Bhagavad Gita: Chapter 4, Verse 33

ଶ୍ରେୟାନ୍‌ଦ୍ରବ୍ୟମୟାଦ୍‌ଯଜ୍ଞାଦ୍‌ଜ୍ଞାନଯଜ୍ଞଃ ପରନ୍ତପ ।
ସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ ।। ୩୩ ।।

ଶ୍ରେୟାନ୍ -ଉନ୍ନତତର; ଦ୍ରବ୍ୟମୟାତ୍ -ଦ୍ରବ୍ୟମୟ; ଯଜ୍ଞାତ୍ - ଯଜ୍ଞ ଅପେକ୍ଷା; ଜ୍ଞାନଯଜ୍ଞ -ଜ୍ଞାନ ଯଜ୍ଞ; ପରନ୍ତପ- ହେ ଶତ୍ରୁ ଦମନକାରୀ; ସର୍ବଂ -ସମସ୍ତ; କର୍ମ- କର୍ମ; ଅଖିଳଂ- ସମଗ୍ର ଭାବରେ; ପାର୍ଥ- ହେ ପାର୍ଥ (ହେ ପୃଥାପୁତ୍ର); ଜ୍ଞାନେ- ଜ୍ଞାନରେ; ପରିସମାପ୍ୟତେ - ପରିସମାପ୍ତ ହୁଏ ।

Translation

BG 4.33: ହେ ପରନ୍ତପ! ଜ୍ଞାନଯଜ୍ଞ, ଯନ୍ତ୍ରବତ୍ ଦ୍ରବ୍ୟଯଜ୍ଞଠାରୁ ଶ୍ରେଷ୍ଠ ଅଟେ । ହେ ପାର୍ଥ! ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ପୂର୍ବରୁ ବର୍ଣ୍ଣିତ ହୋଇଥିବା ଯଜ୍ଞ ସବୁର ସଠିକ୍ ନିରୂପଣ କରୁଛନ୍ତି । ସେ ଅର୍ଜୁନଙ୍କୁ କହୁଛନ୍ତି ଯେ, ଭକ୍ତିର ଶାରୀରିକ କ୍ରିୟା ଉତ୍ତମ ଅଟେ, କିନ୍ତୁ ଏହା ଯଥେଷ୍ଟ ନୁହେଁ । ବିଧିବିଧାନ ଯୁକ୍ତ ଉତ୍ସବ, ଉପବାସ, ମନ୍ତ୍ର ଉଚ୍ଚାରଣ, ତୀର୍ଥ ଯାତ୍ରା ଇତ୍ୟାଦି କରିବା ଠିକ୍ ଅଟେ । କିନ୍ତୁ ଏଗୁଡ଼ିକ ଜ୍ଞାନଯୁକ୍ତ ନ ହୋଇ ପାଳନ କଲେ, ଏହା କେବଳ ଶାରୀରିକ କ୍ରିୟା ହୋଇ ରହିଯାଏ । କିଛି ନ କରିବା ଅପେକ୍ଷା ଏହିପରି ଯନ୍ତ୍ରବତ୍ କ୍ରିୟା ଭଲ, କିନ୍ତୁ ଏହା ମନକୁ ଶୁଦ୍ଧ କରିବା ପାଇଁ ଯଥେଷ୍ଟ ନୁହେଁ ।

ଅନେକ ବ୍ୟକ୍ତି ତୁଳସୀ ମାଳ ଧରି ଭଗବାନଙ୍କର ନାମ ଜପ କରନ୍ତି, ଶାସ୍ତ୍ର ଆଦି ପାଠ କରନ୍ତି, ପବିତ୍ର ଧାମକୁ ଯାତ୍ରା କରନ୍ତି ଏବଂ ପୂଜା ଆଦିର ଅନୁଷ୍ଠାନ କରନ୍ତି । ତାଙ୍କର ଏହି ବିଶ୍ୱାସ ଥାଏ ଯେ, କେବଳ ଏହି ଶାରୀରିକ କ୍ରିୟା ତାଙ୍କୁ ମାୟା ବନ୍ଧନରୁ ମୁକ୍ତ କରିବାକୁ ଯଥେଷ୍ଟ ଅଟେ । କିନ୍ତୁ ସନ୍ଥ କବୀର ଏହି ମତକୁ ସ୍ପଷ୍ଟ ରୂପେ ଖଣ୍ଡନ କରିଛନ୍ତି:

