ମମ ଯୋନିର୍ମହଦ୍ ବ୍ରହ୍ମ ତସ୍ମିନ୍ଗର୍ଭଂ ଦଧାମ୍ୟହମ୍ ।
ସମ୍ଭବଃ ସର୍ବଭୂତାନାଂ ତତୋ ଭବତି ଭାରତ ।।୩।।
ସର୍ବଯୋନିଷୁ କୌନ୍ତେୟ ମୂର୍ତୟଃ ସମ୍ଭବନ୍ତି ଯାଃ ।
ତାସାଂ ବ୍ରହ୍ମ ମହଦ୍ୟୋନିରହଂ ବୀଜପ୍ରଦଃ ପିତା ।।୪।।
ମମ -ମୋର; ଯୋନି -ଗର୍ଭ; ମହତ୍-ବ୍ରହ୍ମ -ସମଗ୍ର ଭୌତିକ ସ୍ଥିତି, ପ୍ରକୃତି; ତସ୍ମିନ୍-ସେଥିରେ; ଗର୍ଭଂ-ଗର୍ଭ; ଦଧାମି- ସଂଚାର କରେ; ଅହମ୍- ମୁଁ; ସମ୍ଭବଃ -ଜନ୍ମ; ସର୍ବ-ଭୂତାନାଂ-ସମସ୍ତ ଜୀବଙ୍କର; ତତଃ -ସେଥିରୁ; ଭବତି - ହୁଏ; ଭାରତ- ହେ ଭରତପୁତ୍ର !; ସର୍ବଯୋନିଷୁ- ସମସ୍ତ ପ୍ରକାର ଜୀବ-ଯୋନିରେ; କୌନ୍ତେୟ- ହେ କୁନ୍ତିପୁତ୍ର; ମୂର୍ତୟଃ -ରୂପ; ସଂଭବନ୍ତି- ଜାତ ହୁଅନ୍ତି; ଯାଃ-ଯାହା; ତାସାଂ-ସେ ସମସ୍ତେ; ବ୍ରହ୍ମ-ମହତ୍ -ମହାନ୍ ଭୂତ ପ୍ରକୃତି; ଯୋନିଃ- ଗର୍ଭାଶୟ; ଅହଂ-ମୁଁ; ବୀଜପ୍ରଦଃ-ବୀଜ ପ୍ରଦାନକାରୀ; ପିତା-ପିତା ଅଟେ ।
Translation
BG 14.3-4: ସମଗ୍ର ମାୟିକ ସ୍ଥିତି ବା ପ୍ରକୃତି, ଗର୍ଭ ଅଟେ । ମୁଁ ଜୀବାତ୍ମାମାନଙ୍କୁ ଏହି ଗର୍ଭରେ ସ୍ଥାପନ କରେ ଏବଂ ଏହିପରି ଭାବରେ ଜୀବଗଣ ଜନ୍ମ ଲାଭ କରନ୍ତି । ହେ କୁନ୍ତିପୁତ୍ର ! ଉତ୍ପନ୍ନ ହେଉଥିବା ସମସ୍ତ ପ୍ରଜାତିର ଜୀବମାନଙ୍କର ଗର୍ଭ ଭୌତିକ ପ୍ରକୃତି ଅଟେ ଏବଂ ମୁଁ ସେମାନଙ୍କର ବୀଜ ପ୍ରଦାନକାରୀ ପିତା ଅଟେ ।
Commentary
ଭୌତିକ ଜଗତ ସୃଷ୍ଟି, ପାଳନ ଏବଂ ବିଲୟର ଚକ୍ର ଦେଇ ଗତି କରେ, ଯାହାର ବର୍ଣ୍ଣନା ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ କରାଯାଇଛି । ପ୍ରଳୟ ସମୟରେ, ଭଗବାନଙ୍କ ପ୍ରତି ବିମୁଖ ଥିବା ଜୀବଗଣ, ମହା ବିଷ୍ଣୁଙ୍କୁ ଶରୀରରେ ସୁପ୍ତ ଅବସ୍ଥାରେ ରହନ୍ତି । ଭୌତିକ ଶକ୍ତି ବା ପ୍ରକୃତି ମଧ୍ୟ ଭଗବାନଙ୍କ ମହୋଦରରେ ଅବ୍ୟକ୍ତ ଭାବରେ ରହିଥାଏ । ସୃଷ୍ଟି ପ୍ରକ୍ରିୟାକୁ କ୍ରିୟାନ୍ୱିତ କରିବାର ଇଚ୍ଛାରେ ଭଗବାନ ପ୍ରକୃତି ଉପରେ ଦୃଷ୍ଟିପାତ କଲେ, ତାହା ଉନ୍ମୋଚିତ ହେବାକୁ ଆରମ୍ଭ କରେ ଏବଂ କ୍ରମାଗତ ଭାବେ ସେଥିରୁ ମହାନ୍, ଅହଂକାର, ପଞ୍ଚ-ତନ୍ମାତ୍ରା ଏବଂ ପଞ୍ଚ-ମହାଭୂତ ତତ୍ତ୍ୱଗୁଡ଼ିକ ସୃଷ୍ଟି ହୁଅନ୍ତି । ମାଧ୍ୟମିକ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସହାୟତାରେ, ପ୍ରକୃତି ବିଭିନ୍ନ ଜୀବ ସ୍ୱରୂପ ସୃଷ୍ଟି କରେ ଏବଂ ଭଗବାନ, ପୂର୍ବ କର୍ମ ଅନୁସାରେ, ଜୀବକୁ ଉପଯୁକ୍ତ ଶରୀରରେ ସ୍ଥାପିତ କରନ୍ତି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ପ୍ରକୃତି ଗର୍ଭତୁଲ୍ୟ ଅଟେ ଏବଂ ଆତ୍ମା ସବୁ ଶୁକ୍ରାଣୁ ରୂପକ ଅଟନ୍ତି । ସେ ଆତ୍ମାକୁ ପ୍ରକୃତି ମାତାଙ୍କ ଗର୍ଭରେ ସ୍ଥାପିତ କରନ୍ତି, ଯିଏ ବିବିଧ ପ୍ରକାରର ପ୍ରାଣୀଙ୍କୁ ଜନ୍ମ ଦିଅନ୍ତି । ଶ୍ରୀମଦ୍ ଭାଗବତମ୍ରେ ମଧ୍ୟ ମହର୍ଷି ବେଦବ୍ୟାସ ସେହି ଅନୁରୂପ ବର୍ଣ୍ଣନା କରିଛନ୍ତି:
ଦୈବାତ୍ କ୍ଷୁଭିତ-ଧର୍ମିଣ୍ୟାଂ ସ୍ୱସ୍ୟାଂ ଯୋନୌ ପରଃ ପୁମାନ୍
ଆଧତ୍ତ ବୀର୍ଯ୍ୟଂ ସାସୁତ ମହତ୍-ତତ୍ତ୍ୱମ୍ ହିରଣ୍ମୟମ୍ । (୩.୨୬.୧୯)
“ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ ।” ସେ ସବୁ ଜୀବଙ୍କୁୁ ମାୟିକ ଜଗତରେ ସ୍ଥାପିତ କରନ୍ତି ନାହିଁ, କେବଳ ବିମୁଖ ଜୀବଙ୍କ ପାଇଁ ତାହା କରିଥା’ନ୍ତି ।