କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ୍ସ୍ମୃତିବିଭ୍ରମଃ ।
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ପ୍ରଣଶ୍ୟତି ।।୬୩।।
କ୍ରୋଧାତ୍-କ୍ରୋଧରୁ; ଭବତି-ଜାତହୁଏ; ସଂମ୍ମୋହଃ- ପୂର୍ଣ୍ଣ ମୋହ (ଅଜ୍ଞାନ); ସଂମ୍ମୋହାତ୍- ମୋହରୁ ; ସ୍ମୃତି-ସ୍ମୃତିର; ବିଭ୍ରମଃ-ବିଭ୍ରାନ୍ତି; ସ୍ମୃତିଭ୍ରଂଶାତ୍- ସ୍ମୃତିନାଶରୁ; ବୁଦ୍ଧିନାଶଃ-ବୁଦ୍ଧିନାଶ; ବୁଦ୍ଧିନାଶାତ୍-ବୁଦ୍ଧିନାଶରୁ; ପ୍ରଣଶ୍ୟତି-ଅଧୋପତନ ହୁଏ ।
Translation
BG 2.63: କ୍ରୋଧ ବିଚାରଶକ୍ତିକୁ ସମ୍ମୋହିତ କରିଦିଏ, ଯଦ୍ୱାରା ସ୍ମୃତି ଶକ୍ତି ଭ୍ରମିତ ହୋଇଯାଏ । ସ୍ମୃତି ଭ୍ରମିତ ହେଲେ ବୁଦ୍ଧି ନଷ୍ଟ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୁଏ ବ୍ୟକ୍ତିର ପତନ ହୋଇଥାଏ ।
Commentary
ସକାଳର କୁହୁଡ଼ି ସୂର୍ଯ୍ୟାଲୋକକୁ ଅସ୍ପଷ୍ଟ କରିଦେବା ପରି କ୍ରୋଧ ବିଚାର ଶକ୍ତିକୁ ନଷ୍ଟ କରିଦେଇ ଥାଏ । କ୍ରୋଧବଶତଃ ବ୍ୟକ୍ତି ଭୁଲ କରିଥାଏ ଏବଂ ପରେ ତା’ ପାଇଁ ପଶ୍ଚାତାପ କରେ, କାରଣ ପ୍ରକ୍ଷୋଭର କୁହୁଡ଼ି ବୁଦ୍ଧିକୁ ଢାଙ୍କିଦିଏ । ଲୋକେ କହନ୍ତି, “ସେ ମୋ ଠାରୁ କୋଡ଼ିଏ ବର୍ଷ ବଡ଼ । ମୁଁ ତାଙ୍କ ସହିତ ଏପରି ବ୍ୟବହାର କାହିଁକି କଲି ? ମୋର କ’ଣ ହୋଇଥିଲା ? ଏହା ହୋଇଥିଲା ଯେ ବିଚାର ଶକ୍ତି କ୍ରୋଧର ପ୍ରଭାବରେ ନଷ୍ଟ ହୋଇଗଲା ଏବଂ ଆପଣ ଗୁରୁଜନଙ୍କୁ ଗାଳି ଦେବାର ଭୁଲ କରି ବସିଲେ ।
ବୁଦ୍ଧି ମୋହିତ ହୋଇଯିବାର ପରିଣାମ ସ୍ୱରୂପ ସ୍ମରଣଶକ୍ତିରେ ବିଭ୍ରାନ୍ତି ଉତ୍ପନ୍ନ ହୋଇଥାଏ । ବ୍ୟକ୍ତି କ’ଣ ଠିକ୍ ଓ କ’ଣ ଭୁଲ୍ ତାହା ଭୁଲିଯାଏ ଏବଂ ବିଭିନ୍ନ ଆବେଗ ଦ୍ୱାରା ପରିଚାଳିତ ହୁଏ । ଏହିଠାରୁ ପତନ ଆରମ୍ଭ ହୁଏ - ସ୍ମୃତି ଭ୍ରମିତ ହୋଇ ଶେଷରେ ବୁଦ୍ଧିକୁ ନଷ୍ଟ କରିଦିଏ । ଯେହେତୁ ବୁଦ୍ଧି ଆମର ଅନ୍ତରଙ୍ଗ ମାର୍ଗଦର୍ଶକ ଅଟେ, ଏହା ନଷ୍ଟ ହେବା ଦ୍ୱାରା ବ୍ୟକ୍ତିର ପତନ ହୋଇଯାଏ । ଏହିପରି ଭାବରେ, ଏଠାରେ ଦିବ୍ୟତାରୁ ଅଶୁଦ୍ଧତା ପର୍ଯ୍ୟନ୍ତ ପତନର ମାର୍ଗ ବିଷୟରେ ବର୍ଣ୍ଣନା କରାଯାଇଅଛି ଯାହାର ଶୃଙ୍ଖଳା ଇନ୍ଦ୍ରିୟ-ବିଷୟରେ ସୁଖର ଚିନ୍ତନରୁ ଆରମ୍ଭ ହୋଇ ବୁଦ୍ଧିନାଶ ପର୍ଯ୍ୟନ୍ତ ଚାଲିଥାଏ ।