Bhagavad Gita: Chapter 2, Verse 15

ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।
ସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।।୧୫।।

ଯଂ-ଯାହାକୁ; ହି-ନିଶ୍ଚିତଭାବେ; ନ -ନାହିଁ; ବ୍ୟଥୟନ୍ତି- ବ୍ୟଥିତ ହୁଅନ୍ତି; ଏତେ- ଏସବୁ; ପୁରୁଷଂ- ପୁରୁଷ; ପୁରୁଷର୍ଷଭ- ପୁରୁଷମାନଙ୍କ ମଧ୍ୟରେ ଉତ୍ତମ; ସମ -ସମଭାବ; ଦୁଃଖ -ଦୁଃଖ; ସୁଖଂ-ସୁଖ; ଧୀରଂ-ଅବିଚଳିତ; ସଃ-ସେ; ଅମୃତତ୍ୱାୟ -ମୁକ୍ତି ନିମିତ୍ତ; କଳ୍ପତେ-ଉପଯୁକ୍ତ ବିବେଚିତ ।

Translation

BG 2.15: ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ଯେଉଁ ବ୍ୟକ୍ତି ସୁଖ ଓ ଦୁଃଖ ଦ୍ୱାରା ପ୍ରଭାବିତ ହୁଏ ନାହିଁ ଏବଂ ଉଭୟ ସ୍ଥିତିରେ ଅବିଚଳିତ ରହେ, ସେ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ ।

Commentary

ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ କହିଲେ ଯେ ଉଭୟ ସୁଖ ଓ ଦୁଃଖର ଅନୁଭୂତି ଅସ୍ଥାୟୀ ଅଟେ । ସେ ବର୍ତ୍ତମାନ ଅର୍ଜୁନଙ୍କୁ ବିବେକ ଯୁକ୍ତ ହୋଇ ଏପରି ଦ୍ୱନ୍ଦ୍ୱର ଉପରକୁ ଉଠିବାକୁ ଉତ୍ସାହିତ କରୁଛନ୍ତି । ଏପରି ବିଚାର ଶକ୍ତି ଉତ୍ପନ୍ନ କରିବା ପାଇଁ ଆମେ ପ୍ରଥମେ ଦୁଇଗୋଟି ମହତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ବୁଝିବା ଆବଶ୍ୟକ । ୧) ଆମେ କାହିଁକି ସୁଖ ଇଚ୍ଛା କରୁ? ୨) ମାୟିକ ସୁଖ ଆମକୁ ତୃପ୍ତି ଦିଏ ନାହିଁ କାହିଁକି?

ପ୍ରଥମ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସରଳ ଅଟେ । ଭଗବାନ ଅନନ୍ତ ସୁଖର ସାଗର ଅଟନ୍ତି ଏବଂ ଆମେସବୁ ଜୀବ ତା’ର ଏକ କ୍ଷୁଦ୍ର ଅଂଶ ଅଟୁ । ଅର୍ଥାତ୍‌, ଆମେ ଅନନ୍ତ ଆନନ୍ଦ ସିନ୍ଧୁର ଏକ କ୍ଷୁଦ୍ର ଅଂଶ ଅଟୁ । ସ୍ୱାମୀ ବିବେକାନନ୍ଦ ଲୋକଙ୍କୁ “ହେ ଚିରନ୍ତନ ଆନନ୍ଦର ସନ୍ତାନଗଣ” ଭାବରେ ସମ୍ବୋଧନ କରୁଥିଲେ । ଶିଶୁଟିଏ ତା’ର ମା’ ପ୍ରତି ଆକର୍ଷିତ ହେବା ପରି ପ୍ରତ୍ୟେକ ଅଂଶ ତାଙ୍କର ଅଂଶୀ ପ୍ରତି ସ୍ୱଭାବିକ ଭାବେ ଆକର୍ଷିତ ହୋଇଥାନ୍ତି । ସେହିପରି ଆମେସବୁ ଜୀବ ଆନନ୍ଦ ସିନ୍ଧୁର ଅତି କ୍ଷୁଦ୍ର ଅଂଶ ହୋଇଥିବାରୁ, ସେହି ସୁଖ ଆଡ଼କୁ ଆକର୍ଷିତ ହୋଇଥାଉ । ତେଣୁ ସଂସାରରେ ଆମେ ଯାହା ବି କରୁ ସୁଖ ପାଇଁ ହିଁ କରିଥାଉ । ଆନନ୍ଦ କେଉଁଠାରେ ଅଛି ଏବଂ ତାହାର ସ୍ୱରୂପ କ’ଣ, ଏସବୁ ବିଷୟରେ ଆମ୍ଭମାନଙ୍କର ମତ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସମସ୍ତ ଜୀବିତ ପ୍ରାଣୀ ଆନନ୍ଦ ବ୍ୟତୀତ ଅନ୍ୟ କିଛି ଖୋଜୁ ନାହାନ୍ତି । ଏହା ପ୍ରଥମ ପ୍ରଶ୍ନର ଉତ୍ତର ଅଟେ ।

ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନର ଉତ୍ତର ବୁଝିବା । ଆତ୍ମା ଭଗବାନଙ୍କର ସୂକ୍ଷ୍ମ ଅଂଶ ହୋଇଥିବା ଦୃଷ୍ଟିରୁ ଏହା ମଧ୍ୟ ଭଗବାନଙ୍କ ସଦୃଶ ଦିବ୍ୟ ଅଟେ । ତେଣୁ ଆତ୍ମା ଯେଉଁ ସୁଖର ସନ୍ଧାନ କରୁଛି ତାହା ମଧ୍ୟ ଦିବ୍ୟ ଅଟେ । ସେପରି ଆନନ୍ଦର ତିନୋଟି ଗୁଣ ଥିବା ଆବଶ୍ୟକ :

୧.         ଏହା ଅନନ୍ତ ମାତ୍ରାର ହୋଇଥିବ,

୨.         ଏହା ଚିରସ୍ଥାୟୀ ହୋଇଥିବ,

୩.         ଏହା ନିତ୍ୟ ନୂତନ ହୋଇଥିବ ।

ଭଗବାନଙ୍କର ଆନନ୍ଦ ଏହିପରି ଅଟେ, ଯାହାକୁ ସତ୍‌-ଚିତ୍‌-ଆନନ୍ଦ ବା ନିତ୍ୟ-ଚୈତନ୍ୟ ଆନନ୍ଦର ସାଗର ଭାବରେ ବର୍ଣ୍ଣନା କରାଯାଇଥାଏ । କିନ୍ତୁ ଆମେ ଅନୁଭବ କରୁଥିବା ଇନ୍ଦ୍ରିୟର ବିଷୟସୁଖ ଏହାର ବିପରୀତ ଅଟେ । ଏହା ଅସ୍ଥାୟୀ, ସୀମିତ ଏବଂ ଜଡ଼ ଅଟେ । ତେଣୁ ଆମ ଶରୀର-ଇନ୍ଦ୍ରିୟ ଦ୍ୱାରା ଯେଉଁ ସଂସାରିକ ସୁଖ ଆମେ ଅନୁଭବ କରିଥାଉ, ତାହା ଆମର ଦିବ୍ୟ ଆତ୍ମାକୁ କେବେବି ସନ୍ତୁଷ୍ଟ କରିପାରିବ ନାହିଁ ।

ଏହିପରି ବିଚାର କରି, ଆମେ ସଂସାରିକ ସୁଖ ପ୍ରତି ଉଦାସୀନ ରହିବାକୁ ଅଭ୍ୟାସ କରିବା ଉଚିତ । ସେହିପରି ସଂସାରିକ ଦୁଃଖକୁ ମଧ୍ୟ ସହ୍ୟ କରିବା ଉଚିତ । (ଏହାର ଆଲୋଚନା ଆଗକୁ ଅନେକ ଶ୍ଳୋକରେ କରାଯାଇଛି, ଯଥା ୨.୪୮, ୫.୨୦ ଇତ୍ୟାଦି) । ତେବେଯାଇଁ ଆମେ ଏହି ଦ୍ୱୈତରୁ ଊର୍ଦ୍ଧକୁ ଉଠିପାରିବା ଏବଂ ମାୟାଶକ୍ତି ଆମକୁ ବାନ୍ଧି ପାରିବ ନାହିଁ ।

Watch Swamiji Explain This Verse