Bhagavad Gita: Chapter 15, Verse 12

ଯଦାଦିତ୍ୟଗତଂ ତେଜୋ ଜଗଦ୍‌ଭାସୟତେଽଖିଳମ୍ ।
ଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତତ୍ତେଜୋ ବିଦ୍ଧି ମାମକମ୍ ।।୧୨।।

ଯତ୍‌-ଯାହା; ଆଦିତ୍ୟ ଗତଂ -ସୂର୍ଯ୍ୟକିରଣରେ; ତେଜଃ - ତେଜ; ଜଗତ -ସମଗ୍ର ଜଗତ; ଭାସୟତେ - ଉଦ୍ଭାସିତ ହୁଏ; ଅଖିଳମ୍ - ସମ୍ପୂର୍ଣ୍ଣରୂପେ; ଯତ୍‌-ଯାହା; ଚନ୍ଦ୍ରମସି - ଚନ୍ଦ୍ରରେ; ଯତ୍‌-ଯାହା; ଚ-ମଧ୍ୟ; ଅଗ୍ନୌ- ଅଗ୍ନିରେ; ତତ୍‌-ତାହା; ତେଜଃ -ତେଜ; ବିଦ୍ଧି-ଜାଣିରଖ; ମାମକମ୍ - ମୋ’ଠାରୁ ।

Translation

BG 15.12: ଏହା ଜାଣ ଯେ ମୁଁ ସୌରମଣ୍ଡଳକୁ ଉଦ୍‌ଭାସିତ କରୁଥିବା ସୂର୍ଯ୍ୟଙ୍କ ପ୍ରକାଶ ପରି ଅଟେ । ଚନ୍ଦ୍ରର କିରଣ ଏବଂ ଅଗ୍ନିର ଉଜ୍ଜ୍ୱଳତା ମଧ୍ୟ ମୋ ଠାରୁ ଆସିଥାଏ ।

Commentary

ଆମ୍ଭମାନଙ୍କର ମାନବୀୟ ପ୍ରବୃତ୍ତି ଏପରି ଯେ, ଆମେ ଯାହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁ, ସେଥିପ୍ରତି ଆକର୍ଷିତ ହୋଇଥାଏ । ଆମେ ଶରୀର, ସ୍ୱାମୀ/ସ୍ତ୍ରୀ, ସନ୍ତାନ ଏବଂ ଧନ ଇତ୍ୟାଦିକୁ ଗୁରୁତ୍ୱପୂର୍ଣ୍ଣ ମନେକରି ସେଥି ପ୍ରତି ଆକର୍ଷିତ ହୋଇଥାଏ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି, ସୃଷ୍ଟିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବସ୍ତୁରେ ତାଙ୍କର ଶକ୍ତି ପ୍ରକଟିତ ହୁଏ । ସୂର୍ଯ୍ୟଙ୍କର ଦୀପ୍ତି ତାଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ବୈଜ୍ଞାନିକମାନେ ଆକଳନ କରନ୍ତି, ସୂର୍ଯ୍ୟ ପ୍ରତି ସେକେଣ୍ଡରେ ଲକ୍ଷାଧିକ ଆଣବିକ ଶକ୍ତିକେନ୍ଦ୍ରର ଶକ୍ତି ବିକିରଣ କରିଥାଏ । ଏହା କୋଟି କୋଟି ବର୍ଷ ଧରି ହେଉଅଛି, ତଥାପି ଏହା ସମାପ୍ତ ହୋଇନାହିଁ କିମ୍ବା ଏଥିରେ କୌଣସି ତ୍ରୁଟି ଉତ୍ପନ୍ନ ହୋଇନାହିଁ । ଏପରି ଏକ ଅଦ୍ଭୁତ ସ୍ୱର୍ଗୀୟ ବସ୍ତୁ, ଏକ ବ୍ରହ୍ମାଣ୍ଡୀୟ-ବିସ୍ଫୋଟରୁ ଦୈବାତ୍ ଉତ୍ପନ୍ନ ହୋଇଥିବାର ଚିନ୍ତାଧାରା ଅବାସ୍ତବ ଅଟେ । ସୂର୍ଯ୍ୟ ଭଗବାନଙ୍କର ହିଁ ଐଶ୍ୱର୍ଯ୍ୟ ଅଟନ୍ତି ।

