Bhagavad Gita: Chapter 15, Verse 10

ଉତ୍‌କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ୍ ।
ବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ ।।୧୦।।

ଉତ୍‌କ୍ରାମନ୍ତଂ -ଶରୀର ତ୍ୟାଗକରି; ସ୍ଥିତଂ - ଶରୀରରେ ଅବସ୍ଥିତ; ବା ଅପି- କିମ୍ବା; ଭୁଞ୍ଜାନାଂ -ଉପଭୋଗ କରି; ବା-କିମ୍ବା; ଗୁଣ-ଅନ୍ୱିତମ୍‌- ମାୟାଧୀନ; ବିମୂଢ଼ାଃ -ମୂର୍ଖମାନେ; ନ ଅନୁପଶ୍ୟନ୍ତି -ଦେଖିପାରନ୍ତି ନାହିଁ; ପଶ୍ୟନ୍ତି -ଦେଖନ୍ତି; ଜ୍ଞାନ-ଚକ୍ଷୁଷଃ -ଯାହାର ଜ୍ଞାନଚକ୍ଷୁ ଅଛି ।

Translation

BG 15.10: ଅଜ୍ଞାନୀମାନେ ଆତ୍ମା ଶରୀରରେ ନିବାସ କରିଥିବା ବେଳେ କିମ୍ବା ଇନ୍ଦ୍ରିୟ ବସ୍ତୁକୁ ଉପଭୋଗ କରୁଥିବା ବେଳେ କିମ୍ବା ଶରୀର ତ୍ୟାଗ କଲାବେଳେ ମଧ୍ୟ, ତାହାକୁ ଉପଲବ୍‌ଧି କରିପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କର ଚକ୍ଷୁ ଜ୍ଞାନଯୁକ୍ତ, ସେମାନେ ତାହାକୁ ଲକ୍ଷ୍ୟ କରିପାରନ୍ତି ।

Commentary

ଯଦିଓ ଆତ୍ମା ଶରୀର ମଧ୍ୟରେ ବାସ କରେ ଏବଂ ମନ ଓ ଇନ୍ଦ୍ରିୟଙ୍କ ଅନୁଭୂତିକୁ ଆସ୍ୱାଦନ କରେ, ତଥାପି ସମସ୍ତେ ଏ ବିଷୟରେ ଅବଗତ ନ ଥାନ୍ତି । କାରଣ ଆତ୍ମା ଅପ୍ରାକୃତ ଅଟେ ଏବଂ ପ୍ରାକୃତ ଇନ୍ଦ୍ରିୟ ଦ୍ୱାରା ତାହାକୁ ସ୍ପର୍ଶ ବା ଦର୍ଶନ କରିହେବ ନାହିଁ । ବୈଜ୍ଞାନିକ ମାନେ ପ୍ରୟୋଗଶାଳାରେ ସେମାନଙ୍କର ଦ୍ୱାରା ଏହାକୁ ଚିହ୍ନଟ କରିପାରନ୍ତି ନାହିଁ । ତେଣୁ ଭୁଲବଶତଃ ସେମାନେ ଶରୀରକୁ ‘ମୁଁ’ ମନେକରନ୍ତି । ଏହା ଜଣେ କାରିଗର, କାର କିପରି ଚାଲେ ତାହା ଜାଣିବାକୁ ଚେଷ୍ଟା କରିବା ପରି ଅଟେ । ସେ ଘୂରୁଥିବା ଚକଠାରୁ ଅନୁସନ୍ଧାନ ଆରମ୍ଭ କରି ଆକ୍ସିଲେରେଟର୍‌, ଇଞ୍ଜିନ୍ ସ୍ୱିଚ୍ ଏବଂ ଷ୍ଟିଅରିଙ୍ଗ ଚକ ଇତ୍ୟାଦି ପାଇଥାଏ । ସେ ଏଗୁଡିକୁ କାର୍ ଚାଲିବାର କାରଣ ରୂପେ ଅଭିହିତ କରିଥାଏ, କିନ୍ତୁ କାର୍ ଚାଳକକୁ ଭୁଲିଯାଇ ଥାଏ । ସେହିପରି ଶରୀର ମଧ୍ୟରେ ଆତ୍ମାର ଅବସ୍ଥିତି ଉପଲବ୍‌ଧି ନ କରି, ଶରୀର ବିଜ୍ଞାନୀମାନେ ଶରୀରର ବିଭିନ୍ନ ଅଂଶଗୁଡ଼ିକ ଶରୀର ମଧ୍ୟରେ ଜୀବନ ସୃଷ୍ଟି କରନ୍ତି, ଏହି ନିର୍ଣ୍ଣୟ ନେଇଥାନ୍ତି ।

କିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ପଥରେ ଯାତ୍ରା କରନ୍ତି, ସେମାନେ ଜ୍ଞାନଚକ୍ଷୁରେ ଦେଖିପାରନ୍ତି ଯେ ଆତ୍ମା ଏହି ସମସ୍ତ ଅଂଶଗୁଡ଼ିକୁ ଶକ୍ତି ପ୍ରଦାନ କରେ । ସେଥିପାଇଁ ଆତ୍ମା ଯେତେବେଳେ ଶରୀର ଛାଡ଼ି ଚାଲିଯାଏ, ଶରୀରର ସମସ୍ତ ଅଙ୍ଗ ଯଥା ହୃତ୍‌ପିଣ୍ଡ, ମସ୍ତିଷ୍କ, ଫୁସ୍‌ଫୁସ୍ ଇତ୍ୟାଦି ଥାଇ ମଧ୍ୟ ଚେତନାହୀନ ହୋଇଯାଆନ୍ତି । ଚୈତନ୍ୟତା ଆତ୍ମାର ଗୁଣ ଅଟେ; ଆତ୍ମା ଶରୀରରେ ଥିବା ପର୍ଯ୍ୟନ୍ତ ଏହା ଶରୀରରେ ରହେ ଏବଂ ଆତ୍ମା ଚାଲିଗଲେ ସେ ମଧ୍ୟ ଚାଲିଯାଏ । କେବଳ ଯାହାର ଜ୍ଞାନ ଚକ୍ଷୁ ଥାଏ, ସେ ଏହାକୁ ଦେଖି ପାରେ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ମୂଢ଼ ବ୍ୟକ୍ତି, ନିଜର ଦିବ୍ୟ ପରିଚୟକୁ ଭୁଲି, ନିଜକୁ ଭୌତିକ ଶରୀର ମନେ କରିଥାଏ ।