ସ୍ପର୍ଶାନ୍କୃତ୍ୱା ବହିର୍ବାହ୍ୟାଂଶ୍ଚକ୍ଷୁଶ୍ଚୈବାନ୍ତରେ ଭ୍ରୁବୋଃ ।
ପ୍ରାଣାପାନୌ ସମୌ କୃତ୍ୱା ନାସାଭ୍ୟନ୍ତରଚାରିଣୌ ।ା୨୭।।
ଯତେନ୍ଦ୍ରିୟମନୋବୁଦ୍ଧିର୍ମୁନିର୍ମୋକ୍ଷପରାୟଣଃ ।
ବିଗତେଚ୍ଛାଭୟତ୍କ୍ରୋଧୋ ଯଃ ସଦା ମୁକ୍ତ ଏବ ସଃ ।।୨୮।।
ସ୍ପର୍ଶାନ୍ -ଇନ୍ଦ୍ରିୟ ବିଷୟ ସଂସ୍ପର୍ଶରେ; କୃତ୍ୱା- ଏପରି କରି; ବହିଃ -ବାହାରେ; ବାହ୍ୟାନ୍ -ବାହ୍ୟ; ଚକ୍ଷୁଃ - ଚକ୍ଷୁ; ଚ-ଏବଂ; ଏବ- ନିଶ୍ଚିତଭାବେ; ଅନ୍ତରେ -ମଧ୍ୟରେ; ଭ୍ରୂବୋଃ - ଦୁଇ ଭ୍ରୂ ମଧ୍ୟରେ; ପ୍ରାଣ-ଅପାନ-ପ୍ରାଣ ଓ ଅପାନ ବାୟୁ; ସମୌ- ସମାନ; କୃତ୍ୱା -କରି; ନାସା-ଅଭ୍ୟନ୍ତର- ନାସା ମଧ୍ୟରେ; ଚାରିଣୌ -ଗତାଗତ କରୁଥିବା; ଯତ -ସଂଯତ; ଇନ୍ଦ୍ରିୟ- ଇନ୍ଦ୍ରିୟଗୁଡ଼ିକ; ମନଃ -ମନ; ବୁଦ୍ଧିଃ- ବୁଦ୍ଧି; ମୁନିଃ - ମୁନି ବା ଯୋଗୀ; ମୋକ୍ଷ- ମୋକ୍ଷ; ପରାୟଣଃ - ରତ; ବିଗତ- ମୁକ୍ତ; ଇଚ୍ଛା-ଇଚ୍ଛା; ଭୟ- ଭୟ; କ୍ରୋଧଃ- କ୍ରୋଧ; ଯଃ -ଯିଏ; ସଦା-ସର୍ବଦା; ମୁକ୍ତଃ - ମୁକ୍ତ; ଏବ-ନିଶ୍ଚିତଭାବେ; ସଃ- ସେ ।
Translation
BG 5.27-28: ବାହ୍ୟ ସୁଖ କଳ୍ପନାର ଦ୍ୱାର ବନ୍ଦ କରି, ଦୁଇ ଚକ୍ଷୁର ଭ୍ରୂଲତାର ମଧ୍ୟ ଭାଗରେ ଦୃଷ୍ଟି ନିବଦ୍ଧ କରି, ନାସିକା ରନ୍ଧ୍ରରେ ନିଶ୍ୱାସ ପ୍ରଶ୍ୱାସର ଗତି ସମାନ ରଖି ଯେଉଁ ଯୋଗୀ ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବଶ କରିଥାଆନ୍ତି, ସେମାନେ କାମନା ଓ ଭୟରୁ ମୁକ୍ତ ହୋଇ ସର୍ବଦା ବିମୁକ୍ତ ଜୀବନଯାପନ କରିଥାନ୍ତି ।
Commentary
ବହୁ ସମୟରେ ତ୍ୟାଗୀ ମାନେ ସନ୍ୟାସବ୍ରତ ପାଳନ ସହିତ ଅଷ୍ଟାଙ୍ଗ ଯୋଗ ତଥା ହଟଯୋଗ ଆଦି ପାଳନ କରିବାକୁ ଆଗ୍ରହୀ ହୋଇଥାନ୍ତି । ଅତ୍ୟଧିକ ଉଦାସୀନତା ସେମାନଙ୍କୁ ଭକ୍ତି ପ୍ରତି ମଧ୍ୟ ଆଗ୍ରହୀ କରି ନ ଥାଏ, ଯେଉଁଥିରେ ଭଗବାନଙ୍କର ନାମ, ରୂପ, ଲୀଳା ଓ ଧାମ ଆଦିର ଧ୍ୟାନ କରିବା ଆବଶ୍ୟକ ହୋଇଥାଏ । ସନ୍ନ୍ୟାସୀମାନେ ଯେଉଁ ମାର୍ଗର ଅନୁସରଣ କରନ୍ତି, ଶ୍ରୀକୃଷ୍ଣ ଏଠାରେ ତାହାର ବର୍ଣ୍ଣନା କରିଛନ୍ତି ।
