ଭଗବଦ୍ ଗୀତା ମହାଭାରତ ଯୁଦ୍ଧର ରଣଭୂମିରେ କୁହାଯାଇଥିଲା, ଯାହାକି କୌରବ ଏବଂ ପାଣ୍ଡବ ଦୁଇ ଭ୍ରାତୃପକ୍ଷଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏକ ବିଶାଳ ଯୁଦ୍ଧ ଥିଲା । ଯେଉଁ ସବୁ ଘଟଣାଚକ୍ର ଏହି ବିଶାଳ ଯୁଦ୍ଧକୁ ଆହ୍ୱାନ କରିଥିଲା, ତାହାର ବିଷଦ ବିବରଣୀ ଏହି ଗ୍ରନ୍ଥର ଉପକ୍ରମରେ “ମହାଭାରତ ଯୁଦ୍ଧର ପୃଷ୍ଠଭୂମି” ଭାଗରେ ପ୍ରଦାନ କରାଯାଇଅଛି ।
ରାଜା ଧୃତରାଷ୍ଟ୍ର ଏବଂ ତାଙ୍କ ମନ୍ତ୍ରୀ ସଞ୍ଜୟଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ ରୂପରେ ଭଗବଦ୍ ଗୀତା ପ୍ରକଟ ହେବାକୁ ଯାଉଅଛି । ଯେହେତୁ ଧୃତରାଷ୍ଟ୍ର ଅନ୍ଧଥିଲେ, ସେ ନିଜେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇ ପାରି ନ ଥିଲେ । ସେଥିପାଇଁ ସଞ୍ଜୟ ତାଙ୍କୁ ଯୁଦ୍ଧକ୍ଷେତ୍ରରେ ଘଟୁଥିବା ସମସ୍ତ ଘଟଣାର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରୁଥିଲେ । ସଞ୍ଜୟ ମହାଭାରତର ରଚୟିତା ବେଦ ବ୍ୟାସଙ୍କର ଶିଷ୍ୟ ଥିଲେ । ବେଦ ବ୍ୟାସଙ୍କର ଏକ ଚମତ୍କାରୀ ଶକ୍ତି ଥିଲା, ଯଦ୍ୱାରା ସେ ଦୂର ଦୂରାନ୍ତରେ ଘଟୁଥିବା ଘଟଣା ସବୁ ଦେଖିପାରୁଥିଲେ । ସଞ୍ଜୟଙ୍କ ଠାରେ ମଧ୍ୟ ଗୁରୁଙ୍କ କୃପାରୁ ସେହି ଦୂର ଦୃଷ୍ଟିର କ୍ଷମତା ଥିଲା, ଯଦ୍ୱାରା ସେ ଦୂରରୁ ଯୁଦ୍ଧର ସମସ୍ତ ଗତିବିଧି ଦେଖିପାରୁଥିଲେ ।
Bhagavad Gita 1.1 View commentary »
ଧୃତରାଷ୍ଟ୍ର କହିଲେ, “ହେ ସଞ୍ଜୟ! ମୋ ପୁତ୍ରଗଣ ଏବଂ ପଣ୍ଡୁପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ରିତ ହୋଇ କ’ଣ କଲେ?
