Bhagavad Gita: Chapter 14, Verse 18

ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ ।
ଜଘନ୍ୟଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ ।।୧୮।।

ଊର୍ଦ୍ଧ୍ୱଂ-ଉର୍ଦ୍ଧ୍ୱକୁ; ଗଚ୍ଛନ୍ତି- ଯା’ନ୍ତି; ସତ୍ତ୍ୱସ୍ଥାଃ-ସତ୍ତ୍ୱଗୁଣରେ ସ୍ଥିତ; ମଧ୍ୟେ- ମଧ୍ୟରେ; ତିଷ୍ଠନ୍ତି- ରହନ୍ତି; ରାଜସାଃ- ରଜୋଗୁଣୀ; ଜଘନ୍ୟ-ଘୃଣିତ; ଗୁଣ-ଗୁଣ; ବୃତ୍ତିସ୍ଥାଃ-କର୍ମରେ ନିଯୁକ୍ତ; ଅଧଃ-ନିମ୍ନ; ଗଚ୍ଛନ୍ତି-ଯା’ନ୍ତି; ତାମସାଃ- ଯେଉଁମାନେ ତମୋଗୁଣରେ ସ୍ଥିତ ।

Translation

BG 14.18: ସତ୍ତ୍ୱଗୁଣରେ ସ୍ଥିତ ବ୍ୟକ୍ତି ଉର୍ଦ୍ଧ୍ୱଗାମୀ ହୁଅନ୍ତି; ରଜୋଗୁଣ ସ୍ଥିତ ବ୍ୟକ୍ତି ମଧ୍ୟସ୍ଥଳରେ ରହନ୍ତି ଏବଂ ଯେଉଁମାନେ ତମୋଗୁଣରେ ସ୍ଥିତ, ସେମାନେ ନିମ୍ନଗାମୀ ହୁଅନ୍ତି ।

Commentary

ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଆତ୍ମାର ପୁନର୍ଜନ୍ମ ବ୍ୟକ୍ତିତ୍ୱରେ ଗୁଣମାନଙ୍କର ପ୍ରାଧାନ୍ୟ ସହିତ ସମ୍ବନ୍ଧିତ ରହିଥାଏ । ବର୍ତ୍ତମାନ ଜନ୍ମର ଯାତ୍ରା ପୂର୍ଣ୍ଣ କରିବା ପରେ, ଆତ୍ମା ସେହି ସ୍ଥାନରେ ପହଞ୍ଚିଥାଏ, ଯାହା ତା’ର ଗୁଣ ଅନୁରୂପ ଅଟେ । ଏହାକୁ ଜଣେ ଛାତ୍ର ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟରେ ପ୍ରବେଶ କରିବା ସହିତ ତୁଳନା କରାଯାଇପାରେ । ଦେଶରେ ଅନେକ ମହାବିଦ୍ୟାଳୟ ଅଛି । ଯେଉଁ ଛାତ୍ରମାନେ ବିଦ୍ୟାଳୟରୁ ଉତ୍ତମ ଫଳାଫଳ ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି, ସେମାନେ ଶ୍ରେଷ୍ଠ ମହାବିଦ୍ୟାଳୟରେ ପ୍ରବେଶାଧିକାର ପାଇଥାନ୍ତି । ଯେଉଁମାନଙ୍କର ନମ୍ବର କମ୍ ଥାଏ, ସେମାନେ ନିକୃଷ୍ଟ ମହାବିଦ୍ୟାଳୟରେ ପ୍ରବେଶ ପାଇଥାନ୍ତି ।  ଭାଗବତମ୍ କହେ:

ସତ୍ତ୍ୱେ ପ୍ରଳୀନାଃ ସ୍ୱର୍ ଯାନ୍ତି ନର-ଲୋକଂ ରଜୋ-ଲୟାଃ
ତମୋ-ଲୟାସ୍ ତୁ ନିରୟଂ ଯାନ୍ତି ମାମ୍ ଏବ ନିର୍ଗୁଣାଃ ।। (୧୧.୨୫.୨୨)

“ସତ୍ତ୍ୱଗୁଣଯୁକ୍ତ ବ୍ୟକ୍ତିଗଣ ଉଚ୍ଚତର ସ୍ୱର୍ଗଲୋକକୁ ଗମନ କରନ୍ତି । ରଜୋଗୁଣଯୁକ୍ତ ବ୍ୟକ୍ତି ପୃଥିବୀ ପୃଷ୍ଠରେ ରହନ୍ତି । ତମୋଗୁଣଯୁକ୍ତ ବ୍ୟକ୍ତି ନିମ୍ନଲୋକକୁ ଯାଇଥାନ୍ତି । ନିର୍ଗୁଣମାନେ ମୋତେ ପ୍ରାପ୍ତ କରିଥାଆନ୍ତି ।”