Bhagavad Gita: Chapter 5, Verse 2

ଶ୍ରୀ ଭଗବାନୁବାଚ
ସଂନ୍ୟାସଃ କର୍ମଯୋଗଶ୍ଚ ନିଃଶ୍ରେୟସକରାବୁଭୌ ।
ତୟୋସ୍ତୁ କର୍ମସଂନ୍ୟାସାତ୍‌କର୍ମଯୋଗୋ ବିଶିଷ୍ୟତେ ।।୨।।

ଶ୍ରୀ ଭଗବାନ ଉବାଚ - ପରମ ପୁରୁଷ ଭଗବାନ କହିଲେ; ସଂନ୍ୟାସଃ - କର୍ମ ସନ୍ୟାସ; କର୍ମଯୋଗଃ - କର୍ମଯୋଗ; ଚ-ଏବଂ; ନିଃଶ୍ରେୟସକରୌ - ଅନ୍ତିମ ଲକ୍ଷ୍ୟର ପ୍ରାପ୍ତି କରାନ୍ତି; ଉଭୌ - ଉଭୟ; ତୟୋଃ - ଦୁଇଟି ମଧ୍ୟରେ; ତୁ-କିନ୍ତୁ; କର୍ମ-ସଂନ୍ୟାସାତ୍ -କର୍ମ ତ୍ୟାଗ ଅପେକ୍ଷା; କର୍ମଯୋଗଃ - ଭକ୍ତିଯୁକ୍ତ କର୍ମ; ବିଶିଷ୍ୟତେ - ଶ୍ରେୟସ୍କର ଅଟେ ।

Translation

BG 5.2: ପରମ ପୁରୁଷ ଭଗବାନ କହିଲେ: ଉଭୟ କର୍ମ ସନ୍ୟାସ (କର୍ମ ତ୍ୟାଗ) ଏବଂ କର୍ମଯୋଗ (ଭକ୍ତିଯୁକ୍ତ କର୍ମ) ଚରମ ଲକ୍ଷ୍ୟ ଦିଗକୁ ଅଗ୍ରସର କରାଏ, କିନ୍ତୁ କର୍ମଯୋଗ କର୍ମସନ୍ୟାସ ଅପେକ୍ଷା ଶ୍ରେଷ୍ଠତର ଅଟେ ।

Commentary

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଏବଂ କର୍ମଯୋଗ ମଧ୍ୟରେ ତୁଳନା କରିଛନ୍ତି । ଏହା ଅତ୍ୟନ୍ତ ସାରଗର୍ଭକ ଶ୍ଲୋକ ଅଟେ । ଆସନ୍ତୁ ଏହାର ପ୍ରତ୍ୟେକ ଶବ୍ଦକୁ ବୁଝିବା ।

‘କର୍ମଯୋଗୀ’ ଉଭୟ ଆଧ୍ୟାତ୍ମିକ ଏବଂ ଲୌକିକ କର୍ତ୍ତବ୍ୟ ପାଳନ କରନ୍ତି । ଶରୀର ଦ୍ୱାରା ଲୌକିକ କର୍ମ କରିବା ସହିତ ସେମାନେ ମନକୁ ଭଗବାନଙ୍କ ସଂଯୁକ୍ତ ରଖି ଥାଆନ୍ତି । ଜଗଦ୍‌ଗୁରୁ ଶ୍ରୀକୃପାଳୁଜୀ ମହାରାଜ କହୁଛନ୍ତି:

ସୋଚୁ ମନ ୟହ କର୍ମ ମମ ସବ, ଲଖତ ହରି ଗୁରୁ ପ୍ୟାରେ (ସାଧନ ଭକ୍ତି ତତ୍ତ୍ୱ)

ପ୍ରିୟ ସାଧକ! ସର୍ବଦା ଏପରି ମନେକର ଯେ ତୁମର ସମସ୍ତ କାର୍ଯ୍ୟକୁ ଭଗବାନ ଓ ଗୁରୁ ନିରୀକ୍ଷଣ କରୁଛନ୍ତି । ଏହା କର୍ମଯୋଗ ସାଧନା ଅଟେ, ଯଦ୍ୱାରା ଆମେ ନିଜକୁ ଶାରୀରିକ ଚେତନାରୁ କ୍ରମଶଃ ଆଧ୍ୟାତ୍ମିକ ଚେତନା ସ୍ତରକୁ ଉନ୍ନୀତ କରିଥାଏ ।