Bhagavad Gita 1.2 View commentary »
ସଞ୍ଜୟ କହିଲେ: ପାଣ୍ଡବମାନଙ୍କ ସୈନ୍ୟ ସଜ୍ଜାକୁ ଲକ୍ଷ୍ୟ କରି, ରାଜା ଦୁର୍ଯୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି କଥା କହୁଛନ୍ତି ।
Bhagavad Gita 1.3 View commentary »
ଦୁର୍ଯ୍ୟୋଧନ କହିଲେ: ପୂଜ୍ୟ ଗୁରୁଦେବ! ଆପଣଙ୍କର ପ୍ରତିଭାବାନ୍ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ଅତି ନିପୁଣତାର ସହିତ ଯୁଦ୍ଧ ପାଇଁ ସଜ୍ଜିତ ପାଣ୍ଡୁପୁତ୍ରମାନଙ୍କର ସୈନ୍ୟବାହିନୀକୁ ଲକ୍ଷ୍ୟ କରନ୍ତୁ ।
Bhagavad Gita 1.4 – 1.6 View commentary »
ତାଙ୍କର ସୈନ୍ୟ ବାହୀନିକୁ ଲକ୍ଷ କରନ୍ତୁ । ସେଥିରେ ଯୁଯୁଧାନ, ବିରାଟ ଓ ଦ୍ରୃପଦଙ୍କ ପରି ଅନେକ ଶକ୍ତିଶାଳୀ ଧନୁର୍ଧାରୀ ଯୋଦ୍ଧା ଅଛନ୍ତି, ଯେଉଁମାନେ କି ସାମରିକ ଶକ୍ତିରେ ଭୀମ ଓ ଅର୍ଜୁନଙ୍କ ସମତୁଲ୍ୟ ଅଟନ୍ତି । ଆହୁରି ମଧ୍ୟ ଧୃଷ୍ଟକେତୁ, କାଶୀରାଜ, ଚେକିତାନ, ପୁରୁଜିତ, କୁନ୍ତିଭୋଜ ଏବଂ ଶୈବଙ୍କ ପରି ପ୍ରଖ୍ୟାତ ଯୋଦ୍ଧା ଓ ନରଶ୍ରେଷ୍ଠଗଣ ଉପସ୍ଥିତ ଅଛନ୍ତି । ସାହସୀ ଯୁଧାମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଙ୍କ ପରି ପ୍ରଖ୍ୟାତ ସେନାଧ୍ୟକ୍ଷ ମାନେ ଅଛନ୍ତି ।
Bhagavad Gita 1.7 View commentary »
ହେ ବ୍ରାହ୍ମଣ ଶ୍ରେଷ୍ଠ! ଆମ ପକ୍ଷରେ ଥିବା ବିଶିଷ୍ଟ ଯୋଦ୍ଧା, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରବୀଣ, ସେମାନଙ୍କ ବିଷୟରେ ଶୁଣନ୍ତୁ । ମୁଁ ଆପଣଙ୍କୁ ସେମାନଙ୍କ ବିଷୟରେ କହୁଛି ।
Bhagavad Gita 1.8 View commentary »
ଆପଣ, ଭୀଷ୍ମ, କର୍ଣ୍ଣ, କୃପା, ଅଶ୍ୱଥାମା, ବିକର୍ଣ୍ଣ ଏବଂ ଭୂରିଶ୍ରବା ସର୍ବଦା ଯୁଦ୍ଧଜୟୀ ବ୍ୟକ୍ତିତ୍ୱଗଣ ଅଛନ୍ତି ।
Bhagavad Gita 1.9 View commentary »
ଆହୁରି ମଧ୍ୟ ଅନେକ ବୀର ଯୋଦ୍ଧା ଅଛନ୍ତି, ଯେଉଁମାନେ ମୋ ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ସେମାନେ ସମସ୍ତେ ଯୁଦ୍ଧବିଦ୍ୟାରେ ପାରଙ୍ଗମ ଏବଂ ବିଭିନ୍ନ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଅଛନ୍ତି ।
Bhagavad Gita 1.10 View commentary »
ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମ୍ଭମାନଙ୍କର ସୈନ୍ୟ ବଳ ଅସୀମିତ ଅଟେ, କିନ୍ତୁ ଭୀମଙ୍କ ଦ୍ୱାରା ସାବଧାନ ପୁର୍ବକ ସୁରକ୍ଷିତ ପାଣ୍ଡବ ସେନାଙ୍କ ବଳ ସୀମିତ ଅଟେ ।
Bhagavad Gita 1.11 View commentary »
ତେଣୁ, ମୁଁ କୌରବ ସେନାର ସମସ୍ତ ସେନାପତିମାନଙ୍କୁ ଆହ୍ୱାନ କରୁଅଛି ଯେ ଆପଣମାନେ ନିଜ ନିଜର ବ୍ୟୁହ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ ।
