ୍ୟକ୍ତି ଅଜ୍ଞାନୀ ଅଟନ୍ତି ।
Bhagavad Gita 2.20 View commentary »
ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା ଏମିତି ସମୟ ନାହିଁ ଯେତେବେଳେ ଏହାର ଅସ୍ତିତ୍ୱ ରହିବ ନାହିଁ । ଆତ୍ମାର ଜନ୍ମ ନାହିଁ; ଏହା ଚିରନ୍ତନ, ଅମର ଏବଂ ଶାଶ୍ୱତ ଅଟେ । ଶରୀର ନଷ୍ଟ ହେବା ସହିତ ଏହା ନଷ୍ଟ ହୁଏ ନାହିଁ ।
Bhagavad Gita 2.21 View commentary »
ହେ ପାର୍ଥ! ଆତ୍ମା ଅକ୍ଷୟ, ନିତ୍ୟ, ଅଜନ୍ମା ଏବଂ ଅପରିବର୍ତ୍ତନଶୀଳ ଅଟେ, ଯିଏ ଏହା ଜାଣନ୍ତି, ସେ କିପରି ଅନ୍ୟ କାହାକୁ ହତ୍ୟା କରିବେ ବା ଅନ୍ୟ ଦ୍ୱାରା ଆହତ ହେବେ?
Bhagavad Gita 2.22 View commentary »
ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିଥାଆନ୍ତି, ସେହିପରି ମୃତ୍ୟୁ ସମୟରେ ଆତ୍ମା ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ଏକ ନୂତନ ଶରୀର ଧାରଣ କରେ ।
Bhagavad Gita 2.23 View commentary »
ଆତ୍ମାକୁ ଅସ୍ତ୍ର ଖଣ୍ଡ ବିଖଣ୍ଡିତ କରି ପାରିବ ନାହିଁ, ଅଗ୍ନି ଜଳାଇ ପାରିବ ନାହିଁ । ଜଳ ଏହାକୁ ଓଦା କରି ପାରିବ ନାହିଁ ବା ବାୟୁ ଏହାକୁ ଶୁଖାଇ ପାରିବ ନାହିଁ ।
Bhagavad Gita 2.24 View commentary »
ଆତ୍ମାକୁ ଖଣ୍ଡିତ କରିହୁଏ ନାହିଁ ବା ଜାଳିହୁଏ ନାହିଁ । ଏହାକୁ ଆର୍ଦ୍ର କରିହେବ ନାହିଁ କିମ୍ବା ଶୁଷ୍କ କରିହେବ ନାହିଁ । ଏହା ସନାତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ, ଅଚଳ ଏବଂ ନିତ୍ୟ ଅଟେ ।
Bhagavad Gita 2.25 View commentary »
ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ । ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।
Bhagavad Gita 2.26 View commentary »
ହେ ପରାକ୍ରମୀ ଅର୍ଜୁନ! ଯଦି ତୁମେ ଏପରି ଭାବୁଥାଅ ଯେ ଆତ୍ମାର ସର୍ବଦା ଜନ୍ମ ଏବଂ ମୃତ୍ୟୁ ହୋଇଥାଏ, ତଥାପି ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।
Bhagavad Gita 2.27 View commentary »
ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ତୁମେ ଏହି ଅନିବାର୍ଯ୍ୟ ଘଟଣା ପାଇଁ ଶୋକ କରିବା ଉଚିତ ନୁହେଁ ।
Bhagavad Gita 2.28 View commentary »
ହେ ଭାରତ ଶ୍ରେଷ୍ଠ! ଜନ୍ମ ପୂର୍ବରୁ ସମସ୍ତ ପ୍ରାଣୀ ଅପ୍ରକଟିତ ଥା’ନ୍ତି, ଜୀବନ କାଳରେ ପ୍ରକଟିତ ହୁଅନ୍ତି ଏବଂ ପୁନର୍ବାର ମୃତ୍ୟୁରେ ଅପ୍ରକଟ ହୋଇଯାନ୍ତି । ତେଣୁ ଶୋକ କାହଁକି କରୁଛ?
Bhagavad Gita 2.29 View commentary »
କେହି କେହି ଆତ୍ମାକୁ ଏକ ଆଶ୍ଚର୍ଯ୍ୟ ରୂପରେ ଦେଖନ୍ତି, କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବେ ବର୍ଣ୍ଣନା କରିଥାଆନ୍ତି । ପୁଣି କେହି କେହି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, ଏବଂ ଆଉ କେତେକ ଏହାକୁ ଶୁଣିଲେ ମଧ୍ୟ ବୁଝିପାରନ୍ତି ନାହିଁ ।
Bhagavad Gita 2.30 View commentary »
ହେ ଅର୍ଜୁନ! ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ଅମର ଅଟେ । ତେଣୁ ତୁମ କାହାପାଇଁ ଶୋକ ପ୍ରକାଶ କରିବା ଅନୁଚିତ ।
Bhagavad Gita 2.31 View commentary »
ଜଣେ ଯୋଦ୍ଧା ଭାବରେ ତୁମେ ନିଜର କର୍ତ୍ତବ୍ୟ ବିଷୟରେ ଚିନ୍ତା ନ କରି ଇତସ୍ତତଃ ହେବା ଉଚିତ୍ ନୁହେଁ । ବାସ୍ତବରେ, ଜଣେ ଯୋଦ୍ଧା ପାଇଁ ଧର୍ମ ରକ୍ଷା ନିମନ୍ତେ ଯୁଦ୍ଧ କରିବାଠାରୁ ବଳି ମହତ୍ କାର୍ଯ୍ୟ ଆଉ କିଛି ନାହିଁ ।
Bhagavad Gita 2.32 View commentary »
ହେ ପାର୍ଥ! ଧର୍ମ ରକ୍ଷା କରିବାର ଏପରି ସୁଯୋଗ ଯେଉଁ କ୍ଷତ୍ରିୟମାନଙ୍କ ପାଇଁ ଆପେ ଆପେ ଆସିଥାଏ, ସେମାନେ ସୁଖି ଅଟନ୍ତି, ଯାହା ତାଙ୍କ ପାଇଁ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ କରିଦିଏ ।
Bhagavad Gita 2.33 View commentary »
ଯଦି ତୁମେ ଏହି ଧର୍ମ ଯୁଦ୍ଧ କରିବାକୁ ଇଚ୍ଛା ନ କର, ତେବେ ତୁମେ ନିଜର ସାମାଜିକ କର୍ତ୍ତବ୍ୟ ତ୍ୟାଗ କରି ସୁନାମ ହରାଇବ ଏବଂ ଫଳସ୍ୱରୂପ ପାପ ହିଁ ଅର୍ଜନ କରିବ ।
Bhagavad Gita 2.34 View commentary »
ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।
Bhagavad Gita 2.35 View commentary »
ଯେଉଁ ମହାରଥୀ ମାନେ ତୁମର ସମ୍ମାନ କରୁଥିଲେ, ସେମାନେ ଏପରି ମନେକରିବେ ଯେ ଭୟରେ ତୁମେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛ ଏବଂ ତଦ୍ୱାରା ତୁମେ ନିଜର ସମ୍ମାନ ହରାଇବ ।
Bhagavad Gita 2.36 View commentary »
ତୁମର ଶ୍ରତୁମାନେ ତୁମର ନିନ୍ଦା କରିବେ ଏବଂ କଠୋର ଶବ୍ଦରେ ଅପମାନିତ କରି ତୁମର ବୀରତ୍ୱକୁ ତାତ୍ସଲ୍ୟ କରିବେ । ଏହାଠାରୁ ଅଧିକ ଯନ୍ତ୍ରଣା ଦାୟକ କ’ଣ ହୋଇପାରେ?
