କବିଂ ପୁରାଣମନୁଶାସିତାର ମଣୋରଣୀୟାଂ ସମନୁସ୍ମରେଦ୍ଦ୍ୟଃ ।
ସର୍ବସ୍ୟ ଧାତାରମଚିନ୍ତ୍ୟରୂପ ମାଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍ ।।୯।।
ପ୍ରୟାଣକାଳେ ମନସା ଚଳେନ
ଭକ୍ତ୍ୟା ଯୁକ୍ତୋ ଯୋଗବଳେନ ଚୈବ ।
ଭ୍ରୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ୍
ସ ତଂ ପରଂ ପୁରୁଷମୁପୈତି ଦିବ୍ୟମ୍ ।।୧୦।।
କବିଂ - ଯିଏ ସବୁ ଜାଣନ୍ତି; ପୁରାଣମ୍ - ପୁରାତନ; ଅନୁଶାସିତାରମ୍ - ନିୟନ୍ତ୍ରଣକାରୀ; ଅଣୋଃ- ଅଣୁର; ଅଣୀୟାଂସମ୍ - ତା’ଠାରୁ କ୍ଷୁଦ୍ରତର, ଅନୁସ୍ମରେତ୍ - ସର୍ବଦା ସ୍ମରଣ କରନ୍ତି; ଯଃ - ଯେ; ସର୍ବସ୍ୟ- ସମସ୍ତଙ୍କର; ଧାତାରଂ - ପାଳନକର୍ତ୍ତା; ଅଚିନ୍ତ୍ୟ - ଅଚିନ୍ତ୍ୟ; (ଯାହା ଚିନ୍ତା - କରି ହେବ ନାହିଁ); ରୁପମ୍ - ରୂପ, (ଆକାର): ଆଦିତ୍ୟ ବର୍ଣ୍ଣଂ - ସୂର୍ଯ୍ୟଙ୍କ ପରି ତେଜୀୟାନ୍; ତମସଃ - ଅନ୍ଧକାରର; ପରସ୍ତାତ୍ - ଉର୍ଦ୍ଧ୍ୱସ୍ଥ; ପ୍ରୟାଣକାଳେ - ମୃତ୍ୟୁ ସମୟରେ; ମନସା - ମନରେ; ଅଚଳେନ - ଅବିଚଳିତ ଭାବରେ; ଭକ୍ତ୍ୟା - ପୂର୍ଣ୍ଣ ଭକ୍ତିରେ; ଯୁକ୍ତଃ - ଯୁକ୍ତ; ଯୋଗବଳେନ - ଯୋଗଶକ୍ତି ବଳରେ; ଚ - ମଧ୍ୟ; ଏବ - ନିଶ୍ଚିତଭାବରେ; ଭ୍ରୁବୋଃ - ଦୁଇ ଭ୍ରୁଲତା ; ମଧ୍ୟେ - ମଧ୍ୟରେ; ପ୍ରାଣମ୍ - ପ୍ରାଣବାୟୁ; ଆବେଶ୍ୟ - ସ୍ଥାପନ କରି; ସମ୍ୟକ୍ - ପୂର୍ଣ୍ଣରୂପେ; ସ - ସେ; ତମ୍ - ତାହା; ପରଂ - ପରମ; ପୁରୁଷମ୍ - ପରମପୁରୁଷ ଭଗବାନ୍; ଉପୈତି - ପ୍ରାପ୍ତ ହୁଏ; ଦିବ୍ୟମ୍ - ଦିବ୍ୟ ।
Translation
BG 8.9-10: ଭଗବାନ ସର୍ବଜ୍ଞ, ସର୍ବ ପୁରାତନ, ଶାସକ, ସୂକ୍ଷ୍ମତା ଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କର ପାଳନକର୍ତ୍ତା, କଳ୍ପନାତୀତ ସ୍ୱରୂପର ଅଧିକାରୀ, ସୂର୍ଯ୍ୟଙ୍କଠାରୁ ଉଜ୍ଜ୍ୱଳ ଏବଂ ଅଜ୍ଞାନ ରୂପୀ ଅନ୍ଧକାର ଠାରୁ ଊର୍ଦ୍ଧ୍ୱରେ ଅଟନ୍ତି । ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଯୋଗ ଦ୍ୱାରା ଅଭ୍ୟସ୍ତ ଅବିଚଳିତ ମନରେ, ନିଜର ପ୍ରାଣ (ପ୍ରାଣ ବାୟୁ)କୁ ଦୁଇ ଭ୍ରୁଲତା ମଧ୍ୟରେ ସ୍ଥିର ରଖି, ନିରନ୍ତର ଅତ୍ୟନ୍ତ ଭକ୍ତିଯୁକ୍ତ ହୋଇ, ଦିବ୍ୟ ପରମାତ୍ମାଙ୍କର ସ୍ମରଣ କରେ, ସେ ତାଙ୍କୁ ପ୍ରାପ୍ତ କରିଥାଏ ।
Commentary
ଭଗବାନଙ୍କର ଧ୍ୟାନ ଅନେକ ପ୍ରକାରର ହୋଇପାରେ । ଜଣେ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଓ ତାଙ୍କ ପରିକରଙ୍କୁ ଧ୍ୟାନ କରିପାରନ୍ତି । ଭଗବାନଙ୍କ ସହ ସମ୍ବନ୍ଧିତ ଏହିସବୁ ବିଷୟ ଭଗବାନଙ୍କଠାରୁ ପୃଥକ ନୁହନ୍ତି । ଏମାନଙ୍କ ମଧ୍ୟରୁ ଯେ କୌଣସି ଠାରେ ମନକୁ ଲଗାଇଲେ ମନ ଦିବ୍ୟ ଜଗତରେ ପ୍ରବେଶ କରି ଶୁଦ୍ଧ ହୋଇଯାଏ । ସୁତରାଂ,ଆମ ଧ୍ୟାନର ବିଷୟ ଭାବରେ ଆମେ ଏମାନଙ୍କ ମଧ୍ୟରୁ କାହାକୁ ବି ଗ୍ରହଣ କରିପାରିବା । ଏଠାରେ ଭଗବାନଙ୍କର ଆଠଗୋଟି ଗୁଣର ବର୍ଣ୍ଣନା କରାଯାଇଛି, ଯାହାର ଧ୍ୟାନ କରାଯାଇପାରେ ।
କବି ଅର୍ଥ କାବ୍ୟ ରଚୟିତା ଅଥବା ବ୍ୟାପକ ଅର୍ଥରେ ସର୍ବଜ୍ଞ ଅଟେ । ଶ୍ଳୋକ ୭.୨୬ ଅନୁଯାୟୀ, ଭଗବାନ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଜାଣନ୍ତି ।
ପୁରାଣ ଅର୍ଥ ଯାହାର ଆରମ୍ଭ ନାହିଁ ଅଥବା ଯିଏ ସର୍ବ ପୁରାତନ । ଭଗବାନ ଉଭୟ ମାୟିକ ଏବଂ ଦିବ୍ୟ ବସ୍ତୁର ଉଦ୍ଗମସ୍ଥଳ ଅଟନ୍ତି, କିନ୍ତୁ ଏପରି କୌଣସି ବସ୍ତୁ ନାହିଁ ଯାହାଠାରୁ ସେ ଉତ୍ପନ୍ନ ହୋଇଥାଆନ୍ତି ବା ଯାହା ତାଙ୍କ ପୂର୍ବରୁ ଥିଲା ।
ଅନୁଶାସିତାରମ୍ ଅର୍ଥ ଶାସକ । ଯେଉଁ ନିୟମ ଅନୁସାରେ ସମଗ୍ର ବ୍ରହ୍ମାଣ୍ଡ ଚାଲେ, ସେହି ସମସ୍ତ ନିୟମର ପ୍ରଣେତା ଭଗବାନ ଅଟନ୍ତି । ସେ ପ୍ରତ୍ୟକ୍ଷ ରୂପରେ ଏହାର ଶାସନ କରନ୍ତି ଏବଂ ତାଙ୍କ ଦ୍ୱାରା ନିଯୁକ୍ତ ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା କରାନ୍ତି । ଅତଏବ ସବୁକିଛି ତାଙ୍କ ଶାସନର ପରିସରଭୁକ୍ତ ଅଟେ ।