ସେହିପରି ଚନ୍ଦ୍ର ରାତ୍ରୀ ଆକାଶକୁ ଉଜ୍ଜ୍ୱଳ କରିବାର ଏକ ଚମତ୍କାର କାର୍ଯ୍ୟ କରନ୍ତି । ଆମ ପାର୍ଥିବ ବୁଦ୍ଧିରେ ଆମେ ବିଜ୍ଞାନ ସମ୍ମତ ନିଷ୍ପତ୍ତି ନେଇପାରିବା ଯେ ସୂର୍ଯ୍ୟାଲୋକର ପ୍ରତିଫଳନରେ ହିଁ ଚନ୍ଦ୍ରଙ୍କର ରଶ୍ମି ସୃଷ୍ଟି ହେଉଅଛି । କିନ୍ତୁ ଏହି ଚମତ୍କାର ବ୍ୟବସ୍ଥାର ସଂରଞ୍ଚନା ଭଗବାନଙ୍କ ଐଶ୍ୱର୍ଯ୍ୟ ଦ୍ୱାରା ହୋଇଥାଏ ଏବଂ ଭଗବାନଙ୍କ ଅନେକ ବିଭୂତିର ପରିପ୍ରକାଶ ମଧ୍ୟରୁ ଚନ୍ଦ୍ର ଗୋଟିଏ । ଏହି ପ୍ରସଙ୍ଗରେ, କଠୋପନିଷଦରେ ଏକ କାହାଣୀ ଅଛି । କୁହାଯାଏ ଯେ ଥରେ ଦେବତା ଏବଂ ଦୈତ୍ୟ ମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ହେଲା, ଯେଉଁଥିରେ ଶେଷରେ ଦେବତା ମାନଙ୍କର ବିଜୟ ହେଲା । କିନ୍ତୁ ତାଙ୍କର ବିଜୟ ଅହଂକାର ସୃଷ୍ଟି କଲା ଏବଂ ଦେବତାମାନେ ଚିନ୍ତା କରିବାରେ ଲାଗିଲେ ଯେ ତାଙ୍କ ନିଜ ଶକ୍ତିରେ ସେମାନେ ଏହା ହାସଲ କରିଛନ୍ତି । ତାଙ୍କର ଅହଂକାର ଦମନ କରିବା ପାଇଁ, ଭଗବାନ ଜଣେ ଯକ୍ଷ ରୂପରେ ସ୍ୱର୍ଗର ଆକାଶରେ ପ୍ରକଟ ହେଲେ । ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମୟ ଥିଲା । ପ୍ରଥମେ ଇନ୍ଦ୍ର ତାଙ୍କୁ ଦେଖିଲେ ଏବଂ ଜଣେ ସାଧାରଣ ଯକ୍ଷ ତାଙ୍କଠାରୁ ଅଧିକ ତେଜସ୍ୱୀ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ । ସେ ଅଗ୍ନି ଦେବତାଙ୍କୁ ତାଙ୍କ ବିଷୟରେ ବୁଝିବାକୁ ପଠାଇଲେ । ଅଗ୍ନି ଯକ୍ଷଙ୍କ ପାଖକୁ ଯାଇ କହିଲେ, “ମୁଁ ଅଗ୍ନିଦେବତା, ସମସ୍ତ ବିଶ୍ୱକୁ ଗୋଟିଏ ମୁହୂର୍ତ୍ତରେ ଜାଳି ଭସ୍ମ କରିଦେବାର ଶକ୍ତି ମୋର ଅଛି । ବର୍ତ୍ତମାନ ତୁମେ ନିଜର ପରିଚୟ ଦିଅ ।” ଯକ୍ଷରୂପୀ ଭଗବାନ ତାଙ୍କ ସମ୍ମୁଖରେ ଏକ ତୃଣ ରଖି କହିଲେ, “ଦୟାକରି ଏହାକୁ ଜଳାନ୍ତୁ ।” ତାକୁ ଦେଖି ଅଗ୍ନି ହସିବାରେ ଲାଗିଲେ । “ମୋର ଅପାର ଶକ୍ତି ଆଗରେ ଏହି କ୍ଷୁଦ୍ର ତୃଣଟି କ’ଣ? ତଥାପି, ଯେତେବେଳେ ଅଗ୍ନି ତାକୁ ଜାଳିବାକୁ ଚେଷ୍ଟାକଲେ, ଭଗବାନ ଭିତରୁ ତାଙ୍କର ଶକ୍ତିକୁ ହରଣ କରିନେଲେ । ବିଚରା ଅଗ୍ନି ନିଜେ ଶୀତରେ କମ୍ପିତ ହେବାରେ ଲାଗିଲେ । କୌଣସି ବସ୍ତୁକୁ ଜଳାଇବାର ପ୍ରଶ୍ନ ହିଁ ନଥିଲା । ନିଜ ବିଫଳତାରେ ଲଜ୍ଜିତ ହୋଇ, ସେ ଇନ୍ଦ୍ରଙ୍କ ପାଖକୁ ଫେରି ଆସିଲେ ।

