Bhagavad Gita: Chapter 8, Verse 6

ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ ।
ତଂ ତମେବୈତି କୌନ୍ତେୟ ସଦା ତଦ୍‌ଭାବ ଭାବିତଃ ।।୬।।

ଯମ୍ ଯମ୍ - ଯେଉଁ ଯେଉଁ, ବା - ଯେକୌଣସିଟିକୁ; ଅପି - ମଧ୍ୟ; ସ୍ମରନ୍ - ସ୍ମରଣ କରି; ଭାବଂ- ସ୍ମୃତି; ତଜ୍ୟତି - ତ୍ୟାଗ କରେ; ଅନ୍ତେ - ଶେଷରେ; କଳେବରଂ - ଏହି ଶରୀର; ତମ୍ ତମ୍ - ସେହିପରି, ଏବ - ନିଶ୍ଚିତଭାବେ; ଏତି - ପ୍ରାପ୍ତ ହୁଏ; କୌନ୍ତେୟ - ହେ କୁନ୍ତିପୁତ୍ର; ସଦା-ସର୍ବଦା; ତତ୍‌- ସେହି; ଭାବ- ଭାବ; ଭାବିତଃ - ସ୍ମରଣ କରି ।

Translation

BG 8.6: ହେ କୁନ୍ତି ପୁତ୍ର! ବ୍ୟକ୍ତି ମୃତ୍ୟୁ ସମୟରେ ଯାହା ସ୍ମରଣ କରି ଦେହତ୍ୟାଗ କରେ, ସର୍ବଦା ସେହି ଚିନ୍ତନରେ ନିମଗ୍ନ ରହିଥିବା ଯୋଗୁଁ ସେ ସେହି ଅବସ୍ଥାକୁ ପ୍ରାପ୍ତ କରିଥାଏ ।

Commentary

ଆମେ ଗୋଟିଏ ଶୁଆକୁ ‘ସୁପ୍ରଭାତ’ କହିବା ଶିଖେଇ ଦେଇପାରିବା । କିନ୍ତୁ ଯଦି ଆମେ ତାର ଗଳାକୁ ଜୋରରେ ଚାପିଦେବା, ତେବେ ସେ କୃତ୍ରିମ ରୂପରେ ଶିଖିଥିବା ଶବ୍ଦଟି ଭୁଲିଯାଇ ତାର ସ୍ୱାଭାବିକ ଶବ୍ଦ ‘କ୍ୱ’ ଉଚ୍ଚାରଣ କରିବ । ସେହିପରି,ମୃତ୍ୟୁ ସମୟରେ ଆମର ମନ ସ୍ୱାଭାବିକ ଭାବରେ ସେହି ଚିନ୍ତାଧାରା ଅଭିମୁଖରେ ପ୍ରବାହିତ ହୁଏ, ଯାହାର ଅଭ୍ୟାସ ଆମେ ଜୀବନ ସାରା କରିଥାଏ । ଜିନିଷପତ୍ର ସଜାଡ଼ି ସାରିବା ପରେ ଯାତ୍ରାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଏ ନାହିଁ । ବରଂ ତା’ ପୂର୍ବରୁ, ଏହାର ରୀତିମତ ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ମୃତ୍ୟୁ ସମୟରେ ମୁଖ୍ୟତଃ ଯେଉଁ ବିଚାର ଆମ ମନକୁ ଅଧିକାର କରିଥାଏ, ତଦନୁଯାୟୀ ଆମର ପରବର୍ତ୍ତୀ ଜନ୍ମ ନିର୍ଦ୍ଧାରିତ ହୋଇଥାଏ । ଏହାହିଁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହିଛନ୍ତି ।

