ଅଶାସ୍ତ୍ରବିହିତଂ ଘୋରଂ ତପ୍ୟନ୍ତେ ଯେ ତପୋ ଜନାଃ ।
ଦମ୍ଭାହଂକାରସଂଯୁକ୍ତାଃ କାମରାଗବଳାନ୍ୱିତାଃ ।।୫।।
କର୍ଷୟନ୍ତଃ ଶରୀରସ୍ଥଂ ଭୂତଗ୍ରାମମଚେତସଃ ।
ମାଂ ଚୈବାନ୍ତଃଶରୀରସ୍ଥଂ ତାନ୍ ବିଦ୍ଧ୍ୟାସୁରନିଶ୍ଚୟାନ୍ ।।୬।।
ଅଶାସ୍ତ୍ର-ବିହିତଂ - ଯାହା ଶାସ୍ତ୍ରବିହିତ ନୁହେଁ; ଘୋରଂ - କଠୋର; ତପ୍ୟନ୍ତେ - ତପସ୍ୟା କରନ୍ତି; ଯେ- ଯେଉଁମାନେ; ତପଃ -ତପସ୍ୟା; ଜନାଃ - ବ୍ୟକ୍ତିଗଣ; ଦମ୍ଭ -ଛଳନା; ଅହଙ୍କାର -ଅହଙ୍କାର; ସଂଯୁକ୍ତାଃ -ସଂଯୁକ୍ତ; କାମ-କାମ; ରାଗ-ଆସକ୍ତି; ବଳ-ବଳ; ଅନ୍ୱିତାଃ - ପ୍ରଣୋଦିତ; କର୍ଷୟନ୍ତଃ - କଷଣ ଦିଅନ୍ତି; ଶରୀରସ୍ଥଂ - ଶରୀର ମଧ୍ୟରେ ସ୍ଥିତ; ଭୂତ-ଗ୍ରାମମ୍ - ଶରୀରର ଉପାଦାନ; ଅଚେତସଃ - ନିରର୍ଥକ; ମାଂ - ମୋତେ; ଚ- ଏବଂ; ଏବ - ନିଶ୍ଚିତଭାବେ; ଅନ୍ତଃ- ଭିତରେ ଅବସ୍ଥିତ; ତାନ୍- ସେମାନଙ୍କୁ; ବିଦ୍ଧି - ଜାଣିରଖ; ଆସୁର-ଆସୁରିକ; ନିଶ୍ଚୟାନ୍ - ବିଶ୍ୱାସ ।
Translation
BG 17.5-6: କେତେକ ବ୍ୟକ୍ତି କଠୋର ସଂଯମ ଆଚରଣ କରିଥାନ୍ତି ଯାହା ଶାସ୍ତ୍ରସମ୍ମତ ନୁହେଁ, ବରଂ କେବଳ କପଟ ଓ ଅହଂକାର ଦ୍ୱାରା ପ୍ରେରିତ ହୋଇଥାଏ । କାମନା ଓ ଆସକ୍ତି ଦ୍ୱାରା ପ୍ରରୋଚିତ ହୋଇ, ସେମାନେ କେବଳ ତାଙ୍କ ଶରୀରର ଉପାଦାନମାନଙ୍କୁ ଯନ୍ତ୍ରଣା ଦିଅନ୍ତି ନାହିଁ, ବରଂ ତା ସହିତ ତାଙ୍କ ମଧ୍ୟରେ ପରମାତ୍ମା ରୂପରେ ନିବାସ କରିଥିବା ମୋତେ ମଧ୍ୟ ଯନ୍ତ୍ରଣା ଦେଇଥାନ୍ତି । ଏହି ବିବେକହୀନ ବ୍ୟକ୍ତିମାନଙ୍କୁ ଆସୁରିକ ପ୍ରବୃତ୍ତିଯୁକ୍ତ ଭାବରେ ଜାଣ ।
Commentary
