Bhagavad Gita: Chapter 9, Verse 3

ଅଶ୍ରଦ୍ଦଧାନାଃ ପୁରୁଷା ଧର୍ମସ୍ୟାସ୍ୟ ପରନ୍ତପ ।
ଅପ୍ରାପ୍ୟ ମାଂ ନିବର୍ତନ୍ତେ ମୃତ୍ୟୁସଂସାରବର୍ତ୍ମନି ।।୩।।

ଅଶ୍ରଦ୍ଦଧାନାଃ - ଶ୍ରଦ୍ଧାହୀନ ; ପୁରୁଷାଃ - ବ୍ୟକ୍ତିମାନେ ; ଧର୍ମସ୍ୟ - ଧର୍ମନୀତିର ; ଅସ୍ୟ - ଏହି ; ପରନ୍ତପ - ହେ ଶତ୍ରୁଜୟୀ ; ଅପ୍ରାପ୍ୟ - ପ୍ରାପ୍ତ ନ ହୋଇ; ମାମ୍ - ମୋତେ ; ନିବର୍ତନ୍ତେ - ଫେରି ଆସନ୍ତି ; ମୃତ୍ୟୁ - ମୃତ୍ୟୁ ; ସଂସାର - ଭୌତିକ ସଂସାର ; ବର୍ତ୍ମନି - ପଥରେ ।

Translation

BG 9.3: ହେ ଶତ୍ରୁଜୟୀ! ଯେଉଁମାନଙ୍କର ଏହି ଧର୍ମରେ ଶ୍ରଦ୍ଧା ନାହିଁ, ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ନାହିଁ । ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ବାରମ୍ବାର ଏହି ସଂସାରକୁ ଫେରିଆସନ୍ତି ।

Commentary

ପୂର୍ବବର୍ତ୍ତୀ ଦୁଇଟି ଶ୍ଲୋକରେ, ଶ୍ରୀକୃଷ୍ଣ ଜ୍ଞାନର ମହାତ୍ମ୍ୟ ବର୍ଣ୍ଣନା କଲେ ଏବଂ ତାର ଆଠଗୋଟି ଗୁଣର ଅବତାରଣା କଲେ । ଏଠାରେ ଉଲ୍ଲେଖ ହୋଇଛି ଯେ, “ଏହି ଧର୍ମ” ବା ଭଗବାନଙ୍କ ପ୍ରତି ଶ୍ରଦ୍ଧାଯୁକ୍ତ ଭକ୍ତିର ମାର୍ଗ ।

ଜ୍ଞାନ ଯେତେ ସୁନ୍ଦର ବା ମାର୍ଗ ଯେତେ ଫଳପ୍ରଦ ହେଉନା କାହିଁକି, ଯଦି ଜଣେ ତାହା ଅନୁସରଣ କରିବାକୁ ଇଚ୍ଛା ନ କରିବ, ତେବେ ତାହା ବୃଥା ଅଟେ । ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ପରେ ହେବ; କିନ୍ତୁ ପ୍ରଥମେ ସେଥିପାଇଁ ଦୃଢ଼ ବିଶ୍ୱାସ ଆବଶ୍ୟକ । ଭକ୍ତି ରସାମୃତ ସିନ୍ଧୁ (୧.୪.୧୫)ଅନୁଯାୟୀ, “ଆଦୌ ଶ୍ରଦ୍ଧା ତତଃ ସାଧୁସଙ୍ଗୋଽଥ ଭଜନ କ୍ରିୟା”, ଭଗବତ ପ୍ରାପ୍ତିର ପ୍ରଥମ ସୋପାନ ହେଉଛି ଶ୍ରଦ୍ଧା ବା ବିଶ୍ୱାସ । ତାପରେ ଜଣେ ସତ୍‌ସଙ୍ଗ (ଆଧ୍ୟାତ୍ମିକ କାର୍ଯ୍ୟକ୍ରମ)ରେ ଅଂଶଗ୍ରହଣ କରିଥାଏ । ଏହା ବ୍ୟକ୍ତିକୁ ଭକ୍ତି କରିବା ଦିଗରେ ପ୍ରେରିତ କରେ ।

