Bhagavad Gita: Chapter 9, Verse 7-8

ସର୍ବଭୂତାନି କୌନ୍ତେୟ ପ୍ରକୃତିଂ ଯାନ୍ତି ମାମିକାମ୍ ।
କଳ୍ପକ୍ଷୟେ ପୁନସ୍ଥାନି କଳ୍ପାଦୌ ବିସୃଜାମ୍ୟହମ୍ ।।୭।।
ପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ ।
ଭୂତଗ୍ରାମମିମଂ କୃତ୍ସ୍ନମବଶଂ ପ୍ରକୃତେର୍ବଶାତ୍ ।।୮।।

ସର୍ବଭୂତାନି - ସମସ୍ତ ସୃଷ୍ଟ ଜୀବ; କୌନ୍ତେୟ - ହେ କୁନ୍ତିପୁତ୍ର!; ପ୍ରକୃତିଂ - ପ୍ରକୃତି; ଯାନ୍ତି - ପ୍ରବେଶ କରନ୍ତି; ମାମିକାମ୍ - ମୋ’ଠାରେ; କଳ୍ପକ୍ଷୟେ - କଳ୍ପ ଶେଷରେ; ପୁନଃ - ପୁନର୍ବାର; ତାନି - ସେ ସବୁ; କଳ୍ପ-ଆଦୌ - କଳ୍ପ ଆରମ୍ଭରେ; ବିସୃଜାମି -ସୃଷ୍ଟିକରେ; ଅହମ୍ - ମୁଁ; ପ୍ରକୃତିଂ -ଭୂତ ପ୍ରକୃତି; ସ୍ୱାମ୍ - ମୋର ନିଜର; ଅବଷ୍ଟଭ୍ୟ - ପ୍ରବେଶ କରେ; ବିସୃଜାମି - ସୃଷ୍ଟି କରେ; ପୁନଃ-ପୁନଃ - ବାରମ୍ବାର; ଭୂତଗ୍ରାମଂ - ଏ ସମସ୍ତ ଦୃଶ୍ୟଜଗତ; ଇମଂ - ଏହାକୁ; କୃତ୍ସ୍ନଂ - ସମଗ୍ର; ଅବଶଂ - ଆପେ ଆପେ; ପ୍ରକୃତେଃ - ପ୍ରାକୃତିକ ଶକ୍ତି ଦ୍ୱାରା; ବଶାତ୍ - ବାଧ୍ୟହୋଇ ।

Translation

BG 9.7-8: କଳ୍ପର ଅନ୍ତରେ, ସମସ୍ତ ପ୍ରାଣୀ ମୋର ଅନାଦି ମାୟାଶକ୍ତିରେ ଲୀନ ହୋଇଯାଆନ୍ତି । ହେ କୁନ୍ତି ପୁତ୍ର! ପରବର୍ତ୍ତୀ ସୃଷ୍ଟିର ପ୍ରାରମ୍ଭରେ ମୁଁ ପୁଣି ସେମାନଙ୍କୁ ପ୍ରକଟିତ କରିଥାଏ । ମାୟାଶକ୍ତିର ଅଧ୍ୟକ୍ଷ ଭାବରେ, ସେମାନଙ୍କର ପ୍ରକୃତିଗତ ଗୁଣ ଅନୁଯାୟୀ ମୁଁ ଅସଂଖ୍ୟ ପ୍ରକାରର ପ୍ରାଣୀ ସୃଷ୍ଟି କରେ ।

Commentary

ପୂର୍ବ ଦୁଇଟି ଶ୍ଲୋକରେ ଶ୍ରୀକୃଷ୍ଣ କହିଲେ ସମସ୍ତ ପ୍ରାଣୀ ତାଙ୍କଠାରେ ନିବାସ କରନ୍ତି । ତାଙ୍କର ଏହି ବକ୍ତବ୍ୟ ମନରେ କେତୋଟି ପ୍ରଶ୍ନ ଉଦ୍ରେକ କରିଥାଏ; “ମହାପ୍ରଳୟରେ ଯେତେବେଳେ ସମଗ୍ର ସଂସାରର ବିଲୟ ଘଟେ, ସେତେବେଳେ ଏହିସବୁ ଜୀବ କୁଆଡ଼େ ଯାଆନ୍ତି?” ସେହି ପ୍ରଶ୍ନର ଉତ୍ତର ଏହି ଶ୍ଲୋକରେ ଦିଆଯାଇଅଛି ।

