ପତ୍ରଂ ପୁଷ୍ପଂ ଫଲଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।
ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ ।।୨୬।।
ପତ୍ରଂ - ପତ୍ର; ପୁଷ୍ପଂ -ଫୁଲ; ଫଳଂ -ଫଳ; ତୋୟଂ - ଜଳ; ଯଃ - ଯିଏ; ମେ- ମୋତେ; ଭକ୍ତ୍ୟା - ଭକ୍ତିରେ; ପ୍ରୟଚ୍ଛତି - ଅର୍ପଣ କରେ; ତତ୍ - ତାହା; ଅହଂ - ମୁଁ; ଭକ୍ତି -ଉପହୃତଂ - ଭକ୍ତିରେ ଅର୍ପିତ; ଅଶ୍ନାମି - ଗ୍ରହଣ କରେ; ପ୍ରୟତ ଆତ୍ମନଃ - ଶୁଦ୍ଧ ଚେତନାରେ ଥିବା ବ୍ୟକ୍ତି ।
Translation
BG 9.26: ମୋର ଭକ୍ତ ଯଦି ଶୁଦ୍ଧ ହୃଦୟ ଓ ଭକ୍ତି ସହକାରେ, ମୋତେ କେବଳ ଗୋଟିଏ ପତ୍ର, ଗୋଟିଏ ପୁଷ୍ପ ଏମିତିକି କେବଳ ଜଳ ଅର୍ପଣ କରେ, ତେବେ ମୁଁ ତାହାକୁ ସହର୍ଷ ସ୍ୱୀକାର କରିଥାଏ ।
Commentary
ପରଂବ୍ରହ୍ମଙ୍କୁ ଉପାସନା କରିବାର ଗୁରୁତ୍ୱ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏହା କରିବା କେତେ ସହଜ ତାହା ବର୍ଣ୍ଣନା କରୁଛନ୍ତି । ଦେବତା ଓ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ, ପୂଜା କରିବା ପାଇଁ ଅନେକ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ପଡିଥାଏ଼ । କିନ୍ତୁ ଶ୍ରଦ୍ଧା ଯୁକ୍ତ ହୃଦୟରେ ଯାହା ବି ଅର୍ପଣ କଲେ, ଭଗବାନ ତାହା ଗ୍ରହଣ କରନ୍ତି । ଯଦି ତୁମ ପାଖରେ କେବଳ ଫଳ ଅଛି ତାକୁ ଭଗବାନଙ୍କୁ ଅର୍ପଣ କର, ସେ ସନ୍ତୁଷ୍ଟ ହୋଇଯିବେ । ଯଦି ଫଳ ଉପଲବ୍ଧ ନୁହେଁ, ତେବେ ପୁଷ୍ପ ଅର୍ପଣ କର । ଯଦି ପୁଷ୍ପ ବି ନାହିଁ ତାହେଲେ ଭଗବାନଙ୍କୁ ପତ୍ରଟିଏ ଅର୍ପଣ କର । ସ୍ନେହର ସହିତ ଅର୍ପଣ କରାଗଲେ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାହାହିଁ ଯଥେଷ୍ଟ । ଯଦି ପତ୍ର ବି ନାହିଁ, ତେବେ ଜଳ ତ ସର୍ବତ୍ର ଉପଲବ୍ଧ, ତାହା ଅର୍ପଣ କର । କିନ୍ତୁ ତାହା ଭକ୍ତିରେ ଅର୍ପଣ କରାଯିବା ଆବଶ୍ୟକ । ଭକ୍ତ୍ୟା ଶବ୍ଦ ଏହି ଶ୍ଲୋକର ପ୍ରଥମ ଓ ଦ୍ୱିତୀୟ ପଂକ୍ତିରେ ବ୍ୟବହାର କରାଯାଇଛି । ଭକ୍ତର ଭକ୍ତି ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିଥାଏ, ଅର୍ପିତ ବସ୍ତୁର ମୂଲ୍ୟ ନୁହେଁ ।
ଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ଭଗବାନଙ୍କ ଦିବ୍ୟ କୃପାମୟ ସ୍ୱଭାବକୁ ପ୍ରକାଶିତ କରିଥାଏ । ଆମେ ଅର୍ପଣ କରୁଥିବା ଦ୍ରବ୍ୟର ମୂଲ୍ୟକୁ ଭଗବାନ ଗୁରୁତ୍ୱ ଦିଅନ୍ତି ନାହିଁ । ବରଂ, କେତେ ଶ୍ରଦ୍ଧାରେ ଆମେ ତାହା ଅର୍ପଣ କରିଅଛେ, ସର୍ବାଧିକ ମହତ୍ତ୍ୱ ସେ ତାହାକୁ ଦେଇଥାଆନ୍ତି । ହରି ଭକ୍ତି ବିଳାସରେ ଉଲ୍ଲେଖ ଅଛି:
ତୁଳସୀ - ଦଳ - ମାତ୍ରେଣ ଜଲସ୍ୟ ଚୁଲୁକେନ ଚ ।
ବିକ୍ରୀଣୀତେ ସ୍ୱଂ ଆତ୍ମାନମ୍ ଭକ୍ତେଭ୍ୟୋ ଭକ୍ତ ବତ୍ସଳଃ । (୧୧.୨୬୧)
ତୁମେ ଯଦି ହାତ ପାପୁଲିରେ ଧରି ପାରୁଥିବା ମାତ୍ରାର ଜଳରେ ତୁଳସୀ ପତ୍ରଟିଏ ରଖି, ପ୍ରେମପୂର୍ଣ୍ଣ ହୃଦୟରେ ଭଗବାନଙ୍କୁ ଅର୍ପଣ କରିବ, ପ୍ରତିବଦଳରେ ସେ ନିଜକୁ ତୁମ ନିକଟରେ ଅର୍ପଣ କରିଦେବେ, କାରଣ ପ୍ରେମ ଦ୍ୱାରା ସେ ବଶୀଭୂତ ହୋଇ ଥାଆନ୍ତି । ଏହା କେତେ ଆଶ୍ଚର୍ଯ୍ୟର କଥା ଯେ ଅନନ୍ତ ବ୍ରହ୍ମାଣ୍ଡର ସ୍ୱାମୀ, ଯିଏ ଅନନ୍ତ ବର୍ଣ୍ଣନାନୀତ ଗୁଣର ଅଧିକାରୀ ଅଟନ୍ତି ଏବଂ ଯାହାର ସଂକଳ୍ପ ମାତ୍ରେ ଅନନ୍ତ ବ୍ରହ୍ମାଣ୍ଡର ସୃଷ୍ଟି ଓ ବିଲୟ ହୋଇଥାଏ, ସେ ପ୍ରେମର ସହିତ ଅର୍ପଣ କରାଯାଉଥିବା ଆମର ନଗଣ୍ୟ ଉପହାରକୁ ମଧ୍ୟ ସ୍ୱୀକାର କରନ୍ତି । ଏଠାରେ ବ୍ୟବହୃତ ଶବ୍ଦଟି ହେଉଛି “ପ୍ରୟତାତ୍ମନଃ”, ଅର୍ଥାତ୍ ବିଶୁଦ୍ଧ ଅନ୍ତଃକରଣ ଯୁକ୍ତ ବ୍ୟକ୍ତିର ଅର୍ପଣ ମୁଁ ସ୍ୱୀକାର କରେ ।
ଶ୍ରୀମଦ୍ ଭାଗବତମ୍ରେ ମଧ୍ୟ ଭଗବତ୍ ଗୀତାର ଏହି ଶ୍ଲୋକଟି ଅବିକଳ ଭାବରେ ରହିଛି । ସୁଦାମାଙ୍କ ଘରେ ଖୁଦ ଭଜା ଖାଇ ଶ୍ରୀକୃଷ୍ଣ