ପ୍ରାୟତଃ ଲୋକେ କହନ୍ତି, ସେମାନେ ପ୍ରତ୍ୟକ୍ଷ ରୂପେ ଯାହା ଅନୁଭବ କରିବେ, ତାହା ହିଁ ବିଶ୍ୱାସ କରିବେ । ଭଗବାନ ଯେହେତୁ ପ୍ରତ୍ୟକ୍ଷ ଅନୁଭୂତ ନୁହଁନ୍ତି, ସେମାନେ ତାଙ୍କୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ସଂସାରରେ ମଧ୍ୟ ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ଆମେ  ପ୍ରତ୍ୟକ୍ଷ ଅନୁଭୂତି ବିନା ବିଶ୍ୱାସ କରିଥାଏ । ଜଣେ ଜର୍ଜ୍ ରାୟ ଶୁଣାଇବାକୁ ଯାଇ ବହୁ ବର୍ଷ ପୂର୍ବେ ଘଟିଥିବା କୌଣସି ଘଟଣାର ତର୍ଜମା କରି ଥାଆନ୍ତି । ଜର୍ଜ୍ ଜଣଙ୍କ ଯଦି ପ୍ରତ୍ୟକ୍ଷ ଅନୁଭବର ସିଦ୍ଧାନ୍ତକୁ ନେଇ ଚାଲନ୍ତେ, ତେବେ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଣାଳୀ ଭୂଷୁଡ଼ି ଯାଆ଼ନ୍ତା । ଜଣେ ରାଷ୍ଟ୍ରପତି ଦେଶର ସମସ୍ତ ଭାଗରୁ ଆସୁଥିବା ଖବରକୁ ଆଧାର କରି ଦେଶ ଶାସନ କରନ୍ତି । ତାଙ୍କର ଶାସନାଧୀନ ସମସ୍ତ ଗ୍ରାମ ଓ ସହରକୁ ପରିଦର୍ଶନ କରିବା ତାଙ୍କ ପକ୍ଷରେ ଅସମ୍ଭବ ଅଟେ । ପ୍ରତ୍ୟକ୍ଷ ଅନୁଭବ ନଥିବା ଯୋଗୁଁ ସେ ଯଦି ସେହି ସବୁ ଖବରକୁ ବିଶ୍ୱାସ ନ କରିବେ, ତେବେ ସେ ସମଗ୍ର ଦେଶକୁ ଶାସନ କରିବେ କିପରି? ତେଣୁ ସାଂସାରିକ କ୍ଷେତ୍ରରେ ମଧ୍ୟ ପ୍ରତି ପଦକ୍ଷେପରେ ବିଶ୍ୱାସର ଆବଶ୍ୟକତା ରହିଛି । ବାଇବେଲ ଏହାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛି; “ଆମେ ବିଶ୍ୱାସ ଦ୍ୱାରା ଚାଲୁ ଦୃଷ୍ଟି ଦ୍ୱାରା ନୁହେଁ ।”  (୨ ଉକ୍ଟକ୍ସସଦ୍ଭଗ୍ଧଷସବଦ୍ଭଗ୍ଦ ୫:୭)