Bhagavad Gita 1.12 View commentary »
ତା’ପରେ ଯଶସ୍ୱୀ କୁଳ ବୃଦ୍ଧ ଭୀଷ୍ମ, ସିଂହ ପରି ଗର୍ଜନ କରି ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ, ଯାହା ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କଲା ।
Bhagavad Gita 1.13 View commentary »
ତା’ପରେ ନାଗରା, ଶଙ୍ଖ, ଭେରୀ, ତୁରୀ ଓ ଶିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ନାଦ ସୃଷ୍ଟି କଲା ।
Bhagavad Gita 1.14 View commentary »
ତା’ପରେ ପାଣ୍ଡବ ବାହିନୀ ମଧ୍ୟରେ, ଶ୍ୱେତ ଅଶ୍ୱ ଯୁକ୍ତ ତେଜୀୟାନ ରଥରେ ଆରୋହଣ କରି, ମାଧବ ଏବଂ ଅର୍ଜୁନ ତାଙ୍କର ଦିବ୍ୟ ଶଙ୍ଖ ବଜାଇଲେ ।
Bhagavad Gita 1.15 View commentary »
ହୃଷିକେଶ ତାଙ୍କର ପଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ ଏବଂ ଅର୍ଜୁନ ତାଙ୍କର ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଅତ୍ୟନ୍ତ ଖାଦ୍ୟ ପ୍ରିୟ ଓ କଷ୍ଟସାଧ୍ୟ କାର୍ଯ୍ୟ ସମ୍ପନ୍ନ କରୁଥିବା ଭୀମ ମଧ୍ୟ ତାଙ୍କର ପୌଣ୍ଡ୍ର ନାମକ ଶକ୍ତିଶାଳୀ ଶଙ୍ଖ ବଜାଇଲେ ।
Bhagavad Gita 1.16 – 1.18 View commentary »
ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର୍ର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅପରାଜେୟ ସାତ୍ୟକି, ଦୃପଦ, ଦୌପଦୀଙ୍କର ପାଞ୍ଚ ପୁତ୍ର, ଶକ୍ତିଶାଳୀ ଅସ୍ତ୍ରରେ ସଜ୍ଜିତ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଇତ୍ୟାଦି ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କଲେ ।
Bhagavad Gita 1.19 View commentary »
ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି ।
Bhagavad Gita 1.20 View commentary »
ସେହି ସମୟରେ ପାଣ୍ଡୁ ପୁତ୍ର ଅର୍ଜୁନ, ଯାହାଙ୍କର ରଥ ଧ୍ୱଜାରେ ହନୁମାନଙ୍କର ଚିହ୍ନଥିଲା, ତାଙ୍କର ଧନୁକୁ ଉଠାଇଲେ । ହେ ରାଜନ୍, ଆପଣଙ୍କ ପୁତ୍ରମାନଙ୍କର ସୈନ୍ୟ ସଜ୍ଜାକୁ ଦେଖି ସେ ଶ୍ରୀକୃଷ୍ଣଙ୍କୁ ଏହି କଥା କହିଲେ ।
Bhagavad Gita 1.21 – 1.22 View commentary »
ଅର୍ଜୁନ କହିଲେ, ହେ ଅଚ୍ୟୁତ! ଦୟାକରି ମୋ ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟକୁ ନେଇଚାଲନ୍ତୁ, ଯଦ୍ୱାରା ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧାଗଣ, ଯାହାଙ୍କ ସହିତ ମୋତେ ଲଢ଼ିବାକୁ ପଡ଼ିବ, ମୁଁ ସେମାନଙ୍କୁ ଦେଖି ପାରିବି ।
Bhagavad Gita 1.23 View commentary »