Bhagavad Gita 2.37 View commentary »
ତୁମେ ଯଦି ଯୁଦ୍ଧ କର, ଯୁଦ୍ଧରେ ନିହତ ହୋଇ ତୁମେ ସ୍ୱର୍ଗଲୋକ ପ୍ରାପ୍ତ କରିବ କିମ୍ବା ଯୁଦ୍ଧରେ ବିଜୟୀ ହୋଇ ତୁମେ ଭୂଲୋକରେ ରାଜ୍ୟଭୋଗ କରିବ । ତେଣୁ ହେ କୁନ୍ତି ପୁତ୍ର! ଦୃଢ଼ ନିଶ୍ଚୟ ହୋଇ ଜାଗ୍ରତ ହୁଅ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ।
Bhagavad Gita 2.38 View commentary »
ସୁଖ ଓ ଦୁଃଖ, ଲାଭ ଓ କ୍ଷତି, ଜୟ ଓ ପରାଜୟକୁ ସମାନ ରୂପେ ବିଚାର କରି କର୍ତ୍ତବ୍ୟ ଦୃଷ୍ଟିରୁ ଯୁଦ୍ଧ କର । ଏହିପରି କର୍ତ୍ତବ୍ୟ ପାଳନ କରି ତୁମେ କେବେ ବି ପାପ ଅର୍ଜନ କରିବ ନାହିଁ ।
Bhagavad Gita 2.39 View commentary »
ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଯୋଗ ବା ଆତ୍ମା ବିଷୟରେ ବିଶ୍ଳେଷଣାତ୍ମକ ଜ୍ଞାନ ପ୍ରଦାନ କଲି । ହେ ପାର୍ଥ! ବର୍ତ୍ତମାନ ଶୁଣ, ମୁଁ ଏବେ ବୁଦ୍ଧି ଯୋଗ ବିଷୟରେ କହିବାକୁ ଯାଉଛି । ଏହିପରି ବିଚାର ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।
Bhagavad Gita 2.40 View commentary »
ଏହିପରି ଚେତନାରେ ସ୍ଥିତ ରହି କାର୍ଯ୍ୟ କଲେ, କୌଣସି କ୍ଷତି ବା ପ୍ରତିକୂଳ ଫଳ ମିଳି ନ ଥାଏ, ବରଂ ଏକ କ୍ଷୁଦ୍ର ପ୍ରୟାସ ମଧ୍ୟ ବଡ଼ ବିପତ୍ତିରୁ ରକ୍ଷା କରିଥାଏ ।
Bhagavad Gita 2.41 View commentary »
ହେ କୁରୁବଂଶଜ! ଯେଉଁମାନେ ଏହି ମାର୍ଗର ଅନୁସରଣ କରନ୍ତି, ସେମାନଙ୍କର ବୁଦ୍ଧି ଦୃଢ଼ ପ୍ରତିଜ୍ଞ ଏବଂ ଲକ୍ଷ୍ୟ ଏକ କେନ୍ଦ୍ରାଭିମୁଖି ଅଟେ । କିନ୍ତୁ ଯେଉଁମାନେ ଦୃଢ଼ ପ୍ରତିଜ୍ଞ ନୁହଁନ୍ତି, ସେମାନଙ୍କର ବୁଦ୍ଧି ଅନେକ ଶାଖାଯୁକ୍ତ ହୋଇଥାଏ ।
Bhagavad Gita 2.42 – 2.43 View commentary »
ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି ଯେ, ବେଦରେ ଏହାଠାରୁ ଉତ୍କୃଷ୍ଟ ବିଧିବିଧାନ ଉଲ୍ଲେଖ ହୋଇନାହିଁ । ସେମାନେ ବେଦର ସେହି ଅଂଶଗୁଡ଼ିକୁ ପ୍ରମୁଖତା ଦେଇଥାନ୍ତି ଯାହା ତାଙ୍କ ପ୍ରବୃତ୍ତିର ଅନୁକୂଳ ଥାଏ ଏବଂ ଉଚ୍ଚତର ଜନ୍ମ, ଐଶ୍ୱର୍ଯ୍ୟ, ଇନ୍ଦ୍ରିୟ ସୁଖ ଓ ସ୍ୱର୍ଗ ପ୍ରାପ୍ତି ପାଇଁ ସେମାନେ ଆଡମ୍ବରପୂର୍ଣ୍ଣ କର୍ମକାଣ୍ଡର ଅନୁଷ୍ଠାନ କରିଥାଆନ୍ତି ।
Bhagavad Gita 2.44 View commentary »
ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା ପାଇଁ ସେମାନଙ୍କ ଠାରେ ଦୃଢ଼ ନିଷ୍ଠା ନ ଥାଏ ।
Bhagavad Gita 2.45 View commentary »
