Bhagavad Gita: Chapter 13, Verse 26

ଅନ୍ୟେ ତ୍ୱେବମଜାନନ୍ତଃ ଶ୍ରୁତ୍ୱାନ୍ୟେଭ୍ୟ ଉପାସତେ ।
ତେଽପି ଚାତିତରନ୍ତ୍ୟେବ ମୃତ୍ୟୁଂ ଶ୍ରୁତିପରାୟଣାଃ ।।୨୬।।

ଅନ୍ୟେ-ଅନ୍ୟମାନେ; ତୁ-କିନ୍ତୁ; ଏବଂ-ଏହା; ଅଜାନନ୍ତଃ-ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣନ୍ତି ନାହିଁ; ଶ୍ରୁତ୍ୱା- ଶୁଣିକରି; ଅନ୍ୟେଭ୍ୟଃ -ଅନ୍ୟମାନଙ୍କ ଠାରୁ; ଉପାସତେ-ଉପାସନା କରିବାକୁ ଆରମ୍ଭ କରନ୍ତି; ତେ- ସେମାନେ; ଅପି-ମଧ୍ୟ; ଚ-ଏବଂ; ଅତିତରନ୍ତି- ଅତିକ୍ରମ କରନ୍ତି; ଏବ-ନିଶ୍ଚିତଭାବେ; ମୃତ୍ୟୁଂ- ମୃତ୍ୟୁକୁ; ଶ୍ରୁତିପରାୟଣାଃ- ସନ୍ଥମୁଖରୁ ଶ୍ରବଣ କରିବା ପ୍ରତି ଆକୃଷ୍ଟ ।

Translation

BG 13.26: ପୁଣି ଅନ୍ୟମାନେ, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗ ବିଷୟରେ ଜାଣି ନ ଥାନ୍ତି, ସେମାନେ ଅନ୍ୟମାନଙ୍କ ଠାରୁ ଶୁଣି ଭଗବାନଙ୍କର ଉପାସନା କରିବାକୁ ଆରମ୍ଭ କରନ୍ତି । ମହାପୁରୁଷମାନଙ୍କ ମୁଖରୁ ଶୁଣି ଏହିପରି ଭକ୍ତି କରିବା ଦ୍ୱାରା ମଧ୍ୟ ସେମାନେ କ୍ରମଶଃ ଜନ୍ମ ଓ ମୃତ୍ୟୁର ସାଗରକୁ ପାର କରିଯାଆନ୍ତି ।

Commentary

ସାଧନାର ବିଧି ସମ୍ବନ୍ଧରେ ଅଜ୍ଞ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି । କିନ୍ତୁ କୌଣସି ପ୍ରକାରେ ଅନ୍ୟମାନଙ୍କ ଠାରୁ ଶୁଣି ସେମାନେ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆକର୍ଷିତ ହୋଇଥାନ୍ତି । ବାସ୍ତବରେ, ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଏହିପରି ଘଟିଥାଏ । ଆଧ୍ୟାତ୍ମିକ ଜ୍ଞାନର କୌଣସି ଶିକ୍ଷା ସେମାନେ ପ୍ରାପ୍ତ କରି ନ ଥାନ୍ତି, କିନ୍ତୁ କୌଣସି ପ୍ରକାରେ ସେମାନେ ତାହା ବିଷୟରେ ଶୁଣିବା କିମ୍ବା ପଢ଼ିବାର ଅବସର ପାଇଥାନ୍ତି । ତାପରେ ଭଗବାନଙ୍କର  ଭକ୍ତି କରିବାରେ ସେମାନଙ୍କର ଆଗ୍ରହ ବୃଦ୍ଧି ପାଏ ଏବଂ ସେମାନେ ତାଙ୍କର ଯାତ୍ରା ଆରମ୍ଭ କରନ୍ତି ।

