Bhagavad Gita: Chapter 7, Verse 19

ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍‌ମାଂ ପ୍ରପଦ୍ୟତେ ।
ବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ ।।୧୯।।

ବହୂନାଂ - ଅନେକ; ଜନ୍ମନାଂ - ଜନ୍ମ; ଅନ୍ତେ-ପରେ; ଜ୍ଞାନବାନ୍ - ଯିଏ ଜ୍ଞାନ ପ୍ରାପ୍ତ କରିଛି; ମାଂ - ମୋତେ; ପ୍ରପଦ୍ୟତେ - ଶରଣରେ ଆସେ; ବାସୁଦେବଃ -ଶ୍ରୀକୃଷ୍ଣ; ସର୍ବମ୍ -ସବୁ; ଇତି -ଏହିପରି; ସ - ସେ; ମହାତ୍ମା- ମହାତ୍ମା; ସୁଦୁର୍ଲଭଃ - ଅତ୍ୟନ୍ତ ଦୁର୍ଲ୍ଲଭ ।

Translation

BG 7.19: ବହୁଜନ୍ମ ଧରି ଆଧ୍ୟାତ୍ମିକ ସାଧନା କରିବା ପରେ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରି, ମୁଁ(ଶ୍ରୀକୃଷ୍ଣ) ହିଁ ସବୁକିଛି ଜାଣି, ମୋର ଶରଣାଗତ ହୋଇଥାଏ । ଏପରି ମହାନ ଆତ୍ମା ଅତ୍ୟନ୍ତ ବିରଳ ଅଟନ୍ତି ।

Commentary

ଏହି ଶ୍ଲୋକଟି ଏକ ସାଧାରଣ ଭ୍ରାନ୍ତଧାରଣାକୁ ଦୂର କରିଥାଏ । ଅନେକ ସମୟରେ ବୁଦ୍ଧିପ୍ରଧାନ ବ୍ୟକ୍ତିମାନେ ଭକ୍ତିକୁ ଜ୍ଞାନଠାରୁ ନିମ୍ନସ୍ତରର ବିବେଚନା କରି ପରିହାସ କରିଥାନ୍ତି । ଜ୍ଞାନ ଅର୍ଜନରେ ନିୟୋଜିତ ରହିଥିବା କାରଣରୁ ଅହଂକାର ଯୁକ୍ତ ହୋଇ ସେମାନେ ଭକ୍ତି କରୁଥିବା ବ୍ୟକ୍ତିଙ୍କୁ ହେୟଜ୍ଞାନ କରିଥାନ୍ତି । କିନ୍ତୁ ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ପୂର୍ଣ୍ଣ ବିପରୀତ କହୁଛନ୍ତି । ସେ କହୁଛନ୍ତି ଯେ, ବହୁଜନ୍ମ ଧରି ଜ୍ଞାନ ଅର୍ଜନ କରିବା ପରେ, ଜ୍ଞାନୀମାନଙ୍କର ଜ୍ଞାନ ଯେତେବେଳେ ପରିପକ୍ୱ ହୋଇଯାଏ, ସେତେବେଳେ ସର୍ବଶେଷରେ ସେମାନେ ଭଗବାନଙ୍କର ଶରଣାଗତ ହୋଇଥାଆନ୍ତି ।

