ନାନ୍ୟଂ ଗୁଣେଭ୍ୟଃ କର୍ତାରଂ ଯଦା ଦ୍ରଷ୍ଟାନୁପଶ୍ୟତି ।
ଗୁଣେଭ୍ୟଶ୍ଚ ପରଂ ବେତ୍ତି ମଦ୍ଭାବଂ ସୋଽଧିଗଚ୍ଛତି ।।୧୯।।
ନ- ନାହିଁ; ଅନ୍ୟଂ-ଅନ୍ୟ କିଛି; ଗୁଣେଭ୍ୟଃ- ଗୁଣମାନଙ୍କର; କର୍ତାରଂ- କର୍ତ୍ତା; ଯଦା-ଯେତେବେଳେ; ଦ୍ରଷ୍ଟା -ଦ୍ରଷ୍ଟା; ଅନୁପଶ୍ୟତି-ଦେଖେ; ଗୁଣେଭ୍ୟଃ ଚ- ପ୍ରକୃତିର ଗୁଣକୁ; ଚ -ଏବଂ; ପରଂ- ଦିବ୍ୟ; ବେତ୍ତି-ଜାଣେ; ମତ୍-ଭାବଂ- ମୋର ଦିବ୍ୟ ପ୍ରକୃତିକୁ; ସଃ- ସେ; ଅଧିଗଚ୍ଛତି- ଉନ୍ନୀତ ହୁଏ ।
Translation
BG 14.19: ବିଜ୍ଞବ୍ୟକ୍ତିମାନେ ଯେତେବେଳେ ବୁଝିପାରନ୍ତି, ସମସ୍ତ କର୍ମର କର୍ତ୍ତା ତ୍ରିଗୁଣ ବ୍ୟତିତ ଅନ୍ୟ କେହି ନୁହଁନ୍ତି ଏବଂ ମୋତେ ତ୍ରିଗୁଣାତୀତ ଭାବରେ ଜାଣନ୍ତି, ସେମାନେ ମୋର ଦିବ୍ୟଗୁଣରେ ସମ୍ପନ୍ନ ହୁଅନ୍ତି ।
Commentary
ତ୍ରିଗୁଣର ଜଟିଳ ଗତିବିଧି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଗୁଣର ଶୃଙ୍ଖଳକୁ ଛିନ୍ନ କରିବାର ଏକ ସରଳ ଉପାୟ ନିର୍ଦ୍ଦେଶ କରୁଛନ୍ତି । ସଂସାରର ସମସ୍ତ ପ୍ରାଣୀ ତ୍ରିଗୁଣର କବଳିତ ରହିଥାଆନ୍ତି । ସୁତରାଂ, ସଂସାରରେ ଦେଖା ଯାଉଥିବା ସମସ୍ତ କର୍ମର ସକ୍ରିୟ ପ୍ରତିନିଧି ଏହି ତିନିଗୁଣ ଅଟନ୍ତି, କିନ୍ତୁ ଭଗବାନ ଏସବୁର ଉର୍ଦ୍ଧ୍ୱରେ । ସେଥିପାଇଁ ତାଙ୍କୁ ତ୍ରି-ଗୁଣାତୀତ କୁହାଯାଏ । ସେହିପରି, ଭଗବାନଙ୍କର ସମସ୍ତ ବୈଶିଷ୍ଟ୍ୟ - ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ସନ୍ଥ - ମଧ୍ୟ ତ୍ରିଗୁଣାତୀତ ଅଟନ୍ତି ।
ତ୍ରିଗୁଣ ବଳୟ ଅନ୍ତର୍ଗତ କୌଣସି ବ୍ୟକ୍ତି ବା ବସ୍ତୁଠାରେ ଆମେ ଯଦି ମନକୁ ଆସକ୍ତ କରିବା, ତେବେ ସେହି ଗୁଣଗୁଡ଼ିକର ଆଭାସ ଆମ ମନ ଓ ବୁଦ୍ଧିରେ ବୃଦ୍ଧି ପାଇବ । କିନ୍ତୁ, ଯଦି ଆମେ ଆମ ମନକୁ ଦିବ୍ୟ ଜଗତରେ ଲଗାଇବା, ଗୁଣଗୁଡ଼ିକ ପ୍ରତିହତ ହୋଇ ମନ ଦିବ୍ୟ ହୋଇଯିବ । ଏହାକୁ ଜାଣି, ଯେଉଁମାନେ ସାଂସାରିକ ବ୍ୟକ୍ତି ଓ ବସ୍ତୁ ସହିତ ସେମାନଙ୍କର ସମ୍ପର୍କ ଶିଥିଳ କରିବାକୁ ଆରମ୍ଭ କରନ୍ତି ଏବଂ ଭକ୍ତି ଦ୍ୱାରା ହରି ଓ ଗୁରୁଙ୍କ ସହିତ ସମ୍ବନ୍ଧ ସୁଦୃଢ଼ କରନ୍ତି, ଏହା ସେମାନଙ୍କୁ ତ୍ରିଗୁଣକୁ ଅତିକ୍ରମ କରି, ଭଗବାନଙ୍କ ଦିବ୍ୟଗୁଣ ହାସଲ କରିବାରେ ସକ୍ଷମ କରାଏ । ଏହାର ବିସ୍ତୃତ ବର୍ଣ୍ଣନା ଶ୍ଳୋକ ୧୪.୨୬ରେ କରାଯାଇଛି ।