ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି ।।୨୬।।
ଅଥ- ଯଦିଓ; ଚ-ଏବଂ; ଏନଂ- ଏହି ଆତ୍ମା; ନିତ୍ୟଜାତଂ- ନିତ୍ୟଜାତ; ନିତ୍ୟଂ-ସର୍ବଦା; ବା-କିମ୍ବା; ମନ୍ୟସେ- ତୁମେ ଭାବୁଛ; ମୃତଂ-ମୃତ; ତଥାପି-ତଥାପି; ତ୍ୱଂ-ତୁମେ; ମହାବାହୋ- ହେ ମହାବାହୁ; ନ- ନୁହେଁ; ଏନଂ-ଏହି ଆତ୍ମା; ଶୋଚିତୁମ୍-ଦୁଃଖ କରିବା; ଅର୍ହସି-ଉଚିତ୍ ।
Translation
BG 2.26: ହେ ପରାକ୍ରମୀ ଅର୍ଜୁନ! ଯଦି ତୁମେ ଏପରି ଭାବୁଥାଅ ଯେ ଆତ୍ମାର ସର୍ବଦା ଜନ୍ମ ଏବଂ ମୃତ୍ୟୁ ହୋଇଥାଏ, ତଥାପି ତୁମେ ଏପରି ଶୋକ କରିବା ଉଚିତ୍ ନୁହେଁ ।
Commentary
ଶ୍ରୀକୃଷ୍ଣ ଏଠାରେ ଅଥ ଶବ୍ଦ ପ୍ରୟୋଗ କରି ସୂଚିତ କରୁଛନ୍ତି ଯେ ଅର୍ଜୁନ ହୁଏତ ଆତ୍ମା ସମ୍ବନ୍ଧରେ ଥିବା ଅନ୍ୟାନ୍ୟ ମତବାଦକୁ ବିଶ୍ୱାସ କରିବାକୁ ଇଚ୍ଛା କରୁଥାଇପାରନ୍ତି । ଏହି ଶ୍ଳୋକଟିକୁ ଭାରତୀୟ ଦାର୍ଶନିକ ଚିନ୍ତାଧାରାର ଆତ୍ମା ସମ୍ବନ୍ଧୀୟ ପୃଥକ ପୃଥକ ମତବାଦ ପରିପ୍ରେକ୍ଷୀରେ ବୁଝିବାକୁ ପଡ଼ିବ । ଭାରତୀୟ ଦର୍ଶନରେ ମୁଖ୍ୟତଃ ବାରଟି ମତବାଦ ରହିଛି । ଏମାନଙ୍କ ମଧ୍ୟରେୁ ଛଅଟି ଦର୍ଶନ ବେଦକୁ ମାନ୍ୟତା ଦିଅନ୍ତି ତେଣୁ ସେମାନଙ୍କୁ ଆସ୍ତିକ ଦର୍ଶନ କୁହାଯାଏ । ଏମାନେ ହେଲେ - ମୀମାଂସା, ବେଦାନ୍ତ, ନ୍ୟାୟ, ବୈଶେଷିକ, ସାଂଖ୍ୟ ଏବଂ ଯୋଗ । ଏମାନଙ୍କର ଅନେକ ଶାଖା ମଧ୍ୟ ରହିଛି - ଉଦାହରଣ ସ୍ୱରୂପ, ବେଦାନ୍ତ ଦର୍ଶନରେ ଛଅଟି ଭିନ୍ନ ମତବାଦ ରହିଛି - ଅଦ୍ୱୈତବାଦ, ଦ୍ୱୈତବାଦ, ବିଶିଷ୍ଟାଦ୍ୱୈତବାଦ, ବିଶୁଦ୍ଧ ଦୈତବାଦ, ଦ୍ୱୈତାଦ୍ୱୈତବାଦ ଏବଂ ଅଚିନ୍ତ୍ୟ ଭେଦାଭେଦ ବାଦ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ମତବାଦର ପୁଣି ବିଭିନ୍ନ ଶାଖା ରହିଛି । ଉଦାହାରଣ ସ୍ୱରୂପ, ଅଦ୍ୱୈତବାଦର ଦୃଷ୍ଟି ସୃଷ୍ଟି ବାଦ, ଅବଚ୍ଛେଦ୍ୟ ବାଦ, ବିମ୍ବ-ପ୍ରତିବିମ୍ବ ବାଦ, ବିବର୍ତ୍ତବାଦ, ଅଜାତ ବାଦ ଇତ୍ୟାଦି