ମହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତାଃ ।
ଭଜନ୍ତ୍ୟନନ୍ୟମନସୋ ଜ୍ଞାତ୍ୱା ଭୂତାଦିମବ୍ୟୟମ୍ ।।୧୩।।
ମହାତ୍ମାନଃ - ମହାତ୍ମାମାନେ; ତୁ - କିନ୍ତୁ; ମାମ୍ - ମୋତେ; ପାର୍ଥ - ହେ କୁନ୍ତି ପୁତ୍ର; ଦୈବୀଂ - ଦୈବୀ; ପ୍ରକୃତିମ୍ - ପ୍ରକୃତି; ଆଶ୍ରିତାଃ - ଆଶ୍ରୟ ଗ୍ରହଣ କରି; ଭଜନ୍ତି - ସେବା କରନ୍ତି; ଅନନ୍ୟ ମନସଃ - ଏକ ମନରେ (ସ୍ଥିର ମନରେ); ଜ୍ଞାତ୍ୱା - ଜାଣି; ଭୂତ - ସୃଷ୍ଟି; ଆଦିମ୍ - ଆଦି; ଅବ୍ୟୟମ୍ - ଅବ୍ୟୟ (ଯାହାର ବ୍ୟୟ ନାହିଁ) ।
Translation
BG 9.13: ହେ ପାର୍ଥ ! ଯେଉଁ ମହାତ୍ମାମାନେ ମୋର ଦୈବୀଶକ୍ତିର ଶରଣାପନ୍ନ ହୋଇଥାଆନ୍ତି, ସେମାନେ ମୋତେ ସମଗ୍ର ସୃଷ୍ଟିର ଆଦିକାରଣ, ଶ୍ରୀକୃଷ୍ଣ ରୂପରେ ଜାଣନ୍ତି । ସେମାନେ ଅନନ୍ୟ ଭାବରେ ମୋର ଭକ୍ତିରେ ନିମଗ୍ନ ରହନ୍ତି ।
Commentary
ଶ୍ରୀକୃଷ୍ଣଙ୍କର ଶିକ୍ଷାଦେବାର ଶୈଳୀ ଏପରି ଯେ, ସେ କୌଣସି ତଥ୍ୟକୁ ହୃଦୟଙ୍ଗମ କରାଇବା ପାଇଁ, ସଂପୂର୍ଣ୍ଣ ବିପରୀତାତ୍ମକ ତୁଳନା ଉପସ୍ଥାପନ କରନ୍ତି । ଭ୍ରମିତ ଏବଂ ଦ୍ୱନ୍ଦଯୁକ୍ତ ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରିସାରିବା ପରେ ସେ ବର୍ତ୍ତମାନ ମହାପୁରୁଷମାନଙ୍କ ବିଷୟରେ କହୁଛନ୍ତି । ମାୟାଶକ୍ତି ଦ୍ୱାରା ସମ୍ମୋହିତ ହୋଇ ନିଦ୍ରା ଅବସ୍ଥାକୁ ପ୍ରାପ୍ତ କରିଥିବା ଜୀବମାନେ, ସାଂସାରିକ ଜୀବନକୁ ଏକ ଦୀର୍ଘ ସ୍ୱପ୍ନ ପରି ଅନୁଭବ କରନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ଅଜ୍ଞାନ ନିଦ୍ରାରୁ ଜାଗ୍ରତ ଅବସ୍ଥାକୁ ପ୍ରାପ୍ତ ହୋଇ ମାୟିକ ଚେତନାକୁ ଏକ ଦୁଃସ୍ୱପ୍ନ ଭାବେ ପରିତ୍ୟାଗ କରିଦିଅନ୍ତି, ସେମାନେ ହିଁ ମହାପୁରୁଷ ଅଟନ୍ତି ।
ମାୟା ବନ୍ଧନରୁ ମୁକ୍ତ ହୋଇ ସେମାନେ ଦିବ୍ୟ ଯୋଗମାୟା ଶକ୍ତିର ଆଶ୍ରିତ ରହନ୍ତି । ଏହିପରି ପ୍ରବୁଦ୍ଧ ଆତ୍ମା ଭଗବାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ରୂପକ ଦିବ୍ୟ ସତ୍ୟ ବିଷୟରେ ସଚେତନ ରହିଥାଆନ୍ତି ।
