Bhagavad Gita: Chapter 2, Verse 42-43

ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତ୍ୟବିପଶ୍ଚିତଃ ।
ବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ।।୪୨।।
କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ୍ ।
କ୍ରିୟାବିଶେଷବହୁଳାଂ ଭୋଗୈଶ୍ୱର୍ଯ୍ୟଗତିଂ ପ୍ରତି ।।୪୩।।

ଯାଂ ଇମାଂ- ଏହିସବୁ; ପୁଷ୍ପିତାଂ-ରୋଚକ; ବାଚଂ-କଥା; ପ୍ରବଦନ୍ତି- କହନ୍ତି; ଅବିପଶ୍ଚିତଂ-ଅଳ୍ପଜ୍ଞ; ବେଦ-ବାଦ-ରତାଃ -ବେଦର ରୋଚକ ଶବ୍ଦରେ ମୋହିତ; ପାର୍ଥ- ହେ ପୃଥାପୁତ୍ର; ନ ଅନ୍ୟତ୍‌-ଅନ୍ୟକିଛି ନାହିଁ; ଅସ୍ତି-ଅଛି; ଇତି-ଏହିପରି; ବାଦିନଃ -ମତ ବ୍ୟକ୍ତ କରିବା; କାମ-ଆତ୍ମାନଃ- ଇନ୍ଦ୍ରିୟ ସୁଖକାମନା କରୁଥିବା; ସ୍ୱର୍ଗପରାଃ-ସ୍ୱର୍ଗପ୍ରାପ୍ତିର ଲକ୍ଷ୍ୟ ରଖିବା; ଜନ୍ମ-କର୍ମ-ଫଳପ୍ରଦାମ୍‌-ଉତ୍ତମ ଜନ୍ମ ଆଦି ଫଳ ପ୍ରଦାନକାରୀ; କ୍ରିୟାବିଶେଷ- ଆଡ଼ମ୍ବରପୂର୍ଣ୍ଣ ଅନୁଷ୍ଠାନ; ବହୁଳାଂ-ବିଭିନ୍ନ ପ୍ରକାର; ଭୋଗ-ଇନ୍ଦ୍ରିୟ ସୁଖ-ଭୋଗ; ଐଶ୍ୱର୍ଯ୍ୟ-ଐଶ୍ୱର୍ଯ୍ୟ; ଗତିଂ-ଅଗ୍ରଗତି; ପ୍ରତି-ଅଭିମୁଖରେ ।

Translation

BG 2.42-43: ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି ଯେ, ବେଦରେ ଏହାଠାରୁ ଉତ୍କୃଷ୍ଟ ବିଧିବିଧାନ ଉଲ୍ଲେଖ ହୋଇନାହିଁ । ସେମାନେ ବେଦର ସେହି ଅଂଶଗୁଡ଼ିକୁ ପ୍ରମୁଖତା ଦେଇଥାନ୍ତି ଯାହା ତାଙ୍କ ପ୍ରବୃତ୍ତିର ଅନୁକୂଳ ଥାଏ ଏବଂ ଉଚ୍ଚତର ଜନ୍ମ, ଐଶ୍ୱର୍ଯ୍ୟ, ଇନ୍ଦ୍ରିୟ ସୁଖ ଓ ସ୍ୱର୍ଗ ପ୍ରାପ୍ତି ପାଇଁ ସେମାନେ ଆଡମ୍ବରପୂର୍ଣ୍ଣ କର୍ମକାଣ୍ଡର ଅନୁଷ୍ଠାନ କରିଥାଆନ୍ତି ।

Commentary

ବେଦର ତିନୋଟି ବିଭାଗ ରହିଛି । ସେଗୁଡ଼ିକ ହେଲା: କର୍ମ-କାଣ୍ଡ (ବିଧିବିଧାନ ଯୁକ୍ତ ପୂଜା ଅର୍ଚ୍ଚନା) ଜ୍ଞାନ-କାଣ୍ଡ (ଜ୍ଞାନ ବିଭାଗ) ଏବଂ ଉପାସନା-କାଣ୍ଡ (ଭକ୍ତି ବିଭାଗ) କର୍ମକାଣ୍ଡ ବିଭାଗରେ ସଂସାରିକ ଐଶ୍ୱର୍ଯ୍ୟ ଏବଂ ସ୍ୱର୍ଗପ୍ରାପ୍ତି ପାଇଁ ବିଧିବିଧାନ ଯୁକ୍ତ କର୍ମଧର୍ମର ନିର୍ଦ୍ଦେଶ ରହିଛି । ଯେଉଁମାନେ ଇନ୍ଦ୍ରିୟ ସୁଖର କାମନା କରନ୍ତି, ସେମାନେ ବେଦର ଏହି ବିଭାଗର ଯଶଗାନ କରିଥାନ୍ତି ।

