Bhagavad Gita: Chapter 13, Verse 2

ଶ୍ରୀ ଭଗବାନ ଉବାଚ
ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ ।
ଏତଦ୍ଦ୍ୟୋ ବେତ୍ତି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍‌ବିଦଃ ।।୨।।

ଶ୍ରୀଭଗବାନ ଉବାଚ - ଶ୍ରୀଭଗବାନ କହିଲେ; ଇଦଂ -ଏହି; ଶରୀରଂ -ଶରୀର; କୌନ୍ତେୟ - ହେ କୁନ୍ତି-ପୁତ୍ର; କ୍ଷେତ୍ରଂ -କ୍ଷେତ୍ର; ଇତି- ଏହିପରି, ଅଭିଧୀୟତେ -କୁହାଯାଏ; ଏତତ୍ -ଏହା; ଯଃ -ଯିଏ, ବେତ୍ତି -ଜାଣେ; ତଂ -ତାଙ୍କୁ; ପ୍ରାହୁଃ - କୁହାଯାଏ; କ୍ଷେତ୍ରଜ୍ଞଃ -କ୍ଷେତ୍ରର ଜ୍ଞାତା; ଇତି -ଏହିପରି; ତତ୍‌-ବିଦଃ - ଯିଏ ସତ୍ୟକୁ ଜାଣନ୍ତି ।

Translation

BG 13.2: ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଏହି ଶରୀରକୁ କ୍ଷେତ୍ର (କର୍ମର ସ୍ଥାନ) କୁହାଯାଏ ଏବଂ ଯିଏ ସେହି ସ୍ଥାନକୁ ଜାଣେ ତାଙ୍କୁ କ୍ଷେତ୍ରଜ୍ଞ କୁହାଯାଏ । ଏହା ଉଭୟର ସତ୍ୟତା ଉପଲବ୍ôଧ କରିଥିବା, ଜ୍ଞାନୀ ମହାପୁରୁଷମାନେ କହନ୍ତି ।

Commentary

ଏଠାରେ ଶ୍ରୀକୃଷ୍ଣ ଶରୀର ଏବଂ ଜୀବାତ୍ମା ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ବର୍ଣ୍ଣନା କରିବାକୁ ଆରମ୍ଭ କରିଛନ୍ତି । ଆତ୍ମା ଦିବ୍ୟ ଅଟେ ଏବଂ ସେ ଖାଇବା, ଦେଖିବା, ଆଘ୍ରାଣ କରିବା, ଆସ୍ୱାଦନ କରିବା ଅଥବା ସ୍ପର୍ଶ ଇତ୍ୟାଦି କରିପାରେ ନାହିଁ । ଏହା ପରୋକ୍ଷ ଭାବେ ଏହିସବୁ କାର୍ଯ୍ୟ ଶରୀର-ମନ-ବୁଦ୍ଧି ପ୍ରକ୍ରିୟା ମାଧ୍ୟମରେ କରିଥାଏ, ଯାହାକୁ କର୍ମକ୍ଷେତ୍ର କୁହାଯାଏ । ଆଧୁନିକ ବିଜ୍ଞାନରେ, “ଶକ୍ତିର କ୍ଷେତ୍ର” ଇତ୍ୟାଦି ଶବ୍ଦ ବ୍ୟବହୃତ ହୋଇଥାଏ । ଏକ ଚୁମ୍ବକ ଚାରିପଟେ ଚୁମ୍ବକୀୟ କ୍ଷେତ୍ର ଥାଏ, ଯାହାର ଦ୍ରୁତ ଚାଳନା ବିଜୁଳି ଉତ୍ପନ୍ନ କରିଥାଏ । ବିଜୁଳି ଶକ୍ତିର ଚାରିପଟେ ଏକ ଶକ୍ତି କ୍ଷେତ୍ର ଥାଏ । ଏଠାରେ ବ୍ୟକ୍ତିର କାର୍ଯ୍ୟ ସମୁହର ନିଧାନ ଶରୀର ଅଟେ, ତେଣୁ ଏହାକୁ କ୍ଷେତ୍ର କୁହାଯାଏ ।

ଶରୀର-ମନ-ବୁଦ୍ଧି ପ୍ରକ୍ରିୟା ଠାରୁ ଆତ୍ମା ପୃଥକ ଅଟେ, କିନ୍ତୁ ନିଜର ଦିବ୍ୟଗୁଣକୁ ଭୁଲିଯାଇ, ସେ ଏହି ସବୁ ଭୌତିକ ତତ୍ତ୍ୱ ସହିତ ତାଦାତ୍ମ୍ୟ କରିନିଏ । ତଥାପି ତା’ର ଶରୀର ସମ୍ବନ୍ଧରେ ଜ୍ଞାନ ଥିବା ଦୃଷ୍ଟିରୁ ତାହାକୁ କ୍ଷେତ୍ରଜ୍ଞ ରୂପେ ଅଭିହିତ କରାଯାଏ । ଆତ୍ମାର ଦିବ୍ୟ ଅନୁଭୂତି ସ୍ତରରେ ସ୍ଥିତ, ତଥା ନିଜକୁ ଶରୀର ଠାରୁ ପୃଥକ ଅନୁଭବ କରୁଥିବା ସିଦ୍ଧ ମହାପୁରୁଷମାନେ ଏହି ସବୁ ଶବ୍ଦାବଳୀ ପ୍ରଦାନ କରିଛନ୍ତି ।