କର୍ମସନ୍ୟାସ ସେହି ଉଚ୍ଚ କକ୍ଷର ଜୀବମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଶାରୀରିକ ସ୍ତରରୁ ଊର୍ଦ୍ଧ୍ୱକୁ ଉଠିସାରି ଥାଆନ୍ତି । କର୍ମ ସନ୍ୟାସୀ ସେ ଅଟନ୍ତି, ଯିଏ ଭଗବାନଙ୍କ ଠାରେ ପୂର୍ଣ୍ଣ ତଲ୍ଲୀନ ରହିଥିବା କାରଣରୁ ଲୌକିକ କର୍ତ୍ତବ୍ୟକୁ ତ୍ୟାଗ କରିଥାଆନ୍ତି ଏବଂ ଆଧ୍ୟାତ୍ମିକ କର୍ତ୍ତବ୍ୟରେ (ଭଗବାନଙ୍କ ଭକ୍ତିଯୁକ୍ତ ସେବାରେ) ପୂର୍ଣ୍ଣ ନିମଗ୍ନ ରହନ୍ତି । ଭଗବାନ ରାମ ଯେତେବେଳେ ଲକ୍ଷ୍ମଣଙ୍କୁ ସାଂସାରିକ କର୍ତ୍ତବ୍ୟ ପାଳନ କରିବାକୁ କହିଥିଲେ, ସେତେବେଳେ ଲକ୍ଷ୍ମଣ ଯେଉଁ ଉତ୍ତର ଦେଇଥିଲେ, ତାହା କର୍ମ ସନ୍ୟାସର ଏହି ଚିନ୍ତାଧାରାକୁ ସ୍ପଷ୍ଟ କରିଥାଏ ।

ମୋରେ ସବଇ ଏକ ତୁମ ସ୍ୱାମୀ, ଦୀନବନ୍ଧୁ ଉର ଅନ୍ତରଯାମୀ ।  (ରାମାୟଣ)

ଲକ୍ଷ୍ମଣ ରାମଙ୍କୁ କହୁଛନ୍ତି, “ଆପଣ ହିଁ ମୋର ସ୍ୱାମୀ, ପିତା, ମାତା, ସଖା ଏବଂ ସବୁକିଛି । ମୁଁ ମୋର ପୂର୍ଣ୍ଣ ସାମର୍ଥ୍ୟ ସହିତ କେବଳ ଆପଣଙ୍କ ପ୍ରତି ହିଁ କର୍ତ୍ତବ୍ୟ ପାଳନ କରିବି । ଦୟାକରି ମୋତେ ମୋର ଶାରୀରିକ କର୍ତ୍ତବ୍ୟ ପାଳନ କରିବାକୁ କହନ୍ତୁ ନାହିଁ ।

ଯେଉଁମାନେ କର୍ମ ସନ୍ନ୍ୟାସର ସାଧନା କରନ୍ତି, ସେମାନେ ନିଜକୁ ଶରୀର ମନେ କରନ୍ତି ନାହିଁ, ସେଥିପାଇଁ ଦୈହିକ କର୍ତ୍ତବ୍ୟ ପାଳନ କରିବାକୁ ସେମାନେ ବାଧ୍ୟ ମନେ କରନ୍ତି ନାହିଁ । ଏପରି କର୍ମ ସନ୍ନ୍ୟାସୀ ମାନେ ସେମାନଙ୍କର ସମସ୍ତ ସମୟ ଏବଂ ସାମର୍ଥ୍ୟ ଆଧ୍ୟାତ୍ମିକ କର୍ମରେ ବିନିଯୋଗ କରନ୍ତି, କିନ୍ତୁ କର୍ମଯୋଗୀମାନଙ୍କୁ ସେମାନଙ୍କର ସମୟ ସାଂସାରିକ ଏବଂ ଆଧ୍ୟାତ୍ମିକ କର୍ମ ମଧ୍ୟରେ ବାଣ୍ଟିବାକୁ ପଡ଼ିଥାଏ । ତେଣୁ କର୍ମସନ୍ନ୍ୟାସୀମାନେ ଦ୍ରୁତ ବେଗରେ ଭଗବାନଙ୍କ ଅଭିମୁଖରେ ଅଗ୍ରସର ହୁଅନ୍ତି, ଅଥଚ କର୍ମଯୋଗୀମାନେ ସାମାଜିକ କର୍ତ୍ତବ୍ୟରେ ଛନ୍ଦି ହୋଇଯାଇ ଥାଆନ୍ତି ।