ଧୃତରାଷ୍ଟ୍ରଙ୍କୁ ଖୁସି କରିବା ପାଇଁ, ଏଠାକୁ ଯୁଦ୍ଧ କରିବାକୁ ଆସିଥିବା ତାଙ୍କର ସେଇ ଦୁଷ୍ଟ ମନା ପୁତ୍ରମାନଙ୍କୁ ମୁଁ ଦେଖିବାକୁ ଇଚ୍ଛା କରୁଅଛି ।
Bhagavad Gita 1.24 View commentary »
ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର! ନିଦ୍ରାକୁ ଜୟ କରିଥିବା ଅର୍ଜୁନଙ୍କ ଦ୍ୱାରା ଏହିପରି ସମ୍ବୋଧିତ ହୋଇ, ଶ୍ରୀକୃଷ୍ଣ ତାଙ୍କର ସୁନ୍ଦର ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟରେ ସ୍ଥାପନ କଲେ ।
Bhagavad Gita 1.25 View commentary »
ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ ଅନ୍ୟ ସମସ୍ତ ରାଜାଙ୍କ ଉପସ୍ଥିତିରେ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ! ଏଠାରେ ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଲକ୍ଷ୍ୟ କର ।
Bhagavad Gita 1.26 View commentary »
ଅର୍ଜୁନ ସେଠାରେ ଉଭୟ ପକ୍ଷ ସୈନ୍ୟବାହିନୀରେ ତାଙ୍କର ପିତା, ପ୍ରପିତା, ଗୁରୁ, ମାମୁଁ, ଭାଇ, ସମ୍ପର୍କୀୟ ଭାଇ, ପୁତୁରା, ନାତି, ବନ୍ଧୁ, ଶ୍ୱଶୁର ଏବଂ ହିତାକାଂକ୍ଷୀମାନଙ୍କୁ ଦେଖିବାକୁ ପାଇଲେ ।
Bhagavad Gita 1.27 View commentary »
ଏହି ସମସ୍ତ ସମ୍ପର୍କୀୟମାନଙ୍କୁ ସେଠାରେ ଦେଖି, କୁନ୍ତି ପୁତ୍ର ଅର୍ଜୁନ ଦୟାରେ ଅଭିଭୂତ ହୋଇଗଲେ ଏବଂ ଅତ୍ୟନ୍ତ ଦୁଃଖର ସହିତ ଏହା କହିଲେ ।
Bhagavad Gita 1.28 View commentary »
ଅର୍ଜୁନ କହିଲେ, ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ ମୁଖ ଶୁଷ୍କ ହୋଇଯାଉଛି ।
Bhagavad Gita 1.29 – 1.31 View commentary »
ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡ଼ୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ ସୃଷ୍ଟି ହେଉଅଛି । ମୋର ବୁଦ୍ଧି ବ୍ୟାକୁଳ ହେଉଛି ଏବଂ ଦ୍ୱନ୍ଦ୍ୱରେ ଭ୍ରମିତ ହେଉଛି; ମୁଁ ଆଉ ନିଜକୁ ସ୍ଥିର ରଖିପାରୁନି । ହେ କେଶୀ ଅସୁରର ହନ୍ତା ଶ୍ରୀକୃଷ୍ଣ! ମୁଁ କେବଳ ଦୁର୍ଭାଗ୍ୟର ପୂର୍ବାଭାସ ଦେଖିବାକୁ ପାଉଛି । ଏହି ଯୁଦ୍ଧରେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରି କୌଣସି ସୁଫଳ ମିଳିବାର କଳ୍ପନା ମୁଁ କରି ପାରୁନାହିଁ ।
Bhagavad Gita 1.32 – 1.33 View commentary »
ହେ କୃଷ୍ଣ! ମୁଁ ବିଜୟ, ରାଜ୍ୟ ବା ତଦ୍ୱାରା ମିଳୁଥିବା ସୁଖ ଚାହୁଁନାହିଁ । ସେହି ରାଜ୍ୟ, ସୁଖ ବା ଜୀବନରୁ କ’ଣ ମିଳିବ, ଯଦି ଯାହାପାଇଁ ଆମେ ଏହାକୁ ହାସଲ କରିବାକୁ ଯାଉଛୁ, ସେମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧରେ ଠିଆ ହୋଇଥାଆନ୍ତି?
