Bhagavad Gita: Chapter 8, Verse 14

ଅନନ୍ୟଚେତାଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ ।
ତତ୍ସ୍ୟାହଂ ସୁଲଭଃ ପାର୍ଥ ନିତ୍ୟଯୁକ୍ତସ୍ୟ ଯୋଗିନଃ ।।୧୪।।

ଅନନ୍ୟ-ଚେତାଃ - ଅନନ୍ୟଭାବେ, ଏକାନ୍ତଭାବେ; ସତତଂ - ସର୍ବଦା; ଯଃ- ଯିଏ, ମାମ୍ - ମୋତେ (ଶ୍ରୀକୃଷ୍ଣ); ସ୍ମରତି - ସ୍ମରଣ କରେ; ନିତ୍ୟଶଃ - ନିୟମିତ ଭାବେ; ତସ୍ୟ- ତାଙ୍କୁ; ଅହଂ- ମୁଁ; ସୁଲଭଃ - ସହଜ ଲଭ୍ୟ; ପାର୍ଥ - ପୃଥାପୁତ୍ର ଅର୍ଜୁନ; ନିତ୍ୟ - ନିୟମିତ ରୂପେ; ଯୁକ୍ତସ୍ୟ - ଯୁକ୍ତ; ଯୋଗିନଃ - ଯେଗୀମାନଙ୍କର ।

Translation

BG 8.14: ହେ ପାର୍ଥ, ଯେଉଁ ଯୋଗୀମାନେ ଅନନ୍ୟ ଭାବରେ ମୋର ଚିନ୍ତନ କରନ୍ତି ଏବଂ ସର୍ବଦା ମୋ ଚିନ୍ତନରେ ମଗ୍ନ ରହନ୍ତି, ମୁଁ ସେମାନଙ୍କୁ ଅତି ସହଜରେ ପ୍ରାପ୍ତ ହୋଇଥାଏ ।

Commentary

ସମ୍ପୂର୍ଣ୍ଣ ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ଭକ୍ତି ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି । ପୂର୍ବବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ନିରାକାର -ନିର୍ଗୁଣ ବ୍ରହ୍ମଙ୍କର ଉପାସନା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହା କେବଳ ନୀରସ ନୁହେଁ, ଅତ୍ୟନ୍ତ କଷ୍ଟକର ମଧ୍ୟ ଅଟେ । ସୁତରାଂ, ବର୍ତ୍ତମାନ ସେ ଏକ ସହଜ ବିକଳ୍ପ ଦେଉଛନ୍ତି, ଯାହା ହେଉଛି ତାଙ୍କର ସାକାର ରୂପ ଶ୍ରୀକୃଷ୍ଣ, ଶ୍ରୀରାମ, ଶିବ, ବିଷ୍ଣୁ ଇତ୍ୟାଦିଙ୍କର ଧ୍ୟାନ । ଏଥିରେ ତାଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ତାଙ୍କର ପରିକର ଅନ୍ତର୍ଭୁକ୍ତ ।

ସମ୍ପୂର୍ଣ୍ଣ ଗୀତାରେ, କେବଳ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ସହଜ-ଲବ୍ଧ ଅଟନ୍ତି । କିନ୍ତୁ ସେ ଗୋଟିଏ ଶର୍ତ୍ତ ରଖିଛନ୍ତି, ‘ଅନନ୍ୟ-ଚେତାଃ,’ ଯାହାର ଅର୍ଥ, ମନ କେବଳ ତାଙ୍କ ଏବଂ ତାଙ୍କ ଠାରେ ହିଁ ଲଗାଇବା ଉଚିତ । ଅନନ୍ୟ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ । ଶାବ୍ଦିକ ଦୃଷ୍ଟିରୁ ଏହାର ଅର୍ଥ ହେଉଛି ‘ନ ଅନ୍ୟ’ ବା ‘ଆଉ କିଛି ନୁହେଁ’ । ମନ ଅନ୍ୟ କାହାଠାରେ ନୁହେଁ, କେବଳ ଭଗବାନଙ୍କ ଠାରେ ହିଁ ଲଗାଇବା ଉଚିତ । ଅନନ୍ୟତାର ଏହି ଶର୍ତ୍ତର ଉଲ୍ଲେଖ ଭଗବତ୍ ଗୀତାରେ ଅନେକ ସ୍ଥାନରେ କରାଯାଇଛି ।

