Bhagavad Gita: Chapter 13, Verse 29

ସମଂ ପଶ୍ୟନ୍‌ହିି ସର୍ବତ୍ର ସମବସ୍ଥିତମୀଶ୍ୱରମ୍ ।
ନ ହିନସ୍ତ୍ୟାତ୍ମନାତ୍ମାନଂ ତତୋ ଯାତି ପରାଂ ଗତିମ୍ ।।୨୯।।

ସମଂ-ସମାନ ଭାବେ; ପଶ୍ୟନ୍‌- ଦେଖି; ହି-ନିଶ୍ଚିତଭାବେ; ସର୍ବତ୍ର -ସର୍ବତ୍ର; ସମବସ୍ଥିତମ୍‌-ସମଭାବରେ ଅବସ୍ଥିତ; ଈଶ୍ୱରମ୍‌-ପରମାତ୍ମା; ନ ହିନସ୍ତି-ଅଧୋଗାମୀ ହୁଏନାହିଁ; ଆତ୍ମାନଂ-ଆତ୍ମା; ତତଃ-ତତ୍ପରେ; ଯାତି-ପ୍ରାପ୍ତ କରନ୍ତି; ପରାଂ-ପରମ; ଗତିମ୍‌-ଗତି (ଲକ୍ଷ୍ୟସ୍ଥଳ) ।

Translation

BG 13.29: ଯେଉଁମାନେ, ଭଗବାନଙ୍କୁ ପରମାତ୍ମା ରୂପରେ ସର୍ବତ୍ର ସମାନ ଭାବରେ ବିଦ୍ୟମାନ ଥିବା ଦେଖନ୍ତି, ସେମାନେ ନିଜ ମନଦ୍ୱାରା ନିଜର ପତନ କରନ୍ତି ନାହିଁ । ତଦ୍ୱାରା ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।

Commentary

ଆନନ୍ଦ ଖୋଜିବା ମନର ସ୍ୱଭାବ ଅଟେ ଏବଂ ଭୌତିକ ପ୍ରକୃତିରୁ ଉତ୍ପନ୍ନ ହୋଇଥିବା ଯୋଗୁଁ, ଭୌତିକ ସୁଖ ପ୍ରତି ସେ ସ୍ୱତଃ ଆକୃଷ୍ଟ ହୋଇଥାଏ । ଆମେ ଯଦି ଆମ ମନର ପ୍ରବୃତ୍ତି ପଛରେ ଗୋଡ଼ାଇବା, ଭୌତିକ ଚେତନାର ଗଭୀରତମ ପ୍ରଦେଶକୁ ଆମର ପତନ ହୋଇଯିବ । ଏହି ଅଧୋଗତିକୁ ପ୍ରତିହତ କରିବାର ଉପାୟ ହେଉଛି, ବୁଦ୍ଧିଦ୍ୱାରା ମନକୁ ନିୟନ୍ତ୍ରଣ କରିବା । ସେଥିପାଇଁ ବୁଦ୍ଧିକୁ ପ୍ରକୃତ ଜ୍ଞାନ ଦ୍ୱାରା ସମୃଦ୍ଧ କରିବା ଆବଶ୍ୟକ ।

ଯେଉଁମାନେ ଭଗବାନଙ୍କୁ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସ୍ଥିତ ପରମାତ୍ମା ରୂପରେ ଦେଖିବାର ଅଭ୍ୟାସ କରିଥାନ୍ତି, ସେମାନେ ଏହି ଜ୍ଞାନରେ ସ୍ଥିତ ରହନ୍ତି । ସେମାନେ ଅନ୍ୟମାନଙ୍କ ସହିତ ସମ୍ପର୍କରୁ ବ୍ୟକ୍ତିଗତ ଲାଭ ବା ସୁଖ ଖୋଜନ୍ତି ନାହିଁ । ଅନ୍ୟମାନେ ତାଙ୍କ ପ୍ରତି କରିଥିବା ଉପକାର ପାଇଁ ସେମାନେ ତାଙ୍କଠାରେ ଆସକ୍ତ ହୁଅନ୍ତି ନାହିଁ କିମ୍ବା ଅନ୍ୟମାନେ ତାଙ୍କ ପ୍ରତି କରିଥିବା କ୍ଷତି ପାଇଁ ସେମାନେ ତାଙ୍କୁ ଘୃଣା କରନ୍ତି ନାହିଁ । ବରଂ, ସମସ୍ତଙ୍କୁ ଭଗବାନଙ୍କର ଅଂଶ ମନେ କରି, ସେମାନେ ସମସ୍ତଙ୍କ ପ୍ରତି ସମ୍ମାନ ଓ ସେବା ଭାବର ଏକ ସୁସ୍ଥ ମନୋଭାବ ପୋଷଣ କରନ୍ତି । ସମସ୍ତଙ୍କ ଠାରେ ଭଗବାନଙ୍କ ଉପସ୍ଥିତି ଅନୁଭବ କରିବା ଯୋଗୁଁ ସେମାନେ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରିବା, ଠକିବା କିମ୍ବା ଅପମାନିତ କରିବା ଠାରୁ କ୍ଷାନ୍ତ ରହନ୍ତି । ତା’ ସହିତ, ଜାତୀୟତା, ଧର୍ମ, ଜାତି, ଲିଙ୍ଗ, ପଦବୀ ଏବଂ ବର୍ଣ୍ଣ ଇତ୍ୟାଦି ମନୁଷ୍ୟକୃତ ପ୍ରଭେଦ ତାଙ୍କ ପାଇଁ ଅର୍ଥହୀନ ହୋଇଥାଏ । ଅତଏବ, ଭଗବାନଙ୍କୁ ସବୁ ପ୍ରାଣୀଙ୍କଠାରେ ଦେଖି ସେମାନେ ତାଙ୍କ ମନକୁ ଉଚ୍ଚସ୍ଥିତିକୁ ନେଇଯାନ୍ତି ଏବଂ ଶେଷରେ ଚରମ ଲକ୍ଷ୍ୟକୁ ପ୍ରାପ୍ତ କରନ୍ତି ।