ସ୍ୱର୍ଗଲୋକରେ ଉଚ୍ଚକୋଟୀର ଭୌତିକ ସୁଖ ଉବଲବ୍‌ଧ ହୋଇଥାଏ ଏବଂ ଇନ୍ଦ୍ରିୟ ସୁଖ ଉପଭୋଗ ପାଇଁ ତାହା ଅଧିକ ସୁଯୋଗ ପ୍ରଦାନ କରିଥାଏ । କିନ୍ତୁ ସ୍ୱର୍ଗଲୋକକୁ ଉନ୍ନୀତ ହେବାର ଅର୍ଥ ଆଧ୍ୟାତ୍ମିକ ଉନ୍ନତି ନୁହେଁ । ସ୍ୱର୍ଗଲୋକ ମାୟିକ ଜଗତର ଅନ୍ତର୍ଭୁକ୍ତ, ସେଠାକୁ ଯାଇ ଜଣଙ୍କର ଗଚ୍ଛିତ ପୁଣ୍ୟ କର୍ମ ଶେଷ ହୋଇଯିବା ପରେ, ସେ ପୁନର୍ବାର ପୃଥିବୀଲୋକକୁ ଫେରିଆସେ । ଯେଉଁମାନେ ଭଲଭାବରେ ଏହା ବୁଝିନଥାନ୍ତି ସେମାନେ ସ୍ୱର୍ଗଲୋକର କାମନା କରିଥାନ୍ତି ଏବଂ ଏହା ହିଁ ବେଦର ସମ୍ପୁର୍ଣ୍ଣ ଉଦ୍ଦେଶ୍ୟ ବୋଲି ଭାବିଥାନ୍ତି । ସୁତରାଂ, ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୂରି ବୁଲୁଥାନ୍ତି ଏବଂ ଭଗବତ୍ ପ୍ରାପ୍ତି ପାଇଁ କେବେ ବି ଯତ୍ନଶୀଳ ହୁଅନ୍ତି ନାହିଁ । କିନ୍ତୁ ଆଧ୍ୟାତ୍ମିକ ଜ୍ଞାନଯୁକ୍ତ ବ୍ୟକ୍ତି ସ୍ୱର୍ଗଲୋକକୁ କେବେ ବି ତାଙ୍କର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି ନାହିଁ । ମୁଣ୍ଡକୋପନିଷଦ କହେ:

ଅବିଦ୍ୟାୟାମନ୍ତରେ ବର୍ତ୍ତମାନାଃ ସ୍ୱୟଂଧୀରାଃ ପଣ୍ଡିତଂ ମନ୍ୟମାନାଃ
ଜନ୍‌ଘନ୍ୟମାନାଃ ପରିୟନ୍ତି ମୂଢ଼ା ଅନ୍ଧେନୈବ ନୀୟମାନା ଯଥାନ୍ଧାଃ । (୧.୨.୮)

ଯେଉଁମାନେ ଉଚ୍ଚତର ଲୋକଗୁଡ଼ିକର ସ୍ୱର୍ଗୀୟ ସୁଖ ଲାଭ କରିବା ପାଇଁ ବେଦ ବର୍ଣ୍ଣିତ ଆଡ଼ମ୍ବର ପୂର୍ଣ୍ଣ କର୍ମଧର୍ମ କରନ୍ତି, ସେମାନେ ନିଜକୁ ଶାସ୍ତ୍ରର ବିଦ୍ୱାନ ବୋଲି ଭାବନ୍ତି, କିନ୍ତୁ ପ୍ରକୃତରେ ସେମାନେ ମୂଢ଼ ଅଟନ୍ତି । ଏହା ଜଣେ ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ରାସ୍ତା ଦେଖାଇବା ପରି ଅଟେ ।

Watch Swamiji Explain This Verse