ଅଦ୍ୱେଷ୍ଟା ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ ।
ନିର୍ମମୋ ନିରହଂକାରଃ ସମଦୁଃଖସୁଖଃ କ୍ଷମୀ ।।୧୩।।
ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଢ଼ନିଶ୍ଚୟଃ ।
ମୟ୍ୟର୍ପିତମନୋବୁଦ୍ଧିର୍ଯୋ ମଦ୍ଭକ୍ତଃ ସ ମେ ପ୍ରିୟଃ ।।୧୪।।
ଅଦ୍ୱେଷ୍ଟା - ଦ୍ୱେଷଭାବ ରହିତ; ସର୍ବଭୂତାନାଂ - ସମସ୍ତ ଜୀବଙ୍କ ପ୍ରତି; ମୈତ୍ରଃ - ବନ୍ଧୁଭାବାପନ୍ନ; କରୁଣଃ - ଦୟାଳୁ, ଏବ - ନିଶ୍ଚିତଭାବେ; ଚ - ଏବଂ; ନିର୍ମମଃ - ମମତାଶୂନ୍ୟ; ନିରହଙ୍କାରଃ -ଅହଙ୍କାରଶୂନ୍ୟ; ସମ- ସମଭାବରେ; ଦୁଃଖ -ଦୁଃଖ; ସୁଖଃ-ସୁଖ; କ୍ଷମୀ - କ୍ଷମାଶୀଳ; ସନ୍ତୁଷ୍ଟଃ -ସନ୍ତୁଷ୍ଟ; ସତତଂ - ସର୍ବଦା; ଯୋଗୀ -ଭକ୍ତିରେ ଯୁକ୍ତ; ଯତାତ୍ମା- ଜିତେନ୍ଦ୍ରିୟ; ଦୃଢ଼ନିଶ୍ଚୟଃ -ଦୃଢ଼ ସଂକଳ୍ପ; ମୟି - ମୋ’ଠାରେ; ଅର୍ପିତ -ସମର୍ପିତ; ମନଃ-ମନ; ବୁଦ୍ଧିଃ - ବୁଦ୍ଧି; ଯଃ -ଯିଏ; ମଦ୍ଭକ୍ତଃ - ମୋର ଭକ୍ତ; ସଃ ମେ ପ୍ରିୟଃ- ସେ ମୋର ପ୍ରିୟ ।
Translation
BG 12.13-14: ଯେଉଁମାନେ କୌଣସି ଜୀବଙ୍କ ପ୍ରତି ଦ୍ୱେଷ ଭାବ ରଖନ୍ତି ନାହିଁ, ଯେଉଁମାନେ ମିତ୍ରଭାବାପନ୍ନ ଏବଂ ଦୟାଳୁ ଅଟନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି । ସେମାନେ ଆସକ୍ତିରହିତ ଓ ଅହଂକାରଶୂନ୍ୟ, ସୁଖ ଓ ଦୁଃଖରେ ସମଭାବାପନ୍ନ ଏବଂ ସର୍ବଦା କ୍ଷମାଶୀଳ ଅଟନ୍ତି । ସେମାନେ ସର୍ବଦା ସନ୍ତୁଷ୍ଟ, ଅବିଚଳ ଭକ୍ତିରେ ମୋ ସହିତ ଯୁକ୍ତ, ଆତ୍ମସଂଯମୀ, ଦୃଢ଼ମନା ଏବଂ ମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ ରହିଥାଆନ୍ତି ।
Commentary
ତାଙ୍କ ସାକାର ସ୍ୱରୂପର ଭକ୍ତିକୁ ସର୍ବୋତ୍କୃଷ୍ଟ କହିବା ପରେ, ଶ୍ରୀକୃଷ୍ଣ, ଶ୍ଲୋକ ୧୩-୧୯ରେ, ତାଙ୍କ ପ୍ରିୟ ଭକ୍ତମାନଙ୍କର ଲକ୍ଷଣ ବର୍ଣ୍ଣନା କରିବାକୁ ଯାଉଛନ୍ତି ।