ବୈଦିକ ପରମ୍ପରାରେ, ମହାପୁରୁଷମାନଙ୍କ ଠାରୁ ଶୁଣିବାର ବିଧିକୁ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଏକ ଶକ୍ତିଶାଳୀ ଉପକରଣ ଭାବରେ ବହୁତ  ମହତ୍ତ୍ୱ ଦିଆଯାଇଥାଏ । ଶ୍ରୀମଦ୍ ଭାଗବତମ୍‌ରେ ପରୀକ୍ଷିତ ଶୁକଦେବଙ୍କୁ ପ୍ରଶ୍ନ କରିଥିଲେ: “ଆମ ହୃଦୟରୁ କାମ, କ୍ରୋଧ, ଲୋଭ, ଈର୍ଷା, ଘୃଣା ଆଦି ଅବାଞ୍ôଛତ ତତ୍ତ୍ୱକୁ ନିର୍ମୂଳ କରିବା କିପରି ?” ଶୁକଦେବ ଉତ୍ତର ଦେଲେ:

ଶୃଣ୍ୱତାଂ ସ୍ୱ-କଥାଃ କୃଷ୍ଣଃ ପୁଣ୍ୟ-ଶ୍ରବଣ -କୀର୍ତନଃ
ହୃଦ୍ୟନ୍ତଃ ସ୍ଥୋ ହ୍ୟଭଦ୍ରାଣି ବିଧୁନୋତି ସୁହୃତ୍ ସତାମ୍ । (ଭାଗବତମ୍ ୧.୨.୧୭)

“ପରୀକ୍ଷିତ! ଜଣେ ମହାପୁରୁଷଙ୍କ ଠାରୁ ଭଗବାନଙ୍କ ଦିବ୍ୟ ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ସନ୍ଥଙ୍କ ବିଷୟରେ କେବଳ ଶୁଣ । ଏହା ସ୍ୱାଭାବିକ ଭାବରେ ହୃଦୟର ଅନନ୍ତ ଜନ୍ମର ଅବାଞ୍ôଛତ ଆବିଳତାକୁ ପରିଷ୍କାର କରିଦେବ ।”

ଯେତେବେଳେ ଆମେ ଜ୍ଞାନର ଏକ ସଠିକ୍ ଉତ୍ସରୁ ଶୁଣିଥାଉ, ଆମେ ପ୍ରାମାଣିକ ଆଧ୍ୟାତ୍ମିକ ଜ୍ଞାନ ପାଇଥାଉ । ଏତଦ୍ ବ୍ୟତିତ, ଯେଉଁ ମହାପୁରୁଷଙ୍କ ଠାରୁ ଆମେ ଶୁଣିଥାଏ, ତାଙ୍କ ଭିତରେ ଥିବା ଗଭୀର ଶ୍ରଦ୍ଧା ଆମ ମଧ୍ୟରେ ପ୍ରବାହିତ ହେବାରେ ଲାଗିଯାଏ । ଆଧ୍ୟାତ୍ମିକ ସତ୍ୟ ପ୍ରତି ବିଶ୍ୱାସ ଦୃଢ କରିବା ପାଇଁ ମହାପୁରୁଷଙ୍କ ଠାରୁ ଶୁଣିବା ଏକ ସରଳତମ ଉପାୟ ଅଟେ । ପୁନଶ୍ଚ, ଆଧ୍ୟାତ୍ମିକ କର୍ମ ପ୍ରତି ସନ୍ଥଙ୍କର ଆଗ୍ରହ ମଧ୍ୟ ଆମ ଭିତରେ ସଂଚାରିତ ହୋଇଯାଏ । ଭକ୍ତିରେ ଉତ୍ସାହ ସାଧକଙ୍କୁ ଭୌତିକ ଚେତନାର ନିଷ୍କ୍ରିୟତାକୁ ଦୂର କରି ସାଧନା ମାର୍ଗର ସମସ୍ତ ପ୍ରତିବନ୍ଧକକୁ ଲଙ୍ଘନ କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଉତ୍ସାହ ଏବଂ ଶ୍ରଦ୍ଧା ଭକ୍ତି ଭବନର ଭିତ୍ତିପ୍ରସ୍ତର ସଦୃଶ ଅଟନ୍ତି ।