Bhagavad Gita: Chapter 14, Verse 7

ରଜୋ ରାଗାତ୍ମକଂ ବିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭବମ୍ ।
ତନ୍ନିବଧ୍ନାତି କୌନ୍ତେୟ କର୍ମସଙ୍ଗେନ ଦେହିନମ୍ ।।୭।।

ରଜଃ-ରଜୋଗୁଣ; ରାଗ-ଆତ୍ମକଂ- ବାସନାତ୍ମକ; ବିଦ୍ଧି-ଜାଣ; ତୃଷ୍ଣା-କାମନା; ସଙ୍ଗ-ସଙ୍ଗ; ସମୁଦ୍ଭବମ୍‌-ଜାତ; ତତ୍‌-ତାହା; ନିବଧ୍ନତି- ବନ୍ଧନ କରାଏ; କୌନ୍ତେୟ-ହେ କୁନ୍ତି-ପୁତ୍ର; କର୍ମ-ସଙ୍ଗେନ- ସକାମ କର୍ମରେ ଆସକ୍ତି; ଦେହିନମ୍‌-ଦେହଧାରୀ ଆତ୍ମାକୁ ।

Translation

BG 14.7: ହେ ଅର୍ଜୁନ ! ରଜୋଗୁଣ ବାସନାତ୍ମକ ଅଟେ । ଏହା ସାଂସାରିକ କାମନା ଓ ଅନୁରାଗରୁ ଜାତ ହୁଏ ଏବଂ ଫଳଯୁକ୍ତ କର୍ମର ଆସକ୍ତି ଦ୍ୱାରା ଆତ୍ମାକୁ ବନ୍ଧନରେ ପକାଇଥାଏ ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ରଜୋଗୁଣର କାର୍ଯ୍ୟ, ଏବଂ ଏହା କିପରି ଆତ୍ମାକୁ ଭୌତିକ ଜଗତ ସହିତ ବାନ୍ଧିଦିଏ, ତାହା ବୁଝାଇଛନ୍ତି । ପତଞ୍ଜଳି ଯୋଗ ଦର୍ଶନ ଭୌତିକ କର୍ମକୁ, ରଜୋଗୁଣର ପ୍ରମୁଖ ପରିପ୍ରକାଶ ଭାବରେ ବର୍ଣ୍ଣନା କରିଥାଏ । ଏଠାରେ ଶ୍ରୀକୃଷ୍ଣ ଆସକ୍ତି ଓ କାମନାକୁ ଏହାର ମୁଖ୍ୟ ପରିପ୍ରକାଶ ଭାବରେ ସୂଚିତ କରିଛନ୍ତି ।

ରଜୋଗୁଣ ବାସନା ଇନ୍ଦ୍ରିୟ ସୁଖର ଲାଳସା ଉତ୍ପନ୍ନ କରିଥାଏ । ଏହା ମାନସିକ ଓ ଶାରୀରିକ ସୁଖକାମନା ପ୍ରଜ୍ୱଳିତ କରେ ଏବଂ ସଂସାରର ବସ୍ତୁମାନଙ୍କ ପ୍ରତି ମଧ୍ୟ ଆସକ୍ତି ବୃଦ୍ଧି କରେ । ରଜଗୁଣରେ ବଶୀଭୂତ ବ୍ୟକ୍ତି ସଂସାରରେ ଖ୍ୟାତି, ସମ୍ମାନ, ବୃତ୍ତି, ପରିବାର ଓ ଗୃହ ଆଦି ଭୌତିକ ଦ୍ରବ୍ୟପ୍ରାପ୍ତିର ପ୍ରଯତ୍ନରେ ବୁଡ଼ି ରହିଥାଏ । ସେମାନେ ଏସବୁକୁ ଉପଭୋଗର ଉତ୍ସ ଭାବରେ ଦେଖିଥାନ୍ତି ଏବଂ ଏହାର ପ୍ରାପ୍ତି ନିମନ୍ତେ କଠିନ ଉଦ୍ୟମ କରିଥାନ୍ତି । ଏହିପରି ଭାବରେ ଆସକ୍ତି କାମନାର ବୃଦ୍ଧି କରାଏ ଏବଂ ଏହି କାମନା ପୁଣି ଆସକ୍ତି ବୃଦ୍ଧି କରିବା ପାଇଁ ଇନ୍ଧନ ଯୋଗାଇଥାଏ । ଉଭୟ ଉଭୟଙ୍କୁ ପ୍ରତିପାଳିତ କରି ଆତ୍ମାକୁ ସାଂସାରିକ ଜୀବନରେ ବନ୍ଦୀ କରିଦିଅନ୍ତି ।

ଏହାକୁ ଛିନ୍ନ କରିବାର ଉପାୟ ହେଉଛି କର୍ମଯୋଗରେ ନିଯୁକ୍ତ ହେବା, ଅର୍ଥାତ୍ ନିଜର କର୍ମଫଳକୁ ଭଗବାନଙ୍କ ପ୍ରତି ଅର୍ପଣ କରିବା । ଏହା ସଂସାରରୁ ବୈରାଗ୍ୟ ଉତ୍ପନ୍ନ କରେ ଏବଂ ରଜୋଗୁଣର ପ୍ରଭାବକୁ ଶାନ୍ତ କରେ ।