Bhagavad Gita: Chapter 13, Verse 18

ଜ୍ୟୋତିଷାମପି ତଜ୍ଜ୍ୟୋତିସ୍ତମସଃ ପରମୁଚ୍ୟତେ ।
ଜ୍ଞାନଂ ଜେ୍ଞୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତମ୍ ।।୧୮।।

ଜ୍ୟୋତିଷାଂ -ଜ୍ୟୋତିଷ୍କମାନଙ୍କରେ; ଅପି-ମଧ୍ୟ; ତତ୍ -ତାହା; ଜ୍ୟୋତିଃ- ଆଲୋକର ଉତ୍ସ; ତମସଃ - ଅନ୍ଧକାରର; ପରଂ-ଊର୍ଦ୍ଧ୍ୱରେ; ଉଚ୍ୟତେ - କୁହାଯାଏ; ଜ୍ଞାନଂ-ଜ୍ଞାନ; ଜେ୍ଞୟଂ -ଜ୍ଞାନର ବିଷୟ; ଜ୍ଞାନ-ଗମ୍ୟଂ -ଜ୍ଞାନର ଲକ୍ଷ୍ୟ; ହୃଦି -ହୃଦୟରେ; ସର୍ବସ୍ୟ -ସମସ୍ତଙ୍କର; ବିଷ୍ଠିତମ୍ -ନିବାସ କରନ୍ତି ।

Translation

BG 13.18: ସେ ସମସ୍ତ ଉଜ୍ଜ୍ୱଳ ବସ୍ତୁର ଆଲୋକର ଉତ୍ସ ଅଟନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ସେ ଜ୍ଞାନ, ଜ୍ଞାନର ବିଷୟ ଏବଂ ଜ୍ଞାନର ଲକ୍ଷ୍ୟ ଅଟନ୍ତି । ସେ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି ।

Commentary

ଏଠାରେ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାରରେ ଭଗବାନଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ସୂର୍ଯ୍ୟ, ଚନ୍ଦ୍ର, ତାରକା, ଅଗ୍ନି ଏବଂ ଅଳଙ୍କାର ଆଦି ବିଭିନ୍ନ ପ୍ରକାରର ଉଜ୍ଜ୍ୱଳ ବସ୍ତୁ ରହିଛି । କିନ୍ତୁ ଆଲୋକିତ କରିବାର ଶକ୍ତି କାହାର ମଧ୍ୟ ନାହିଁ । ଯେତେବେଳେ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତି, ସେତେବେଳେ ହିଁ ସେମାନେ କୌଣସି ବସ୍ତୁକୁ ଆଲୋକିତ କରିପାରନ୍ତି । ବେଦ କହେ:

ତମେବ ଭାନ୍ତମନୁଭାତି ସର୍ବଂ ତସ୍ୟ ଭାସା ସର୍ବମିଦଂ ବିଭାତି (କଠୋପନିଷଦ ୨.୨.୧୫)

“ଭଗବାନ ସମସ୍ତ ବସ୍ତୁକୁ ଜ୍ୟୋତିର୍ମୟ କରିଦିଅନ୍ତି । ସେ ତାଙ୍କର ଜ୍ୟୋତିରେ ସମସ୍ତ ଜ୍ୟୋତିର୍ମୟ ବସ୍ତୁକୁ ଆଲୋକ ପ୍ରଦାନ କରନ୍ତି ।

ସୂର୍ଯ୍ୟସ୍ତପତି ତେଜସେନ୍ଦ୍ରଃ (ବେଦ)

“ତାଙ୍କର ଜ୍ୟୋତି ଦ୍ୱାରା, ସୂର୍ଯ୍ୟ ଓ ଚନ୍ଦ୍ର ଜ୍ୟୋତିର୍ମୟ ହୋଇଥାନ୍ତି ।” ଭିନ୍ନ ଶବ୍ଦରେ, ସୂର୍ଯ୍ୟ ଏବଂ ଚନ୍ଦ୍ର ନିଜର ପ୍ରକାଶ ଭଗବାନଙ୍କଠାରୁ ପ୍ରାପ୍ତ କରିଥାଆନ୍ତି । ସେମାନେ ଦିନେ ତାଙ୍କର ଉଜ୍ଜ୍ୱଳତା ହରାଇ ପାରନ୍ତି, କିନ୍ତୁ ଭଗବାନ ତାହା କେବେ ବି ହରାନ୍ତି ନାହିଁ ।

ଭଗବାନଙ୍କର ତିନୋଟି ବିଶିଷ୍ଟ ନାମ ରହିଛି: ବେଦ-କୃତ୍‌, ବେଦ-ବିତ୍ ଏବଂ ବେଦ-ବେଦ୍ୟ । ସେ ବେଦ-କୃତ୍ ଅଟନ୍ତି ଅର୍ଥାତ୍ “ଯିଏ ବେଦକୁ ପ୍ରକଟ କରନ୍ତି ।” ସେ ବେଦ୍‌-ବିତ୍‌, ଅର୍ଥାତ୍ “ଯିଏ ବେଦକୁ ଜାଣନ୍ତି ।” ସେ ମଧ୍ୟ ବେଦବେଦ୍ୟ ଅଟନ୍ତି, ଅର୍ଥାତ୍ “ଯାହାକୁ ବେଦ ଦ୍ୱାରା ଜାଣିହେବ ।” ଏହିପରି ଭାବରେ, ପରମ ପୁୁରୁଷଙ୍କୁ ଶ୍ରୀକୃଷ୍ଣ ଜେ୍ଞୟ (ଜାଣିବା ଯୋଗ୍ୟ ବିଷୟ), ଜ୍ଞାନ-ଗମ୍ୟ (ସମସ୍ତ ଜ୍ଞାନର ଲକ୍ଷ୍ୟ) ଏବଂ ଜ୍ଞାନ (ପ୍ରକୃତ ଜ୍ଞାନ) ଭାବରେ ବର୍ଣ୍ଣନା କରିଛନ୍ତି ।