ହେ ଅର୍ଜୁନ, ବେଦରେ ଭୌତିକ ସଂସାରର ତିନି ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠି ବିଶୁଦ୍ଧ ଆଧ୍ୟାତ୍ମିକ ଚେତନାରେ ସ୍ଥିତ ହୁଅ । ଦ୍ୱୈତ ଭାବରୁ ନିଜକୁ ମୁକ୍ତ କରି, ଭୌତିକ ଲାଭ ଓ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ, ସତ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରି ଆତ୍ମାରେ ଅବସ୍ଥାନ କର ।
Bhagavad Gita 2.46 View commentary »
ଗୋଟିଏ ଛୋଟ କୂଅ ଯାହା ବି ଉଦ୍ଦେଶ୍ୟ ପୂରଣ କରେ, ଏକ ସମୁଦ୍ର ମଧ୍ୟ ସ୍ୱଭାବିକ ଭାବେ ସେହି ଉଦ୍ଦେଶ୍ୟ ପୂରଣ କରିଥାଏ । ସେହିପରି ଯେଉଁମାନଙ୍କର ଭଗବତ୍ ଉପଲବ୍ଧି ହୋଇଯାଏ, ସେମାନେ ବେଦର ସମସ୍ତ ମର୍ମ ବୁଝିପାରନ୍ତି ।
Bhagavad Gita 2.47 View commentary »
ବେଦବିହିତ କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ କର୍ମର ଫଳରେ ତୁମର ଅଧିକାର ନାହିଁ । ନିଜକୁ କେବେ ବି ତୁମର କର୍ମ ଫଳର କାରଣ ଭାବେ ବିବେଚନା କରନାହିଁ, ବା କର୍ତ୍ତବ୍ୟହୀନତା ପ୍ରତି ଆକୃଷ୍ଟ ହୁଅନାହିଁ ।
Bhagavad Gita 2.48 View commentary »
ହେ ଅର୍ଜୁନ! ସଫଳତା ଓ ବିଫଳତା ପ୍ରତି ଆସକ୍ତିରହିତ ହୋଇ ତୁମେ ନିଜର କର୍ତ୍ତବ୍ୟ ପାଳନ କର । ଏହି ସମଭାବ ହିଁ ଯୋଗ ଅଟେ ।
Bhagavad Gita 2.49 View commentary »
ହେ ଅର୍ଜୁନ! ଦିବ୍ୟ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ଆଶ୍ରୟ ଗ୍ରହଣ କର ଏବଂ ସକାମ କର୍ମର ତ୍ୟାଗ କର, ଯାହା ଦିବ୍ୟଜ୍ଞାନରେ ସ୍ଥିତ ବୁଦ୍ଧିର ଉପଯୋଗ କରି କରାଯାଉଥିବା କର୍ମ ଠାରୁ ନିଶ୍ଚିତ ଭାବରେ ନିକୃଷ୍ଟ ଅଟେ । ଯେଉଁମାନେ କର୍ମରେ ଫଳ ଭୋଗର ଆଶା କରନ୍ତି ସେମାନେ ଲୋଭୀ ଅଟନ୍ତି ।
Bhagavad Gita 2.50 View commentary »
ଯେଉଁ ବ୍ୟକ୍ତି ନିଷ୍ଠାପର ଭାବରେ ଆସକ୍ତି ରହିତ କର୍ମାଭ୍ୟାସ କରିଥାଏ, ସେ ଉଭୟ ଭଲ ମନ୍ଦ କର୍ମର ପ୍ରତିକ୍ରିୟା ଠାରୁ ଏହି ଜନ୍ମରେ ହିଁ ମୁକ୍ତ ହୋଇଯାଏ । ତେଣୁ ଯୋଗ ପାଇଁ ଚେଷ୍ଟିତ ହୁଅ, ଯାହାକି କୁଶଳତା ପୂର୍ବକ (ସଠିକ୍ ଚେତନା ଯୁକ୍ତ ହୋଇ) କର୍ମ କରିବାର କଳା ଅଟେ ।
Bhagavad Gita 2.51 View commentary »
ଜ୍ଞାନୀ ବ୍ୟକ୍ତିମାନେ ସମବୁଦ୍ଧି ଯୁକ୍ତ ହୋଇ, ଜନ୍ମ ମୃତ୍ୟୁର ଚକ୍ରର ବନ୍ଧନ କାରକ ଫଳ ପ୍ରତି ଆସକ୍ତିକୁ ତ୍ୟାଗ କରିଥାନ୍ତି । ଏହିପରି ଚେତନା ଯୁକ୍ତ ହୋଇ କର୍ମ କରିବା ଦ୍ୱାରା ସେମାନେ ସମସ୍ତ ଦୁଃଖର ଊର୍ଦ୍ଧ୍ୱ ସୋପାନକୁ ପ୍ରାପ୍ତ କରନ୍ତି ।
