Bhagavad Gita: Chapter 7, Verse 21

ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି ।
ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍ ।।୨୧।।

ଯଃ ଯଃ - ଯିଏ ଯିଏ; ଯାଂ ଯାଂ- ଯାହାକୁ ଯାହାକୁ; ତନୁଂ - ରୂପ, ଭକ୍ତଃ - ଭକ୍ତ; ଶ୍ରଦ୍ଧୟା - ଶ୍ରଦ୍ଧା ଓ ବିଶ୍ୱାସର ସହିତ; ଅର୍ଚିତୁଂ - ପୂଜା କରିବାକୁ; ଇଚ୍ଛତି - ଇଚ୍ଛାକରେ; ତସ୍ୟ ତସ୍ୟ - ତାଙ୍କୁ ସେହି ପ୍ରକାର; ଅଚଳାଂ - ସ୍ଥିର; ଶ୍ରଦ୍ଧାଂ - ବିଶ୍ୱାସ; ତାଂ- ତାଙ୍କୁ; ଏବ - ନିଶ୍ଚିତରୂପେ; ବିଦଧାମି - ଦିଏ; ଅହଂ -ମୁଁ ।

Translation

BG 7.21: ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।

Commentary

ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ, ଯାହା ବାସ୍ତବ ଜ୍ଞାନ ଦ୍ୱାରା ଜାତ ହୋଇଥାଏ । କିନ୍ତୁ ସଂସାରରେ ସର୍ବତ୍ର ଆମେ ସ୍ୱର୍ଗର ଦେବତା ମାନଙ୍କର ଅସଂଖ୍ୟ ଭକ୍ତ ଦେଖିବାକୁ ପାଇବା, ଯେଉଁମାନେ ଅବିଚଳ ଶ୍ରଦ୍ଧାର ସହିତ ସେମାନଙ୍କର ଭକ୍ତି କରନ୍ତି । ଆମେ ଆଶ୍ଚର୍ଯ୍ୟ ହୋଇପାରେ ଯେ ଏପରି ନିମ୍ନ ଶ୍ରେଣୀର ପୂଜା ପ୍ରତି ଲୋକମାନଙ୍କର ଏତେ ଉଚ୍ଚ କୋଟୀର ଶ୍ରଦ୍ଧା ଜାତ ହୁଏ କିପରି ।

ଶ୍ରୀକୃଷ୍ଣ ଏହି ଶ୍ଲୋକରେ ତା’ର ଉତ୍ତର ଦେଇଛନ୍ତି । ସେ କହୁଛନ୍ତି ଯେ ସ୍ୱର୍ଗର ଦେବତାଙ୍କ ପ୍ରତି ବିଶ୍ୱାସ ମଧ୍ୟ ସେ ହିଁ ଉତ୍ପନ୍ନ କରନ୍ତି । ସେ ଯେତେବେଳେ ଦେଖନ୍ତି, ଲୋକମାନେ ସେମାନଙ୍କ ଭୌତିକ କାମନା ପୂରଣ କରିବା ପାଇଁ ସ୍ୱର୍ଗର ଦେବତାଙ୍କୁ ପୂଜା କରୁଛନ୍ତି, ସେ ତାଙ୍କ ବିଶ୍ୱାସକୁ ସେହି ଭକ୍ତିରେ ସ୍ଥିର କରିବାରେ ସାହାଯ୍ୟ କରନ୍ତି । ତାଙ୍କ ଭକ୍ତମାନଙ୍କ ଠାରେ ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ କରାଇବା ପାଇଁ ଦେବତାମାନଙ୍କର ନିଜସ୍ୱ ଶକ୍ତି ନ ଥାଏ । ସେହି ଭକ୍ତି ସେମାନଙ୍କ ହୃଦୟରେ ନିବାସ କରିଥିବା ପରମାତ୍ମା ଉତ୍ପନ୍ନ କରାଇଥାନ୍ତି । ଶ୍ଲୋକ ୧୫.୧୫ ରେ ଶ୍ରୀକୃଷ୍ଣ କହିଛନ୍ତି, “ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରେ ଏବଂ ମୋଠାରୁ ହିଁ ଜୀବକୁ ସ୍ମୃତି, ଜ୍ଞାନ ଓ ମେଧା ପ୍ରାପ୍ତ ହୋଇଥାଏ ।

ଜଣେ ପଚାରି ପାରନ୍ତି, ଭଗବାନ କାହିଁକି ସ୍ୱର୍ଗର ଦେବତାମାନଙ୍କ ପ୍ରତି ଶ୍ରଦ୍ଧା ଉତ୍ପନ୍ନ କରାଇଥାନ୍ତି, ଯେତେବେଳେ କି ସେହି ଶ୍ରଦ୍ଧାର ପାତ୍ର  ଅନୁପଯୁକ୍ତ ଅଟନ୍ତି । ଏହା ସେହିପରି ଅଟେ, ଯେପରି ମାତା ପିତା ନିଜ ସନ୍ତାନକୁ ଗୋଟିଏ କଣ୍ଢେଇ ଦେଇ, ତାହାକୁ ବାସ୍ତବିକ ପିଲାଟିଏ ପରି ସ୍ନେହ କରିବାକୁ ଅନୁମତି ପ୍ରଦାନ କରିଥାନ୍ତି । ପିତାମାତା ଜାଣନ୍ତି ଯେ, ତାଙ୍କ ସନ୍ତାନର ଖେଳନାଟି ପ୍ରତି ସ୍ନେହ ତା’ର ଅଜ୍ଞାନତା ଅଟେ, ତଥାପି ସେମାନେ ତାକୁ ଖେଳଣାଟିକୁ ଭଲ ପାଇବାକୁ ଏବଂ ତା’ ସହିତ ଖେଳିବାକୁ ଉତ୍ସାହିତ କରିଥାନ୍ତି । ତାର କାରଣ ଏହା ଯେ, ପିତାମାତା ଜାଣନ୍ତି, ତଦ୍ୱାରା ତା ହୃଦୟରେ, ଶ୍ରଦ୍ଧା, ସ୍ନେହ ଓ ଯତ୍ନଶୀଳତା ଇତ୍ୟାଦି ଗୁଣ ବିକଶିତ ହେବ । ସେହିପରି ଭୌତିକ ଲାଭ ପାଇଁ ବ୍ୟକ୍ତି ସ୍ୱର୍ଗର ଦେବତାମାନଙ୍କୁ ପୂଜା କଲେ, ଭଗବାନ ତାଙ୍କର ଶ୍ରଦ୍ଧାକୁ ବଢ଼ାଇଥାନ୍ତି ଏହି ଉଦ୍ଦେଶ୍ୟରେ ଯେ ସେହି ଅଭିଜ୍ଞତା ଜୀବକୁ ଉନ୍ନତି କରିବାରେ ସାହାଯ୍ୟ କରିବ । ତାପରେ, ଦିନେ ଜୀବ ଭଗବାନଙ୍କୁ ଚରମ ଲକ୍ଷ୍ୟ ବୁଝିପାରି, ତାଙ୍କର ଶରଣାଗତ ହୋଇଯିବ ।