ଯଜନ୍ତେ ସାତ୍ତ୍ୱିକା ଦେବାନ୍ ଯକ୍ଷରକ୍ଷାଂସି ରାଜସାଃ ।
ପ୍ରେତାନ୍ ଭୂତଗଣାଂଶ୍ଚାନ୍ୟେ ଯଜନ୍ତେ ତାମସା ଜନାଃ ।।୪।।
ଯଜନ୍ତେ - ପୂଜା କରନ୍ତି; ସାତ୍ତ୍ୱିକଃ - ସତ୍ତ୍ୱଗୁଣୀ; ଦେବାନ୍ -ଦେବତାମାନଙ୍କୁ; ଯକ୍ଷଃ - ଯକ୍ଷ; ରକ୍ଷାଂସି - ରାକ୍ଷସମାନଙ୍କର; ରାଜସାଃ - ରଜୋଗୁଣୀମାନେ; ପ୍ରେତାନ୍-ଭୂତଗଣାନ୍ - ଭୂତ-ପ୍ରେତଗଣ; ଚ -ଏବଂ; ଅନ୍ୟେ - ଅନ୍ୟମାନେ; ଯଜନ୍ତେ - ପୂଜା କରନ୍ତି; ତାମସାଃ- ତମୋଗୁଣୀ; ଜନାଃ - ବ୍ୟକ୍ତିମାନେ ।
Translation
BG 17.4: ଯେଉଁମାନେ ସାତ୍ତ୍ୱିକ ଗୁଣଯୁକ୍ତ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଯକ୍ଷ ଏବଂ ରାକ୍ଷସ ମାନଙ୍କର ପୂଜା କରନ୍ତି ଏବଂ ତାମସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଭୂତ ଓ ପ୍ରେତମାନଙ୍କ୍ୁ ପୂଜା କରିଥାନ୍ତି ।
Commentary
ଏପରି କୁହାଯାଏ ଯେ ସଜ୍ଜନମାନେ ଭଲ ଦିଗକୁ ଏବଂ ଦୁର୍ଜନମାନେ ମନ୍ଦ ଦିଗକୁ ଆକର୍ଷିତ ହୋଇଥାନ୍ତି । ଭୂତ ଓ ପ୍ରେତମାନେ ଦୁଷ୍ଟ ଓ ନିଷ୍ଠୁର ପ୍ରକୃତିର ହୋଇଥିବା ସତ୍ତ୍ୱେ, ତମୋଗୁଣ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତିମାନେ ଯକ୍ଷ (ଶକ୍ତି ଓ ଧନଯୁକ୍ତ ଉପଦେବତା) ଓ ରାକ୍ଷସ (ଇନ୍ଦ୍ରିୟ ଭୋଗ, ପ୍ରତିଶୋଧ ଏବଂ କ୍ରୋଧ ପରାୟଣ ଶକ୍ତିଶାଳୀ ଜୀବ) ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏପରିକି, ଏହି ନିମ୍ନ କକ୍ଷର ଜୀବମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ସେମାନେ ପଶୁ ରକ୍ତ ମଧ୍ୟ ଉତ୍ସର୍ଗ କରିଥାନ୍ତି ଏବଂ ଏପରି ନିମ୍ନକୋଟୀର ଉପାସନାରେ ସେମାନଙ୍କର ବିଶ୍ୱାସ ଥାଏ । ଯେଉଁମାନେ ସତ୍ତ୍ୱଗୁଣ ଦ୍ୱାରା ଅନୁପ୍ରାଣୀତ ହୁଅନ୍ତି, ସେମାନେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରିବାରେ ଆଗ୍ରହୀ ହୋଇଥାନ୍ତି, କାରଣ ସେମାନେ ବିଶ୍ୱାସ କରନ୍ତି ଯେ ସେହି ଦେବତାମାନଙ୍କଠାରେ ସବୁ ପ୍ରକାରର ସଦ୍ଗୁଣ ରହିଛି । କିନ୍ତୁ, ବାସ୍ତବରେ ଭଗବାନଙ୍କ ନିମିତ୍ତ ଅର୍ପିତ ପୂଜା ହିଁ ଯଥାର୍ଥ ଅଟେ ।