Bhagavad Gita: Chapter 17, Verse 14

ଦେବଦ୍ୱିଜଗୁରୁପ୍ରାଜ୍ଞପୂଜନଂ ଶୌଚମାର୍ଜବମ୍ ।
ବ୍ରହ୍ମଚର୍ଯ୍ୟମହିଂସା ଚ ଶାରୀରଂ ତପ ଉଚ୍ୟତେ ।।୧୪।।

ଦେବ- ପରମେଶ୍ୱର; ଦ୍ୱିଜ-ବ୍ରାହ୍ମଣ; ଗୁରୁ -ଆଧ୍ୟାତ୍ମିକ ଗୁରୁ; ପ୍ରାଜ୍ଞ -ପୂଜ୍ୟ ବ୍ୟକ୍ତିଗଣ; ପୂଜନଂ -ଉପାସନା; ଶୌଚଂ -ପବିତ୍ରତା; ଆର୍ଜବମ୍ -ସରଳତା; ବ୍ରହ୍ମଚର୍ଯ୍ୟଂ - ବ୍ରହ୍ମଚର୍ଯ୍ୟ; ଅହିଂସା - ଅହିଂସା; ଚ- ଏବଂ; ଶାରୀରଂ - ଶାରୀରିକ; ତପଃ- ତପସ୍ୟା; ଉଚ୍ୟତେ - କୁହାଯାଏ ।

Translation

BG 17.14: ପରମାତ୍ମା, ବ୍ରାହ୍ମଣ, ଆଧ୍ୟାତ୍ମିକ ଗୁରୁ, ବିଜ୍ଞ ଏବଂ ଗୁରୁଜନ ମାନଙ୍କର ଉପାସନା ଯେତେବେଳେ ପବିତ୍ରତା, ବିନମ୍ରତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା ପୂର୍ବକ କରାଯାଇଥାଏ, ତାହାକୁ ଶାରୀରିକ ତପସ୍ୟା କୁହାଯାଏ ।

Commentary

ତପଃ ଶବ୍ଦର ଅର୍ଥ “ଉତ୍ତପ୍ତ କରିବା” । ଉଦାହରଣ ସ୍ୱରୂପ, ଶୁଦ୍ଧ କରିବା ପ୍ରକ୍ରିୟାରେ ଧାତୁ ସବୁକୁ ଅଗ୍ନି ଉପରେ ରଖି ଉତ୍ତପ୍ତ କରାଯାଏ ଏବଂ ତରଳା ଯାଏ, ଯଦ୍ୱାରା ତହିଁରେ ମିଶିଥିବା ଅଶୁଦ୍ଧ ପଦାର୍ଥ ଉପରକୁ ଉଠିଯିବ ଏବଂ ତାକୁ ସହଜରେ ବାହାର କରାଯାଇପାରିବ । ସୁନାକୁ ଅଗ୍ନିରେ ରଖିବା ଦ୍ୱାରା ତାହାର ଅଶୁଦ୍ଧ ତତ୍ତ୍ୱ ଜଳିଯାଏ ଏବଂ ଉଜ୍ଜ୍ୱଳତା ବୃଦ୍ଧି ପାଏ । ସେହିପରି ବେଦ କହେ; ଅତପ୍ତ ତନୁର୍ନତଦା ମୋଶ୍ନୁତେ (ଋଗ୍‌ବେଦ ୯.୮୩.୧) “ତପସ୍ୟା ଦ୍ୱାରା ଶରୀରକୁ ଶୁଦ୍ଧ ନ କରି, ଜଣେ ଯୋଗର ଅନ୍ତିମ ସୋପାନରେ ପହଞ୍ôଚ ପାରିବ ନାହିଁ ।” ନିଷ୍ଠାପୂର୍ବକ ତପସ୍ୟାର ଅଭ୍ୟାସ କରି, ଜଣେ ନିଜ ଜୀବନକୁ ପାର୍ଥିବ ସ୍ତରରୁ ଦିବ୍ୟତାକୁ ଉତ୍‌ଥାନ ଏବଂ ପରିବର୍ତ୍ତନ କରିପାରିବ । ଏହିପରି ତପସ୍ୟା ମହତ୍ ଉଦ୍ଦେଶ୍ୟରେ ଜଣେ ଆଧ୍ୟାତ୍ମିକ ଗୁରୁ ଏବଂ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯିବା ଆବଶ୍ୟକ ।

ଶ୍ରୀକୃଷ୍ଣ ବର୍ତ୍ତମାନ ଏହିପରି ତପସ୍ୟାକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି - ଶରୀର, ବାଣୀ ଓ ମନର ତପସ୍ୟା ବା ସଂଯମ । ଏହି ଶ୍ଲୋକରେ ସେ ଶରୀରର ତପସ୍ୟା ବିଷୟରେ କହିଛନ୍ତି । ଯେତେବେଳେ ଶରୀର ସାଧୁ ଓ ସନ୍ଥମାନଙ୍କ ସେବାରେ ଉତ୍ସର୍ଗ ହୋଇଥାଏ ଏବଂ ସାଧାରଣତଃ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ ଏବଂ ବିଶେଷ ଭାବେ ଯୌନ ସମ୍ଭୋଗକୁ ପରିତ୍ୟାଗ କରିଥାଏ, ଏହାକୁ ଶରୀରର ତପସ୍ୟା ରୂପେ ଅଭିହିତ କରାଯାଏ । ଏହିପରି ତପସ୍ୟା ସ୍ୱଚ୍ଛତା, ସରଳତା ଏବଂ ସହୃଦୟତା ପ୍ରତି ଧ୍ୟାନ ଦେଇ ସାବଧାନ ପୂର୍ବକ କରାଯିବା ଉଚିତ । ଏଠାରେ ବ୍ରାହ୍ମଣ ଶବ୍ଦ ଯେଉଁମାନେ ଜନ୍ମତଃ ବ୍ରାହ୍ମଣ ଅଟନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇନାହିଁ, ବରଂ ଯେଉଁମାନେ ସାତ୍ତ୍ୱିକ ଗୁଣର ଅଧିକାରୀ, ସେମାନଙ୍କ ପାଇଁ ବ୍ୟବହାର କରାଯାଇଛି, ଯାହାର ବର୍ଣ୍ଣନା ଶ୍ଲୋକ ୧୮.୪୨ରେ କରାଯାଇଛି ।