Bhagavad Gita: Chapter 7, Verse 8

ରସୋଽହମପ୍‌ସୁ କୌନ୍ତେୟ ପ୍ରଭାସ୍ମି ଶଶିସୂର୍ଯ୍ୟୟୋଃ ।
ପ୍ରଣବଃ ସର୍ବବେଦେଷୁ ଶବ୍ଦଃ ଖେ ପୌରୁଷଂ ନୃଷୁ ।।୮।।

ରସ -ସ୍ୱାଦ; ଅହମ୍ -ମୁଁ; ଅପ୍‌ସୁ -ଜଳରେ; କୌନ୍ତେୟ - ହେ କୁନ୍ତିପୁତ୍ର; ପ୍ରଭା ଅସ୍ମି - ମୁଁ ପ୍ରଭା ବା ଆଲୋକ; ଶଶି-ସୂର୍ଯ୍ୟୟୋଃ- ଚନ୍ଦ୍ର ଏବଂ ସୂର୍ଯ୍ୟରେ; ପ୍ରଣବଃ - ପବିତ୍ର ଓଁକାର; ସର୍ବ -ସମସ୍ତ; ବେଦେଷୁ - ବେଦରେ; ଶବ୍ଦଃ - ଧ୍ୱନି ତରଙ୍ଗ; ଖେ- ଅନ୍ତରୀକ୍ଷରେ; ପୌରୁଷଂ - ସାମର୍ଥ୍ୟ; ନୃଷୁ - ମାନବଠାରେ ।

Translation

BG 7.8: ହେ କୁନ୍ତି ପୁତ୍ର! ମୁଁ ଜଳର ସ୍ୱାଦ ଅଟେ; ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରକାଶ ଅଟେ । ମୁଁ ବେଦ ମନ୍ତ୍ରର ପବିତ୍ର ଅକ୍ଷର ଓଁ ଅଟେ; ମୁଁ ବ୍ରହ୍ମାଣ୍ଡୀୟ ନାଦ ଏବଂ ମନୁଷ୍ୟଙ୍କର ସାମର୍ଥ୍ୟ ଅଟେ ।

Commentary

ନିଜକୁ ସୃଷ୍ଟିର ଉତ୍ପତ୍ତି କାରଣ ଏବଂ ଆଶ୍ରୟ କହିବା ପରେ, ଶ୍ରୀକୃଷ୍ଣ ତାଙ୍କ ଉକ୍ତିର ସତ୍ୟତା ପ୍ରତିପାଦନ ପରବର୍ତ୍ତୀ ଚାରିଗୋଟି ଶ୍ଲୋକରେ କରିଛନ୍ତି । ଆମେ ଯେତେବେଳେ ଫଳଟିଏ ଖାଉ, ତା’ର ସୁମିଷ୍ଟ ସ୍ୱାଦ ସୂଚିତ କରିଥାଏ ଯେ ସେଥିରେ ଶର୍କରା ଅଛି । ସେହିପରି ଶ୍ରୀକୃଷ୍ଣ, ତାଙ୍କ ଶକ୍ତିର ସମସ୍ତ ପରିପ୍ରକାଶରେ, ତାଙ୍କ ଉପସ୍ଥିତିର ସୂଚନା ଦେଇଛନ୍ତି । ସେ କହୁଛନ୍ତି ଯେ ସେ ଜଳର ସ୍ୱାଦ ଅଟନ୍ତି, ଯାହା ତା’ର ମୌଳିକ ଅନ୍ତର୍ନିହିତ ଗୁଣ ଅଟେ । କେହି ମଧ୍ୟ ଜଳର ସ୍ୱାଦକୁ ଜଳଠାରୁ ପୃଥକ୍ କରିପାରିବେ ନାହିଁ । ଭୌତିକ ଶକ୍ତିର ସମସ୍ତ ରୂପ - ଗ୍ୟାସ, ଅଗ୍ନି, କଠିନ ପଦାର୍ଥ - ସମସ୍ତେ ତାଙ୍କର ସ୍ୱାଦ ବହନ କରିବା ପାଇଁ ତରଳ ପଦାର୍ଥ ଆବଶ୍ୟକ କରିଥାନ୍ତି । ଶୁଷ୍କ ଜିହ୍ୱାରେ ଗୋଟିଏ କଠିନ ପଦାର୍ଥ ରଖିଲେ, ଆମେ ତାର କୌଣସି ସ୍ୱାଦ ଅନୁଭବ କରିପାରିବା ନାହିଁ । କିନ୍ତୁ ଯେତେବେଳେ ପାଟିର ଲାଳଦ୍ୱାରା ସେହି ପଦାର୍ଥଟି ମିଳାଇଯାଏ, ସେତେବେଳେ ତାର ସ୍ୱାଦକୁ ଜିଭର ସ୍ୱାଦ ଗ୍ରନ୍ଥି ଅନୁଭବ କରିପାରନ୍ତି ।

ସେହିପରି ଆକାଶ ଧ୍ୱନିର ବାହକ ରୂପରେ କାର୍ଯ୍ୟ କରିଥାଏ । ଧ୍ୱନି ବିଭିନ୍ନ ଭାଷାରେ ରୂପାନ୍ତରିତ ହୁଏ ଏବଂ ଶ୍ରୀକୃଷ୍ଣ କହୁଛନ୍ତି ଯେ ସବୁର ଆଧାର ସେ ଅଟନ୍ତି, କାରଣ ଆକାଶର ଧ୍ୱନି ତାଙ୍କର ଶକ୍ତି ଅଟେ । ପୁଣି ସେ କହୁଛନ୍ତି ଯେ ସେ ‘ଓଁ’ ଅକ୍ଷର ଅଟନ୍ତି, ଯାହା ବେଦ ମନ୍ତ୍ରର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ମନୁଷ୍ୟ ମାନଙ୍କ ଠାରେ ପ୍ରକଟିତ ସମସ୍ତ ସାମର୍ଥ୍ୟର ମୂଳ ଶକ୍ତି ମଧ୍ୟ ସେ ଅଟନ୍ତି ।