ଭିନ୍ନ ଭିନ୍ନ ଉପଶାଖା ରହିଛି । ଆମେ ଏଠାରେ ଏହିସବୁ ମତବାଦର ବିଷଦ ବର୍ଣ୍ଣନ କରିବା ନାହିଁ । ଆମ ପାଇଁ କେବଳ ଏତିକି ଜାଣିବା ଯଥେଷ୍ଟ ଯେ ଏହି ସବୁ ମତବାଦ ବେଦକୁ ସିଦ୍ଧାନ୍ତର ଉତ୍ସ ଭାବରେ ଗ୍ରହଣ କରନ୍ତି । ତଦନୁଯାୟୀ, ସେମାନେ ସମସ୍ତେ ନିତ୍ୟ, ଅପରିବର୍ତ୍ତନୀୟ ଆତ୍ମାକୁ ମୁଁ ଭାବରେ ଗ୍ରହଣ କରନ୍ତି ।
ଅବଶିଷ୍ଟ ଛଅଟି ଭାରତୀୟ ଦର୍ଶନ ବେଦର ପ୍ରଭୁତ୍ୱକୁ ସ୍ୱୀକାର କରନ୍ତି ନାହିଁ । ଏଗୁଡ଼ିକ ହେଲା ଚାର୍ବାକବାଦ, ବୌଦ୍ଧଧର୍ମ ଅନ୍ତର୍ଗତ ଚାରୋଟି ମତବାଦ (ଯୋଗାଚାରବାଦ, ମାଧ୍ୟମିକ ବାଦ, ବୈଭାଶିକ ବାଦ ଏବଂ ସୌତାନ୍ତ୍ରିକ ବାଦ) ଏବଂ ଜୈନଧର୍ମ । ଆତ୍ମାର ସ୍ୱରୂପ ସମ୍ବନ୍ଧରେ ଏମାନଙ୍କର ନିଜସ୍ୱ ସ୍ୱତନ୍ତ୍ର ମତ ରହିଛି । ଚାର୍ବାକ ବାଦ ଅନୁଯାୟୀ ଶରୀର ହିଁ ‘ମୁଁ’ ଅଟେ ଏବଂ ଚୈତନ୍ୟତା ଏହାର ସମସ୍ତ ଅଂଶର ସମଷ୍ଟିର ଉଦ୍ଭବ ଅଟେ । ଜୈନ ମତବାଦ ଅନୁଯାୟୀ ଆତ୍ମାର ଆକାର ଶରୀରର ଆକାର ସହିତ ସମାନ, ତେଣୁ ଏହା ପ୍ରତି ଜନ୍ମରେ ପରିବର୍ତ୍ତିତ ହୁଏ । ବୌଦ୍ଧ ମତବାଦ ଏକ ଚିରନ୍ତନ ଆତ୍ମାର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ, ବରଂ ଏହା କହିଥାଏ ଯେ ଗୋଟିଏ ଜନ୍ମରୁ ଆଉ ଗୋଟିଏ ଜନ୍ମ ଜୀବନର ନବୀକରଣ ଧାରା ଅବ୍ୟାହତ ରହିଥାଏ, ଯାହା ବ୍ୟକ୍ତିର ନିରନ୍ତରତାକୁ ବଜାୟ ରଖେ ।
ଏପରି ମନେ ହୁଏ ଯେ ଶ୍ରୀକୃଷ୍ଣଙ୍କ ସମୟରେ ମଧ୍ୟ ବୌଦ୍ଧ ସିଦ୍ଧାନ୍ତ ଅନୁରୂପ, ନବୀକରଣ ଓ ଆତ୍ମାର ଅସ୍ଥାୟୀତ୍ୱ ସମ୍ବନ୍ଧି ମତ ପ୍ରଚଳିତ ଥିଲା । ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ଯଦି ସେ ପ୍ରତି ଜନ୍ମରେ ନୂତନ ଆତ୍ମାର ସିଦ୍ଧାନ୍ତକୁ ଗ୍ରହଣ କରୁଥାଆନ୍ତି, ତେବେ ମଧ୍ୟ ଶୋକ କରିବାର କୌଣସି କାରଣ ନାହିଁ । କାହିଁକି ଜଣେ ଶୋକ କରିବା ଉଚିତ ନୁହେଁ, ସେହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି ।