ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରେୌଗୁଣ୍ୟୋ ଭବାର୍ଜୁନ ।
ନିଦ୍ୱନ୍ଦେ୍ୱା ନିତ୍ୟସତ୍ତ୍ୱସ୍ଥୋ ନିର୍ଯୋଗକ୍ଷେମ ଆତ୍ମବାନ୍ ।।୪୫।।
ତ୍ରୈଗୁଣ୍ୟ- ଭୂତ ପ୍ରକୃତିର ତ୍ରିଗୁଣାତ୍ମକ; ବିଷୟାଃ- ବିଷୟରେ; ବେଦାଃ-ବେଦ ଶାସ୍ତ୍ର; ନିସ୍ତ୍ରେୌଗୁଣ୍ୟଃ-ତ୍ରିଗୁଣାତୀତ; ଭବ-ହୁଅ; ଅର୍ଜୁନ- ହେ ଅର୍ଜୁନ !; ନିଦ୍ୱର୍ନ୍ଦ୍ୱଃ- ଦ୍ୱନ୍ଦଭାବରୁ ମୁକ୍ତ; ନିତ୍ୟସତ୍ତ୍ୱସ୍ଥଃ-ସତ୍ୟରେ ନିତ୍ୟ ସ୍ଥିତ; ନିର୍ଯୋଗକ୍ଷେମଃ- ପ୍ରାପ୍ତି ଓ ସଂଗ୍ରହ ଚିନ୍ତାରୁ ମୁକ୍ତ; ଆତ୍ମବାନ୍- ଆତ୍ମାରେ ସ୍ଥିତ ।
Translation
BG 2.45: ହେ ଅର୍ଜୁନ, ବେଦରେ ଭୌତିକ ସଂସାରର ତିନି ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠି ବିଶୁଦ୍ଧ ଆଧ୍ୟାତ୍ମିକ ଚେତନାରେ ସ୍ଥିତ ହୁଅ । ଦ୍ୱୈତ ଭାବରୁ ନିଜକୁ ମୁକ୍ତ କରି, ଭୌତିକ ଲାଭ ଓ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ, ସତ୍ୟ ଉପରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରି ଆତ୍ମାରେ ଅବସ୍ଥାନ କର ।
Commentary
ତ୍ରିଗୁଣାତ୍ମିକା ମାୟାଶକ୍ତି ଦିବ୍ୟ ଆତ୍ମାକୁ ଆବୃତ କରି ଜୀବକୁ ଶରୀର ରୂପରେ ବିବେଚିତ କରାଏ । ମାୟାର ଏହି ତିନୋଟି ଗୁଣ ହେଲା ସତ୍ୱଗୁଣ (ସଦ୍ଗୁଣ), ରାଜସ ଗୁଣ (କାମଯୁକ୍ତ ଗୁଣ) ଓ ତାମସ ଗୁଣ (ଅବିଦ୍ୟାର ଗୁଣ) । ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ, ତାଙ୍କର ଅନନ୍ତ ଜନ୍ମର ସଂସ୍କାର ଅନୁସାରେ, ଏହି ତିନିଗୁଣ ବିଭିନ୍ନ ମାତ୍ରାରେ ପ୍ରକାଶିତ ହୋଇଥାଏ ଏବଂ ସେହି ଅନୁସାରେ ସମସ୍ତଙ୍କଠାରେ ଅଲଗା ଅଲଗା ରୁଚି ଓ ପ୍ରବୃତ୍ତି ପରିଲକ୍ଷିତ ହୋଇଥାଏ । ବୈଦିକ ଶାସ୍ତ୍ର ଏହି ଅସାମଞ୍ଜସ୍ୟକୁ ଗ୍ରହଣ କରିଥାଏ ଏବଂ ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଇଥାଏ । ଯଦି ଶାସ୍ତ୍ରଗୁଡ଼ିକ ସାଂସାରିକ-ବିଚାର ଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ କୌଣସି ଉପଦେଶ ଦିଅନ୍ତେ ନାହିଁ, ସେମାନେ ଅଧିକରୁ ଅଧିକତର ବିପଥଗାମୀ ହୋଇଯାଆନ୍ତେ । ସେଥିପାଇଁ ଯେଉଁମାନେ କଠିନ ବେଦବିହିତ କର୍ମର ଅନୁଷ୍ଠାନ କରନ୍ତି, ବେଦ ସେମାନଙ୍କ ପାଇଁ ଭୌତିକ ଉତ୍ତମ ଫଳର ବ୍ୟବସ୍ଥା କରିଥାଏ । ଏହା ସେମାନଙ୍କୁ ତାମସ ଗୁଣରୁ ରଜୋଗୁଣ ଓ ରଜୋଗୁଣରୁ ସତ୍ୱଗୁଣ ଦିଗରେ ଉତ୍ଥାନ କରିବାରେ ସାହାଯ୍ୟ କରିଥାଏ ।
ଏହିପରି ଭାବରେ, ବେଦରେ ଉଭୟ ପ୍ରକାରର ଜ୍ଞାନ ରହିଛି - ଭୌତିକତା ପ୍ରତି ଆକୃଷ୍ଟ ବ୍ୟକ୍ତିଙ୍କ ପାଇଁ ବିଧିବିଧାନ ଯୁକ୍ତ କର୍ମ ଏବଂ ଆଧ୍ୟାତ୍ମିକ ଉନ୍ନତି କାମୀଙ୍କ ପାଇଁ ଦିବ୍ୟ ଜ୍ଞାନ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ବେଦକୁ ତ୍ୟାଗ କରିବା କଥା କହୁଛନ୍ତି, ତାଙ୍କର ସେହି ବ୍ୟକ୍ତବ୍ୟକୁ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଶ୍ଲୋକଗୁଡ଼ିକର ପୃଷ୍ଠଭୂମିରେ ବୁଝିବା ଆବଶ୍ୟକ । ତାଙ୍କର ଉଦ୍ଦେଶ୍ୟ ଏହା ଯେ ଅର୍ଜୁନ ବେଦର ସେହି ଅଂଶଗୁଡ଼ିକ ପ୍ରତି ଆକୃଷ୍ଟ ହେବା ଉଚିତ ନୁହେଁ ଯେଉଁଥିରେ ଭୌତିକ ଲାଭ ପାଇଁ ନିୟମ, ରୀତିନୀତି ଏବଂ ଅନୁଷ୍ଠାନ ଆଦିର ବର୍ଣ୍ଣନା ରହିଛି । ତା ପରିବର୍ତ୍ତେ ବେଦର ଆଧ୍ୟାତ୍ମିକ ଜ୍ଞାନର ଅଂଶକୁ ବ୍ୟବହାର କରି ସେ ନିଜକୁ ଚରମ ସତ୍ୟର ସୋପାନ ପର୍ଯ୍ୟନ୍ତ ଉନ୍ନୀତ କରିବା ଉଚିତ ।