Bhagavad Gita: Chapter 2, Verse 8

ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍‌
ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ।
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ
ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ ।।୮।।

ନ- ନୁହେଁ; ହି-ନିଶ୍ଚିତଭାବେ; ପ୍ରପଶ୍ୟାମି- ମୁଁ ଦେଖୁଛି; ମମ-ମୋର; ଅପନୁଦ୍ୟାତ୍‌-ଦୂର କରିବେ; ଯତ୍‌-ଯାହା; ଶୋକଂ-ଶୋକ; ଉଚ୍ଛୋଷଣମ୍‌-ଶୁଷ୍କ କରିଦେବା; ଇନ୍ଦ୍ରିୟାଣାନ୍‌-ଇନ୍ଦ୍ରିୟମାନଙ୍କର; ଅବାପ୍ୟ- ପ୍ରାପ୍ତ ହୋଇ; ଭୂମୌ- ପୃଥିବୀରେ; ଅସପତ୍ନଂ-ଅପ୍ରତିଦ୍ୱନ୍ଦୀ; ଋଦ୍ଧଂ-ସମୃଦ୍ଧ;ରାଜ୍ୟଂ-ରାଜ୍ୟ; ସୁରାଣାମ୍‌-ଦେବତାମାନଙ୍କ ପରି; ଅପି-ଏପରିକି; ଚ-ମଧ୍ୟ; ଆଧିପତ୍ୟମ୍‌-ଆଧିପତ୍ୟ ।

Translation

BG 2.8: ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଏହି ଶୋକକୁ ଦୂର କରିବାର କୌଣସି ଉପାୟ ମୁଁ ଖୋଜିପାଉ ନାହିଁ । ପୃଥିବୀର ଏକ ସମୃଦ୍ଧିଶାଳୀ ଓ ଶତ୍ରୁହୀନ ରାଜ୍ୟ ଜୟ କରି ଅଥବା ସ୍ୱର୍ଗର ଦେବତାମାନଙ୍କ ପରି ପୂର୍ଣ୍ଣ ଆଧିପତ୍ୟ ପ୍ରାପ୍ତ କରି ମଧ୍ୟ ମୁଁ ଏହି ଦୁଃଖକୁ ଦୂର କରିପାରିବି ନାହିଁ ।

Commentary

ଆମେ ଯେତେବେଳେ ଦୁଃଖରେ ଅଭିଭୂତ ହୋଇଯାଉ, ଆମର ବୁଦ୍ଧି ତା’ର କାରଣ ବିଶ୍ଳେଷଣ କରିବାରେ ଲାଗିଯାଏ ଏବଂ ସେ ଯେତେବେଳେ ଆଉ ଆଗକୁ ଚିନ୍ତା କରିପାରେ ନାହିଁ, ମନରେ ନୈରାଶ୍ୟ ଉତ୍ପନ୍ନ ହୋଇଥାଏ । ଅର୍ଜୁନଙ୍କର ସମସ୍ୟା ଯେହେତୁ ତାଙ୍କ ସ୍ୱଳ୍ପ ବୃଦ୍ଧିର କ୍ଷମତାଠାରୁ ବହୁତ ବଡ ଥିଲା, ତାଙ୍କର ମାୟିକ ଜ୍ଞାନ ତାଙ୍କୁ ଏହି ଦୁଃଖର ସାଗରରୁ ଉଦ୍ଧାର କରିବାକୁ ଅପର୍ଯ୍ୟାପ୍ତ ଥିଲା । ଶ୍ରୀକୃଷ୍ଣଙ୍କୁ ନିଜର ଗୁରୁ ଭାବରେ ସ୍ୱୀକାର କରି, ଅର୍ଜୁନ ହୃଦୟ ଖୋଲି ତାଙ୍କର ଦୟନୀୟ ଅବସ୍ଥାକୁ ତାଙ୍କ ସମ୍ମୁଖରେ ବ୍ୟକ୍ତ କରୁଛନ୍ତି ।

ଅର୍ଜୁନଙ୍କର ପରିସ୍ଥିତି କିଛି ଭିନ୍ନ ନ ଥିଲା । ନିଜ ନିଜର ଜୀବନ ଯାତ୍ରାରେ ଆମେ ସମସ୍ତେ ଅଧିକାଂଶତଃ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥାଏ । ଆମେ ଆନନ୍ଦ ଇଚ୍ଛା କରିଥାଏ, କିନ୍ତୁ ଦୁଃଖ ଆମ ଅନୁଭବରେ ଆସିଥାଏ; ଆମେ ଜ୍ଞାନର କାମନା କରିଥାଏ, କିନ୍ତୁ ଅଜ୍ଞାନତାର ବାଦଲକୁ ଆମ ଉପରୁ ହଟାଇ ପାରି ନ ଥାଏ; ଆମେ ପରିପୂର୍ଣ୍ଣ ପ୍ରେମ ଇଚ୍ଛା କରିଥାଏ, କିନ୍ତୁ ବାରମ୍ବାର ନିରାଶର ସମ୍ମୁଖୀନ ହୋଇଥାଏ । ଆମର ଉଚ୍ଚ ଶିକ୍ଷା, ତଦ୍ୱାରା ଅର୍ଜିତ ଜ୍ଞାନ, ସାଂସାରିକ ବିଦ୍ୱତା ଜୀବନର ଏହିସବୁ ସମସ୍ୟାର ସମାଧାନ କରିପାରେ ନାହିଁ । ସେଥିପାଇଁ ଦିବ୍ୟ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ରହିଥାଏ । ବିନମ୍ରତାର ସହ ଜିଜ୍ଞାସୁ ଭାବ ନେଇ ଆମେ ଯେତେବେଳେ ଜଣେ ତତ୍ତ୍ୱଦର୍ଶୀ ସଦ୍‌ଗୁରୁଙ୍କର ଶରଣାଗତ ହେଉ, ସେତେବେଳେ ଦିବ୍ୟଜ୍ଞାନର ସେହି ସିନ୍ଦୁକ ଉନ୍ମୋଚିତ ହୋଇଯାଏ । ଅର୍ଜୁନ ସେହି ମାର୍ଗରେ ଯିବାକୁ ସ୍ଥିର କରିଥିଲେ ।

Watch Swamiji Explain This Verse