Bhagavad Gita 2.52 View commentary »
ଯେତେବେଳେ ତୁମର ବୁଦ୍ଧି ମୋହରୂପୀ କର୍ଦ୍ଦମକୁ ଅତିକ୍ରମ କରିଯିବ, ତୁମେ ଯାହା ସବୁ ଶୁଣିଛ ବା ଶୁଣିବାକୁ ଅଛି (ଇହଲୋକ ଓ ପରଲୋକର ସୁଖ ବିଷୟରେ) ସେ ସମସ୍ତ ପ୍ରତି ଉଦାସୀନ ହୋଇଯିବ ।
Bhagavad Gita 2.53 View commentary »
ଯେତେବେଳେ ତୁମର ବୁଦ୍ଧି ବେଦର ଫଳପ୍ରାପ୍ତି ସମ୍ବନ୍ଧୀୟ ବିଭାଗ ପ୍ରତି ଆକୃଷ୍ଟ ହେବନାହିଁ ଏବଂ ଦିବ୍ୟ ଚେତନାରେ ଅଟଳ ରହିବ, ତୁମେ ପରିପୂର୍ଣ୍ଣ ଯୋଗର ସ୍ଥିତି ପ୍ରାପ୍ତ କରିବ ।
Bhagavad Gita 2.54 View commentary »
ଅର୍ଜୁନ କହିଲେ: ହେ କେଶବ, ଦିବ୍ୟ ଚେତନାଯୁକ୍ତ ବ୍ୟକ୍ତିର ସ୍ୱଭାବ କ’ଣ ? ଜଣେ ସୁଜ୍ଞାନୀ ବ୍ୟକ୍ତି କିପରି କଥାବାର୍ତ୍ତା କରେ ? କିପରି ବସେ ? କିପରି ଚାଲେ ?
Bhagavad Gita 2.55 View commentary »
ପରମ ପୁରୁଷ ଶ୍ରୀ ଭଗବାନ କହିଲେ, ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁôଥବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାର ଅନୁଭୂତିରେ ସନ୍ତୁଷ୍ଟ ରହେ, ସେପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।
Bhagavad Gita 2.56 View commentary »
ଯାହାର ମନ ଦୁଃଖରେ ବିଚଳିତ ହୁଏନାହିଁ, ସୁଖ ପ୍ରତି ଲାଳାୟିତ ହୁଏନାହିଁ, ଆସକ୍ତି, ଭୟ ଓ କ୍ରୋଧ ମୁକ୍ତ ରହେ, ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।
Bhagavad Gita 2.57 View commentary »
ଯିଏ ସମସ୍ତ ପରିସ୍ଥିତିରେ ଅନାସକ୍ତ ରହନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତିରେ ଆନନ୍ଦିତ ହୁଅନ୍ତି ନାହିଁ କି ପ୍ରତିକୂଳ ପରିସ୍ଥିତିରେ ନିରାଶ ହୁଅନ୍ତି ନାହିଁ, ସେ ପୂର୍ଣ୍ଣ ଜ୍ଞାନ ଯୁକ୍ତ ଯୋଗୀ ଅଟନ୍ତି ।
Bhagavad Gita 2.58 View commentary »
ଏକ କଚ୍ଛପ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଶରୀର ମଧ୍ୟରେ ସଙ୍କୁଚିତ କଲା ପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟବସ୍ତୁମାନଙ୍କ ଠାରୁ ନିଜର ଇନ୍ଦ୍ରିୟମାନଙ୍କୁ ଦୂରେଇ ନିଏ, ସେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇଯାଏ ।
Bhagavad Gita 2.59 View commentary »