କହୁଛନ୍ତି:ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।
ତଦହଂ ଭକ୍ତ୍ୟୁପହୃତଂ ଅଶ୍ନାମି ପ୍ରୟତାତ୍ମନଃ ।ା (ଭା. ୧୦.୮୧.୪)
ମୋର ଭକ୍ତ ଯଦି ପ୍ରେମଯୁକ୍ତ ହୋଇ ବିଶୁଦ୍ଧ ମନରେ ମୋତେ ଗୋଟିଏ ପତ୍ର, ପୁଷ୍ପ, ଫଳ,ଏମିତିକି ଜଳ ଅର୍ପଣ କରିଥାଆନ୍ତି, ମୁଁ ତାକୁ ସହର୍ଷ ସ୍ୱୀକାର କରିଥାଏ ।
ଭଗବାନ ଯେତେବେଳେ ଧରା ପୃଷ୍ଠରେ ଅବତରିତ ହୁଅନ୍ତି, ତାଙ୍କର ଦିବ୍ୟ ଲୀଳାମାନଙ୍କରେ ସେ ଏହିସବୁ ଗୁଣ ପ୍ରକଟ କରିଥାନ୍ତି । ମହାଭାରତ ଯୁଦ୍ଧ ପୂର୍ବରୁ, ଶ୍ରୀକୃଷ୍ଣ ଯେତେବେଳେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ସନ୍ଧି ସ୍ଥାପନ କରିବା ଉଦ୍ଦେଶ୍ୟରେ ହସ୍ତିନାପୁରକୁ ଯାଇଥିଲେ, ଦୁଷ୍ଟ ଦୁର୍ଯ୍ୟୋଧନ ଗର୍ବର ସହିତ ତାଙ୍କ ପାଇଁ ଛପନ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । କିନ୍ତୁ ଶ୍ରୀକୃଷ୍ଣ ତାଙ୍କର ଆତିଥ୍ୟକୁ ପ୍ରତ୍ୟାଖାନ କରି, ବିଦୁରାଣୀଙ୍କ କୁଟୀରକୁ ଯାଇଥିଲେ, ଯିଏ କି ଆକୁଳ ଚିତ୍ତରେ ତାଙ୍କ ପ୍ରିୟ ଇଷ୍ଟଦେବଙ୍କର ସେବା କରିବାକୁ ପ୍ରତୀକ୍ଷା କରିଥିଲେ । ଭଗବାନ ତାଙ୍କ ଗୃହରେ ପଦାର୍ପଣ କରିବା ଦେଖି ବିଦୁରାଣୀ ଆତ୍ମବିଭୋର ହୋଇଗଲେ । ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବାକୁ ତାଙ୍କ ପାଖରେ କେବଳ କଦଳୀ ହିଁ ଥିଲା । କିନ୍ତୁ ଖୁସିରେ ତାଙ୍କ ବୁଦ୍ଧି ଏପରି ଆତ୍ମହରା ହୋଇଗଲା ଯେ ସେ ଜାଣିପାରିଲେ ନାହିଁ ଫଳଗୁଡ଼ିକୁ ଫୋପାଡ଼ି ସେ ଚୋପାଗୁଡ଼ିକୁ ଶ୍ରୀକୃଷ୍ଣଙ୍କୁ ମୁହଁରେ ଦେଉଛନ୍ତି । ତଥାପି ତାଙ୍କର ଭକ୍ତି ଭାବନାକୁ ଦେଖି, ଶ୍ରୀକୃଷ୍ଣ ଆନନ୍ଦର ସହିତ ସେହି ଚୋପାସବୁ ଖାଇ ଚାଲିଲେ, ସତେ ଯେପରି ସେଗୁଡ଼ିକ ପୃଥିବୀର ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ଥିଲା ।