Bhagavad Gita 1.34 – 1.35 View commentary »
ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । ହେ ମଧୁସୁଦନ! ସେମାନେ ମୋତେ ଆକ୍ରମଣ କଲେ ବି ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁ ନାହିଁ । ହେ ଜନାର୍ଦ୍ଦନ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ହତ୍ୟା କରି, ତ୍ରିଲୋକରେ ଆମକୁ କି ସୁଖ ଅବା ପ୍ରାପ୍ତହେବ, ପୃଥିବୀ ତ ତୁଚ୍ଛ ମାତ୍ର ।
Bhagavad Gita 1.36 – 1.37 View commentary »
ହେ ସମସ୍ତ ପ୍ରାଣୀଙ୍କର ପାଳନକର୍ତ୍ତା ଶ୍ରୀକୃଷ୍ଣ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଆମ୍ଭେମାନେ କି ଆନନ୍ଦ ପାଇବୁ? ସେମାନେ ଆକ୍ରମଣକାରୀ ହେଲେ ବି, ସେମାନଙ୍କୁ ହତ୍ୟା କଲେ ନିଶ୍ଚିତ ଭାବେ ଆମର ପାପ ହେବ । ତେଣୁ ଆମ ନିଜର ଭାଇ ଏବଂ ବନ୍ଧୁମାନଙ୍କୁ ହତ୍ୟା କରିବା ଆମ ପକ୍ଷେ ଉପଯୁକ୍ତ ହେବ ନାହିଁ । ହେ ମାଧବ (ଶ୍ରୀକୃଷ୍ଣ)! ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ଆମେ ସୁଖୀ ହେବାକୁ କେମିତି ଆଶା କରିବୁ?
Bhagavad Gita 1.38 – 1.39 View commentary »
ତାଙ୍କର ବିଚାରଶକ୍ତି ଲୋଭ ଦ୍ୱାରା କବଳିତ ହୋଇଯାଇଛି । ତେଣୁ ସେମାନେ ନିଜର ଆତ୍ମୀୟ ମାନଙ୍କର ବିନାଶ କରିବା ବା ପ୍ରତିହିଂସା ମୂଳକ ବିଶ୍ୱାସଘାତ କରିବାରେ କିଛି ଭୁଲ ଦେଖି ପାରୁନାହାନ୍ତି । କିନ୍ତୁ ହେ ଜନାର୍ଦ୍ଦନ! ଜ୍ଞାତି କୁଟୁମ୍ବଙ୍କୁ ହତ୍ୟା କରିବା ଏକ ଅପରାଧ ବୋଲି ଜାଣିବା ପରେ, ଆମେ କାହିଁକି ସେ ପାପକର୍ମରୁ ନିବୃତ୍ତ ହେବା ନାହିଁ?
