Bhagavad Gita: Chapter 14, Verse 27

ବ୍ରହ୍ମଣୋ ହି ପ୍ରତିଷ୍ଠାହମମୃତସ୍ୟାବ୍ୟୟସ୍ୟ ଚ ।
ଶାଶ୍ୱତସ୍ୟ ଚ ଧର୍ମସ୍ୟ ସୁଖସ୍ୟୈକାନ୍ତିକସ୍ୟ ଚ ।।୨୭।।

ବ୍ରହ୍ମଣଃ- ନିରାକାର ବ୍ରହ୍ମ; ହି-ନିଶ୍ଚିତଭାବେ; ପ୍ରତିଷ୍ଠା-ଆଶ୍ରୟସ୍ଥଳ; ଅହଂ-ମୁଁ; ଅମୃତସ୍ୟ- ଅମର; ଅବ୍ୟୟସ୍ୟ- ଅବିନାଶୀ; ଚ- ଏବଂ; ଶାଶ୍ୱତସ୍ୟ- ଚିରନ୍ତନ; ଚ-ଏବଂ; ଧର୍ମସ୍ୟ- ଧର୍ମର; ସୁଖସ୍ୟ-ସୁଖର; ଐକାନ୍ତିକସ୍ୟ-ଅନନ୍ତର; ଚ-ଏବଂ ।

Translation

BG 14.27: ମୁଁ ହିଁ ନିରାକାର ବ୍ରହ୍ମଙ୍କର ଆଧାର, ଅମର ଏବଂ ଅବିନଶ୍ୱର ଅଟେ; ନିତ୍ୟ ଧର୍ମଯୁକ୍ତ ଏବଂ ଅସୀମ ଦିବ୍ୟ ଆନନ୍ଦ ଅଟେ ।

Commentary

ପୂର୍ବବର୍ତ୍ତୀ ଶ୍ଳୋକ, ଶ୍ରୀକୃଷ୍ଣ ଏବଂ ନିରାକାର ବ୍ରହ୍ମଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ପ୍ରଶ୍ନ ଉତ୍‌ଥାପନ କରିପାରେ । ଏହା ପୂର୍ବରୁ କୁହାଯାଇଛି ଯେ ସର୍ବଶକ୍ତିମାନ ଭଗବାନଙ୍କ ବ୍ୟକ୍ତିତ୍ୱର ଦୁଇଟି ସ୍ୱରୂପ ରହିଛି- ନିରାକାର ଏବଂ ସାକାର ସ୍ୱରୂପ । ଏଠାରେ ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ଜ୍ଞାନୀମାନଙ୍କର ଉପାସ୍ୟ ବ୍ରହ୍ମ, ତାଙ୍କର ସାକାର ରୂପର ଜ୍ୟୋତି ଅଟେ ।

ପଦ୍ମପୁରାଣ ଉଲ୍ଲେଖ କରେ:

ଯନ୍ନଖେନ୍ଦୁରୁଚିର୍ବ୍ରହ୍ମ ଧେୟଂ ବ୍ରହ୍ମାଦିଭିଃ ସୁରୈଃ
ଗୁଣତ୍ରୟମତୀତଂ ତଂ ବନ୍ଦେ ବୃନ୍ଦାବନେଶ୍ୱରମ୍ । (ପାତାଳ ଖଣ୍ଡ ୭୭.୬୦)

“ବୃନ୍ଦାବନେଶ୍ୱର ଶ୍ରୀକୃଷ୍ଣଙ୍କ ପାଦ ନଖରୁ ପ୍ରକାଶିତ ହେଉଥିବା ଆଲୋକ, ଦିବ୍ୟ ବ୍ରହ୍ମ ଅଟନ୍ତି, ଯାହାର ଧ୍ୟାନ ଜ୍ଞାନୀଗଣ ଏପରିକି ସ୍ୱର୍ଗର ଦେବତାମାନେ କରିଥା’ନ୍ତି ।” ସେହିପରି ଚୈତନ୍ୟ ମହାପ୍ରଭୁ କହନ୍ତି:

ତାହାର ଅଙ୍ଗେର ଶୁଦ୍ଧ କିରଣ-ମଣ୍ଡଳ
ଉପନିଷତ୍ କହେ ତାଁରେ ବ୍ରହ୍ମ ସୁନିର୍ମଳ । (ଚୈତନ୍ୟ ଚରିତାମୃତ, ଆଦିଲୀଳା ୨.୧୨)

“ଭଗବାନଙ୍କ ଦିବ୍ୟ ଶରୀରରୁ ବିକିରଣ ହେଉଥିବା ଦୀପ୍ତିକୁ ଉପନିଷଦ ବ୍ରହ୍ମ ଭାବରେ ବର୍ଣ୍ଣନା କରିଥାଏ । ଅତଏବ, ଶ୍ରୀକୃଷ୍ଣ ଏହି ଶ୍ଳୋକରେ, ଅସନ୍ଦିଗ୍ଧ ଭାବରେ ସମର୍ଥନ କରୁଛନ୍ତି ଯେ ତ୍ରିଗୁଣ ରୂପକ ବ୍ୟାଧିର ମହୌଷଧି ହେଉଛି ପରମେଶ୍ୱରଙ୍କ ସାକାର ସ୍ୱରୂପରେ ଦୃଢ଼ ଭକ୍ତିରେ ନିମଜ୍ଜିତ ହେବା ।