ଅଣୋରଣୀୟାନ୍ ଅର୍ଥାତ୍ କ୍ଷୁଦ୍ରତମ ଠାରୁ କ୍ଷୁଦ୍ର । ଆତ୍ମା ସ୍ଥୁଳ ପଦାର୍ଥଠାରୁ କ୍ଷୁଦ୍ରତର ଅଟେ ଏବଂ ଯେହେତୁ ଭଗବାନ ଆତ୍ମା ମଧ୍ୟରେ ନିବାସ କରନ୍ତି,ସେ ଆତ୍ମା ଠାରୁ ମଧ୍ୟ କ୍ଷୁଦ୍ର ଅଟନ୍ତି ।
ସର୍ବସ୍ୟ ଧାତା ଅର୍ଥାତ୍ ସମସ୍ତଙ୍କର ଧାରକ, ସମୁଦ୍ର ତରଙ୍ଗମାନଙ୍କୁ ଧାରଣ କରିବା ପରି, ଭଗବାନ ସମଗ୍ର ସୃଷ୍ଟିକୁ ଧାରଣ କରିଥାଆନ୍ତି ।
ଅଚିନ୍ତ୍ୟ ରୂପ ଅର୍ଥାତ୍ ଅଚିନ୍ତନୀୟ ସ୍ୱରୂପ । ଆମର ବୁଦ୍ଧି କେବଳ ମାୟିକ ବସ୍ତୁର ଚିନ୍ତନ କରିପାରେ, ଅଥଚ ଭଗବାନ ଆମ ମାୟିକ କଳ୍ପନାର ଊର୍ଦ୍ଧ୍ୱରେ ସ୍ଥିତ । ତଥାପି, ସେ ଯଦି କୃପା କରି ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ଆମର ମନକୁ ଦିବ୍ୟ ଗୁଣଯୁକ୍ତ କରିଦିଅନ୍ତି, ତେବେ ତାଙ୍କ କୃପା ଦ୍ୱାରା ହିଁ ସେ ବୋଧଗମ୍ୟ ।
ଆଦିତ୍ୟ ବର୍ଣ୍ଣ ଅର୍ଥାତ୍ ସେ ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ।
ତମସଃ ପରସ୍ତାତ୍ ଅର୍ଥାତ୍ ସେ ଅଜ୍ଞାନ ଅନ୍ଧକାରର ଊର୍ଦ୍ଧ୍ୱରେ । ମେଘ ଢ଼ାଙ୍କି ହୋଇ ଅସ୍ପଷ୍ଟ ପ୍ରତୀତ ହେଲେ ମଧ୍ୟ ସୂର୍ଯ୍ୟ କେବେ ବି ମେଘ ଦ୍ୱାରା ଆଚ୍ଛନ୍ନ ହୁଅନ୍ତି ନାହିଁ । ସେହିପରି ଭଗବାନ ସଂସାରର ସଂସ୍ପର୍ଶରେ ଆସି ମଧ୍ୟ ମାୟା ଦ୍ୱାରା ଆଚ୍ଛନ୍ନ ହୁଅନ୍ତି ନାହିଁ ।
ଭକ୍ତିରେ ଭଗବାନଙ୍କର ଦିବ୍ୟ ରୂପ, ଗୁଣ, ଲୀଳା ଆଦିରେ ମନକୁ କେନ୍ଦ୍ରିତ କରାଯାଇଥାଏ । ଯେତେବେଳେ କେବଳ ଭକ୍ତି କରାଯାଏ, ତାହାକୁ ଶୁଦ୍ଧ ଭକ୍ତି କୁହାଯାଏ । ଯେତେବେଳେ ଏହାକୁ ଅଷ୍ଟାଙ୍ଗ ଯୋଗ ସହିତ କରାଯାଏ, ତାହାକୁ ‘ଯୋଗମିଶ୍ରା ଭକ୍ତି’ କୁହାଯାଏ । ଦଶମ ଠାରୁ ତ୍ରୟୋଦଶ, ଚାରୋଟି ଶ୍ଳୋକରେ ଶ୍ରୀକୃଷ୍ଣ ଯୋଗମିଶ୍ରା ଭକ୍ତିର ବର୍ଣ୍ଣନା କରିଛନ୍ତି । ଭଗବତ୍ ଗୀତାର ଏକ ସୁନ୍ଦର ବିଶେଷତ୍ୱ ଏହା ଯେ
