ଯୁକ୍ତ କର୍ମଫଳଂ ତ୍ୟକ୍ତ୍ୱା ଶାନ୍ତିମାପ୍ନୋତି ନୈଷ୍ଠିକୀମ୍ ।
ଅଯୁକ୍ତଃ କାମକାରେଣ ଫଳେ ସକ୍ତୋ ନିବଧ୍ୟତେ ।।୧୨।।
ଯୁକ୍ତଃ - ଯହାର ଚେତନା ଭଗବାନଙ୍କ ସହିତ ସଂଯୁକ୍ତ; କର୍ମ-ଫଳଂ- କର୍ମଫଳ; ତ୍ୟକ୍ତ୍ୱା - ତ୍ୟାଗକରି; ଶାନ୍ତିଂ -ପୂର୍ଣ୍ଣଶାନ୍ତି; ଆପ୍ନୋତି -ପ୍ରାପ୍ତହୁଏ; ନୈଷ୍ଠିକୀମ୍ - ଚିରନ୍ତନ; ଅଯୁକ୍ତଃ- ଯାହାର ଚେତନା ଭଗବାନଙ୍କ ଠାରେ ସଂଯୁକ୍ତ ନୁହେଁ; କାମ-କାରେଣ - କାମନା ପ୍ରେରିତତ୍ତ; ଫଳେ -ଫଳରେ; ସକ୍ତଃ - ଆସକ୍ତ; ନିବଧ୍ୟତେ - ବାନ୍ଧି ହୋଇଯାଏ ।
Translation
BG 5.12: ସମସ୍ତ କର୍ମକୁ ଭଗବାନଙ୍କୁ ଅର୍ପଣ କରି, କର୍ମଯୋଗୀମାନେ ଚିରନ୍ତନ ଶାନ୍ତି ପ୍ରାପ୍ତ କରିଥାନ୍ତି । ଅଥଚ ଯେଉଁମାନେ କାମନା ଦ୍ୱାରା ପ୍ରେରିତ ହୋଇ ନିଜ ସ୍ୱାର୍ଥ ପାଇଁ କର୍ମ କରନ୍ତି, ସେମାନେ କର୍ମଫଳରେ ଆସକ୍ତ ରହିଥିବା କାରଣରୁ ବନ୍ଧନକୁ ପ୍ରାପ୍ତ ହୋଇ ଥାଆନ୍ତି ।
Commentary
ଗୋଟିଏ ପ୍ରକାରର କର୍ମ କରି କିଛି ବ୍ୟକ୍ତି ଭୌତିକତାରେ ବାନ୍ଧି ହୋଇ ଯାଆନ୍ତି, ଅଥଚ ଅନ୍ୟମାନେ ଭୌତିକ ବନ୍ଧନରୁ ମୁକ୍ତ ହୋଇଯା’ନ୍ତି - ଏପରି କାହିଁକି ହୁଏ? ଶ୍ରୀକୃଷ୍ଣ ଏହାର ଉତ୍ତର ଏହି ଶ୍ଲୋକରେ ଦେଇଛନ୍ତି । ଯେଉଁମାନଙ୍କର କର୍ମଫଳରେ ଆସକ୍ତି ନ ଥାଏ, କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ । କିନ୍ତୁ ଯେଉଁମାନେ ଫଳ ପାଇଁ ଲାଳାୟୀତ ତଥା ଭୌତିକ ସୁଖ ଉପଭୋଗ କରିବା ପାଇଁ ବ୍ୟାକୁଳ ରହନ୍ତି, ସେମାନେ କର୍ମର ପ୍ରତିକ୍ରିୟାରେ ଛନ୍ଦି ହୋଇଯାଆନ୍ତି ।
ଯୁକ୍ତ ଶବ୍ଦର ଅର୍ଥ ଚେତନା ସ୍ତରରେ ଭଗବାନଙ୍କ ସହିତ ସଂଯୁକ୍ତ । ଏହାର ଅର୍ଥ ଏପରି ମଧ୍ୟ କରାଯାଇ ପାରେ, “ଅନ୍ତଃକରଣ ଶୁଦ୍ଧି ବ୍ୟତିତ ଅନ୍ୟ କୌଣସି ଫଳରେ ଆଶା ନ ରଖିବା ।” ଯେଉଁ ବ୍ୟକ୍ତିମାନେ ଯୁକ୍ତ ଅଟନ୍ତି, ସେମାନେ ଫଳାସକ୍ତି ତ୍ୟାଗ କରି ଅନ୍ତଃକରଣ ଶୁଦ୍ଧି ନିମନ୍ତେ କର୍ମ କରନ୍ତି ଏବଂ ଅତିଶୀଘ୍ର ଭଗବତ୍ ଚେତନା ଲାଭ କରି ଚିରନ୍ତନ ସୁଖ ପ୍ରାପ୍ତ କରନ୍ତି ।
ଅନ୍ୟ ପକ୍ଷରେ, ଅଯୁକ୍ତ ଶବ୍ଦର ଅର୍ଥ “ଚେତନାରେ ଭଗବାନଙ୍କ ସହିତ ସଂଯୁକ୍ତ ନୁହେଁ”, ଅର୍ଥାତ୍ “ଆତ୍ମା ପାଇଁ କଲ୍ୟାଣକର ସିଦ୍ଧ ହେଉ ନ ଥିବା ପାର୍ଥିବ ସୁଖର କାମନା କରିବା ।” ଏପରି ବ୍ୟକ୍ତିମାନେ ଲାଳସାଯୁକ୍ତ ହୋଇ, କର୍ମଫଳର ଉତ୍କଟ ଇଚ୍ଛା ପୋଷଣ କରନ୍ତି । ଏପରି ଚେତନାରେ କରାଯାଉଥିବା କର୍ମର ପ୍ରତିକ୍ରିୟା ସ୍ୱରୂପ, ଅଯୁକ୍ତ ବ୍ୟକ୍ତିମାନେ ସଂସାର ବନ୍ଧନରେ ବା ଜନ୍ମ ମୃତ୍ୟୁର ଚକ୍ରରେ ବାନ୍ଧି ହୋଇଯାଆନ୍ତି ।