Bhagavad Gita: Chapter 9, Verse 32

ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ ।
ସ୍ତ୍ରିୟୋ ବୈଶ୍ୟସ୍ତଥା ଶୂଦ୍ରାସ୍ତେଽପି ଯାନ୍ତି ପରାଂ ଗତିମ୍ ।।୩୨।।

ମାଂ- ମୋତେ; ହି - ନିଶ୍ଚିତଭାବେ; ପାର୍ଥ - ହେ ପୃଥାପୁତ୍ର; ବ୍ୟପାଶ୍ରିତ୍ୟ - ବିଶେଷ ଭାବରେ ଆଶ୍ରୟ ନେଇ; ଯେ - ଯିଏ କେହି; ଅପି - ମଧ୍ୟ; ସ୍ୟୁଃ - ହୁଏ; ପାପ-ଯୋନୟଃ - ନୀଚ କୁଳରେ ଜାତ; ସ୍ତ୍ରୀୟଃ - ସ୍ତ୍ରୀ ଲୋକମାନେ; ବୈଶ୍ୟାଃ - ବୈଶ୍ୟମାନେ; ତଥା - ମଧ୍ୟ; ଶୁଦ୍ରାଃ -ଶୂଦ୍ରମାନେ; ତେ ଅପି - ସେମାନେ ମଧ୍ୟ; ଯାନ୍ତି - ଯା’ନ୍ତି; ପରାଂ - ପରମ; ଗତିଂ - ଗତି ।

Translation

BG 9.32: ଯେଉଁମାନେ ମୋର ଆଶ୍ରିତ ହୁଅନ୍ତି, ତାଙ୍କର ଜନ୍ମ, କୁଳ, ଲିଙ୍ଗ ବା ଜାତି ଯାହା ହେଇଥାଉନା କାହିଁକି, ଏପରିକି ସମାଜର ନିନ୍ଦିତ ଶ୍ରେଣୀର ବ୍ୟକ୍ତି ମଧ୍ୟ ପରମ ଚରମ ଲକ୍ଷ୍ୟ ପ୍ରାପ୍ତି କରିଥାଆନ୍ତି ।

Commentary

ସଂସାରରେ ଏପରି ବ୍ୟକ୍ତି ଅଛନ୍ତି, ଯେଉଁମାନେ ସୌଭାଗ୍ୟବଶତଃ ଧାର୍ମିକ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି, ଯେଉଁଠାରେ ବାଲ୍ୟକାଳରୁ ସେମାନଙ୍କୁ ଉଚ୍ଚ ମୂଲ୍ୟବୋଧ ଏବଂ ଧର୍ମ ସଂସ୍କାରର ଶିକ୍ଷା ପ୍ରାପ୍ତ ହୋଇଥାଏ । ଏହା ସେମାନଙ୍କର ପୂର୍ବଜନ୍ମର ଭଲ କର୍ମର ଫଳ ଅଟେ । ପୁଣି ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଦୁର୍ଭାଗ୍ୟବଶତଃ ମଦ୍ୟପ, ଅପରାଧି, ଜୁଆଡ଼ି ଓ ନାସ୍ତିକ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି । ଏହା ମଧ୍ୟ ସେମାନଙ୍କର ପୂର୍ବ ଜନ୍ମରେ କରିଥିବା ପାପର ଫଳ ଅଟେ ।

ଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଦେଉଛନ୍ତି ଯେ, ଜନ୍ମ, ଲିଙ୍ଗ, ଜାତି ବା କୁଳ ନିର୍ବିଶେଷରେ ଯିଏବି ମୋର ପୂର୍ଣ୍ଣ ଶରଣାଗତ ହୁଏ, ସେ ଚରମ ଲକ୍ଷ୍ୟ ପ୍ରାପ୍ତ କରିବ । ଭକ୍ତି ମାର୍ଗର ମହାନତା ଏହା ଯେ ସମସ୍ତେ ଏହାର ଅଧିକାରୀ ଅଟନ୍ତି । ଅନ୍ୟ ମାର୍ଗର ଅଧିକାରୀ ହେବା ପାଇଁ କଠିନ ନିୟମ ରହିଛି ।

ଜ୍ଞାନ ମାର୍ଗର ଅଧିକାରୀତ୍ୱ ବିଷୟରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହୁଛନ୍ତି:

ବିବେକିନୋ ବିରକ୍ତସ୍ୟ ଶମାଦିଗୁଣ ଶାଳିନଃ
ମୁମୁକ୍ଷୋରୌବ ହି ବ୍ରହ୍ମ ଜିଜ୍ଞାସା ଯୋଗ୍ୟତା ମତାଃ ।।