ତାପରେ ଇନ୍ଦ୍ର ବାୟୁ ଦେବତାଙ୍କୁ ଯକ୍ଷଙ୍କର ପରିଚୟ ଜାଣିବାକୁ ପଠାଇଲେ! ବାୟୁ ସେଠାକୁ ଯାଇ ଘୋଷଣା କଲେ, “ମୁଁ ବାୟୁ ଦେବତା, ମୁଁ ଇଚ୍ଛା କଲେ ସମଗ୍ର ପୃଥିବୀକୁ ଗୋଟିଏ ମୁହୂର୍ତ୍ତରେ ଓଲଟପାଲଟ କରି ଦେଇ ପାରିବି । ବର୍ତ୍ତମାନ ଦୟାକରି ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ ।” ଯକ୍ଷରୂପୀ ଭଗବାନ ପୁଣିଥରେ ତୃଣର ଖଣ୍ଡଟିକୁ ତାଙ୍କ ସମ୍ମୁଖରେ ରଖି ଅନୁରୋଧ କଲେ “ଦୟାକରି ଏହାକୁ ଉଡ଼ାଇ ଦିଅନ୍ତୁ ।” ତୃଣଟିକୁ ଦେଖି ବାୟୁ ମନେ ମନେ ସ୍ମିତ ହାସ୍ୟ କଲେ । ବାୟୁ କ୍ଷୀପ୍ର ଗତିରେ ଆଗକୁ ବଢ଼ିବାରେ ଲାଗିଲେ, କିନ୍ତୁ ସେହି ସମୟରେ ଭଗବାନ ତାଙ୍କର ମଧ୍ୟ ଶକ୍ତି ଉତ୍ସକୁ ବନ୍ଦ କରିଦେଲେ । ବିଚରା ବାୟୁ ପାଦଟିଏ ଆଗକୁ ଘୁଞ୍ôଚବା ପାଇଁ ମଧ୍ୟ କଷ୍ଟ ଅନୁଭବ କଲେ, ତେଣୁ ଅନ୍ୟ କୌଣସି ବସ୍ତୁକୁ ଉଡ଼ାଇବାର ପ୍ରଶ୍ନ ହିଁ ନ ଥିଲା । ସର୍ବଶେଷରେ ଇନ୍ଦ୍ର ନିଜେ ଯାଇ ସେ ଯକ୍ଷ କିଏ ଜାଣିବାକୁ ଚାହିଁଲେ, କିନ୍ତୁ ଇନ୍ଦ୍ରଙ୍କୁ ଦେଖି ଭଗବାନ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ତାଙ୍କ ସ୍ଥାନରେ ତାଙ୍କର ଦିବ୍ୟ ଯୋଗମାୟା ଶକ୍ତି, ଉମା, ସେଠାରେ ବିରାଜିତ ଥିଲେ । ଯେତେବେଳେ ଇନ୍ଦ୍ର ସେହି ଯକ୍ଷଙ୍କ ବିଷୟରେ ପଚାରିଲେ, ଉମା ଉତ୍ତର ଦେଲେ, “ସେ ଆପଣଙ୍କର ପରମ ପିତା ଭଗବାନ ଥିଲେ, ଯାହାଙ୍କ ଠାରୁ ଆପଣଙ୍କ ସମେତ ସମସ୍ତ ଦେବତାଗଣ ଶକ୍ତି ହାସଲ କରିଥାନ୍ତି । ଆପଣମାନଙ୍କର ଅହଂକାର ନଷ୍ଟ କରିବାକୁ ସେ ଏଠାକୁ ଆସିଥିଲେ ।”