Bhagavad Gita: Chapter 17, Verse 15

ଅନୁଦ୍‌ବେଗକରଂ ବାକ୍ୟଂ ସତ୍ୟଂ ପ୍ରିୟହିତଂ ଚ ଯତ୍ ।
ସ୍ୱାଧ୍ୟାୟାଭ୍ୟସନଂ ଚୈବ ବାଙ୍‌ମୟଂ ତପ ଉଚ୍ୟତେ ।।୧୫।।

ଅନୁଦ୍‌ବେଗକରଂ - ଯାହା ଉଦ୍‌ବେଗକାରକ ନୁହେଁ; ବାକ୍ୟଂ - ବାକ୍ୟ ବା କଥା; ସତ୍ୟଂ -ସତ୍ୟ; ପ୍ରିୟ -ପ୍ରିୟ; ହିତଂ -ହିତକର; ଚ- ଏବଂ; ଯତ୍ -ଯାହା; ସ୍ୱାଧ୍ୟାୟ-ଅଭ୍ୟସନଂ- ବେଦଶାସ୍ତ୍ରର ଆବୃତ୍ତି; ଚ -ଏବଂ; ଏବ- ନିଶ୍ଚିତରୂପେ; ବାଙ୍‌ମୟଂ -ବାଚିକ; ତପଃ - ତପସ୍ୟା; ଉଚ୍ୟତେ - କୁହାଯାଏ ।

Translation

BG 17.15: ଯେଉଁ ବାଣୀ ଉଦ୍‌ବେଗ ଉତ୍ପନ୍ନ କରେ ନାହିଁ, ଯାହା ସତ୍ୟ, ସମ୍ମାନସୂଚକ, ହିତକାରୀ ଏବଂ ଯେଉଁ ବାଣୀ ନିୟମିତ ବେଦଶାସ୍ତ୍ର ଆବୃତ୍ତି କରିଥାଏ - ତାହା ବାଣୀର ସଂଯମ ରୂପେ ବିବେଚିତ ହୋଇଥାଏ ।

Commentary

ବାଣୀର ସଂଯମ ହେଉଛି, ଏପରି ବଚନ କହିବା ଯାହା ସତ୍ୟ, ଅନପକାରୀ, ମଧୁର ଏବଂ ଶ୍ରୋତା ପାଇଁ ହିତକାରୀ ହୋଇଥିବ । ବେଦମନ୍ତ୍ର ଉଚ୍ଚାରଣର ଅଭ୍ୟାସକୁ ମଧ୍ୟ ବାଣୀର ସଂଯମ କୁହାଯାଇଛି । ଆଦିପୁରୁଷ ମନୁ ଲେଖିଛନ୍ତି:

ସତ୍ୟଂ ବ୍ରୂୟାତ୍ ପ୍ରିୟଂବ୍ରୂୟାନ୍ ନ ବ୍ରୂୟାତ୍ ସତ୍ୟଂ ଅପ୍ରିୟମ୍
ପ୍ରିୟଂ ଚ ନାନୃତଂ ବ୍ରୂୟାତ୍ ଏଷ ଧର୍ମଃ ସନାତନଃ ।ା (ମନୁସ୍ମୃତି ୪.୧୩୮)

“ସତ୍ୟକୁ ଏପରି ଭାବରେ କୁହ ଯାହା ଅନ୍ୟମାନଙ୍କ ପାଇଁ ଶୁଣିବାକୁ ମଧୁର ହେଉଥିବ । ଏପରି ସତ୍ୟ କୁହ ନାହିଁ ଯାହା ଅନ୍ୟ ପାଇଁ କ୍ଷତିକାରକ । ମଧୁର ହୋଇଥିଲେ ମଧ୍ୟ ମିଥ୍ୟା କୁହ ନାହିଁ । ଏହା ନୈତିକତା ଏବଂ ଧର୍ମର ଚିରନ୍ତନ ମାର୍ଗ ଅଟେ ।”