Bhagavad Gita 1.40 View commentary »
ଯେତେବେଳେ ବଂଶନାଶ ହୋଇଯାଏ, କୁଳ ଧର୍ମ ମଧ୍ୟ ଧ୍ୱଂସ ହୋଇଯାଏ ଏବଂ ବଂଶର ଅନ୍ୟମାନେ ଅଧର୍ମରେ ଲିପ୍ତ ହୋଇଯାଆନ୍ତି ।
Bhagavad Gita 1.41 View commentary »
ହେ କୃଷ୍ଣ! ହେ ବୃଷ୍ଣି ବଂଶଜ! ପରିବାରରେ ଅଧର୍ମର ପ୍ରଧାନ୍ୟ ହେତୁ କୁଳ ସ୍ତ୍ରୀମାନେ ଚରିତ୍ରହୀନ ହୋଇଯାଆନ୍ତି ଏବଂ ସେମାନଙ୍କର ସତୀତ୍ୱ ନଷ୍ଟ ହେବା ଦ୍ୱାରା ବର୍ଣ୍ଣସଙ୍କର ଜାତ ହୁଅନ୍ତି ।
Bhagavad Gita 1.42 View commentary »
ଅବାଞ୍ôଚତ ସନ୍ତାନ ବୃଦ୍ଧି ସେହି ପରିବାର ଏବଂ ପରିବାରକୁ କ୍ଷତିଗ୍ରସ୍ତ କରିଥିବା ବ୍ୟକ୍ତି ଉଭୟଙ୍କର ଜୀବନକୁ ନାରକୀୟ କରିଦିଏ । ଏହିପରି ଭ୍ରଷ୍ଟ ପରିବାରର ପୂର୍ବଜମାନେ ଶ୍ରାଦ୍ଧ ତର୍ପଣ ଆଦିରୁ ବଞ୍ôଚତ ହେବା ଯୋଗୁଁ ତାଙ୍କର ମଧ୍ୟ ପତନ ହୋଇଥାଏ ।
Bhagavad Gita 1.43 View commentary »
ପରିବାରର ପରମ୍ପରାକୁ ନଷ୍ଟ କରୁଥିବା ଲୋକଙ୍କର ଦୁର୍ଷ୍କମ ଯୋଗୁଁ, ଜାରଜ ସନ୍ତାନମାନେ ଉତ୍ପନ୍ନ ହୁଅନ୍ତି ଓ ଜାତିଧର୍ମ ଏବଂ କୁଳ ଧର୍ମ ଲୋପପାଇ ଯାଏ ।
Bhagavad Gita 1.44 View commentary »
ହେ ଜନାର୍ଦ୍ଦନ (ଶ୍ରୀକୃଷ୍ଣ)! ମୁଁ ଜ୍ଞାନୀମାନଙ୍କଠାରୁ ଶୁଣିଛି ଯେ ଯିଏ କୁଳଧର୍ମ ନାଶ କରେ, ସେ ଅନିର୍ଦ୍ଦିଷ୍ଟ କାଳ ନର୍କ ବାସ କରେ ।
Bhagavad Gita 1.45 – 1.46 View commentary »
ହାୟ! ଏହା କିପରି ବିଡ଼ମ୍ବନା ଯେ ଆମେ ଏପରି ମହାପାପ କରିବାକୁ ମନସ୍ଥ କରିଅଛୁ । ରାଜକୀୟ ସୁଖ ପ୍ରାପ୍ତି ପାଇଁ ଆମେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁଅଛୁ । ଏହାଠାରୁ ଆହୁରି ଭଲ ହୁଅନ୍ତା, ଯଦି ଯୁଦ୍ଧ କ୍ଷେତ୍ରରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ମୋତେ ନିରସ୍ତ୍ର ଏବଂ ବିନା ପ୍ରତିରୋଧରେ ହତ୍ୟା କରନ୍ତେ ।
Bhagavad Gita 1.47 View commentary »
ସଞ୍ଜୟ କହିଲେ, ଅର୍ଜୁନ ଏହା କହି ତାଙ୍କର ଧନୁ ଓ ତୀରକୁ ଦୂରେଇ ରଖି ଦେଲେ ଏବଂ ରଥ ଉପରେ ବସିପଡ଼ିଲେ । ତାଙ୍କର ମନ ବ୍ୟଥିତ ଏବଂ ଶୋକରେ ଅଭିଭୂତ ହୋଇଉଠିଲା ।