ତ୍ୟକ୍ତ୍ୱା କର୍ମଫଳାସଙ୍ଗଂ ନିତ୍ୟତୃପ୍ତୋ ନିରାଶ୍ରୟଃ ।
କର୍ମଣ୍ୟଭିପ୍ରବୃତ୍ତୋଽପି ନୈବ କିଞ୍ଚିତ୍କରୋତି ସଃ ।।୨୦।।
ତ୍ୟକ୍ତ୍ୱା -ତ୍ୟାଗକରି; କର୍ମଫଳ ଆସଙ୍ଗଂ -କର୍ମଫଳ ପ୍ରତି ଆସକ୍ତି; ନିତ୍ୟ -ସର୍ବଦା; ତୃପ୍ତଃ - ତୃପ୍ତ; ନିରାଶ୍ରୟଃ - ଆଶ୍ରିତ ନ ହୋଇ; କର୍ମଣି - କର୍ମରେ; ଅଭିପ୍ରବୃତ୍ତଃ - ସମ୍ପୂର୍ଣ୍ଣରୂପେ ନିଯୁକ୍ତହୋଇ; ଅପି - ସତ୍ତ୍ୱେ; ନ-ନୁହେଁ; ଏବ-ନିଶ୍ଚିତଭାବେ; କିଞ୍ଚିତ୍- କିଛି; କରୋତି - କରେ; ସଃ - ସେ ।
Translation
BG 4.20: ଏହିପରି ବ୍ୟକ୍ତିମାନେ, ଫଳାସକ୍ତି ତ୍ୟାଗ କରିଥିବା ଯୋଗୁଁ, ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି । ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁ ନ ଥାନ୍ତି ।
Commentary
ବାହ୍ୟ ଦୃଷ୍ଟିରୁ କର୍ମର ବିଭାଜନ କରାଯାଇ ପାରିବ ନାହିଁ । କେଉଁଟି କର୍ମ ବା କେଉଁଟି ଅକର୍ମ ତାହା ମନର ଭାବନା ନିର୍ଦ୍ଧାରିତ କରିଥାଏ । ଜ୍ଞାନୀମାନଙ୍କର ମନ ଭଗବାନଙ୍କଠାରେ ନିମଗ୍ନ ଥାଏ । ଭଗବାନଙ୍କ ସହିତ ଭକ୍ତିଯୁକ୍ତ ତଲ୍ଲୀନତାରେ ସନ୍ତୁଷ୍ଟ ହୋଇ ସେମାନେ ଭଗବାନଙ୍କୁ ତାଙ୍କର ଏକମାତ୍ର ଆଶ୍ରୟ ମାନନ୍ତି ଏବଂ କୌଣସି ବାହ୍ୟ ସହାରା ଉପରେ ନିର୍ଭର କରନ୍ତି ନାହିଁ । ଏହିପରି ମାନସିକ ସ୍ଥିତିରେ ତାଙ୍କର ସମସ୍ତ କର୍ମକୁ ଅକର୍ମ କୁହାଯାଏ ।
ଏହି ପ୍ରସଙ୍ଗରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି । ଥରେ ବୃନ୍ଦାବନର ଗୋପୀମାନେ ଗୋଟିଏ ଉପବାସ ରଖିଥିଲେ । ଉପବାସ ଉଦ୍ଯାପନ କରିବାର ନିୟମ ଅନୁସାରେ ସେମାନଙ୍କୁ କୌଣସି ସାଧୁ ମହାତ୍ମାଙ୍କୁ ଭୋଜନ ଦେବାର ଥିଲା । ଯମୁନାର ଅପରପାଶ୍ୱର୍ରେ ବାସ କରୁôଥିବା ମହାନ ସନ୍ଥ ଦୁର୍ବାସାଙ୍କୁ ଭୋଜନ ଦେବାକୁ ଶ୍ରୀକୃଷ୍ଣ ସେମାନଙ୍କୁ ପରାମର୍ଶ ଦେଲେ । ଗୋପୀମାନେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ିଦୁର୍ବାସାଙ୍କ ପାଖକୁ ଯିବାକୁ ବାହାରିଲେ, କିନ୍ତୁ ସେମାନେ ଦେଖିଲେ ଯେ ଯମୁନା ନଦୀରେ ବନ୍ୟା ଆସିଛି ଏବଂ କୌଣସି ନାବିକ ନୌକାରେ ପାରି କରିବାକୁ ରାଜି ହେଉ ନାହାଁନ୍ତି ।
ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏହାର ସମାଧାନ ପଚାରିଲେ । ସେ କହିଲେ, “ଯମୁନା ନଦୀଙ୍କୁ କୁହ, ଯଦି ଶ୍ରୀକୃଷ୍ଣ ଜଣେ ଅଖଣ୍ଡ ବ୍ରହ୍ମଚାରୀ ହୋଇଥିବେ, ତାହେଲେ ସେ ତାଙ୍କୁ ମାର୍ଗ ଦିଅନ୍ତୁ ।” ଗୋପୀମାନେ ହସିବାରେ ଲାଗିଲେ, ସେମାନେ ଭାବିଲେ ଶ୍ରୀକୃଷ୍ଣ ତ ତାଙ୍କ ପଛରେ ପାଗଳ, ସେ ଅଖଣ୍ଡ ବ୍ରହ୍ମଚାରୀ କିପରି ହେଲେ । ତଥାପି ସେମାନେ ଯେତେବେଳେ ଯମୁନାଙ୍କୁ ସେହିପରି ଅନୁରୋଧ କଲେ, ନଦୀ ଉପରେ ଏକ ଫୁଲର ସେତୁ ନିର୍ମିତ ହୋଇଗଲା ।
ଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ନଦୀ ପାର କରି ଦୁର୍ବାସା ମୁନିଙ୍କ ଆଶ୍ରମକୁ ଗଲେ ଏବଂ ନେଇଥିବା ସୁସ୍ୱାଦୁ ବ୍ୟଞ୍ଜନକୁ ଗ୍ରହଣ କରିବାକୁ ମୁନିଙ୍କୁ ଅନୁରୋଧ କଲେ । ଜଣେ ସନ୍ୟାସୀ ହୋଇଥିବାରୁ ସେ ଅଳ୍ପ ଖାଦ୍ୟ ଗ୍ରହଣ କଲେ, କିନ୍ତୁ ସେଥିରେ ଗେୀପୀମାନେ ବ୍ୟଥିତ ହେଲେ । ତେଣୁ ଦୁର୍ବାସା ତାଙ୍କର ଇଚ୍ଛା ପୂରଣ କରିବାକୁ ଯାଇ ଯୋଗଶକ୍ତି ବଳରେ ସେମାନେ ଆଣିଥିବା ସମସ୍ତ ପ୍ରସାଦ ଭୋଜନ କଲେ । ସେ ଏତେ ପରିମାଣର ଖାଇବା ଦେଖି ଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ଖୁସି ହେଲେ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ବ୍ୟଞ୍ଜନକୁ ସେ ଗ୍ରହଣ କଲେ ।
ଗୋପୀମାନେ ଏବେ ଯମୁନା ପାରି ହେବା ପାଇଁ ଦୁର୍ବାସାଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ସେ କହିଲେ “ଯମୁନା ନଦୀଙ୍କୁୁ କହିବ, ଯଦି ଆଜି ଦୁର୍ବାସା ଦୁବ (ଏକ ପ୍ରକାର ଘାସ ଯାହାକୁ ଦୁର୍ବାସା ଖାଉଥିଲେ) ବ୍ୟତୀତ ଅନ୍ୟ କିଛି ଖାଇନାହାନ୍ତି, ତାହେଲେ ମାର୍ଗ ଦିଅନ୍ତୁ । ଗୋପୀମାନେ ପୁଣି ହସିବାରେ ଲାଗିଲେ, ତାଙ୍କ ଆଖି ଆଗରେ ହିଁ ଦୁର୍ବାସା ଭୂରି ଭୋଜନ କରିଥିଲେ । କିନ୍ତୁ ଯେତେବେଳେ ସେମାନେ ତାହା କହିଲେ, ଯମୁନା ପୁଣି ସେମାନଙ୍କୁ ମାର୍ଗ ପ୍ରଦାନ କରିଦେଲେ ଯାହା ଦେଖି ଗୋପୀମାନେ ଅତ୍ୟନ୍ତ ବିସ୍ମିତ ହେଲେ ।
ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏହି ଘଟଣାର ରହସ୍ୟ ପଚାରିଲେ । ସେ ବୁଝାଇଲେ ଯେ ଭଗବାନ ଓ ମହାତ୍ମାମାନେ ବାହ୍ୟତଃ ଯେ କୌଣସି କର୍ମ କଲେ ମଧ୍ୟ ସେମାନେ ସର୍ବଦା ଦିବ୍ୟ ଚେତନାରେ ସ୍ଥିତ ରହିଥାନ୍ତି । ତେଣୁ ସେମାନେ ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ ଅକର୍ତ୍ତା ଭାବରେ ପରିଗଣିତ ହୁଅନ୍ତି । ଯଦିଓ ଶ୍ରୀକୃଷ୍ଣ ବାହ୍ୟ ରୂପରେ ଗୋପୀମାନଙ୍କ ସହିତ ମିଳାମିଶା କରୁଥିଲେ କିନ୍ତୁ ଆନ୍ତରିକ ରୂପରେ ସେ ଅଖଣ୍ଡ ବ୍ରହ୍ମଚାରୀ ଥିଲେ । ସେହିପରି ଯଦିଓ ଦୁର୍ବାସା ଗୋପୀମାନେ ଦେଇଥିବା ସୁମିଷ୍ଟ ଭୋଜନ ସେବନ କରିଥିଲେ, ତାଙ୍କର ଆଭ୍ୟନ୍ତରୀଣ ମନ କେବଳ ଦୁବ ଘାସ ହିଁ ଗ୍ରହଣ କରୁଥିଲା । ଏହା କର୍ମରେ ଅକର୍ମର ଉଦାହରଣ ଅଟେ ।