ସେ କହୁଛନ୍ତି ଯେ ଏପରି ସନ୍ନ୍ୟାସୀଗଣ ତାଙ୍କର ଦୃଷ୍ଟି ଓ ଶ୍ୱାସ ପ୍ରକ୍ରିୟାକୁ ନିୟନ୍ତ୍ରଣ କରି, ଇନ୍ଦ୍ରିୟଭୋଗ ବିଷୟ ଗୁଡ଼ିକର ଚିନ୍ତନକୁ ରୁଦ୍ଧ କରିଦିଅନ୍ତି । ସେମାନେ ତାଙ୍କର ଦୁଇ ଭ୍ରୂଲତା ମଧ୍ୟରେ ଦୃଷ୍ଟି ନିବଦ୍ଧ କରନ୍ତି । ଧ୍ୟାନ କରିବା ସମୟରେ ଚକ୍ଷୁ ଯଦି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଏ, ଜଣକୁ ନିଦ୍ରା ଗ୍ରାସ କରିପାରେ; ଯଦି ସମ୍ପୂର୍ଣ୍ଣ ଖୋଲା ରଖାଯାଏ, ଚତୁର୍ପାଶ୍ୱର୍ର ଭୌତିକ ପଦାର୍ଥ ଦ୍ୱାରା ସେମାନେ ବିଚଳିତ ହୋଇପାରନ୍ତି । ଏହି ଦୁଇ ଅସୁବିଧାକୁ ଦୂର କରିବାକୁ, ସନ୍ୟାସୀମାନେ ଚକ୍ଷୁକୁ ଅର୍ଦ୍ଧ ନିମୀଳିତ କରି ଦୃଷ୍ଟିକୁ ଭ୍ରୂଲତା ମଧ୍ୟରେ କିମ୍ବା ନାସିକାର ଅଗ୍ରଭାଗରେ ନିବଦ୍ଧ କରନ୍ତି । ସେମାନେ ଉଭୟ ପ୍ରାଣ (ବାହାରକୁ ଯାଉଥିବା ଶ୍ୱାସ)ଓ ଅପାନକୁ (ଭିତରକୁ ଯାଉଥିବା ଶ୍ୱାସ) ସୁସଂଗତ କରି ଯୋଗ ସମାଧିରେ ବିଲୀନ ହେବା ପର୍ଯ୍ୟନ୍ତ ନିଲମ୍ବିତ ରଖିଥାନ୍ତି । ଏହି ଯୋଗକ୍ରିୟା ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହିପରି ସାଧକମାନଙ୍କର ଏକମାତ୍ର ଲକ୍ଷ୍ୟ ମାୟାନିବୃତ୍ତି ଅଟେ ।
ଏପରି ତପସ୍ୟା ଦ୍ୱାରା ଆତ୍ମଜ୍ଞାନ (ନିଜକୁ ଜାଣିବା) ହୋଇଥାଏ, ବ୍ରହ୍ମଜ୍ଞାନ (ଭଗବାନଙ୍କୁ ଜାଣିବା) ହୋଇ ନ ଥାଏ । ତେଣୁ ଏହି ସନ୍ୟାସର ପଥରେ ଭଗବାନଙ୍କର ଭକ୍ତିକୁ ସମ୍ମିଳିତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ, ଯାହା ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣନା କରାଯାଇଛି ।