ଏଥିରେ ଭିନ୍ନ ଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ସାଧନା ପଦ୍ଧତି ନିରୂପଣ କରାଯାଇ ଥାଏ ଏବଂ ସେଥିପାଇଁ ଏହା ବହୁଜନ ଆଦୃତ ଅଟେ । ପାଶ୍ଚାତ୍ୟ ବିଦ୍ୱାନମାନେ ଯେତେବେଳେ ଜଣେ ଗୁରୁଙ୍କର ବିନା ସହାୟତାରେ ହିନ୍ଦୁ ଶାସ୍ତ୍ରଗୁଡିକ ଅଧ୍ୟୟନ କରନ୍ତି, ସେଥିରେ ବର୍ଣ୍ଣିତ ଭିନ୍ନ ଭିନ୍ନ ମାର୍ଗ, ନିର୍ଦ୍ଦେଶ ଏବଂ ସିଦ୍ଧାନ୍ତ ସେମାନଙ୍କୁ ବିଭ୍ରାନ୍ତ କରି ଦେଇଥାଏ । କିନ୍ତୁ ଏହି ଭିନ୍ନତା ବାସ୍ତବରେ ଏକ ଆଶୀର୍ବାଦ ଅଟେ । କାରଣ ଅନନ୍ତ ଜନ୍ମର ସଂସ୍କାର ବଶତଃ, ଆମ ସମସ୍ତଙ୍କର ସ୍ୱଭାବ ଏବଂ ରୁଚି ଭିନ୍ନ ଭିନ୍ନ ଅଟେ । ଚାରିଜଣ ବ୍ୟକ୍ତି ଯେତେବେଳେ ବସ୍ତ୍ର କିଣିବାକୁ ଯାଆନ୍ତି, ସେମାନେ ଭିନ୍ନ ଭିନ୍ନ ରଙ୍ଗ, ପ୍ରକାର ଏବଂ ଫ୍ୟାସନ୍ର ପୋଷାକ ବାଛିଥାଆନ୍ତି । ଦୋକାନରେ ଯଦି କେବଳ ଗୋଟିଏ ପ୍ରକାରର ବା ଗୋଟିଏ ରଙ୍ଗର ବସ୍ତ୍ର ଥାଆନ୍ତା, ତେବେ ତାହା ପୃଥକ ଗୁଣଯୁକ୍ତ ବ୍ୟକ୍ତିମାନଙ୍କର ଚାହିଦାକୁ ମେଣ୍ଟାଇ ପାରି ନ ଥାଆନ୍ତା । ସେହିପରି ଆଧ୍ୟାତ୍ମିକ ମାର୍ଗରେ, ଲୋକମାନେ ତାଙ୍କର ପୂର୍ବ ଜନ୍ମରେ ବିଭିନ୍ନ ପ୍ରକାରର ସାଧନା କରିଥାଆନ୍ତି । ବୈଦିକ ଶାସ୍ତ୍ରମାନେ ସେହି ସବୁ ଭିନ୍ନତାକୁ ଅଙ୍ଗୀକାର କରିଥାଆନ୍ତି, ଅଥଚ ଭକ୍ତି ଉପରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି, ଯାହା ଏକ ସୁତା ସଦୃଶ ସମସ୍ତ ମାର୍ଗକୁ ଏକତ୍ର ଗୁନ୍ଥି ରଖିଥାଏ ।
ଅଷ୍ଟାଙ୍ଗ ଯୋଗରେ, ପ୍ରାଣଶକ୍ତିକୁ ମେରୁଦଣ୍ଡ ସ୍ଥିତ ସୁଷୁମ୍ନାକାଣ୍ଡ ମଧ୍ୟ ଦେଇ ଊର୍ଦ୍ଧ୍ୱଗାମୀ କରାଯାଏ । ଏହାକୁ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନ ବା ତୃତୀୟ ଚକ୍ଷୁ (ଅନ୍ତର୍ଦୃଷ୍ଟି) ର ସ୍ଥାନରେ କେନ୍ଦ୍ରିତ କରାଯାଏ । ତା’ପରେ ପୂର୍ଣ୍ଣ ଭକ୍ତି ସହିତ ପରମାତ୍ମାଙ୍କର ଧ୍ୟାନ କରାଯାଏ ।