Bhagavad Gita: Chapter 8, Verse 19

ଭୂତଗ୍ରାମଃ ସ ଏବାୟଂ ଭୂତ୍ୱା ଭୂତ୍ୱା ପ୍ରଲୀୟତେ ।
ରାତ୍ର‌୍ୟାଗମେଽବଶଃ ପାର୍ଥ ପ୍ରଭବତ୍ୟହରାଗମେ ।।୧୯।।

ଭୂତ-ଗ୍ରାମଃ- ଜୀବ ସମୁଦାୟ; ସଃ- ଏମାନେ, ଏବ - ନିଶ୍ଚିତଭାବେ; ଅୟଂ- ଏହା; ଭୂତ୍ୱା- ଭୂତ୍ୱା - ଜନ୍ମାଲାଭ କରି; ପ୍ରଲୀୟତେ - ଧ୍ୱଂସ ହୁଅନ୍ତି; ରାତ୍ରି - ରାତ୍ରି; ଆଗମେ - ଆରମ୍ଭରେ; ଅବଶଃ - ଅସହାୟ ଭାବରେ; ପାର୍ଥ - ହେ ପୃଥାପୁତ୍ର!; ପ୍ରଭବତି - ପ୍ରକାଶିତ ହୁଅନ୍ତି; ଅହଃ - ଦିବସ; ଆଗମେ -ଆରମ୍ଭରେ ।

Translation

BG 8.19: ବ୍ରହ୍ମାଙ୍କର ଦିନ ଆରମ୍ଭ ହେଲେ ଅସଂଖ୍ୟ ପ୍ରାଣୀ ଜନ୍ମ ଗ୍ରହଣ କରନ୍ତି ଏବଂ ରାତିର ଆଗମନରେ, ପରବର୍ତ୍ତୀ ଦିନରେ ପୁନର୍ବାର ପ୍ରକଟିତ ହେବା ପାଇଁ, ସେମାନେ ବିଲୁପ୍ତ ହୋଇଯାଆନ୍ତି ।

Commentary

ବେଦରେ ଚାରିପ୍ରକାରର ପ୍ରଳୟ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି:

୧. ନିତ୍ୟ ପ୍ରଳୟ: ଏହା ପ୍ରତିଦିନ ଗଭୀର ନିଦ୍ରାରେ ଶୟନ କରିଥିବା ସମୟର ଆମ ଚେତନାର ବିଲୁପ୍ତିକୁ ବୁଝାଇ ଥାଏ ।

୨. ନୈମିତ୍ତିକ ପ୍ରଳୟ : ଏହା ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ ମହଃ ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକର ବିଲୁପ୍ତିକୁ ବୁଝାଏ । ସେତେବେଳେ ଏହିସବୁ ଲୋକର ଜୀବ ସମୁଦାୟ ଅବ୍ୟକ୍ତ ହୋଇଯାଆନ୍ତି । ସେମାନେ ବିଷ୍ଣୁଙ୍କ ଶରୀରରେ ସୁପ୍ତ ଅବସ୍ଥାରେ ରହନ୍ତି । ପୁଣି ଯେତେବେଳେ ବ୍ରହ୍ମା ଏହି ସବୁ ଲୋକ ନିର୍ମାଣ କରନ୍ତି, ସେମାନଙ୍କୁ ପୂର୍ବ କର୍ମ ଅନୁସାରେ ଜନ୍ମ ମିଳିଥାଏ ।

୩. ମହାପ୍ରଳୟ : ଏହା ବ୍ରହ୍ମାଙ୍କର ଜୀବନକାଳ ଶେଷରେ ସମଗ୍ର ବ୍ରହ୍ମାଣ୍ଡ ଧ୍ୱଂସ ହୋଇଯିବାକୁ ବୁଝାଏ । ଏହି ସମୟରେ ସମଗ୍ର ବ୍ରହ୍ମାଣ୍ଡର ଜୀବମାନେ ମହାବିଷ୍ଣୁଙ୍କ ଶରୀରରେ ଲୀନ ହୋଇଯାଆନ୍ତି । ସେମାନଙ୍କର ସ୍ଥୁଳ ଏବଂ ସୂକ୍ଷ୍ମ ଶରୀର ଧ୍ୱଂସ ହୋଇଯାଏ, କିନ୍ତୁ କାରଣ ଶରୀର ରହିଥାଏ । ଯେତେବେଳେ ସୃଷ୍ଟିର ପରବର୍ତ୍ତୀ ଚକ୍ର ଆରମ୍ଭ ହୁଏ; ତାଙ୍କର କାରଣ ଶରୀରରେ ଗଚ୍ଛିତ ସଂସ୍କାର ଏବଂ କର୍ମ ଅନୁସାରେ, ସେମାନଙ୍କୁ ଜନ୍ମ ମିଳିଥାଏ ।

୪. ଆତ୍ୟନ୍ତିକ ପ୍ରଳୟ: ଯେତେବେଳେ ଜୀବ ଭଗବତ୍ ପ୍ରାପ୍ତି କରେ, ସେ ଜନ୍ମମୃତ୍ୟୁ ଚକ୍ରର ବନ୍ଧନରୁ ମୁକ୍ତ ହୋଇଯାଏ । ଅନାଦି କାଳରୁ ଜୀବ ଯେଉଁ ମାୟାର ବନ୍ଧନରେ ବାନ୍ଧି ହୋଇ ରହିଥାଏ, ସେହି ବନ୍ଧନର ବିଲୁପ୍ତିକୁ ଆତ୍ୟନ୍ତିକ ପ୍ରଳୟ କୁହାଯାଏ ।