ଭଗବାନଙ୍କର ପ୍ରତ୍ୟକ୍ଷ ଅନୁଭୂତିକୁ ନେଇ ଗୋଟିଏ ସୁନ୍ଦର ଗଳ୍ପ ଅଛି । ଥରେ ଜଣେ ରାଜା ଜଣେ ସାଧୁଙ୍କୁ ଆକ୍ଷେପ କରି କହିଲେ, “ମୁଁ ଭଗବାନଙ୍କୁ ଦେଖିପାରୁ ନାହିଁ, ସେଥିପାଇଁ ମୁଁ ତାଙ୍କୁ ବିଶ୍ୱାସ କରେ ନାହିଁ ।” ସାଧୁ ଜଣକ ରାଜାଙ୍କ ଦରବାରକୁ ଗାଈଟିଏ ଆଣିବାକୁ କହିଲେ । ରାଜା ଏଥିରେ ରାଜି ହୋଇ ତାଙ୍କ ଭୃତ୍ୟ ମାନଙ୍କୁ ଗାଈଟିଏ ଆଣିବାକୁ ଆଦେଶ ଦେଲେ । ତାପରେ ସାଧୁ ସେ ଗାଈଟିକୁ ଦୁହିଁବାକୁ ଅନୁରୋଧ କଲେ । ରାଜା ପୁଣି ତାଙ୍କ ଭୃତ୍ୟମାନଙ୍କୁ ସାଧୁ ଯାହା ଚାହୁଁଛନ୍ତି ତାହା କରିବାକୁ ନିର୍ଦ୍ଦେଶ ଦେଲେ । ସାଧୁ ରାଜାଙ୍କୁ ପଚାରିଲେ, “ହେ ରାଜା! ଗାଈଠାରୁ ବାହାରିଥିବା ଏହି କ୍ଷୀରରେ ଲହୁଣୀ ଅଛି, ଏକଥା କ’ଣ ଆପଣ ବିଶ୍ୱାସ କରୁଛନ୍ତି ?” ରାଜା କହିଲେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଏଥିରେ ଲହୁଣି ଅବଶ୍ୟ ଅଛି । ସାଧୁ କହିଲେ, “ଆପଣ କ୍ଷୀରରେ ଲହୁଣୀକୁ ଦେଖି ପାରୁନାହାଁନ୍ତି, ତେଣୁ ଆପଣ ତାହା ବିଶ୍ୱାସ କରୁଛନ୍ତି କିପରି? ରାଜା ଉତ୍ତର ଦେଲେ “ଆମେ ଲହୁଣୀକୁ ଦେଖିପାରେ ନାହିଁ କାରଣ ତାହା କ୍ଷୀରରେ ବ୍ୟାପ୍ତ ଥାଏ । କିନ୍ତୁ ତାକୁ ଦେଖିବାର ଏକ ଉପାୟ ଅଛି । ଆମେ ଯଦି କ୍ଷୀରକୁ ଦହିରେ ପରିଣତ କରି, ସେହି ଦହିକୁ ମନ୍ଥନ କରିବା, ତେବେ ଲହୁଣୀ ଦୃଷ୍ଟିଗୋଚର ହେବ ।” ସାଧୁ କହିଲେ, ଲହୁଣୀ କ୍ଷୀରରେ ଥିବା ପରି ଭଗବାନ ଏହି ସଂସାରରେ ସର୍ବତ୍ର ବ୍ୟାପ୍ତ । ଯଦି ଆମେ ତତ୍‌କ୍ଷଣାତ୍ ଭଗବାନଙ୍କୁ ଦେଖି ପାରୁନାହୁଁ, ତେବେ ଆମ୍ଭେମାନେ ହଠାତ୍ ଏପରି  ନିଷ୍ପତ୍ତି ନେବା ଉଚିତ ନୁହେଁ ଯେ ଭଗବାନ ନାହାଁନ୍ତି । ତାଙ୍କୁ ଉପଲବ୍ଧି କରିବାର ଏକ ପ୍ରକ୍ରିୟା ରହିଛି । ଯଦି ଆମେ ବିଶ୍ୱାସର ସହିତ ସେହି ପ୍ରକ୍ରିୟାକୁ ଅନୁସରଣ କରିବା, ଆମେ ଭଗବାନଙ୍କୁ ପ୍ରତ୍ୟକ୍ଷ ଅନୁଭବ କରିପାରିବା ଏବଂ ଭଗବତ୍ ପ୍ରାପ୍ତି କରିପାରିବା ।

ଭଗବାନଙ୍କୁ ବିଶ୍ୱାସ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା ନୁହେଁ, ଯାହାକୁ ଆମେ ଆପେ ଆପେ କରି ପାରିବା । ଆମେ ନିଜ ବୁଦ୍ଧିରେ ସ୍ୱାଧୀନ ଭାବେ ବିଚାର କରି ଭଗବାନଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ । କୌରବ ସଭାରେ ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ରହରଣ କରିବାକୁ ଉଦ୍ୟମ କଲେ, ସେତେବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ବସ୍ତ୍ରକୁ ଲମ୍ବାଇ ଦେଇ ତାଙ୍କୁ ସେହି ଲଜ୍ଜାରୁ ରକ୍ଷା କଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ କୌରବ ଏହି ଚମତ୍କାର ଦେଖିଲେ, ତଥାପି ସେମାନେ ସର୍ବଶକ୍ତିମାନ ଶ୍ରୀକୃଷ୍ଣଙ୍କ ଉପରେ ବିଶ୍ୱାସ କରିବାକୁ ଇଚ୍ଛା କଲେ ନାହିଁ ବା ତାଙ୍କର ସଦ୍‌ବୁଦ୍ଧି ଜାତ ହେଲା ନାହିଁ । ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ଯେଉଁମାନେ ଆଧ୍ୟାତ୍ମିକ ମାର୍ଗରେ ବିଶ୍ୱାସ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେମାନେ ଦିବ୍ୟ ଜ୍ଞାନରୁ ବଞ୍ôଚତ ରହନ୍ତି ଏବଂ ଜନ୍ମ ମୃତ୍ୟୁର ଚକ୍ରରେ ଘୂରିବୁଲୁଥାନ୍ତି ।