ଅନନ୍ୟାଶ୍ଚିନ୍ତୟନ୍ତୋ ମାମ୍ ୯.୨୨
ତମେବ ଶରଣଂ ଗଚ୍ଛ - ୧୮.୬୨
ମାମେକଂ ଶରଣଂ ବ୍ରଜ - ୧୮.୬୬

ଅନ୍ୟ ଶାସ୍ତ୍ରମାନେ ମଧ୍ୟ ଅନନ୍ୟ ଭକ୍ତିକୁ ଗୁରୁତ୍ୱ ଦେଇଥାଆନ୍ତି ।

ମାଂ ଏକଂ ଏବ ଶରଣଂ ଆତ୍ମାନଂ ସର୍ବ-ଦେହିନାମ୍ (ଭାଗବତମ୍ ୧୧.୧୨.୧୫)

ଏକମାତ୍ର ମୋର ଶରଣାଗତି କର, କାରଣ ମୁଁ ସବୁ ଜୀବଙ୍କର ଆତ୍ମା ଅଟେ ।

ଏକ ଭରୋସୋ ଏକ ବଳ ଏକ ଆସ ବିଶ୍ୱାସ (ରାମାୟଣ)

ମୋର ଏକମାତ୍ର ଭରସା, ଏକମାତ୍ର ବଳ, ଏକମାତ୍ର ବିଶ୍ୱାସ ଏବଂ ଏକମାତ୍ର ଆଶ୍ରୟ ପ୍ରଭୁ ଶ୍ରୀରାମ ଅଟନ୍ତି ।

ଅନ୍ୟାଶ୍ରୟାଣାଂ ତ୍ୟାଗୋଽନନ୍ୟତା (ନାରଦ ଭକ୍ତି ଦର୍ଶନ, ସୂତ୍ର-୧୦)

ଅନ୍ୟ ସମସ୍ତ ଆଶ୍ରୟ ତ୍ୟାଗ କରି ଭଗବାନଙ୍କର ଅନନ୍ୟ ଭକ୍ତି କର ।

ଅନନ୍ୟ ଭକ୍ତିର ଅର୍ଥ, ମନକୁ କେବଳ ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା, ଧାମ ଓ ପରିକରଙ୍କ ଠାରେ ହିଁ କେନ୍ଦ୍ରିତ କରିବା । ଏହି ତର୍କଟି ଅତି ସରଳ । ସାଧନାର ଉଦ୍ଦେଶ୍ୟ ଅନ୍ତଃକରଣକୁ ଶୁଦ୍ଧ କରିବା ଏବଂ ଏହା କେବଳ ଶୁଦ୍ଧ ଭଗବାନଙ୍କ ଠାରେ ମନକୁ ଲଗାଇବା ଦ୍ୱାରା ହିଁ ସମ୍ଭବ ହେବ । ଆମେ ଯଦି ମନକୁ ଭଗବାନଙ୍କ ଚିନ୍ତନରେ ଶୁଦ୍ଧ କରିବା ପରେ ପୁଣି ତାକୁ ସଂସାରରେ ବୁଡ଼ାଇ ମଇଳା କରିଦେବା, ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ତାକୁ ଶୁଦ୍ଧ କରିପାରିବା ନାହିଁ । ଏହି ଭୁଲ୍‌ଟି ପ୍ରାୟ ସମସ୍ତେ କରନ୍ତି । ସେମାନେ ଭଗବାନଙ୍କୁ ଭଲ ପାଆନ୍ତି ସତ, କିନ୍ତୁ ସେମାନେ ସାଂସାରିକ ବ୍ୟକ୍ତି ଏବଂ ବସ୍ତୁରେ ମଧ୍ୟ ଆସକ୍ତ ରହନ୍ତି । ଫଳତଃ ସାଧନା ଦ୍ୱାରା ଯାହାବି ଲାଭ ମିଳିଥାଏ ତାହା ସାଂସାରିକ ବନ୍ଧନ ଦ୍ୱାରା କ୍ଷୟ ହୋଇଯାଏ । ଆପଣ ଯଦି ସାବୁନ ଲଗାଇ ବସ୍ତ୍ର ସଫା କରିବା ପରେ ତା’ ଉପରେ ମଇଳା ପକାଇ ଚାଲିବେ, ତା’ହେଲେ ଆପଣଙ୍କର ସବୁ ଚେଷ୍ଟା ବ୍ୟର୍ଥ ହୋଇଯିବ । ଅତଏବ ଶ୍ରୀକୃଷ୍ଣ କହୁଛନ୍ତି, କେବଳ ଭକ୍ତି ନୁହେଁ ତାଙ୍କ ପ୍ରତି ଅନନ୍ୟ ଭକ୍ତି ଦ୍ୱାରା ହିଁ ସେ ସହଜରେ ପ୍ରାପ୍ତ ହେବେ ।