ବ୍ୟକ୍ତିର ଜୀବନବ୍ୟାପୀ ଅଭ୍ୟାସ ଏବଂ ସଙ୍ଗର ପରିଣାମ ସ୍ୱରୂପ ଯାହାର ଚିନ୍ତନ ଏବଂ ଅନୁଧ୍ୟାନ ସେ ନିରନ୍ତର କରିଥାଏ, ତାହା ହିଁ ତା’ର ଅନ୍ତିମ ବିଚାର ନିର୍ଦ୍ଧାରଣ କରିବା ସ୍ୱାଭାବିକ । ପୁରାଣରେ ମହାରାଜ ଭରତଙ୍କର ଆଖ୍ୟାନ ବର୍ଣ୍ଣନା କରାଯାଇଛି । ସେ ଜଣେ ରାଜା ଥିଲେ । କିନ୍ତୁ ଭଗବତ୍ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ସେ ରାଜ୍ୟ ତ୍ୟାଗ କରି, ବନରେ ସନ୍ୟାସୀ ଭାବରେ ଜୀବନଯାପନ କରୁଥିଲେ । ଦିନେ ସେ ଗୋଟିଏ ହରିଣକୁ ବାଘର ଗର୍ଜନ ଶୁଣି ପାଣି ମଧ୍ୟକୁ ଡ଼େଇଁ ପଡ଼ିବାର ଦେଖିଲେ । ଅତିଶୟ ଭୟ ଯୋଗୁଁ ଗର୍ଭିଣୀ ମୃଗଟି ଗର୍ଭରୁ ଗୋଟିଏ ଶାବକ ଜନ୍ମ ଲାଭ କରି ପାଣିରେ ଭାସିବାରେ ଲାଗିଲା । ଶାବକଟି ପ୍ରତି ଭରତଙ୍କ ମନରେ ଦୟା ଉତ୍ପନ୍ନ ହେଲା ଏବଂ ସେ ତାକୁ ପାଣିରୁ ଉଦ୍ଧାର କରି ତାଙ୍କ କୁଟୀରକୁ ଆଣି ତା’ର ଲାଳନ ପାଳନ କରିବାକୁ ଲାଗିଲେ । ଅତି ଆଗ୍ରହର ସହିତ ସେ ତାର ଚପଳତାପୂର୍ଣ୍ଣ ଚାଲିକୁ  ନିରୀକ୍ଷଣ କରିବାରେ ଲାଗିଲେ । ସେ ଖାଇବା ପାଇଁ ଘାସ ସଂଗ୍ରହ କରୁଥିଲେ ଏବଂ ତାକୁ ଉଷ୍ମତା ପ୍ରଦାନ ପାଇଁ କୋଳାଗ୍ରତ କରୁଥିଲେ । ଧୀରେ ଧୀରେ ତାଙ୍କର ମନ ଭଗବାନଙ୍କ ଠାରୁ ହଟିଯାଇ ସେହି ହରିଣ ଠାରେ କେନ୍ଦ୍ରିତ ହେବାକୁ ଲାଗିଲା । କ୍ରମଶଃ ସେହି ତନ୍ମୟତା ଏତେ ଗଭୀର ହେଲା ଯେ ଦିନସାରା ତାଙ୍କର ମନ ସେହି ହରିଣର ହିଁ ଚିନ୍ତନ କଲା । ଯେତେବେଳେ ସେ ମୃତ୍ୟୁବରଣ କରିବାକୁ ଯାଉଥିଲେ, ହରିଣଟି ପ୍ରତି ତାଙ୍କର ମମତା ଏବଂ ଚିନ୍ତା ଯୋଗୁଁ, ସେ ତାକୁ ପାଖକୁ ଡ଼ାକିଲେ । ପରିଣାମ ସ୍ୱରୂପ, ପରବର୍ତ୍ତୀ ଜନ୍ମରେ ସେ ମୃଗ ଯୋନିରେ ଜନ୍ମ ଗ୍ରହଣ କଲେ । କିନ୍ତୁ ଯେହେତୁ ସେ ଭଗବତ ସାଧନା କରିଥିଲେ, ପୂର୍ବଜନ୍ମର ସମସ୍ତ ତ୍ରୁଟି ସଂପର୍କରେ ସେ ସଚେତନ ଥିଲେ । ସେଥିପାଇଁ ହରିଣ ହେଲେ ମଧ୍ୟ ସେ ଜଙ୍ଗଲରେ ସାଧୁମାନଙ୍କ ଆଶ୍ରମ ପାଖରେ ରହୁଥିଲେ । ହରିଣ ଶରୀର ତ୍ୟାଗ କରିବା ପରେ ପୁନର୍ବାର ସେ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଥିଲେ । ଏଥର ସେ ବିଖ୍ୟାତ ସନ୍ଥ ଜଡ଼ଭରତ ହେଲେ ଏବଂ ସାଧନା ସମାପ୍ତ କରି ଭଗବତ ପ୍ରାପ୍ତି କଲେ ।

ଏହି ଶ୍ଲୋକ ପାଠ କରି ଜଣେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ ନୁହେଁ ଯେ ଲକ୍ଷ୍ୟ ପ୍ରାପ୍ତି ପାଇଁ, କେବଳ ମୃତ୍ୟୁ ସମୟରେ ହିଁ ପରମେଶ୍ୱରଙ୍କର ଧ୍ୟାନ କରିବା ଆବଶ୍ୟକ । ଜୀବନ ବ୍ୟାପୀ ପ୍ରସ୍ତୁତି ବିନା ଏହା ପ୍ରାୟତଃ ଅସମ୍ଭବ ଅଟେ । ସ୍କନ୍ଧ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ସମୟରେ ଭଗବାନଙ୍କୁ ମନେ ପକାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ମୃତ୍ୟୁ ଏତେ କଷ୍ଟଦାୟକ ଯେ, ମନ ସ୍ୱାଭାବିକ ଭାବରେ ବ୍ୟକ୍ତିର ସ୍ୱଭାବ ଅନୁରୂପ ବିଚାର ପ୍ରତି ଆକର୍ଷିତ ହୋଇଯାଏ । ମନ ଭଗବାନଙ୍କର ଚିନ୍ତନ କରିବା ପାଇଁ ବ୍ୟକ୍ତିର ଅନ୍ତଃକରଣ ଭଗବାନଙ୍କଠାରେ ସଂଯୁକ୍ତ ରହିବା ଆବଶ୍ୟକ । ଅନ୍ତଃକରଣ ସେହି ଚେତନା ଅଟେ ଯାହା ମନ ଓ ବୁଦ୍ଧି ଦ୍ୱାରା ଭିତରେ ରହିଥାଏ । ଯଦି ଆମେ କୌଣସି ବିଚାରର ବାରମ୍ବାର ଚିନ୍ତନ କରିବା ଦ୍ୱାରା, ତାହା ଆମର ଅନ୍ତଃକରଣରେ ପ୍ରତିଫଳିତ ହୋଇଥାଏ । ତେଣୁ ଏକ ଭଗବତ୍ ଚେତନାଯୁକ୍ତ ଅନ୍ତଃକରଣ ବିକଶିତ କରିବା ପାଇଁ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ନିଶ୍ଚିତ ଭାବରେ ଭଗବାନଙ୍କର ସ୍ମରଣ ଏବଂ ଚିନ୍ତନ କରିବା ଆବଶ୍ୟକ । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହାର ବର୍ଣ୍ଣନା କରିଛନ୍ତି ।