ମାଲା ଫେରତ ଯୁଗ ଫିରା, ଫିରା ନା ମନକା ଫେର,
କର କା ମନକା ଡ଼ାରି କେ, ମନକା ମନକା ଫେର ।

“ହେ ସାଧକ, ତୁମେ ଯୁଗ ଯୁଗ ଧରି ମାଳା ଜପ କରିଚାଲିଛ କିନ୍ତୁ ମନର ଦୁଷ୍ଟାମୀ ବନ୍ଦ ହେଉନାହିଁ । ଏବେ ଏହି ମାଳାକୁ ତ୍ୟାଗ କର ଏବଂ ମନର ମାଳିରେ ଜପ କର । ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହିଛନ୍ତି:

ବନ୍ଧନ ଔର ମୋକ୍ଷକା, କାରଣ ମନ ହି ବଖାନ
ୟାତେ କୌନିଉ ଭକ୍ତି କରୁ, କରୁ ମନ ତେ ହରିଧ୍ୟାନ ।ା (ଭକ୍ତି ଶତକ ପଦ ୧୯)

“ବନ୍ଧନ ଓ ମୋକ୍ଷର କାରଣ ମନ ଅଟେ । ତୁମେ ଭକ୍ତି ଯେଉଁ ପ୍ରକାରର କଲେ ମଧ୍ୟ ମନକୁ ହରିଙ୍କ ଧ୍ୟାନରେ ଲଗାଅ ।”

ଜ୍ଞାନ ବୃଦ୍ଧି ହେବା ଦ୍ୱାରା ଭକ୍ତିଭାବ ପରିପୁଷ୍ଟ ହୋଇଥାଏ । ଉଦାହରଣ ସ୍ୱରୂପ, ମନେ କରନ୍ତୁ ଆପଣଙ୍କର ଜନ୍ମଦିନ ଉତ୍ସବରେ କିଛି ଲୋକ ଆସି ଆପଣଙ୍କୁ ଉପହାର ଦେଉଛନ୍ତି । ଜଣେ ଆସି ଆପଣଙ୍କୁ ଏକ ଛିଣ୍ଡା ଥଳି ଦେଲା । ଆପଣ ତାକୁ ତାତ୍ସଲ୍ୟ ଭରା ଦୃଷ୍ଟିରେ ଦେଖିଲେ ଏବଂ ଚିନ୍ତା କଲେ ଯେ ଅନ୍ୟମାନେ ଦେଇଥିବା ସୁନ୍ଦର ଉପହାର ତୁଳନାରେ ଏହା କେତେ ନିକୃଷ୍ଟ ଅଟେ । ଲୋକଟି ସେ ଥଳି ଭିତରକୁ ଦେଖିବାକୁ ଆପଣଙ୍କୁ ଅନୁରୋଧ କଲେ । ଆପଣ ସେ ଥଳି ଖୋଲି ଦେଖିଲେ ଯେ ସେଥିରେ ୨୦୦୦ ଟଙ୍କାର ବିଡ଼ା ଭର୍ତ୍ତି ହୋଇଛି । ଆପଣ ସଙ୍ଗେ ସଙ୍ଗେ ସେ ଥଳିକୁ ଛାତିରେ ଲଗାଇ କହିଲେ “ମୁଁ ପାଇଥିବା ସମସ୍ତ ଉପହାର ମଧ୍ୟରେ ଏହାହିଁ ଶ୍ରେଷ୍ଠ ଅଟେ ।”  ଭିତରେ ଥିବା ବସ୍ତୁ ବିଷୟରେ ଜ୍ଞାନ ହିଁ ତାଙ୍କ ପ୍ରତି ପ୍ରେମ ବଢ଼ାଇବାରେ ସାହାଯ୍ୟ କଲା । ସେହିପରି ଭଗବାନଙ୍କ ବିଷୟରେ ତଥା ତାଙ୍କ ସହିତ ଆମର ସମ୍ପର୍କ ବିଷୟରେ ଜ୍ଞାନ ବଢ଼ାଇବା ଦ୍ୱାରା ଆମର ଭକ୍ତିଭାବ ପରିପୁଷ୍ଟ ହୁଏ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ, ଜ୍ଞାନ ଯଜ୍ଞ, ଭୌତିକ ଯଜ୍ଞଠାରୁ ଉତ୍ତମ ଅଟେ । ସେ ବର୍ତ୍ତମାନ ଜ୍ଞାନ ଆହରଣର ବିଧି ବର୍ଣ୍ଣନା କରିବାକୁ ଯାଉଛନ୍ତି ।

Watch Swamiji Explain This Verse