Bhagavad Gita: Chapter 17, Verse 9

କଟ୍ୱମ୍ଲଲବଣାତ୍ୟୁଷ୍ଣତୀକ୍ଷ୍‌ଣରୂକ୍ଷବିଦାହିନଃ ।
ଆହାରା ରାଜସସ୍ୟେଷ୍ଟା ଦୁଃଖଶୋକାମୟପ୍ରଦାଃ ।।୯।।

କଟୁ- ପିତା; ଅମ୍ଲ-ଖଟା; ଲବଣ - ଲୁଣିଆ; ଅତି-ଉଷ୍ଣ- ଅତି ଗରମ; ତୀକ୍ଷ୍ମ-ତୀବ୍ର; ରୂକ୍ଷ -ଶୁଷ୍କ; ବିଦାହିନଃ -ଉତ୍କଟ; ଆହାରାଃ - ଖାଦ୍ୟ; ରାଜସସ୍ୟ - ରଜୋଗୁଣର; ଇଷ୍ଟାଃ -ପ୍ରିୟ; ଦୁଃଖ - ଦୁଃଖ; ଶୋକ- ଶୋକ; ଆମୟ -ରୋଗ; ପ୍ରଦାଃ - କାରକ ।

Translation

BG 17.9: ଯେଉଁ ଖାଦ୍ୟ ଅତ୍ୟନ୍ତ ପିତା, ଖଟା, ଲବଣାକ୍ତ, ଅଧିକ ଗରମ, ଦୁର୍ଗନ୍ଧଯୁକ୍ତ, ଶୁଷ୍କ ଏବଂ ଉତ୍କଟ ଅଟେ, ସେସବୁ ଖାଦ୍ୟ ରାଜସିକ ଗୁଣଯୁକ୍ତ ବ୍ୟକ୍ତିଙ୍କର ପ୍ରିୟ ଅଟେ । ଏହିପରି ଖାଦ୍ୟ ଯନ୍ତ୍ରଣା, ଦୁଃଖ ଏବଂ ରୋଗ ଜାତ କରେ ।

Commentary

ନିରାମିଷ ଭୋଜନ ଅତ୍ୟଧିକ ଲଙ୍କା, ଶର୍କରା, ଲବଣ ଇତ୍ୟାଦି ବ୍ୟବହାର କରି ପ୍ରସ୍ତୁତ କରା ଯାଇଥିଲେ, ତାହାକୁ ରାଜସିକ ଖାଦ୍ୟ କହନ୍ତି ।  ସେଗୁଡ଼ିକୁ ବର୍ଣ୍ଣନା କରିବା ସମୟରେ ‘ଅତ୍ୟଧିକ’ ଶବ୍ଦଟି ସମସ୍ତ ବିଶେଷଣ ସହିତ ପ୍ରୟୋଗ କରାଯାଇପାରେ । ଏହିପରି ରାଜସିକ ଖାଦ୍ୟ ସବୁ ଅତ୍ୟଧିକ ତିକ୍ତ, ଅତ୍ୟଧିକ କଷା, ଅତ୍ୟଧିକ ଲବଣାକ୍ତ, ଅତ୍ୟଧିକ ଗରମ, ଅତ୍ୟଧିକ ଗନ୍ଧଯୁକ୍ତ, ଅତ୍ୟଧିକ ଶୁଷ୍କ, ଅତ୍ୟଧିକ ରାଗ, ଇତ୍ୟାଦି । ସେଗୁଡ଼ିକ ଖରାପ ସ୍ୱାସ୍ଥ୍ୟ, ଅଶାନ୍ତି ଏବଂ ନିରାଶା ଉତ୍ପନ୍ନ କରନ୍ତି । ରାଜସିକ ଗୁଣଯୁକ୍ତ ବ୍ୟକ୍ତି ଏଗୁଡ଼ିକୁ ଲୋଭନୀୟ ମନେ କରୁଥିବା ବେଳେ, ସାତ୍ତ୍ୱିକ ବ୍ୟକ୍ତି ଏଗୁଡ଼ିକ ବିରକ୍ତିକର ମନେ କରନ୍ତି । ଭୋଜନର ଉଦ୍ଦେଶ୍ୟ ଜିହ୍ୱାର ଆନନ୍ଦ ପାଇଁ ନୁହେଁ, ବରଂ ଶରୀରକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବା ଅଟେ । ଯେପରି ପୁରାତନ ପ୍ରବାଦ ଅଛି: “ବଞ୍ôଚବାକୁ ଖାଅ, ଖାଇବାକୁ ବଞ୍ଚ ନାହିଁ ।” ତେଣୁ ଜ୍ଞାନୀମାନେ ସେହି ଖାଦ୍ୟ ଗ୍ରହଣ କରନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ମନକୁ ଶାନ୍ତ ରଖେ, ତାହା ସାତ୍ତ୍ୱିକ ଖାଦ୍ୟ ଅଟେ ।