ଆଧ୍ୟାତ୍ମିକତା ନାମରେ ଲୋକେ ଅର୍ଥହୀନ ସଂଯମର ଆଚରଣ କରନ୍ତି । କେହି କେହି କଣ୍ଟକିତ ଶଯ୍ୟାରେ ଶୟନ କରନ୍ତି କିମ୍ବା ଦେହରେ ତୀକ୍ଷ୍ଣ କଣ୍ଟା ବିଦ୍ଧ କରନ୍ତି । ଏହି ବିକଟାଳ ପ୍ରଥାର ପାଳନ ସେମାନେ ଭୌତିକ ଜଗତରେ ଆଧିପତ୍ୟ ଲାଭ ଉଦ୍ଦେଶ୍ୟରେ କରିଥାନ୍ତି । ଅନ୍ୟ କେତେଜଣ ବହୁବର୍ଷ ଧରି ଗୋଟିଏ ହାତକୁ ଉପରକୁ ଉଠାଇ ରଖିଥାନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଏହା ଦ୍ୱାରା ସେମାନେ ରହସ୍ୟମୟ ଶକ୍ତିର ଅଧିକାରୀ ହୋଇଯିବେ । ଆଉ କେତେଜଣ ସୂର୍ଯ୍ୟଙ୍କୁ ଅପଲକ ଚାହିଁ ରହନ୍ତି ଏବଂ ଏହାଦ୍ୱାରା ତାଙ୍କ ଚକ୍ଷୁର କ୍ଷତିସାଧନ ହେବା ପ୍ରତି ଅସାବଧାନ ହୋଇଥାନ୍ତି । ଅନ୍ୟମାନେ ଦୀର୍ଘଦିନ ଧରି ଉପବାସ କରିଥାନ୍ତି । ଭୌତିକ ଲାଭ ପାଇଁ ସେମାନେ ତାଙ୍କ ଶରୀରକୁ ନଷ୍ଟ କରିଥାନ୍ତି । ଶ୍ରୀକୃଷ୍ଣ କହୁଛନ୍ତି: ହେ ଅର୍ଜୁନ! ଯେଉଁମାନେ ଶାସ୍ତ୍ରନିୟମ ଅବମାନନା କରୁଥିଲେ ମଧ୍ୟ ବିଶ୍ୱାସର ସହିତ ପୂଜା କରିଥାନ୍ତି, ତୁମେ ତାଙ୍କର ସ୍ଥିତି ବିଷୟରେ ପ୍ରଶ୍ନ କରିଥିଲ । ମୁଁ ତୁମକୁ କହୁଛି ଯେ ଯେଉଁମାନେ କଠୋର ସଂଯମ ଆଚରଣ କରନ୍ତି ସେମାନଙ୍କ ଠାରେ ବିଶ୍ୱାସ ଦୃଷ୍ଟିଗୋଚର ହୋଇଥାଏ ସତ, କିନ୍ତୁ ଏହା ଜ୍ଞାନର ସଠିକ୍ ଆଧାର ରହିତ ହୋଇଥାଏ । ଏପରି ବ୍ୟକ୍ତିମାନଙ୍କର ସାଧନାରେ ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ତାଙ୍କର ବିଶ୍ୱାସ ଅଜ୍ଞାନତାଯୁକ୍ତ ଅଟେ । ଯେଉଁମାନେ ନିଜ ଭୌତିକ ଶରୀରର ଅପବ୍ୟବହାର କରନ୍ତି ଏବଂ ଶରୀରକୁ ଯନ୍ତ୍ରଣା ଦିଅନ୍ତି, ସେମାନେ ଅନ୍ତରରେ ବାସ କରୁଥିବା ପରମାତ୍ମାଙ୍କର ଅସମ୍ମାନ କରନ୍ତି । ଏଗୁଡ଼ିକ ଶାସ୍ତ୍ର ପ୍ରଦତ୍ତ ମାର୍ଗର ବିପରୀତ ଅଟେ ।
ତିନୋଟି ଶ୍ରେଣୀର ବିଶ୍ୱାସ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ପ୍ରତ୍ୟେକଙ୍କର ଅନୁରୂପ ଖାଦ୍ୟ, କର୍ମ, ଯଜ୍ଞ, ଦାନ ଇତ୍ୟାଦି ବିଷୟରେ ବୁଝାଉଛନ୍ତି ।