ସାଧକମାନେ ନିଜକୁ ଇନ୍ଦ୍ରିୟଭୋଗ୍ୟ ବସ୍ତୁଠାରୁ ଦୂରେଇ ରଖିପାରନ୍ତି, କିନ୍ତୁ ସେହି ଭୋଗ୍ୟ ବସ୍ତୁଗୁଡ଼ିକର ସ୍ୱାଦର ଚେତନା ଇନ୍ଦ୍ରିୟମାନଙ୍କ ଠାରେ ତଥାପି ରହିଯାଇଥାଏ । ପରତତ୍ତ୍ୱର ଉପଲବ୍ଧିରେ ସେହି ସ୍ୱାଦ ମଧ୍ୟ ସମାପ୍ତ ହୋଇଯାଏ ।
Bhagavad Gita 2.60 View commentary »
ହେ କୁନ୍ତି ପୁତ୍ର ! ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଏବଂ ବିକ୍ଷୁବ୍ଧ ଯେ ଜଣେ ବିଚାରଶକ୍ତି ଯୁକ୍ତ ଏବଂ ଆତ୍ମନିୟନ୍ତ୍ରଣ ସାଧନା କରୁଥିବା ବ୍ୟକ୍ତିର ମନକୁ ମଧ୍ୟ ସେମାନେ ବଳପୂର୍ବକ ହରଣ କରିନିଅନ୍ତି ।
Bhagavad Gita 2.61 View commentary »
ଯେଉଁମାନେ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରନ୍ତି ଏବଂ ମନ ନିରନ୍ତର ମୋ ଠାରେ ନିମଗ୍ନ ରଖନ୍ତି, ସେମାନେ ପ୍ରକୃତ ଜ୍ଞାନରେ ସ୍ଥିତ ।
Bhagavad Gita 2.62 View commentary »
ଇନ୍ଦ୍ରିୟ ଭୋଗ୍ୟବସ୍ତୁର ବାରମ୍ବାର ଚିନ୍ତନ କରିବା ଫଳରେ ବ୍ୟକ୍ତିର ତା’ ପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମନା ଏବଂ କାମନାରୁ କ୍ରୋଧ ଜାତ ହୁଏ ।
Bhagavad Gita 2.63 View commentary »
କ୍ରୋଧ ବିଚାରଶକ୍ତିକୁ ସମ୍ମୋହିତ କରିଦିଏ, ଯଦ୍ୱାରା ସ୍ମୃତି ଶକ୍ତି ଭ୍ରମିତ ହୋଇଯାଏ । ସ୍ମୃତି ଭ୍ରମିତ ହେଲେ ବୁଦ୍ଧି ନଷ୍ଟ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୁଏ ବ୍ୟକ୍ତିର ପତନ ହୋଇଥାଏ ।
Bhagavad Gita 2.64 View commentary »
କିନ୍ତୁ ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରିତ କରି ରାଗ ଏବଂ ଦ୍ୱେଷରୁ ମୁକ୍ତ ରହିଥାଏ, ସେ ଇନ୍ଦ୍ରିୟ ବିଷୟର ଉପଯୋଗ କରୁଥିଲେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ କରେ ।
Bhagavad Gita 2.65 View commentary »
ଭଗବତ୍ କୃପାରୁ ଶାନ୍ତି ମିଳେ, ଯାହା ସମସ୍ତ ଦୁଃଖକୁ ନାଶ କରେ ଏବଂ ଏହିପରି ଶାନ୍ତ ଚିତ୍ତଯୁକ୍ତ ବ୍ୟକ୍ତିର ବୁଦ୍ଧି ଭଗବାନଙ୍କ ଠାରେ ଦୃଢ଼ତା ପୂର୍ବକ ସ୍ଥିର ହୁଏ ।
Bhagavad Gita 2.66 View commentary »
କିନ୍ତୁ ଜଣେ ବିଶୃଙ୍ଖଳିତ ବ୍ୟକ୍ତି, ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରି ନ ଥାଏ, ତା’ର ବୁଦ୍ଧି ଦୃଢ଼ ନିଶ୍ଚୟୀ ଏବଂ ଭଗବାନଙ୍କର ଚିନ୍ତନ ସ୍ଥିର ହୋଇ ନ ଥାଏ । ଯିଏ ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରେ ନାହିଁ, ତାକୁ ଶାନ୍ତି ମିଳେନାହିଁ; ଏବଂ ଯାହାଠାରେ ଶାନ୍ତିର ଅଭାବ ସେ ସୁଖି କେମିତି ହେବ?