ସମସ୍ତ ଜୀବଙ୍କ ପ୍ରତି ଦ୍ୱେଷ ଭାବ ରହିତ - ଭକ୍ତମାନେ ଏହା ବୁଝିପାରି ଥାଆନ୍ତି ଯେ ପ୍ରତ୍ୟେକ ଜୀବ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି । ତେଣୁ କାହା ପ୍ରତି ଦ୍ୱେଷଭାବ ପୋଷଣ କରିବା ଅର୍ଥ ଭଗବାନଙ୍କ ପ୍ରତି ଦ୍ୱେଷ ଭାବ ରଖିବା । ସୁତରାଂ, ତାଙ୍କର ବିରୁଦ୍ଧାଚାରଣ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ମଧ୍ୟ ଭକ୍ତମାନେ ଦ୍ୱେଷ କରନ୍ତି ନାହିଁ ।
ମୈତ୍ରୀ ଏବଂ ଅନୁକମ୍ପା - ସମସ୍ତେ ସେହି ଜଣେ ଭଗବାନଙ୍କର ସନ୍ତାନ ହୋଇଥିବା ଦୃଷ୍ଟିରୁ, ଭକ୍ତି ପରସ୍ପର ମଧ୍ୟରେ ମୈତ୍ରୀ ଭାବ ଉତ୍ପନ୍ନ କରିଥାଏ । ପର-ଆପଣା ଭାବନା ସମାପ୍ତ ହୋଇ ଯାଇଥାଏ । ଏହା ଭକ୍ତ ମାନଙ୍କଠାରେ ଅନ୍ୟମାନଙ୍କ ପ୍ରତି ବନ୍ଧୁତ୍ୱ ଭାବ ଏବଂ ଅନ୍ୟମାନଙ୍କର କଷ୍ଟ ପ୍ରତି ଅନୁକମ୍ପା ଉତ୍ପନ୍ନ କରେ ।
ଆସକ୍ତିରହିତ ଏବଂ ଅହଂକାରଶୂନ୍ୟ - ଭକ୍ତିର ସବୁଠାରୁ ବଡ଼ ଶତ୍ରୁ ଅହଂକାର ଅଟେ । ଦୀନତାର ଅଭ୍ୟାସ ଦ୍ୱାରା ହିଁ ବ୍ୟକ୍ତି ଆଧ୍ୟାତ୍ମିକ ପଥରେ ଅଗ୍ରସର ହୋଇଥାଏ । ଉଚ୍ଚ କକ୍ଷର ଭକ୍ତମାନେ ସ୍ୱାଭାବିକ ଭାବରେ ନମ୍ର ହୋଇଥାଆନ୍ତି ଏବଂ ଅହଂକାର, କର୍ତ୍ତୁତ୍ୱାଭିମାନ ତଥା ନିଜକୁ ଶରୀର ମନେ କରିବାର ଭ୍ରମରୁ ମୁକ୍ତ ରହନ୍ତି ।
ସୁଖ ଓ ଦୁଃଖରେ ସମଭାବାପନ୍ନ - ଭକ୍ତମାନେ ବିଶ୍ୱାସ କରନ୍ତି ଯେ କେବଳ କର୍ମ କରିବାର ଅଧିକାର ସେମାନଙ୍କର ଅଛି, କର୍ମର ଫଳ ଭଗବାନଙ୍କ ହାତରେ । ତେଣୁ ଯାହାବି ଫଳ ମିଳେ, ସେମାନେ ତାହାକୁ ଈଶ୍ୱରଙ୍କର ଇଚ୍ଛା ଭାବରେ ସ୍ୱୀକାର କରି ସମଭାବାପନ୍ନ ରହନ୍ତି ।
ସର୍ବଦା କ୍ଷମାଶୀଳ - ଭକ୍ତ କେବେ ବି ନିଜର ମାନସିକ ସନ୍ତୋଷ ପାଇଁ ଦୋଷୀମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ । ଅନ୍ୟମାନଙ୍କ ପ୍ରତି ଏପରି ନକାରାତ୍ମକ ଭାବନା ନିଜର ଭକ୍ତିଭାବକୁ ନଷ୍ଟ କରିଦେଇଥାଏ । ତେଣୁ ଉଚ୍ଚ କକ୍ଷର ସାଧକମାନେ ସେପରି ଚିନ୍ତନକୁ ମନରୁ ତ୍ୟାଗ କରି ଦୋଷୀମାନଙ୍କୁ ଦଣ୍ଡିତ କରିବାର ଦାୟିତ୍ୱ ଭଗବାନଙ୍କ ଉପରେ ନ୍ୟସ୍ତ କରିଥାଆନ୍ତି ।
ସର୍ବଦା ସନ୍ତୁଷ୍ଟ - ସନ୍ତୋଷ ଅଧିକ ବସ୍ତୁ ସଂଗ୍ରହ ଦ୍ୱାରା ନୁହେଁ, ବରଂ କାମନାର ପରିସରକୁ ସଂକୁଚିତ କରିବା ଦ୍ୱାରା ପ୍ରାପ୍ତ ହୋଇଥାଏ । ଭକ୍ତମାନେ ଯେହେତୁ ଭୌତିକ ବସ୍ତୁକୁ ସୁଖର ଉତ୍ସ ଭାବରେ ବିବେଚନା କରନ୍ତି ନାହିଁ, ସେମାନଙ୍କୁ ଯାହା ବି ମିଳିଥାଏ, ସେଥିରେ ସେମାନେ ସନ୍ତୁଷ୍ଟ ରହନ୍ତି ।