ବାସ୍ତବରେ, ଜ୍ଞାନ ସ୍ୱାଭାବିକ ଭାବରେ ଭକ୍ତି କରାଇ ଥାଏ । ମନେ କରନ୍ତୁ, ଜଣେ ବ୍ୟକ୍ତି ସମୁଦ୍ର ତଟରେ ଭ୍ରମଣ କରୁଥିବା ସମୟରେ ବାଲି ଉପରୁ ମୁଦିଟିଏ ପାଇଲେ । ସେ ଏହାକୁ ଉଠାଇ ନେଲେ, କିନ୍ତୁ ତା’ର ମୂଲ୍ୟ ବିଷୟରେ ଧାରଣା ନ ଥିବାରୁ ସେ ଭାବିଲେ, ଏହା ଏକ ନକଲି ଗହଣା ହୋଇଥାଇପାରେ, ଯାହାର ମୂଲ୍ୟ ପଚାଶ ଟଙ୍କା ହୋଇଥିବ । ତା ପରଦିନ ସେ ଏକ ବଣିଆ ପାଖକୁ ଯାଇ ପଚାରିଲେ, “ଏହି ମୁଦିଟିର ମୂଲ୍ୟ କେତେ ହୋଇଥିବ?” ବଣିଆ ତାକୁ ପରୀକ୍ଷା କରି କହିଲା, “ଏହା ୨୨ କ୍ୟାରେଟ୍ ସୁନା ଅଟେ । ଏହାର ମୂଲ୍ୟ ଦଶହଜାର ଟଙ୍କା ହୋଇପାରେ ।” ଏହା ଶୁଣି, ମୁଦି ପ୍ରତି ବ୍ୟକ୍ତିଜଣଙ୍କର ପ୍ରେମ ବଢ଼ିଗଲା । ବର୍ତ୍ତମାନ ସେ ସେହି ମୁଦିଟିକୁ ଦେଖି ଦଶହଜାର ଟଙ୍କା ପୁରସ୍କାର ପାଇବା ପରି ସୁଖ ଅନୁଭବ କଲେ ।

କିଛିଦିନ ପରେ ତାଙ୍କ ମାମୁଁ, ଯିଏକି ଜଣେ ଅଳଙ୍କାର ବ୍ୟାପାରୀ ଥିଲେ, ତାଙ୍କ ଘରକୁ ଆସିଲେ । ସେ ତାଙ୍କ ମାମୁଁଙ୍କୁ ପଚାରିଲେ “ଆପଣ ଏହି ମୁଦି ଏବଂ ଏଥିରେ ଖୋଦିତ ହୋଇଥିବା ପଥର ଗୁଡ଼ିକର ମୂଲ୍ୟାଙ୍କନ କରିପାରିବେ କି?” ମୁଦିଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ସେ କହିଲେ, “ତୁମେ ଏହାକୁ କେଉଁଠାରୁ ପାଇଲ? ଏହା ଅସଲୀ ହୀରା ଅଟେ । ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ।” ବ୍ୟକ୍ତିଜଣକ ଖୁସୀରେ ଆତ୍ମହରା ହୋଇଉଠିଲେ । “ମାମୁଁ, ମୋତେ ଥଟ୍ଟା କରନ୍ତୁ ନାହିଁ ।” ମାମୁଁ କହିଲେ “ମୁଁ ଥଟ୍ଟା କରୁନାହିଁ । ତୁମେ ଯଦି ବିଶ୍ୱାସ କରୁନାହଁ, ତେବେ ତୁମେ ଏହାକୁ ଟ.୭୫,୦୦୦ଙ୍କାରେ ମୋତେ ବିକ୍ରି କରିଦିଅ ।” ମୁଦିର ସଠିକ୍ ମୂଲ୍ୟାଙ୍କନ ହୋଇଯିବା ପରେ, ତା’ ପ୍ରତି ବ୍ୟକ୍ତିଜଣଙ୍କର ପ୍ରେମ ଆହୁରି ବଢ଼ିଗଲା । ନିଜକୁ ସେ ଏକ ପୁରସ୍କାର ବିଜେତା ପରି ଅନୁଭବ କଲେ, ତାଙ୍କ ଆନନ୍ଦର ସୀମା ରହିଲା ନାହିଁ । ଲକ୍ଷ୍ୟ କରନ୍ତୁ, ଜ୍ଞାନ ଅନୁପାତରେ କିପରି ପ୍ରେମ ବୃଦ୍ଧି ଲାଭ କରୁଛି । ଯେତେବେଳେ ସେ ଜାଣିଥିଲେ ଯେ ମୁଦିର ମୂଲ୍ୟ ମାତ୍ର ୫୦ଟଙ୍କା ହୋଇଥିବ, ସେତେବେଳେ ମୁଦିଟି ପ୍ରତି ତାଙ୍କ ହୃଦୟରେ କୌଣସି ପ୍ରେମଭାବ ନ ଥିଲା । ଯେତେବେଳେ ସେ ଜାଣିଲେ, ମୁଦିଟିର ମୂଲ୍ୟ ଦଶ ହଜାର ଟଙ୍କା ଅଟେ, ସେତେବେଳେ ମୁଦି ପ୍ରତି ତାଙ୍କ ହୃଦୟରେ ପ୍ରେମ ଜାତ ହେଲା । ପୁଣି ଯେତେବେଳେ ସେ ଜାଣିବାକୁ ପାଇଲେ, ମୁଦିର ମୂଲ୍ୟ ଟ.୧,୦୦,୦୦୦ ଟଙ୍କା, ସେତେବେଳେ ତାଙ୍କର ପ୍ରେମ ଚରମ ଉତ୍କର୍ଷତାକୁ ସ୍ପର୍ଶ କଲା ।