Bhagavad Gita 2.67 View commentary »
ଯେମିତି ତେଜ ବାୟୁ ଗୋଟିଏ ନୌକାକୁ ତା’ର ଗନ୍ତବ୍ୟ ମାର୍ଗରୁ ବିଚ୍ୟୁତ କରାଏ, ସେହିପରି ଗୋଟିଏ ଇନ୍ଦ୍ରିୟ ପ୍ରତି ମନ କେନ୍ଦ୍ରିତ ହେଲେ ମଧ୍ୟ ତାହା ବୁଦ୍ଧିକୁ ମାର୍ଗଚ୍ୟୁତ କରାଇଥାଏ ।
Bhagavad Gita 2.68 View commentary »
ତେଣୁ ହେ ଅର୍ଜୁନ! ଯେଉଁମାନେ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେଗୁଡ଼ିକର ବିଷୟ ଠାରୁ ଦୂରେଇ ରଖିପାରନ୍ତି, ସେମାନେ ଦିବ୍ୟ ଜ୍ଞାନରେ ଦୃଢ଼ ଭାବରେ ସ୍ଥିତ ହୁଅନ୍ତି ।
Bhagavad Gita 2.69 View commentary »
ଯାହାକୁ ସମସ୍ତ ପ୍ରାଣୀ ଦିନ ଭାବରେ ବିଚାର କରନ୍ତି, ତାହା ବିଜ୍ଞ ଲୋକର ଅଜ୍ଞାନର ରାତ୍ରି ଅଟେ ଏବଂ ଯାହାକୁ ସମସ୍ତ ପ୍ରାଣୀ ରାତ୍ରି ଭାବରେ ବିବେଚନା କରନ୍ତି, ତାହା ମନନଶୀଳ ମୁନିମାନଙ୍କ ପାଇଁ ଦିନ ଅଟେ ।
Bhagavad Gita 2.70 View commentary »
ସମୁଦ୍ରରେ ମିଶିବା ପାଇଁ ନଦୀଜଳର ଅବିଶ୍ରାନ୍ତ ପ୍ରବାହ ସତ୍ତ୍ୱେ ସମୁଦ୍ର ଅବିଚଳିତ ରହିବା ପରି, ବିଜ୍ଞ ବ୍ୟକ୍ତିମାନେ ନିଜ ଚର୍ତୁପାଶ୍ୱର୍ରେ ଥିବା ଭୌତିକ ବସ୍ତୁମାନଙ୍କର ଆକର୍ଷଣ ଦ୍ୱାରା ଅବିଚଳିତ ରହି ଶାନ୍ତି ପ୍ରାପ୍ତ କରନ୍ତି । କାମନା ପୂରଣ ପାଇଁ ଚେଷ୍ଟିତ ରହିଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରିପାରେ ନାହିଁ ।
Bhagavad Gita 2.71 View commentary »
ଯେଉଁ ବ୍ୟକ୍ତି ସମସ୍ତ ସାଂସାରିକ କାମନା ତ୍ୟାଗ କରି ଲୋଭ, ମମତ୍ୱ ଏବଂ ଅହଂକାର ମୁକ୍ତ ରହେ, ସେ ପ୍ରକୃତ ସୁଖ ପ୍ରାପ୍ତ କରେ ।
Bhagavad Gita 2.72 View commentary »
ହେ ପାର୍ଥ! ଜୀବ ଜ୍ଞାନଦୀପ୍ତ ଅବସ୍ଥାକୁ ପ୍ରାପ୍ତ କରି ପୁନର୍ବାର ମାୟାଗ୍ରସ୍ତ ହୁଏ ନାହିଁ । ମୃତ୍ୟୁ ସମୟରେ ଚେତନାର ଏହି ସ୍ତରରେ ସ୍ଥିତ ରହି ଜୀବ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଧାମ ପ୍ରାପ୍ତ କରିଥାଏ ।