ବିବେକ, ବୈରାଗ୍ୟ, ସଂଯତ ମନ ଓ ଇନ୍ଦ୍ରିୟ ଏବଂ ମୁମୁକ୍ଷତ୍ୱ (ମୁକ୍ତି ପାଇଁ ତୀବ୍ର ଇଚ୍ଛା) ଆଦି ଚାରି ଗୁଣ ସମ୍ପନ୍ନ ବ୍ୟକ୍ତି ହିଁ ଜ୍ଞାନ ମାର୍ଗୀୟ ସାଧନା କରିବାର ଅଧିକାରୀ ଅଟନ୍ତି ।

କର୍ମ କାଣ୍ଡ (ବୈଦିକ ବିଧି) ମାର୍ଗରେ ଛଅ ଗୋଟି ଶର୍ତ୍ତ ପୂରଣ କରିବା ଆବଶ୍ୟକ:

ଦେଶେ କାଲେ ଉପାୟେନ ଦ୍ରବ୍ୟଂ ଶ୍ରଦ୍ଧା ସମନ୍ୱିତମ୍ ।
ପାତ୍ରେ ପ୍ରଦୀୟତେ ଯତ୍ତତ୍ ସକଳଂ ଧର୍ମ ଲକ୍ଷଣମ୍ ।।

ଯଜ୍ଞାଦିକ କର୍ମର ଫଳପ୍ରାପ୍ତି ପାଇଁ ଛଅଗୋଟି ନିୟମ ପୂରଣ କରିବା ନିହାତି ଆବଶ୍ୟକ ଅଟେ - ଉପଯୁକ୍ତ ସ୍ଥାନ, ଠିକ୍ ସମୟ, ସଠିକ୍ ବିଧିବିଧାନ, ଠିକ୍ ମନ୍ତ୍ର ଉଚ୍ଚାରଣ, ଶୁଦ୍ଧ ଦ୍ରବ୍ୟ, ଯଜ୍ଞ ଅନୁଷ୍ଠାନ କରୁଥିବା ସୁଯୋଗ୍ୟ ବ୍ରାହ୍ମଣ ଏବଂ ଯଜ୍ଞର ପ୍ରଭାବ ପ୍ରତି ଦୃଢ଼ ବିଶ୍ୱାସ ।”

ଅଷ୍ଟାଙ୍ଗ ଯୋଗମାର୍ଗରେ ମଧ୍ୟ କଠିନ ନିୟମ ରହିଛି:

ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ (ଭାଗବତମ୍ ୩.୨୮.୮)

“ହଠ ଯୋଗ ଏକ ପବିତ୍ର ସ୍ଥାନରେ, ନିଶ୍ଚଳ ଭାବେ ସଠିକ୍ ଆସନରେ ବସି କରିବା ଆବଶ୍ୟକ” ।

ଅନ୍ୟ ପକ୍ଷରେ, ଭକ୍ତିଯୋଗ ଏପରି ଅଟେ ଯାହା ଯେ କୌଣସି ବ୍ୟକ୍ତି, ସ୍ଥାନ, ପରିସ୍ଥିତି ଏବଂ ଦ୍ରବ୍ୟ ଦ୍ୱାରା କରାଯାଇ ପାରିବ ।

ନ ଦେଶ ନିୟମସ୍ତସ୍ମିନ୍ ନ କାଳ ନିୟମସ୍ଥଥା (ପଦ୍ମପୁରାଣ)

ଏହି ଶ୍ଲୋକ ଅନୁଯାୟୀ, ଆମେ କେଉଁ ସମୟରେ ବା କେଉଁ ସ୍ଥାନରେ ଭକ୍ତି କରୁଛୁ, ଭଗବାନ ତାହାକୁ ଧ୍ୟାନ ଦିଅନ୍ତି ନାହିଁ । ସେ କେବଳ ଆମ ହୃଦୟରେ ଥିବା ସ୍ନେହକୁ ଦେଖନ୍ତି । ସମସ୍ତ ଜୀବ ଭଗବାନଙ୍କର ସନ୍ତାନ ଅଟନ୍ତି ଏବଂ ଯଦି ସେମାନେ ପ୍ରକୃତ ଭକ୍ତି ଭାବନାରେ ତାଙ୍କର ସମୀପସ୍ଥ ହୁଅନ୍ତି, ତା’ହେଲେ ସେ ବାହୁ ପ୍ରସାରିତ କରି ସମସ୍ତଙ୍କୁ ଆପଣାର କରି ନିଅନ୍ତି ।