ନୈତେ ସୃତୀ ପାର୍ଥ ଜାନନ୍ଯୋଗୀ ମୁହ୍ୟତି କଶ୍ଚନ ।
ତସ୍ମାତ୍ସର୍ବେଷୁ କାଳେଷୁ ଯୋଗଯୁକ୍ତୋ ଭବାର୍ଜୁନ ।।୨୭।।
ନ - କଦାପି ନୁହେଁ; ଏତେ - ଏସବୁ; ସୃତୀ - ବିଭିନ୍ନ ପନ୍ଥା; ପାର୍ଥ - ହେ ପୃଥା ପୁତ୍ର; ଜାନନ୍ - ଯଦିଓ ସେମାନେ ଜାଣନ୍ତି; ଯୋଗୀ - ଭଗବାନ୍ଙ୍କର ଭକ୍ତ; ମୁହ୍ୟତି - ମୁହ୍ୟମାନ ହୁଏ; କଶ୍ଚନ - କୌଣସି ; ତସ୍ମାତ୍ - ତେଣୁ; ସର୍ବେଷୁ - କାଳେଷୁ - ସର୍ବଦା; ଯୋଗ-ଯୁକ୍ତଃ - ଯୋଗରେ ସ୍ଥିତ; ଭବ - ହୁଅ; ଅର୍ଜୁନ - ହେ ଅର୍ଜୁନ ।
Translation
BG 8.27: ହେ ପାର୍ଥ! ଯେଉଁ ଯୋଗୀମାନେ ଏହି ଦୁଇଟି ମାର୍ଗର ରହସ୍ୟ ଜାଣନ୍ତି, ସେମାନେ କଦାପି ବିଚଳିତ ହୁଅନ୍ତି ନାହିଁ । ତେଣୁ ସେମାନେ ନିରନ୍ତର ଯୋଗ ଅବସ୍ଥାରେ (ଭଗବାନଙ୍କ ସହିତ ଏକତ୍ୱ) ସ୍ଥିତ ରହନ୍ତି ।
Commentary
ଯୋଗୀମାନେ ସେହି ପ୍ରକାର ସାଧକ ଅଟନ୍ତି, ଯେଉଁମାନେ ନିଜର ମନକୁ ସର୍ବଦା ଭଗବାନଙ୍କ ସହିତ ଏକ କରିଦେବାକୁ ଚେଷ୍ଟା କରୁଥାଆନ୍ତି । ନିଜକୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଭାବେ ହୃଦୟଙ୍ଗମ କରି ଏବଂ ସଂସାର ପ୍ରତି ଆସକ୍ତିର ବ୍ୟର୍ଥତା ଉପଲବ୍ଧି କରି, ସେମାନେ ଇନ୍ଦ୍ରିୟ ସୁଖକୁ କ୍ଷଣିକ ମନେ କରନ୍ତି ଓ ଭଗବାନଙ୍କ ପ୍ରତି ତାଙ୍କର ପ୍ରେମ ବୃଦ୍ଧି କରିବା ଦିଗରେ ଚେଷ୍ଟାରତ ରହନ୍ତି । ଅତଏବ ସେମାନେ ଆଲୋକ ପଥର ଅନୁସରଣ କରନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ମାୟାରେ ଭ୍ରମିତ ହୋଇ ନଶ୍ୱର ଜଗତକୁ ଚିରନ୍ତନ, ଶରୀରକୁ ‘ମୁଁ’ ଓ ସଂସାରର ଦୁଃଖକୁ ସୁଖର ଉତ୍ସ ଭାବରେ ଚିନ୍ତା କରନ୍ତି, ସେମାନେ ଅନ୍ଧକାର ପଥର ଯାତ୍ରୀ ଅଟନ୍ତି । ଉଭୟ ପଥର ପରିଣାମ ସଂପୂର୍ଣ୍ଣ ଭାବରେ ବିପରୀତ ଅଟେ - ଗୋଟିଏ ଚିରନ୍ତନ ସ୍ୱର୍ଗୀୟ ସୁଖ ପ୍ରଦାନ କରିଥାଏ ଏବଂ ଅନ୍ୟଟି ମାୟିକ ସଂସାରର ଦୁଃଖ ଘେରକୁ ନେଇଯାଏ । ଶ୍ରୀକୃଷ୍ଣ ଏହି ଦୁଇଟି ମାର୍ଗର ବିଶ୍ଲେଷଣ କରି, ଯୋଗୀ ଭାବରେ ଆଲୋକର ମାର୍ଗ ଅନୁସରଣ କରିବାକୁ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ।
ସେ, ସେଠାରେ ‘ସର୍ବଦା’ ଶବ୍ଦର ବ୍ୟବହାର କରିଛନ୍ତି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଆଲୋକର ପଥ କିଛି ସମୟ ପାଇଁ ଅନୁସରଣ କରିଥାଏ, କିନ୍ତୁ ପୁଣି ଅନ୍ଧକାର ପଥକୁ ଫେରି ଆସିଥାଏ । ଯଦି ଜଣେ ଉତ୍ତର ଦିଗକୁ ଯିବାକୁ ଇଚ୍ଛା କରେ, କିନ୍ତୁ ଏକ ମାଇଲ ଉତ୍ତରକୁ ଯିବା ପରେ ଚାରି ମାଇଲ ଦକ୍ଷିଣକୁ ଯାଏ, ତେବେ ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ, ସେ ଦକ୍ଷିଣ ଦିଗରେ ହିଁ ପହଞ୍ôଚଯିବ । ସେହିପରି ଦିନରେ କିଛି ସମୟ ପାଇଁ ଆଲୋକର ପଥ ଅନୁସରଣ କରି ଆମେ ପ୍ରଗତି ଆଶା କରିପାରିବା ନାହିଁ । ଆମେ ନିରନ୍ତର ଭାବରେ ଠିକ୍ ଦିଗରେ ଅଗ୍ରସର ହେବା ଉଚିତ ଏବଂ ଭୁଲ ଦିଗରେ ଯିବା ବନ୍ଦ କରିବା ଉଚିତ । ତା’ହେଲେ ଯାଇଁ ଆମେ ଆଗକୁ ଯାଇପାରିବା । ସୁତରାଂ, ଶ୍ରୀକୃଷ୍ଣ କହୁଛନ୍ତି “ସର୍ବଦା ଯୋଗୀ ହୁଅ ।”