ଉପରୋକ୍ତ ଉଦାହରଣଟି ଜ୍ଞାନ ଓ ପ୍ରେମ ମଧ୍ୟରେ ରହିଥିବା ସମ୍ପର୍କକୁ ଦର୍ଶାଇଥାଏ । ରାମାୟଣ କହେ;

ଜାନେଁ ବିନୁ ନ ହୋଇ ପରତୀତୀ, ବିନୁ ପରତୀତୀ ହୋଇ ନହିଁ ପ୍ରୀତୀ ।

“ଜ୍ଞାନ ବିନା ବିଶ୍ୱାସ ଉତ୍ପନ୍ନ ହୁଏନାହିଁ ଏବଂ ବିନା ବିଶ୍ୱାସରେ ପ୍ରେମ ଉପୁଜିବ ନାହିଁ ।” ଅତଏବ, ବାସ୍ତବ ଜ୍ଞାନ ସହିତ ପ୍ରେମ ସ୍ୱାଭାବିକ ଭାବରେ ଆସିଥାଏ । ଯଦି ଆମେ କହିବା ଯେ ବ୍ରହ୍ମ ବିଷୟରେ ଆମର ଜ୍ଞାନ ଅଛି, କିନ୍ତୁ ଆମେ ତାଙ୍କ ପ୍ରତି ହୃଦୟରେ କୌଣସି ପ୍ରେମ ଅନୁଭବ କରୁନାହୁଁ, ତେବେ ଆମର ଜ୍ଞାନ କେବଳ ଶାବ୍ଦିକ ଜ୍ଞାନ ଅଟେ ।

ଏଠାରେ, ଶ୍ରୀକୃଷ୍ଣ କହୁଛନ୍ତି ଯେ ବହୁ ଜନ୍ମ ଧରି ଜ୍ଞାନ ଅର୍ଜନ କରିବା ପରେ, ଯେତେବେଳେ ଜ୍ଞାନୀର ଜ୍ଞାନ ପରିପକ୍ୱ ହୋଇଯାଏ, ସେ ଭଗବାନଙ୍କୁ ହିଁ ସବୁକିଛି ଜାଣି, ତାଙ୍କର ଶରଣାଗତ ହୋଇଯାଏ । ଶ୍ଲୋକରେ ପୁଣି କୁହାଯାଇଛି ଯେ ଏପରି ମହାନ୍ ଆତ୍ମା ଅତ୍ୟନ୍ତ ଦୁର୍ଲଭ ଅଟନ୍ତି । କିନ୍ତୁ ଏହା ଜ୍ଞାନୀ, କର୍ମୀ, ହଟ-ଯୋଗୀ, ତପସ୍ୱୀ ଇତ୍ୟାଦିଙ୍କ ଉଦ୍ଦେଶ୍ୟରେ କୁହାଯାଇ ନାହିଁ । ଶ୍ରୀକୃଷ୍ଣ ଭକ୍ତମାନଙ୍କ ଉଦ୍ଦେଶ୍ୟରେ  ଏହା ଘୋଷଣା କରୁଛନ୍ତି ଯେ “ମୁଁ ହିଁ ସବୁକିଛି” ମୋର ଶରଣାଗତି କରୁଥିବା ଉଦ୍‌ବୁଦ୍ଧ ଆତ୍ମା ସଂସାରରେ ଅତ୍ୟନ୍ତ ଦୁର୍ଲଭ ଅଟନ୍ତି ।