Bhagavad Gita: Chapter 14, Verse 20

ଗୁଣାନେତାନତୀତ୍ୟ ତ୍ରୀନ୍‌ଦେହୀ ଦେହସମୁଦ୍ଭବାନ୍ ।
ଜନ୍ମମୃତ୍ୟୁଜରାଦୁଃଖୈର୍ବିମୁକ୍ତୋଽମୃତମଶ୍ନୁତେ ।।୨୦।।

ଗୁଣାନ୍‌- ତ୍ରିଗୁଣ; ଏତାନ୍‌-ଏସବୁ; ଅତୀତ୍ୟ-ଅତିକ୍ରମ କରି; ତ୍ରିନ୍‌- ତିନି; ଦେହୀ-ଶରୀରଧାରୀ; ଦେହ-ଶରୀର; ସମୁଦ୍ଭବାନ୍‌-ଜାତ; ଜନ୍ମ-ଜନ୍ମ; ମୃତ୍ୟୁ-ମୃତ୍ୟୁ; ଜରା-ବୃଦ୍ଧାବସ୍ଥା; ଦୁଃଖୈଃ-ଦୁଃଖମାନଙ୍କରେ; ବିମୁକ୍ତଃ-ବିମୁକ୍ତ ହୋଇ; ଅମୃତଂ-ଅମରତ୍ୱ; ଅଶ୍ନୁତେ- ଉପଭୋଗ କରେ ।

Translation

BG 14.20: ଶରୀର ସହିତ ଜଡ଼ିତ, ଭୌତିକ ପ୍ରକୃତିର ତିନିଗୁଣକୁ ଅତିକ୍ରମ କରି, ବ୍ୟକ୍ତି ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଆଦି ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ପ୍ରାପ୍ତ କରେ ।

Commentary

ଆମେ ଯଦି ଗୋଟିଏ ଅପରିଷ୍କାର କୂଅରୁ ଜଳପାନ କରୁ, ଆମର ଉଦର ନିଶ୍ଚିତଭାବେ ଖରାପ ହେବ । ସେହିପରି ଆମେ ଯଦି ତିନିଗୁଣ ଦ୍ୱାରା ପ୍ରଭାବିତ ହେବା, ଫଳସ୍ୱରୂପ ଆମେ ନିଶ୍ଚିତଭାବେ ସଂସାରରେ ବାରମ୍ବାର ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁକୁ ପ୍ରାପ୍ତ ହେବା । ଭୌତିକ ଜୀବନର ଏହି ଚାରିଗୋଟି ମୁଖ୍ୟ କ୍ଳେଶ ଅଟେ । ଏସବୁକୁ ଦେଖି ବୁଦ୍ଧ ପ୍ରଥମେ ଅନୁଭବ କଲେ ଯେ ସଂସାର ଦୁଃଖପୂର୍ଣ୍ଣ ଅଟେ ଏବଂ ତା’ପରେ ସେ ଏହି ଦୁଃଖରୁ ମୁକ୍ତି ପାଇବାର ମାର୍ଗ ଖୋଜିଲେ ।

ମନୁଷ୍ୟମାନଙ୍କ ପାଇଁ ବେଦ ଅନେକ ଗୁଡ଼ିଏ ଆଚରଣ ବିଧି, ସାମାଜିକ କର୍ତ୍ତବ୍ୟ, ରୀତି ଏବଂ ନିୟମ ଧାର୍ଯ୍ୟ କରିଛି । ଏହିସବୁ ନିର୍ଦ୍ଧାରିତ କର୍ତ୍ତବ୍ୟ ଏବଂ ଆଚରଣ ବିଧିକୁ ଏକତ୍ରଭାବେ କର୍ମ ଧର୍ମ ବା ବର୍ଣ୍ଣାଶ୍ରମ ଧର୍ମ  ବା ଶାରୀରିକ ଧର୍ମ କୁହାଯାଏ । ସେଗୁଡ଼ିକ ଆମକୁ ତମୋଗୁଣ ଏବଂ ରଜୋଗୁଣରୁ ଉନ୍ନୀତ କରାଇ ସତ୍ତ୍ୱଗୁଣ ଦିଗକୁ ନେଇଯାନ୍ତି । କିନ୍ତୁ ସତ୍ତ୍ୱଗୁଣ ହାସଲ କରିବା ଯଥେଷ୍ଟ ନୁହେଁ; ଏହା ମଧ୍ୟ ବନ୍ଧନର ଏକ ରୂପ ଅଟେ । ଆମର ଲକ୍ଷ୍ୟ ଏହାଠାରୁ ମଧ୍ୟ ଆଗକୁ - ଭୌତିକ ଅବସ୍ଥିତିର ବନ୍ଦୀଗୃହରୁ ମୁକ୍ତି ଲାଭ କରିବା ।

ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଯେତେବେଳେ ଆମେ ତ୍ରିଗୁଣକୁ ଅତିକ୍ରମ କରିଯାଏ, ମାୟା ଆମକୁ ଆଉ କବଳିତ କରିପାରେ ନାହିଁ । ଏହିପରି ଭାବରେ, ଆତ୍ମା ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇଯାଏ ଏବଂ ଅମରତ୍ୱ ପ୍ରାପ୍ତ କରେ । ବସ୍ତୁତଃ, ଆତ୍ମା ସର୍ବଦା ଅମର । ତଥାପି ଭୌତିକ ଶରୀର ସହିତ ତାଦାତ୍ମ୍ୟ କରି ଏହା ଜନ୍ମ ଓ ମୃତ୍ୟୁର ଭ୍ରମରେ ପୀଡ଼ିତ ହୋଇଥାଏ । ଏହି ଭ୍ରମାତ୍ମକ ଅନୁଭବ ଆତ୍ମାର ନିତ୍ୟ ସ୍ୱଭାବର ବିପରୀତ ଅଟେ, ସେଥିପାଇଁ ସେ ଏଥିରୁ ମୁକ୍ତି ଚାହେଁ । ମାୟିକ ଭ୍ରମ ସ୍ୱାଭାବିକ ଭାବରେ ଆମର ଆତ୍ମା ପ୍ରତି କଷ୍ଟଦାୟକ ଅଟେ ଏବଂ ଅଭ୍ୟନ୍ତରରୁ ଆମେ ଅମରତ୍ୱ ଆସ୍ୱାଦନ କରିବାକୁ ଚାହୁଁ ।