Bhagavad Gita: Chapter 17, Verse 20

ଦାତବ୍ୟମିତି ଯଦ୍ଦାନଂ ଦୀୟତେଽନୁପକାରିଣେ ।
ଦେଶେ କାଳେ ଚ ପାତ୍ରେ ଚ ତଦ୍ଦାନଂ ସାତ୍ତ୍ୱିକଂ ସ୍ମୃତମ୍ ।।୨୦।।

ଦାତବ୍ୟମ୍ - ଦାନ ଯୋଗ୍ୟ; ଇତି- ଏହିପରି; ଯତ୍ -ଯାହା; ଦାନଂ -ଦାନ; ଦୀୟତେ - ଦିଆଯାଏ; ଅନୁପକାରିଣେ - ଏପରି ବ୍ୟକ୍ତିଙ୍କୁ ଯିଏ ପ୍ରତିଦାନରେ କିଛି ଦେଇପାରିବେ ନାହିଁ; ଦେଶେ -ଉପଯୁକ୍ତ ସ୍ଥାନରେ; କାଳେ -ଉପଯୁକ୍ତ ସମୟରେ; ଚ-ଏବଂ; ପାତ୍ରେ - ଉପଯୁକ୍ତ ବ୍ୟକ୍ତିକୁ; ଚ-ଏବଂ; ତତ୍‌- ସେହି; ଦାନଂ -ଦାନ; ସାତ୍ତ୍ୱିକଂ - ସତ୍ତ୍ୱଗୁଣ ବିଶିଷ୍ଟ; ସ୍ମୃତମ୍ - କଥିତ ।

Translation

BG 17.20: କୌଣସି ପ୍ରତ୍ୟାଶା ନ ରଖି, କେବଳ ଦାନ କରିବା ଉଚିତ୍ ମନେକରି, ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ସ୍ଥାନରେ ଯେଉଁ ଦାନ ଦିଆଯାଇ ଥାଏ, ତାହାକୁ ସାତ୍ତ୍ୱିକ ଗୁଣଯୁକ୍ତ ଦାନ କୁହାଯାଏ ।

Commentary

ବର୍ତ୍ତମାନ ତିନି ପ୍ରକାରର ଦାନ ବିଷୟରେ ବର୍ଣ୍ଣନା କରାଯାଉଛି । ନିଜର ସାଧ୍ୟ ଅନୁସାରେ ଦାନ ଦେବା ଏକ କର୍ତ୍ତବ୍ୟ ଅଟେ ।  ଭବିଷ୍ୟ ପୁରାଣ କହେ: “ଦାନମେକଂ କଳୌ ଯୁଗେ” “କଳିଯୁଗରେ ଶୁଦ୍ଧିକରଣର ମାଧ୍ୟମ ଦାନ ଅଟେ ।” ରାମାୟଣ ମଧ୍ୟ ଏହା କହେ:

ପ୍ରଗଟ ଚାରି ପଦ ଧର୍ମ କେ କଳି ମହୁଁ ଏକ ପ୍ରଧାନ
ଯେନ କେନ ବିଧି ଦିହ୍ନେଁ ଦାନ କରଇ କଲ୍ୟାନ ।

“ଧର୍ମର ଚାରୋଟି ମୂଳ ସିଦ୍ଧାନ୍ତ ଅଛି, ତନ୍ମଧ୍ୟରୁ କଳିଯୁଗରେ ସର୍ବଶ୍ରେଷ୍ଠ ହେଉଛି - ଯେ କୌଣସି ଉପାୟରେ ଦାନ କର ।” ଦାନ ଅନେକ ଲାଭ ପ୍ରଦାନ କରେ । ଏହା ଭୌତିକ ବସ୍ତୁ ପ୍ରତି ଦାତାଙ୍କର ଆସକ୍ତିକୁ କମ୍ କରେ, ସେବା ମନୋଭାବ ବୃଦ୍ଧି କରେ, ହୃଦୟକୁ ବିଶାଳ କରେ ତଥା ଅନ୍ୟମାନଙ୍କ ପ୍ରତି ଦୟାଭାବ ଉତ୍ପନ୍ନ କରାଏ । ତେଣୁ ଅଧିକାଂଶ ଧାର୍ମିକ ପରମ୍ପରା ନିଜ ଉପାର୍ଜନର ଏକ ଦଶମାଂଶ ଦାନ ରୂପେ ଦେବାର ଶାସ୍ତ୍ର ନିୟମ ପାଳନ କରନ୍ତି । ସ୍କନ୍ଧ ପୁରାଣ କହେ:

ନ୍ୟାୟୋପାର୍ଜିତ ବିତ୍ତସ୍ୟ ଦଶମାଂଶେନ ଧୀମତଃ
କର୍ତ୍ତବ୍ୟୋ ବିନିଯୋଗଶ୍ଚ ଈଶ୍ୱରପ୍ରୀତ୍ୟର୍ଥମେବ ଚ ।

“ତୁମେ ସତ୍ ଉପାୟରେ ଉପାର୍ଜନ କରିଥିବା ଧନରୁ ଏକ ଦଶମାଂଶ କାଢ଼ି ନେଇ କର୍ତ୍ତବ୍ୟ ସ୍ୱରୂପ ଦାନ କର । ତୁମ ଦାନକୁ ଭଗବାନଙ୍କ ସୁଖ ନିମିତ୍ତ ଉତ୍ସର୍ଗ କର ।” ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଦର୍ଶାଇଥିବା ନିୟୋଗ ଅନୁସାରେ ଦାନକୁ ଉଚିତ ବା ଅନୁଚିତ, ଶ୍ରେଷ୍ଠ ବା ନିକୃଷ୍ଟ ଭାବରେ ବିଭକ୍ତ କରାଯାଇଥାଏ । ଯେତେବେଳେ ଏହା ହୃଦୟର ସହିତ ଯୋଗ୍ୟ ବ୍ୟକ୍ତିକୁ ଉପଯୁକ୍ତ ସମୟ ଏବଂ ଉପଯୁକ୍ତ ସ୍ଥାନରେ ପ୍ରଦାନ କରାଯାଇ ଥାଏ, ଏହାକୁ ସତ୍ତ୍ୱଗୁଣର ମର୍ଯ୍ୟାଦା ଦିଆଯାଏ ।