ପୂର୍ବ ଅଧ୍ୟାୟ ଶ୍ଲୋକ ୮.୧୬ ଠାରୁ ୮.୧୯ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ କିପରି ସୃଷ୍ଟି, ପାଳନ ଏବଂ ବିଲୟ ଚକ୍ରର ପୁନରାବୃତ୍ତି ହେଉଅଛି । ଏଠାରେ କଳ୍ପ-କ୍ଷୟ ଶବ୍ଦର ଅର୍ଥ ହେଉଛି “ବ୍ରହ୍ମାଙ୍କ ଆୟୁର ସମାପ୍ତି । ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ପୂର୍ଣ୍ଣ ହେଲେ, ଯାହାକି ୩୧୧ ଖର୍ବ ୪୦ ଅର୍ବ ପୃଥିବୀ ବର୍ଷ ସହିତ ସାମନ, ସମସ୍ତ ପରିପ୍ରକାଶ ବ୍ରହ୍ମାଣ୍ଡ ଲୀନ ହୋଇଯାଇ ଏକ ସ୍ଥାଣୁ ଅବସ୍ଥାକୁ ପ୍ରାପ୍ତ ହୋଇଥାଏ । ପଂଚ ମହାଭୂତ, ପଂଚ ତନ୍ମାତ୍ରାରେ ବିଲୟ ହୋଇଯାଏ, ପଂଚ ତନ୍ମାତ୍ରା ଅହଂକାରରେ, ଅହଂକାର ମହାନରେ, ମହାନ ପ୍ରକୃତିରେ ବିଲୟ ହୁଏ । ପ୍ରକୃତି ଅନାଦି ମାୟିକ ଶକ୍ତି ଅଟେ ଏବଂ ପ୍ରକୃତି ପରଂବ୍ରହ୍ମ ମହାବିଷ୍ଣୁଙ୍କର ଦିବ୍ୟ ଶରୀରରେ ଆଶ୍ରୟ ନିଏ ।

ସେହି ସମୟରେ, ସଂସାରର ସମସ୍ତ ଜୀବ ଭଗବାନଙ୍କ ଶରୀରରେ ସୁପ୍ତ ଅବସ୍ଥାରେ ଆଶ୍ରୟ ନିଅନ୍ତି । ସେମାନଙ୍କର ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ତାଙ୍କ ଉତ୍ପତ୍ତିର ଉତ୍ସ ମାୟାରେ ଲୀନ ହୋଇଯାଏ । କିନ୍ତୁ କାରଣ ଶରୀର ତଥାପି ମଧ୍ୟ ରହିଥାଏ । (ତିନି ପ୍ରକାରର ଶରୀର ବିଷୟରେ ଶ୍ଲୋକ ୨/୨୮ର ବ୍ୟାଖ୍ୟାରେ ବର୍ଣ୍ଣନା କରାଯାଇଛି) । ବିଲୟ ପରେ ଯେତେବେଳେ ଭଗବାନ ପୁୁଣି ସୃଷ୍ଟି କରନ୍ତି, ମାୟା ଶକ୍ତି ବିପରୀତ ପର୍ଯ୍ୟାୟ କ୍ରମେ ପ୍ରକୃତି - ମହାନ - ଅହଂକାର -ପଂଚ ତନ୍ମାତ୍ରା - ପଂଚ ମହାଭୂତ ରୂପରେ ନିଜକୁ ବିମୋଚିତ କରିଥାଏ । ତା ପରେ, କେବଳ ‘କାରଣ ଶରୀର’ରେ ସୁପ୍ତ ଅବସ୍ଥାରେ ଥିବା ଜୀବ ସମୁଦାୟ ପୁନର୍ବାର ସଂସାରରେ ସ୍ଥାପିତ ହୁଅନ୍ତି । କାରଣ ଶରୀର ଅନୁସାରେ ସେମାନେ ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ପ୍ରାପ୍ତ କରନ୍ତି ଏବଂ ସଂସାରରେ ଭିନ୍ନ ଭିନ୍ନ ପ୍ରକାର ଜୀବଙ୍କର ସୃଷ୍ଟି ହୋଇଥାଏ । ନିଜ ନିଜର ଲୋକ ଅନୁଯାୟୀ, ସେମାନଙ୍କର ସ୍ୱରୂପରେ ଭେଦ ପରିଲକ୍ଷିତ ହୋଇଥାଏ । କେତେକ ଲୋକରେ ଅଗ୍ନି ଶରୀରର ପ୍ରମୁଖ ତତ୍ତ୍ୱ ଅଟେ,  ପୃଥିବୀ ଲୋକରେ ଶରୀରର ମୁଖ୍ୟ ତତ୍ତ୍ୱ ପୃଥିବୀ ଏବଂ ଜଳ ଅଟେ । ସୁତରାଂ, ଶରୀରର ସୂକ୍ଷ୍ମତା ଏବଂ କାର୍ଯ୍ୟକାରିତାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରଭେଦ ରହିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଅସଂଖ୍ୟ ପ୍ରକାରର ଜୀବ ଯୋନି କହୁଛନ୍ତି ।