ତଥାପି ଏହି ଶ୍ଲୋକରେ ଶ୍ରୀକୃଷ୍ଣ କର୍ମଯୋଗର ଉଚ୍ଚ ପ୍ରଶଂସା କରି କର୍ମସନ୍ନ୍ୟାସ ଅପେକ୍ଷା ଅଧିକ ପସନ୍ଦଯୋଗ୍ୟ ମାର୍ଗ ଭାବରେ ଅର୍ଜୁନଙ୍କୁ ଏହା ସୁପାରିଶ କରୁଛନ୍ତି । କାରଣ କର୍ମସନ୍ନ୍ୟାସୀମାନେ ସର୍ବଦା ଗୋଟିଏ ବିପଦର ସମ୍ମୁଖୀନ ହୋଇଥାଆନ୍ତି । କର୍ତ୍ତବ୍ୟ ତ୍ୟାଗ କରି ସେମାନେ ଯଦି ନିଜର ମନକୁ ଭଗବାନଙ୍କଠାରେ ପୂର୍ଣ୍ଣ ନିମଗ୍ନ କରି ନ ପାରିବେ, ତେବେ ସେମାନେ କୌଣସି କୂଳର ହେବେ ନାହିଁ । ଭାରତରେ ଏପରି ହଜାର ହଜାର ସାଧୁ ଅଛନ୍ତି, ଯେଉଁମାନେ ଭାବନ୍ତି ସେମାନଙ୍କର ବୈରାଗ୍ୟ ଜାତ ହୋଇଛି ଏବଂ ସେଥିପାଇଁ ସଂସାର ତ୍ୟାଗ କରିଦିଅନ୍ତି । କିନ୍ତୁ ତାଙ୍କର ମନ ଭଗବାନଙ୍କ ଠାରେ ଅନୁରକ୍ତ ହୋଇ ନ ଥାଏ । ପରିଣାମ ସ୍ୱରୂପ, ସେମାନେ ଆଧ୍ୟାତ୍ମିକ କ୍ଷେତ୍ରର ଦିବ୍ୟ ଆନନ୍ଦ ଅନୁଭବ କରିପାରନ୍ତି ନାହିଁ । ତେଣୁ ଭିକ୍ଷୁମାନଙ୍କ ପରି ଗୈରିକ ବସ୍ତ୍ର ଧାରଣ କରିଥିଲେ ମଧ୍ୟ, ସେମାନେ ନିଶାଗ୍ରସ୍ତ ହୋଇ ପାପପୂର୍ଣ୍ଣ କର୍ମରେ ଲିପ୍ତ ରହନ୍ତି । କେବଳ ଅଜ୍ଞବ୍ୟକ୍ତିମାନେ ହିଁ ‘ଆଳସ୍ୟ’କୁ ‘ସଂସାର ବୈରାଗ୍ୟ’ ଭାବିବାର ଭୁଲ କରିଥାନ୍ତି ।

ଅନ୍ୟ ପକ୍ଷରେ କର୍ମଯୋଗୀମାନେ ଉଭୟ ସାଂସାରିକ କର୍ତ୍ତବ୍ୟ ଏବଂ ଆଧ୍ୟାତ୍ମିକ କର୍ତ୍ତବ୍ୟ କରିଥାଆନ୍ତି । ତେଣୁ ଯଦି ଅବା ତାଙ୍କର ମନ ଆଧ୍ୟାତ୍ମିକତାରୁ ବିମୁଖ ହୋଇଯିବ, ତାଙ୍କ ପାଖରେ ସାଂସାରିକ କର୍ମର ବଳ ତ ନିଶ୍ଚୟ ରହିବ । ଅଧିକାଂଶ ବ୍ୟକ୍ତିଙ୍କ ପାଇଁ କର୍ମଯୋଗ ଏକ ସୁରକ୍ଷିତ ମାର୍ଗ ହୋଇଥିବା ବେଳେ କର୍ମସନ୍ୟାସ କେବଳ ଜଣେ ଦକ୍ଷ ଗୁରୁଙ୍କର ତତ୍ତ୍ୱାବଧାନରେ ଅନୁସରଣ କରାଯିବା ଉଚିତ ।

Watch Swamiji Explain This Verse