ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।
ସ୍ଥିତ୍ୱାସ୍ୟାମନ୍ତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।।୭୨।।
ଏଷା- ଏହି; ବ୍ରାହ୍ମୀ ସ୍ଥିତିଃ -ଭଗବତ୍ ପ୍ରାପ୍ତିର ଅବସ୍ଥା; ପାର୍ଥ- ହେ ପୃଥାପୁତ୍ର; ନ-ନୁହେଁ; ଏନାଂ-ଏହା; ପ୍ରାପ୍ୟ- ପ୍ରାପ୍ତ ହୋଇ; ବିମୁହ୍ୟତି-ମୁହ୍ୟମାନ ହୁଏ; ସ୍ଥିତ୍ୱା-ଅବସ୍ଥାନ କରି; ଅସ୍ୟାମ୍- ଏଥିରେ ; ଅନ୍ତକାଳେ- ମୃତ୍ୟୁ କାଳରେ; ଅପି- ମଧ୍ୟ; ବ୍ରହ୍ମ-ନିର୍ବାଣଂ- ମାୟାନିବୃତ୍ତି; ଋଚ୍ଛତି- ପ୍ରାପ୍ତ ହୁଏ ।
Translation
BG 2.72: ହେ ପାର୍ଥ! ଜୀବ ଜ୍ଞାନଦୀପ୍ତ ଅବସ୍ଥାକୁ ପ୍ରାପ୍ତ କରି ପୁନର୍ବାର ମାୟାଗ୍ରସ୍ତ ହୁଏ ନାହିଁ । ମୃତ୍ୟୁ ସମୟରେ ଚେତନାର ଏହି ସ୍ତରରେ ସ୍ଥିତ ରହି ଜୀବ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଧାମ ପ୍ରାପ୍ତ କରିଥାଏ ।
Commentary
ବ୍ରହ୍ମ ଅର୍ଥାତ୍ ଭଗବାନ ଏବଂ ବ୍ରାହ୍ମୀ ସ୍ଥିତି ଅର୍ଥାତ୍ ଭଗବତ୍ ପ୍ରାପ୍ତ ଅବସ୍ଥା । ଯେତେବେଳେ ଜୀବ ତା’ର ଅନ୍ତଃକରଣ (ମନ ଓ ବୁଦ୍ଧିକୁ ଏକତ୍ରିତ ଭାବେ ହୃଦୟ ବା ଅନ୍ତଃକରଣ କୁହାଯାଇଥାଏ)କୁ ଶୁଦ୍ଧ କରିନିଏ, ଭଗବାନ ତାକୁ ନିଜର ଦିବ୍ୟ କୃପା ପ୍ରଦାନ କରନ୍ତି, ଯାହା ୨.୬୪ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି । ସେ ତାଙ୍କର କୃପା ଦ୍ୱାରା, ଜୀବକୁ ଦିବ୍ୟଜ୍ଞାନ, ଦିବ୍ୟାନନ୍ଦ ଓ ଦିବ୍ୟ ପ୍ରେମ ପ୍ରଦାନ କରନ୍ତି । ଏସବୁ ଦିବ୍ୟ ଶକ୍ତି ଅଟେ ଯାହା ଭଗବତ୍ ପାପ୍ତି ସମୟରେ ଭଗବାନ ଜୀବକୁ ଦେଇଥାନ୍ତି ।
ତା ସହିତ ସେ ମାୟାର ବନ୍ଧନରୁ ଜୀବକୁ ମୁକ୍ତ କରନ୍ତି । ସବୁ ସଞ୍ଚିତ କର୍ମ (ଅନନ୍ତ ଜନ୍ମର କର୍ମର ହିସାବ) ନଷ୍ଟ ହୋଇଯାଏ । ଅବିଦ୍ୟା, ବା ମାୟିକ ଜଗତ ସମ୍ବନ୍ଧୀ ଅନାଦିକାଳୀନ ଅଜ୍ଞାନତା ଦୂର ହୋଇଯାଏ । ତ୍ରିଗୁଣ, ତିନୋଟି ମାୟିକ ଗୁଣର ପ୍ରଭାବ ସମାପ୍ତ ହୁଏ । ତ୍ରିଦୋଷ, ମାୟା ଜନିତ ତିନିଦୋଷ ସମାପ୍ତ ହୁଏ । ପଞ୍ଚକ୍ଳେଷ, ମାୟିକ ବୁଦ୍ଧିର ପାଞ୍ଚଟି ଦୋଷ ନଷ୍ଟ ହୁଏ । ପଞ୍ଚ କୋଷ, ମାୟିକ ଶକ୍ତିର ପାଞ୍ଚଟି ଆବରଣ ଭସ୍ମ ହୋଇଯାଏ । ତାପରେ ଆତ୍ମା ଚିରକାଳ ପାଇଁ ମାୟାର ବନ୍ଧନରୁ ମୁକ୍ତ ହୋଇଯାଏ ।
ଭଗବତ୍ ପ୍ରାପ୍ତିର ଏହି ଅବସ୍ଥାରେ ଉପନୀତ ହୋଇ ଜୀବ ଜୀବନ ମୁକ୍ତ ହୋଇଯାଏ । ସେ ଶରୀର ଧାରଣ କରି ମଧ୍ୟ ମୁକ୍ତ ହୋଇଥାଏ । ଶେଷରେ ମୃତ୍ୟୁ ସମୟରେ ସେ ତାର ପାର୍ଥିବ ଶରୀର ତ୍ୟାଗ କରି ଭଗବାନଙ୍କର ଦିବ୍ୟଧାମକୁ ଗମନ କରିଥାଏ । ଋକ୍ବେଦ କହେ:
ତଦ୍ବିଷ୍ଣୋଃ ପରମଂ ପଦଂ ସଦା ପଶ୍ୟନ୍ତି ସୂରୟଃ । (୧.୨୨.୨୦)
“ଜୀବ ଥରେ ଭଗବାନଙ୍କୁ ପ୍ରାପ୍ତ କରିନେଲେ, ସର୍ବଦା ସେ ତାଙ୍କ ସହିତ ଯୁକ୍ତ ହୋଇ ରହିଥାଏ । ତା’ପରେ ମାୟାର ଅଜ୍ଞାନତା କେବେହେଲେ ତାଙ୍କୁ ବଶୀଭୂତ କରିପାରେ ନାହିଁ ।” ମାୟା ଠାରୁ ଚିରମୁକ୍ତ ହେବାର ଏହି ଅବସ୍ଥାକୁ ନିର୍ବାଣ, ମୋକ୍ଷ ଇତ୍ୟାଦି କୁହାଯାଏ । ଅତଏବ, ମୋକ୍ଷ ଭଗବତ୍ ପ୍ରାପ୍ତିର ସ୍ୱାଭାବିକ ପରିଣାମ ଅଟେ ।