ଭଗବାନଙ୍କ ପରି, ତାଙ୍କ ଯୋଗମାୟା ଶକ୍ତିର ମଧ୍ୟ ନିରାକାର-ସାକାର ଉଭୟ ସ୍ୱରୂପ ରହିଛି । ଏହା ଶକ୍ତି ରୂପରେ ନିରାକାର ହୋଇଥିଲେ ବି ରାଧା, ସୀତା, ଦୁର୍ଗା, ଲକ୍ଷ୍ମୀ, କାଳୀ, ପାର୍ବତୀ ଆଦି ସାକାର ରୂପରେ ପ୍ରକଟିତ ହୋଇଥାଏ । ଏହିସବୁ ଦିବ୍ୟ ସ୍ୱରୂପ ଭଗବାନଙ୍କ ଦିବ୍ୟ ଶକ୍ତିର ପରିପ୍ରକାଶ ଅଟନ୍ତି । କୃଷ୍ଣ, ରାମ, ଶିବ, ନାରାୟଣ ଆଦି ଭଗବାନଙ୍କର ଅଭିନ୍ନ ସ୍ୱରୂପ ପରି, ଏମାନେ ମଧ୍ୟ ପରସ୍ପର ଠାରୁ ଅଭିନ୍ନ ଅଟନ୍ତି ।
ବ୍ରହ୍ମ ବୈବର୍ତ୍ତ ପୁରାଣ କହେ:
ଯଥା ତ୍ୱଂ ରାଧିକା ଦେବୀ ଗୋଲୋକେ ଗୋକୁଲେ ତଥା
ବୈକୁଣ୍ଠେ ଚ ମହାଲକ୍ଷ୍ମୀ ଭାବତି ଚ ସରସ୍ୱତୀ
କପିଳସ୍ୟ ପିୟା କାନ୍ତା ଭାରତେ ଭାରତୀ ସତୀ
ଦ୍ୱାରବତ୍ୟାଂ ମହାଲକ୍ଷ୍ମୀ ଭାବତୀ ରୁକ୍ମିଣୀ ସତୀ
ତ୍ୱଂ ସୀତା ମିଥିଲାୟାଂ ଚ ତ୍ୱଚ୍ଛାୟା ଦୈପଦୀ ସତୀ
ରାବଣେନ ହୃତା ତ୍ୱଂ ଚ ତ୍ୱଂ ଚ ରାମସ୍ୟ କାମିନୀ
ହେ ରାଧା! ଆପଣ ଗୋଲୋକ (ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୋକ) ଏବଂ ଗୋକୁଳ (ପ୍ରାକୃତ ଜଗତରେ ଶ୍ରୀକୃଷ୍ଣଙ୍କର ଲୋକ, ଯେଉଁଠି ସେ ୫୦୦୦ବର୍ଷ ପୂର୍ବେ ଅବତରିତ ହୋଇଥିଲେ)ର ମହାଦେବୀ ଅଟନ୍ତି । ଆପଣ ବୈକୁଣ୍ଠରେ (ଶ୍ରୀ ବିଷ୍ଣୁଙ୍କର ଲୋକ) ମହାଲକ୍ଷ୍ମୀ ରୂପରେ ବିରାଜମାନ କରିଛନ୍ତି । ଆପଣ ପ୍ରଭୁ କପିଳଙ୍କର (ଭଗବାନଙ୍କର ଏକ ଅବତାର) ପ୍ରିୟା ଅଟନ୍ତି । ଆପଣ ଦ୍ୱାରକାରେ ରୁକ୍ମିଣୀ (ଶ୍ରୀକୃଷ୍ଣଙ୍କ ପତ୍ନୀ) ଭାବରେ ନିବାସ କରନ୍ତି । ଆପଣ ସୀତା ରୂପରେ ମିଥିଳାରେ ଆବିର୍ଭୂତ ହୋଇଥିଲେ । ପାଣ୍ଡବ ମାନଙ୍କର ପତ୍ନୀ, ଦ୍ରୌପଦୀ, ଆପଣଙ୍କର ଛାୟା ରୂପ ଅଟନ୍ତି । ସୀତା ରୂପରେ ଆପଣଙ୍କୁ ହିଁ ରାବଣ ଅପହରଣ କରିଥିଲା ଏବଂ ଆପଣ ହିଁ ପ୍ରଭୁ ଶ୍ରୀରାମଙ୍କର ସହଧର୍ମିଣୀ ଥିଲେ ।
ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ, ମହାତ୍ମାମାନେ ଭଗବାନଙ୍କ ଦିବ୍ୟ ଶକ୍ତିର ଆଶ୍ରିତ ଅଟନ୍ତି । ଦିବ୍ୟ କରୁଣା, ଜ୍ଞାନ, ପ୍ରେମ ଇତ୍ୟାଦି ଭଗବାନଙ୍କର ଦିବ୍ୟ ଶକ୍ତି ଅଟନ୍ତି ଏବଂ ଏମାନେ ସମସ୍ତେ ଦିବ୍ୟ ଯୋଗମାୟା ଶକ୍ତି, ଅର୍ଥାତ୍ ଶ୍ରୀରାଧାଙ୍କର ଅଧୀନସ୍ତ ଅଟନ୍ତି । ସୁତରାଂ ଯୋଗମାୟାଙ୍କ କୃପାରୁ ହିଁ ଜୀବ ଭଗବାନଙ୍କର ପ୍ରେମ, ଜ୍ଞାନ ଏବଂ କରୁଣା ପ୍ରାପ୍ତ କରିଥାଏ । ଯେଉଁ ମହାପୁରୁଷମାନେ ଭଗବାନଙ୍କର ଦିବ୍ୟ କୃପା ଲାଭ କରିଥାଆନ୍ତି, ସେମାନେ ଦିବ୍ୟ ପ୍ରେମ ଯୁକ୍ତ ହୋଇ ଭଗବାନଙ୍କର ଅବିରଳ ଭକ୍ତିରେ ନିମଗ୍ନ ରହନ୍ତି ।