ଭକ୍ତିରେ ମୋ ସହିତ ନିତ୍ୟ ଯୁକ୍ତ - ପୂର୍ବରୁ ବର୍ଣ୍ଣନା କରାଯାଇଥିବା ପ୍ରକାରେ, ଯୋଗର ଅର୍ଥ ଯୁକ୍ତ ହେବା । ଭକ୍ତମାନେ ଯୋଗୀ ଅଟନ୍ତି କାରଣ ସେମାନଙ୍କର ଚେତନା ଭଗବାନଙ୍କଠାରେ ନିମଗ୍ନ ଥାଏ । ଏହି ନିମଗ୍ନତା ସାମୟିକ ନ ହୋଇ ଅବିଚଳିତ ଓ ନିରନ୍ତର ହୋଇଥାଏ, କାରଣ ସେମାନେ ଭଗବାନଙ୍କ ସହିତ ନିତ୍ୟ ସମ୍ପର୍କ ସ୍ଥାପନ କରିଥାନ୍ତି ।
ଆତ୍ମସଂଯମୀ - ଭକ୍ତମାନେ ପ୍ରେମମୟୀ ଭକ୍ତିରେ ମନକୁ ଭଗବାନଙ୍କଠାରେ ଅନୁରକ୍ତ କରିଥାନ୍ତି । ତେଣୁ ସେମାନଙ୍କର ମନ ସଂସାରରୁ ବିରକ୍ତ ରହିଥାଏ । ଏହିପରି ଭାବରେ, ସେମାନେ ମନ ଓ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ପ୍ରାପ୍ତ କରିଥାଆନ୍ତି ।
ଦୃଢ଼ ନିଶ୍ଚୟ - ଏକ ସଂକଳ୍ପବଦ୍ଧ ବୁଦ୍ଧି ବ୍ୟକ୍ତିକୁ ଦୃଢମନା କରାଇଥାଏ । ଭକ୍ତ ନିଜର ବୁଦ୍ଧିକୁ, ଶାସ୍ତ୍ର ଏବଂ ଗୁରୁଙ୍କଠାରୁ ପାଇଥିବା ଜ୍ଞାନ ସହିତ ଯୋଡ଼ି ଦେଇଥାଏ, ଯଦ୍ୱାରା ତା’ର ସଂକଳ୍ପ ଏତେ ସୁଦୃଢ଼ ହୋଇଯାଏ ଯେ ସମଗ୍ର ସଂସାର ତା’ର ବିରୋଧ କଲେ ମଧ୍ୟ ସେମାନେ ନିଜ ଜାଗାରୁ ଇତସ୍ତତଃ ହୋଇ ନ ଥାନ୍ତି ।
ମନ-ବୁଦ୍ଧିରେ ମୋ ପ୍ରତି ସମର୍ପିତ - ଆତ୍ମା ନିଜର ଅନ୍ତର୍ନିହିତ ସ୍ୱଭାବ ଅନୁଯାୟୀ ଭଗବାନଙ୍କର ଦାସ ଅଟେ । ଏହି ଜ୍ଞାନରେ ପ୍ରବୁଦ୍ଧ ହୋଇ ଆମେ ଭଗବାନଙ୍କ ପ୍ରତି ସମର୍ପିତ ହୋଇଯିବା ସ୍ୱାଭାବିକ । ଶରଣାଗତିରେ ମନ ଓ ବୁଦ୍ଧିର ସ୍ଥାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ସେମାନେ ଶରଣାଗତ ହୋଇଯାଆନ୍ତି, ଅବଶିଷ୍ଟ ବ୍ୟକ୍ତିତ୍ୱ - ଶରୀର, କର୍ମେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ, ସାଂସାରିକ ପରିଗ୍ରହ ଏବଂ ଆତ୍ମା ସ୍ୱାଭାବିକ ଭାବରେ ତାଙ୍କ ସେବାରେ ସମର୍ପିତ ହୁଅନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁ ଭକ୍ତଙ୍କ ଠାରେ ଏହିସବୁ ଗୁଣ ପ୍ରକାଶିତ ହୋଇଥାଏ, ସେମାନେ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି ।